ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଆନ୍ଧ୍ରରେ ୪ ଦାଦନଙ୍କୁ ନିସ୍ତୁକ ମାଡ଼: ଖସି ଆସିଲେ ଜଣେ, ଫସି ରହିଛନ୍ତି ଆଉ ୩ ଦାଦନ

କେନ୍ଦ୍ରାପଡ଼ା: ଚାକିରି ଆଶାରେ କେନ୍ଦ୍ରାପଡ଼ାର ମାର୍ଶାଘାଇରୁ ୪ ଜଣ ଆନ୍ଧ୍ର ଯାଇଥିଲେ। ସେମାନଙ୍କୁ ମାଗଣା ଖଟାଇବା ସହ ଦରମା ମାଗିଲେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ଦାଦନ ଖଟିବାକୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଲୁଚିଛପି ଘରକୁ ପଳାଇ ଆସିବା ପରେ ଘଟଣାଟି ପଦାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଥାନା ଅଞ୍ଚଳର ବଡ଼ପାଳ ଗ୍ରାମର ମଙ୍ଗୁଳି ମଳିକ ସୁକାନ୍ତ ମଳିକ, ତୋଫାନ ମଳିକ ଏବଂ ଗତାନଇ ଗ୍ରାମର ସରୋଜ ମଳିକ ୪ ଜଣ ସାଙ୍ଗ ମିଳିମିଶି ଚାକିରି ପାଇଁ ଆନ୍ଧ୍ରର କର୍ଲରକୁ ଅଞ୍ଚଳକୁ ଯାଇଥିଲେ। ସେଠାରେ ରାମୁ ନାମକ ଜଣେ ତେଲୁଗୁ ଦଲାଲଙ୍କ କବଜାରେ ୪ ଜଣ ସାଙ୍ଗ ପଡ଼ିଯାଇଥିଲେ।

Article Bottom (Mobile Only)

ପରେ ଦଲାଲ ରାମୁ ଏହି ୪ଜଣଙ୍କୁ ଚାକିରି କରାଇ ଦେବା ନାଁରେ କୌଶଳ କ୍ରମେ ନିଜ ପାଖକୁ ନେଇଯାଇଥିଲା। ଏମିତିକି ମାଣିକ ବସ୍ତିରେ ରଖି ସେମାନଙ୍କୁ ୨ଦିନ ଖାଇବାକୁ ଦେବା ପରେ ୩ ଦିନ ପରେ ଏମାନଙ୍କୁ ବାନ୍ଧି ଅତର୍କିତ ମାଡ଼ ମାରିବା ସହ ହାତ ଗୋଡ଼ ବାନ୍ଧି ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଏହି ୪ ଜଣଙ୍କ ମୋବାଇଲ ଛଡାଇ ନେଇଯାଇଥିଲେ। ଏମାନଙ୍କୁ ମାଡର ଭୟ ଦେଖାଇ ଏକ ମାଛ ଧରା ବୋଟରେ ସମୁଦ୍ର ମୁହାଣକୁ ନେଇ ସେଠାରେ ମାଛ ଧରା କାର୍ଯ୍ଯରେ ନିୟୋଜିତ କରୁଥିଲେ। ଏହି ପରି ଦଲାଲ ଜଣଙ୍କ ଦୁଇ ମାସ ବିନା ଦରମାରେ କାମ କରାଇଥିଲେ। ଗତ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାର ୪ ଜଣ ଯୁବକ ଦରମା ମାଗିବାରୁ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅତର୍କିତ ମାଡ଼ ମରାଯାଇଥିଲା । ଏଠାରୁ ଖସି ଆସିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। ହେଲେ ଚତୁରତା ସହ ବଡ଼ପାଳ ଗ୍ରାମର ମଙ୍ଗୁଳି ମଳିକ ବିଳମ୍ବିତ ରାତିରେ ମାଣିକ ବସ୍ତିରୁ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲା। ତେବେ ୩ ଦିନ ବିଭିନ୍ନ ସ୍ଥାନରୁ ଭିକ୍ଷା ବୃତ୍ତି କରି ନିଜ ଗାଁକୁ ସୋମବାର ଫେରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି। ତେବେ ଆଉ ୩ ଜଣ ସାଙ୍ଗଙ୍କୁ କିପରି ଉଦ୍ଧାର କରାଯିବ ଏନେଇ ମଙ୍ଗୁଳି ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଆନ୍ଧ୍ରରେ ଫସି ରହିଥିବା ୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାକୁ ନାରୀ ନେତ୍ରୀ ଉଷା ରାଣୀ ମିଶ୍ର ଦାବି କରିଛନ୍ତି।

Leave A Reply

Your email address will not be published.