୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟର ୨୨ ଟି କାହାଣୀ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। କରୋନା ପ୍ରଭାବିତ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହି ବଜେଟରେ ଅନେକ ପଦକ୍ଷେପ ନିଆଯାଇଛି। ଉଚ୍ଚ ଅଭିବୃଦ୍ଧି ହାସଲ ପାଇଁ ବ୍ୟୟ ପରିମାଣ ଯଥେଷ୍ଟ ବଢ଼ାଯାଇଥିଲେ ହେଁ ରାଜସ୍ବ ଆୟ ଯଥେଷ୍ଟ କମ୍ ରହିଛି। ତେଣୁ ନିଅଣ୍ଟିଆ ସ୍ଥିତିକୁ ସୁଧାରିବା ପାଇଁ ସରକାର ଋଣର ସାହାରା ନେଇଛନ୍ତି। ବିଶେଷକରି ଭିତ୍ତିଭୂମି, ଡିଜିଟାଲ ଭିତ୍ତିଭୂମି, ପର୍ଯ୍ୟାପ୍ତ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ଲାଗି ଯେଉଁ ପଦକ୍ଷେପ ନିଆଯାଇଛି, ତାହା ଆଗାମୀ ୨୫ ବର୍ଷ ମଧ୍ୟରେ ଜାତୀୟ ଅର୍ଥନୀତିକୁ ଏକ ନୂଆରୂପ ଦେବ ବୋଲି ନିର୍ମଳା କହିଛନ୍ତି। କିନ୍ତୁ ଏହି ବଜେଟରେ ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଖୁସି କରିବା ଭଳି କୌଣସି ବ୍ୟବସ୍ଥା ନାହିଁ। କରୋନା ପ୍ରଭାବରେ ମଧ୍ୟମ ବର୍ଗ ଏବଂ ସାଧାରଣ ଚାକିରିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ପାଇଁ ଆୟକର ଦୃଷ୍ଟିରୁ କୌଣସି ରିଆତି ଦିଆଯାଇ ନାହିଁ। ସେହିଭଳି କୃଷି ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନ ଥିବାରୁ ଏହା ସାଧାରଣବର୍ଗଙ୍କୁ ନିରାଶ କରିଛି।
- ଆୟକର: ପୁଣି ନିରାଶା
ଆଶା କରାଯାଉଥିଲା ଚଳିତ ବର୍ଷ ବଜେଟରେ ଆୟକର ସୀମା ବୃଦ୍ଧି ହେବ। ମାତ୍ର ଏ ସମ୍ପର୍କରେ କୌଣସି ଘୋଷଣା ହୋଇ ନାହିଁ। ଟିକସ ଛାଡ଼ର ପରିସୀମା ବୃଦ୍ଧି ହୋଇନାହିଁ କିମ୍ବା ଏଥିରେ କୌଣସି ସଂଶୋଧନ ହୋଇନାହିଁ। କର୍ପୋରେଟ ଟିକସ ୧୮%ରୁ ୧୫%କୁ ହ୍ରାସ କରାଯାଇଛି। ତେବେ ଆୟକରଦାତାଙ୍କ ପାଇଁ ୨ ବର୍ଷ ପୁରୁଣା ରିଟର୍ଣ୍ଣକୁ ଅପଡେଟ୍ କରିବା ପାଇଁ ସୁଯୋଗ ଦିଆଯାଇଛି। ଆୟକର ତ୍ରୁଟିକୁ ୨ ବର୍ଷ ମଧ୍ୟରେ ସଂଶୋଧନ ପ୍ରସ୍ତାବ। ଆୟକର ଟିକସ ପରିସୀମା ଅପରିବର୍ତ୍ତିତ, ଅଘୋଷିତ ଆୟ ଉପରେ ‘ସେଟ୍ ଅଫ୍’ ଶେଷ।
- ସ୍ୱାସ୍ଥ୍ୟସେବା: ନିର୍ଦ୍ଦିଷ୍ଟ ଘୋଷଣା ନାହିଁ
କରୋନାର ତୃତୀୟ ଲହର ଦେଶରେ ଜାରି ରହିଛି। ଗତ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୨.୩୮ଲକ୍ଷ କୋଟି ଟଙ୍କା ଅନୁଦାନ ମିଳିଥିଲା। ଚଳିତ ବର୍ଷ ୫୦% ଅଟକଳ ବୃଦ୍ଧି ଅନୁମାନ କରାଯାଉଥିଲା। ମାତ୍ର ସେପରି କିଛି ଘଟିନାହିଁ। କେବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଫୋକସ କଥା କୁହାଯାଇଛି। ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର ସ୍ୱାସ୍ଥ୍ୟ ଓ ଅନ୍ୟ ବିକାଶ କଥା ଉଲ୍ଲେଖ ରହିଛି। ମଡେଲ୍ ସ୍ୱାସ୍ଥ୍ୟ କାଉନସେଲିଂ କାର୍ଯ୍ୟକ୍ରମ ଆରମ୍ଭ କଥା କୁହାଯାଇଛିକରୋନା ଯୋଗୁଁ ମାନସିକ ସ୍ୱାସ୍ଥ୍ୟରେ ପ୍ରଭାବ ଉପରେ ଗୁରୁତ୍ୱ। ଟେଲିମେଣ୍ଟାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ମିଳିବ ସହାୟତା। ଆରମ୍ଭ ହେବ ଜାତୀୟ ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ।
- ଚାକିରିଜୀବୀ: ଆଶା ଧରାଶାୟୀ
ଚାକିରିଜୀବୀମାନଙ୍କ ପାଇଁ ବଜେଟରେ ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଆଶା କରାଯାଉଥିଲା ୮୦ ସି ପରିସର ବୃଦ୍ଧି କରାଯିବ। କରୋନା କାଳରେ ୱାର୍କ ଫ୍ରମ୍ ହୋମ୍ ସଂସ୍କୃତି ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କୁ କିଛିଟା ରିଆତି ମିଳିବାର ଆଶା ଥିଲା। ଏହି ବୃତ୍ତିଧାରୀଙ୍କ ସଂଖ୍ୟା ୮୨%। ୱାର୍କ ଫ୍ରମ୍ ହୋମ୍ରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଆଲାଉନ୍ସ ନାହିଁ। ୮୦ ସି ଅନ୍ତର୍ଗତ ନିବେଶ ଓ ଖର୍ଚ୍ଚ ପୁରୁଣା ୧.୫ ଲକ୍ଷରେ ସୀମିତ ରହିଛି।
- ଯୁବବର୍ଗ: ଆଶା ଅସୁମାରି
ବଜେଟରେ ଅର୍ଥମନ୍ତ୍ରୀ ଦେଶର ବେକାର ଯୁବକଯୁବତୀଙ୍କୁ ଦେଖାଇଛନ୍ତି ସୁନେଲି ସ୍ୱପ୍ନ। ଆଗାମୀ ଦିନରେ ଦେଶରେ ୬୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ନୂତନ ବ୍ୟବସ୍ଥା କରାଯିବ। ଏପରିକି ଆଗାମୀ ୧୦ ବର୍ଷରେ ୩୦ ଲକ୍ଷ ବେକାରଙ୍କୁ ନୂଆ ନିଯୁକ୍ତି ମିଳିବ। ୧୪ କ୍ଷେତ୍ରରେ ଆରମ୍ଭ ହୋଇଥିବା ପିଏଲ୍ଆଇ ଯୋଜନା ଅବଧି ବୃଦ୍ଧି କରାଯିବ ବୋଲି ଅସୁମାରୀ ଆଶା ଦେଖାଇଛନ୍ତି।
- ପ୍ରତିରକ୍ଷା: ସ୍ୱାବଲମ୍ବନକୁ ଗୁରୁତ୍ୱ
ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ପ୍ରତିରକ୍ଷା ଉତ୍ପାଦର ମୋଟ ୬୮% ଦେଶରୁ କ୍ରୟ କରାଯିବାକୁ ବ୍ୟବସ୍ଥା ହୋଇଛି। ଅନ୍ୟ ଦେଶରୁ ଆମଦାନୀ ଅପେକ୍ଷା ଦେଶରେ ଏହି ସାମଗ୍ରୀ ନିିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ଗତବର୍ଷ ୫୮% ପ୍ରତିରକ୍ଷା ଉପକରଣ ଦେଶ ମଧ୍ୟରୁ କ୍ରୟ କରାଯାଇଥିଲା ଓ ଆଗାମୀ ବର୍ଷ ଏହାକୁ ଆଉ ୧୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
- ଏମ୍ଏସ୍ଏମ୍ଇ: କିଞ୍ଚିତ୍ ସମ୍ଭାବନା
କରୋନା ସମୟରେ ବ୍ୟବସାୟୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତବର୍ଷ ଏମଏସ୍ଏମ୍ଇ ନିମନ୍ତେ ସରକାର ୧୫୭୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଚଳିତ ବର୍ଷ ଆଗାମୀ ୫ ବର୍ଷ ପାଇଁ ୬ ହଜାର କୋଟି ଟଙ୍କା ଘୋଷଣା ହୋଇଛି। ଏହା ସହିତ ଜିଏସ୍ଟିକୁ ନେଇ ସରକାର ଆତ୍ମସନ୍ତୋଷ ଘୋଷଣା କରିଛନ୍ତି। ଡ଼ିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି। ଇ-ପୋର୍ଟାଲ ଲଞ୍ଚ କରାଯାଇଛି। ଡ଼୍ରୋନ୍ ଶକ୍ତିକୁ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
- କୃଷିକ୍ଷେତ୍ର: ବଢ଼ିଲା ନାହିଁ ନିଧି ରାଶି
ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ରାଶି ୬ ହଜାରରୁ ବୃଦ୍ଧି କରାଯାଇ ୯ ହଜାର କରାଯାଇପାରେ ବୋଲି ଆଶା କରାଯାଉଥିଲା। ମାତ୍ର ସେପରି କିଛି ଘଟିଲା ନାହିଁ। ତେବେ କିସାନ ଡ଼୍ରୋନ୍, ଜୈବିକ ଚାଷ, ଜମିର ଡ଼ିଜିଟାଜେସନକୁ ପ୍ରୋତ୍ସାହନ ଘୋଷଣା ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ଚାଷୀଙ୍କ ଖାତାକୁ ୨.୩୭ ଲକ୍ଷ କୋଟି ପଠାଯିବାକୁ ଘୋଷଣା କରାଯାଇଛି। ଗଙ୍ଗା ଉପକୂଳରେ ୫ କିଲୋମିଟର ପରିସରରେ ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ୧ ହଜାର ଲକ୍ଷ ଟନ୍ ଧାନ କ୍ରୟ ପାଇଁ ଆଶା ରଖାଯାଇଛି।
- ମହିଳା: ଅଧା ରହିଗଲା ଆଶା
ମହିଳାମାନଙ୍କ ପାଇଁ ଗୃହ ଋଣ, ମ୍ୟୁଚୁଆଲ ଫଣ୍ଡରେ ନିବେଶ ଓ ଆୟକର ରିଆତି କରାଯିବା ଆଶା କରାଯାଉଥିଲା। ମାତ୍ର ଏ ସଂକ୍ରାନ୍ତରେ କୌଣସି ଘୋଷଣା ହୋଇନାହିଁ। ଯାହା ଫଳରେ ସେମାନଙ୍କ ରୋଜଗାର ଓ ଖର୍ଚ୍ଚରେ କୌଣସି ରିଆତି ମିଳିବାର ସମ୍ଭାବନା ନାହିଁ। ତେବେ ୨ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ, ହୀରା ଗହଣା ଉପରେ ବର୍ହିଶୁଳ୍କ ୫%କୁ ହ୍ରାସ ଓ ଇମିଟେସନ ଗହଣା ଉପରେ ବର୍ହିଶୁଳ୍କ କିଲୋପିଛା ୪୦୦ ଟଙ୍କାକୁ ହ୍ରାସ କରାଯାଇଛି।
- କ୍ରିପ୍ଟୋକରେନ୍ସି: ୨ ଘୋଷଣା
ସାମ୍ପ୍ରତିକ ସମୟର ସବୁଠୁ ଲୋକପ୍ରିୟ ନିବେଶ ମାଧ୍ୟମ କୁହାଯାଉଥିବା କ୍ରିପ୍ଟୋ କରେନ୍ସିକୁ ଆଇନତଃ ବୈଧ ଘୋଷଣା କରାଯାଇଛି। ଦେଶରେ ୧୦ କୋଟିରୁ ଅଧିକ କ୍ରିପ୍ଟୋ କାରବାରୀ ରହିଛନ୍ତି। କ୍ରିପ୍ଟୋ କରେନ୍ସିର ଆୟ ଉପରେ ସରକାର ୩୦% ଟିକସ ଘୋଷଣା କରିଛନ୍ତି। ସମ୍ପତ୍ତିର ଡ଼ିଜିଟାଲ ହସ୍ତାନ୍ତର କ୍ଷେତ୍ରରେ ୧% ଟିଡ଼ିଏସ୍ ଲଗାଯାଇଛି। ରିଜର୍ଭ ବ୍ୟାଙ୍କ ଆଗାମୀ ଆର୍ଥିକ ବର୍ଷରେ ଡ଼ିଜିଟାଲ କରେନ୍ସି ପ୍ରଚଳନ ପାଇଁ ସୂଚନା ଦିଆଯାଇଛି।
- ରେଳବାଇ: ବଢ଼ିବନି ଯାତ୍ରୀ ଭଡ଼ା
ରେଳବାଇକୁ ନେଇ ମଧ୍ୟ କୌଣସି ବଡ଼ ଘୋଷଣା ହୋଇନାହିଁ। ଏଥିରୁ ସ୍ପଷ୍ଟ ଯେ ରେଳବାଇ ଯାତ୍ରୀ ଭଡ଼ା ବୃଦ୍ଧି ହେବ ନାହିଁ। ତେବେ ଆଶା କରାଯାଉଥିବା ବୁଲେଟ୍ ଟ୍ରେନ୍, ବିଶ୍ୱସ୍ତରୀୟ ଷ୍ଟେସନ କଥା ବଜେଟ ଅଭିଭାଷଣରେ ସ୍ଥାନ ପାଇନାହିଁ। ମାତ୍ର ଆଗାମୀ ୩ ବର୍ଷରେ ୪୦୦ ନୂଆ ପିଢ଼ିର ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ହେବ ବୋଲି ଘୋଷଣା ହୋଇଛି। ୧୦୦ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଗୋ ଟର୍ମିନାଲର ବିକାଶ, ମେଟ୍ରୋ ସିଷ୍ଟମ ବିକାଶ ଲାଗି ନୂଆ ରାସ୍ତା ଅନୁଧ୍ୟାନ କଥା କୁହାଯାଇଛି। ଏହା ସହିତ ୨୦୦୦ କିଲୋମିଟର ରେଳ ନେଟୱାର୍କକୁ ‘କବଚ’ ବୈଷୟିକ ଜ୍ଞାନକୌଶଳରେ ସାମିଲ କରାଯିବ।
- ଜିଡିପି ଓ ଜିଏସ୍ଟିକୁ ନେଇ ଆଶା
ଦେଶର ଆର୍ଥିକ ବିକାଶ ୯.୨% ହାରରେ ବୃଦ୍ଧିର ପୂର୍ବାନୁମାନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସ୍ଟି ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୃଢ଼ୀଭୂତ ହୋଇଥିବା ଉଲ୍ଲେଖ କରି ସେ ପୂର୍ବ ତୁଳନାରେ ଜିଏସଟି ଆୟ ୧.୪୫ ଲକ୍ଷ କୋଟି ଅଧିକ ହେବ ବୋଲି ଆଶା କରାଯାଇଛି। ଏହା ସହିତ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
- ଶିକ୍ଷା: ଅୟୁତ ସମ୍ଭାବନା
ଦେଶର ଶିକ୍ଷା ବ୍ୟବସ୍ଥାର ଦୃଢ଼ୀକରଣ କରିବା ନିମନ୍ତେ ବଜେଟରେ ରହିଛି ଅନେକ ଆଶା। ବିଶେଷ କରି ଡ଼ିଜିଟାଲ ଶିକ୍ଷା ଓ ଇ-ଶିକ୍ଷା କ୍ଷେତ୍ରକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଇ- ବିଦ୍ୟାରେ ପ୍ରତି ଶ୍ରେଣୀ ପାଇଁ ଭିନ୍ନଭିନ୍ନ ଟିଭି ଚ୍ୟାନେଲରେ ଶିକ୍ଷା ଦିଆଯିବ। ସେହିପରି ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବା ନିମନ୍ତେ ବର୍ତ୍ତମାନର ୧୨ଟି ଚ୍ୟାନେଲକୁ ୨୦୦ ଚ୍ୟାନେଲ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ୨ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ହେବ। ବ୍ୟବସାୟିକ ଶିକ୍ଷା ନିମନ୍ତେ ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ।
- ସାଧାରଣ ଜନତା: ଆବାସ ଆଶା
ଦେଶର ସାଧାରଣ ଲୋକଙ୍କ ପାଇଁ ‘ଆବାସ’ ଓ ଡ଼ାକ ‘ଏଟିଏମ୍’ର ସ୍ୱପ୍ନ ଦେଖାଇଛନ୍ତି ଅର୍ଥମନ୍ତ୍ରୀ। ଦେଶର ଗରିବ ଲୋକଙ୍କ ପାଇଁ ଦେଶରେ ୮୦ ଲକ୍ଷ ନୂଆ ଘର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି କହିଛନ୍ତି। ସେହିପରି ଦେଶର ବିଭିନ୍ନ ଡ଼ାକଘରଗୁଡ଼ିକରେ ଏଟିଏମ୍ ସ୍ଥାପନ କରାଯିବାକୁ ଯୋଜନା କରାଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
- ପର୍ଯ୍ୟଟନ: ଡିଜିଟାଲ ପାସ୍ପୋର୍ଟ
ପର୍ଯ୍ୟଟନ କ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ଭାବରେ ବଜେଟରେ କିଛି କୁହାଯାଇ ନାହିଁ। ତେବେ ୨୦୨୨-୨୩ ଆର୍ଥିକ ବର୍ଷରୁ ଦେଶରେ ଇ-ପାସପୋର୍ଟ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଆର୍ଏଫ୍ଆଇଡ଼ି ଓ ବାୟୋମେଟ୍ରିକ୍ ଭାବରେ କାର୍ଯ୍ୟ କରିବ। ଏହି ପାସପୋର୍ଟରେ ଇଲୋକ୍ଟ୍ରୋନିକ ମାଇକ୍ରୋଚିପ୍ସ ରହିବ।
- ଭିତ୍ତିଭୂମି: ଅନେକ ସମ୍ଭାବନା
ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ବଜେଟରେ ରହିଛି ଅନେକ ସମ୍ଭାବନା। ୨୦୨୫ ସୁଦ୍ଧା ଦେଶର ସବୁ ଗାଁକୁ ଅପଟିକାଲ ଫାଇବର କେବୁଲ ବିଛାଯିବ। ୨୫ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯିବ। ଜାତୀୟ ରାଜପଥ ନିର୍ମାଣ ଲାଗି ୨୦ ହଜାର କୋଟି ଟଙ୍କାର ବଜେଟ ଅଟକଳ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ନିମନ୍ତେ ବର୍ହିଃଶୁଳ୍କ ନିୟମକୁ କୋହଳ କରିବାକୁ ମସୁଧା।
- ୫ଜି ସେବା: ୨୦୨୨ରୁ ଆରମ୍ଭ
ଚଳିତ ବର୍ଷ ୨୦୨୨ରୁ ଦେଶରେ ଆରମ୍ଭ ହେବ ୫ ଜି ସେବା। ସମ୍ପ୍ରତି ଦେଶରେ ୪ ଜି ସେବାରେ ଉନ୍ନତିକରଣ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ ହେବ। ଏହା ସହିତ ୫ ଜି ସ୍ପେକ୍ଟ୍ରମ୍ର ନିଲାମୀ ମଧ୍ୟ ୨୦୨୨ରେ କରାଯିବ। ପୁନଶ୍ଚ ଦେଶର ଅଧିକାଂଶ ଗାଁକୁ ଅପ୍ଟିକାଲ ଫାଇବର ଜରିଆରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ।
- ସବୁଜ ଶକ୍ତି: ବିକାଶ ତ୍ୱରାନ୍ୱିତ
ଦେଶରେ ସ୍ୱଚ୍ଛ ଶକ୍ତି ବା ସବୁଜ ଶକ୍ତିର ବିକାଶକୁ ତ୍ୱରାନ୍ୱିତ କରାଯିବ। ସୌର ଶକ୍ତି ଜରିଆରେ ଦେଶର ଅଙ୍ଗନବାଡ଼ିରେ ବିଦ୍ୟୁତ୍ ସଂଯୋଗ ଦିଆଯିବ। ବ୍ଲେଣ୍ଡେଡ଼୍ ଇନ୍ଧନକୁ ଅଧିକ ପ୍ରୋତ୍ସାହିତ କରିବା ଲାଗି ନନ୍ ବ୍ଲେଣ୍ଡେଡ଼୍ ଇନ୍ଧନ ଉପରେ ଅଧିକ ସରଚାର୍ଜ। ବୈଦ୍ୟୁତିକ ବାହନର ଚାର୍ଜିଂ ଲାଗି ଦେଶର ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ସ୍ଥାପନ।
- ଇଲେକ୍ଟ୍ରୋନିକ୍ସ ଶିଳ୍ପ: ଅର୍ଥନୀତିର ଅଂଶ
ପ୍ରଥମଥର ପାଇଁ ବଜେଟରେ ଗେମିଂ ଓ ଆନିମେସନକୁ ଅର୍ଥନୀତିର ଅଂଶ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆନିମେସନ, ଭିଜୁଆଲ ଇଫେକ୍ସ, ଗେମିଂ କ୍ଷେତ୍ରରେ ରୋଜଗାରର ଅସୀମ ସମ୍ଭାବନା ରହିଛି। ଏଥିପାଇଁ ଏଭିଜିସି ପ୍ରମୋସନ ଟାସ୍କ ଫାର୍ସ ସୃଷ୍ଟି ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ସ୍ଥାନୀୟ ଆବଶ୍ୟକତା ପୂରଣ ହୋଇପାରିବ ଓ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଅଂଶଗ୍ରହଣ କରାଯାଇ ପାରିବ। ଏ କ୍ଷେତ୍ରରେ ରୋଜଗାରର ବଡ଼ ସମ୍ଭାବନା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
- ସମବାୟ: ଅଧିକ ପ୍ରୋତ୍ସାହନ
ସମବାୟ କ୍ଷେତ୍ରକୁ ଚଳିତ ବଜେଟରେ ଅଧିକ ପ୍ରୋତ୍ସାହନ ଦିଆଯାଇଥିବା କଥା କୁହାଯାଉଛି। ସମବାୟ ଟିକସ ୧୮%ରୁ ୧୫%କୁ ହ୍ରାସ କରାଯାଇ ଏହି କ୍ଷେତ୍ରକୁ ଲାଭାନ୍ୱିତ କରିବାକୁ ଉଦ୍ୟମ କରାଯାଇଛି। ସେହିପରି ଏ କ୍ଷେତ୍ରରେ ରହିଥିବା ସରଚାର୍ଜକୁ ମଧ୍ୟ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨% ଥିବାବେଳେ ଏବେ ତାହାକୁ ୭% ରଖାଯାଇଛି। ପୁଣି ଟିକସ କ୍ଷେତ୍ରରେ ମଧ୍ୟ ୧ କୋଟିରୁ ଏହାକୁ ୧୦ କୋଟିକୁ ବୃଦ୍ଧି କରାଯାଇଛି।
- ରାଜକୋଷୀୟ କ୍ଷତି: ୬.୯%
ଆସନ୍ତା ଆର୍ଥିକ ବର୍ଷରେ ଦେଶର ରାଜକୋଷୀୟ କ୍ଷତି ୬.୯% ହେବ ବୋଲି ଅନୁମାନ କରାଯାଇଛି। ଗତ ଆର୍ଥିକ ବର୍ଷ ବଜେଟରେ ଏହା ୬.୮% ରହିଥିଲା। ସେହିପରି ଅର୍ଥ ବ୍ୟବସ୍ଥାରେ ୯.୨% ବୃଦ୍ଧିର ଅନୁମାନ କରାଯାଇଛି। ଏହା ନିର୍ମଳାଙ୍କ ପୂର୍ବର ସମସ୍ତ ବଜେଟ ଆକଳନଠାରୁ ସବୁଠୁ ଅଧିକ ବୋଲି କୁହାଯାଇଛି।
- ମହଙ୍ଗା: ବିଦେଶୀ ସାମଗ୍ରୀ
ବଜେଟର ପ୍ରଭାବ ପ୍ରାୟତଃ ଅଧିକାଂଶ ସାମଗ୍ରୀ ଉପରେ ପଡ଼ିବ ନାହିଁ। ୯୦% ସାମଗ୍ରୀ ଜିଏସଟି ପରିସରଭୁକ୍ତ ହୋଇଥିବାରୁ ବଜେଟରେ ଏହା ପ୍ରଭାବିତ ହେବ ନାହିଁ। ତେବେ ବିଦେଶରୁ ଆମଦାନୀ ହେଉଥିବା କିଛି ସାମଗ୍ରୀ ଉପରେ ପ୍ରବେଶ କର, ଆମଦାନୀ କର ବୃଦ୍ଧି କରାଯାଇଛି। ଯାହା ଫଳରେ ଏହି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ରହିଛି। ସେହିପରି ଛତା ଉପରେ ମଧ୍ୟ ଟିକସ ୨୦% ବୃଦ୍ଧି ହୋଇଥିବାରୁ ଏହା ମହଙ୍ଗା ହେବ।
- ବଞ୍ଚିବ ଟଙ୍କା: ମୋବାଇଲ, କପଡ଼ା ଶସ୍ତା
ମୋବାଇଲ୍ ଫୋନ୍ ଚାର୍ଜର, ମୋବାଇଲ୍ କ୍ୟାମେରା ଲେନ୍ସ, କପଡ଼ା, ରତ୍ନ ପଥର, ହୀରା ଆଦି ଶସ୍ତା ହେବ ବୋଲି ବଜେଟ ଅଭିଭାଷଣ ସମୟରେ ଇଙ୍ଗିତ ଦେଇଛନ୍ତି ଅର୍ଥମନ୍ତ୍ରୀ। ଏହା ବ୍ୟତୀତ ଇସ୍ପାତ ଓ କିଛି ରସାୟନିକ ସାମଗ୍ରୀ ଉପରେ ମଧ୍ୟ ବର୍ହିଶୁଳ୍କ ହ୍ରାସ କରାଯାଇଥିବାରୁ ଏହା ଶସ୍ତା ହେବା ସମ୍ଭାବନା ରହିଛି।