ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ହ୍ରାସ ପାଇଛି ସଂକ୍ରମଣ, ହେଲେ ଟଳିନି ବିପଦ :୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ

ଭୁବନେଶ୍ବର : କରୋନା ମୁକାବିଲା ହେଉ କିମ୍ବା ସଂକ୍ରମଣ ହାର। ଜାତୀୟ ହାରଠାରୁ ରାଜ୍ୟର ପରିସଂଖ୍ୟାନ ଆଶ୍ବସ୍ତିଜନକ ରହିଛି। ସେପଟେ କିଛି ଦିନ ହେଲା ରାଜ୍ୟରେ ସଂକ୍ରମଣ ମଧ୍ୟ କମିବାରେ ଲାଗିଛି। ଜାତୀୟ ହାରଠାରୁ ରାଜ୍ୟରେ ଅଧିକ ପରୀକ୍ଷଣ ହେଉଥିବା ବେଳେ ସେହି ତୁଳନାରେ ସଂକ୍ରମଣ ଓ ମୃତ୍ୟୁ ହାର କମ ରହିଛି। ଦେଶରେ ପ୍ରତି ଲକ୍ଷେ ନାଗରିକରେ ମାତ୍ର ୨୬୮୫ଜଣଙ୍କର ଟେଷ୍ଟିଂ ହେଉଥିବା ବେଳେ ଏ କ୍ଷେତ୍ରରେ ରାଜ୍ୟର ଟେଷ୍ଟିଂ ସଂଖ୍ୟା ୨ ଗୁଣ ପାଖାପାଖି ହେଉଛି। ରାଜ୍ୟରେ ପ୍ରତି ଲକ୍ଷେ ନାଗରିକରେ ୪୫୪୨ଜଣଙ୍କର କରୋନା ପରୀକ୍ଷଣ କରାଯାଉଛି। ସବୁଠାରୁ ବଡ଼ ଆଶ୍ବସ୍ତିର କଥା ଯେ ସଂକ୍ରମଣ ହାର ଜାତୀୟ ହାରଠାରୁ ପାଖାପାଖି ୩ ଗୁଣ କମ ରହୁଛି। ଯଦି ମୃତ୍ୟୁ ସଂଖ୍ୟା ହିସାବ କରାଯିବ ତେବେ ଆମ ରାଜ୍ୟର ସଫଳ ମୁକାବିଲା ଓ ସ୍ବାସ୍ଥ୍ୟ ସେବା ପାଇଁ ମୃତ୍ୟୁ ହାର ଅନ୍ୟ ରାଜ୍ୟ ସମେତ ଜାତୀୟ ହାରଠାରୁ ବହୁତ କମ ରହିଛି। ରାଜ୍ୟରେ ମୃତ୍ୟୁ ହାର ୦.୮ ପ୍ରତିଶତ ହୋଇଥିବା ବେଳେ ଜାତୀୟ ହାର ୧.୩ ପ୍ରତିଶତ ରହିଛି। ତଥାପି କେତେକ ଜିଲ୍ଲାରେ ସଂକ୍ରମଣ ଏବେ ବି ଅଧିକ ରହିଥିବାରୁ ବିପଦ ଟଳିନଥିବା ବିଶେଷଜ୍ଞ କହିଛନ୍ତି।

କିଛିଦିନ ହେଲା ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି। ବାକି ସବୁ ପରିସଂଖ୍ୟାନ ଠିକ୍ ଅଛି। ତଥାପି ଆଶ୍ବସ୍ତ ନ ହୋଇ ସତର୍କ ରହିବା ଜରୁରୀ। କାରଣ ଗତ ୩୦ ଦିନ ମଧ୍ୟରେ ୭୪୪୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜାତୀୟ ହାରଠାରୁ ଟେଷ୍ଟିଂ ଅଧିକ ଥିଲେ ମଧ୍ୟ ରାଜ୍ୟରେ ଯେତିକି ସଂଖ୍ୟାରେ ପରୀକ୍ଷଣ ହେଉଥିଲା, ତାଠାରୁ କମିଛି। ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣ ଶନିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମାଙ୍କୁ ପତ୍ର ଲେଖି ନମୁନା ପରୀକ୍ଷା ସହିତ ସର୍ଭିଲାନ୍ସ, ଟ୍ରାକିଂ ବୃଦ୍ଧି କରିବା ସହ କୋଭିଡ୍‍ ଉପଯୁକ୍ତ ନିୟମ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି। ଓଡ଼ିଶାର ମୁଖ୍ୟତଃ ୬ ଜିଲ୍ଲାକୁ ନେଇ ଶ୍ରୀ ଭୂଷଣ ଚିନ୍ତା ବ୍ୟକ୍ତ କରିଛନ୍ତି। ଢ଼େଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର ଜିଲ୍ଳାରେ ସାପ୍ତାହିକ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାଜନକ ବୋଲି କହିଛନ୍ତି। ଏସବୁ ଜିଲ୍ଲାରେ ସାପ୍ତାହିକ ସଂକ୍ରମଣ ହାର ୭୫ ପ୍ରତିଶତରୁ ୬୬୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀ ଭୂଷଣ ରାଜ୍ୟକୁ କହିଛନ୍ତି।


ଅନ୍ୟପଟେ ଆଜି ରାଜ୍ୟରୁ ୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୦୨୪୯ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୨୫ ଜଣ ରହିଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୨୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୯୪୬୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୦୨୩୯୫୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।


ଗତ ଅକ୍ଟୋବର ମାସ ବେଳକୁ ରାଜ୍ୟରେ ଦୈନିକ ୪୦୦ରୁ ୫୫୦ ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିଲେ। ତେବେ ଏହା ପରଠାରୁ ଦୈନିକ ସଂକ୍ରମଣ ହାର କମିବାରେ ଲାଗିଛି। ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫୦ରୁ ୨୫୦ ମଧ୍ୟରେ ରହୁଛି। ସବୁଦିନ ପ୍ରାୟ ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ଶୂନ ରହୁଛି। ତିନି ଦିନ ହେଲା ଗଜପତି ଜିଲ୍ଲା କରୋନା ମୁକ୍ତ ହୋଇ ରହିଛି। ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ସୁନ୍ଦରଗଡ଼଼, ସମ୍ବଲପୁର ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ ଜିଲ୍ଲାରେ ସକ୍ରିୟ ମାମଲା ବହୁତ କମ୍‍ ରହୁଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ଦେବଗଡ଼଼ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍‍ ରହିଛି। କିନ୍ତୁ ମାସ ମଧ୍ୟରେ ପାଖାପାଖି ସାଢ଼େ ସାତ ହଜାର ଆକ୍ରାନ୍ତ ଚିହ୍ନଟ ହେବା ଶୁଭ ସଙ୍କେତ ହୋଇନପାରେ।

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ କୁଳପତି ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଓମିକ୍ରନ୍‍ ସଂକ୍ରମଣ ବଢ଼଼ୁଥିବା ବେଳେ ବିମାନବନ୍ଦରରେ ବିଦେଶାଗତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଠିକ୍‍ ଭାବେ ହେଉ ନାହିଁ। ଫଳ ସ୍ୱରୂପ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଓମିକ୍ରନ୍‍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅନେକ ଯାତ୍ରୀ ବିନା ପରୀକ୍ଷାରେ ବିମାନବନ୍ଦରରୁ ବାହାରି ଆସୁଛନ୍ତି। ଉପଯୁକ୍ତ କ୍ୱାରେଣ୍ଟାଇନ୍‍, ଆଇସୋଲେସନ୍‍ ବ୍ୟବସ୍ଥା ହୋଇ ନାହିଁ। ଅପରପକ୍ଷେ ଲୋକଙ୍କ ମଧ୍ୟରେ କୋଭିଡ୍‍ ନିୟମର ସମ୍ପୂର୍ଣ୍ଣ ଉଲ୍ଲଘଂନ ଦେଖାଯାଉଛି। ଗୋଟିଏ ପଟେ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ଓମିକ୍ରନ୍‍ ଆମ ପାଇଁ ବହୁତ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ସରକାରଙ୍କ ସହିତ ଜନସାଧାରଣ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଡା ମହାପାତ୍ର କହିଛନ୍ତି। ରାଜ୍ୟ ଡିଏମ୍‍ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି, ରାଜ୍ୟରେ କୋଭିଡ୍‍ ସଂକ୍ରମଣ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ବାହାରୁ ଆସୁଥିବା ଲୋକ ତଥ୍ୟ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଟ୍ରାକିଂ ପାଇଁ କୁହାଯାଇଛି। ସେହିପରି ଆରଟି-ପିସିଆର ପଜିଟିଭ୍‍ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଉଛି। ସର୍ବୋପରି ଆମକୁ କୋଭିଡ୍‍ ନିୟମର ଅନୁପାଳନ କରିବା ଜରୁରୀ।

Leave A Reply

Your email address will not be published.