ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନ୍ୟାୟିକ ସେବା ପ୍ରାଧିକରଣ ମାଧ୍ୟମରେ ୫ ବର୍ଷରେ ୧୪ହଜାର ୬୪୬ଜଣ ବନ୍ଦୀଙ୍କୁ ମିଳିଛି ଆଇନ ସହାୟତା

ସଚେତନ ଅଭାବରୁ ଦଳିତମାନେ ପାଇପାରୁନାହାନ୍ତି ସୁବିଧା

ଭୁବନେଶ୍ୱର: ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ବିଭିନ୍ନ ଜେଲ୍‌‌ରେ ୭୦ ପ୍ରତିଶତ ବିଚାରାଧୀନ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଗରିବ ଶ୍ରେଣୀର ହୋଇଥିବାରୁ ଓକିଲ(ଆଇନଜୀବୀ) କରି ମାମଲା ଲଢ଼ିବା ସମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ତେଣୁ ସେମାନେ ଅଦାଲତରେ ଓକିଲ ଦେଇ ନ ପାରି ଜେଲ୍‌‌ ଭିତରେ ଦୀର୍ଘଦିନ ରହି ଯାଉଛନ୍ତି। କିନ୍ତୁ ସେମାନେ ଯେପରି ମାଗଣା ଆଇନ ସହାୟତା ପାଇପାରିବେ, ସେଥିପାଇଁ ସରକାର ୧୯୮୭ରେ ଏକ ଆଇନ ଲାଗୁ କରି ଆଇନ ସେବା ପ୍ରାଧିକରଣ(ଲିଗାଲ୍‌‌ ସର୍ଭିସ ଅଥରିଟି)ର ବ୍ୟବସ୍ଥା କରିଛନ୍ତି। ଉକ୍ତ ଆଇନର ଧାରା ୧୨ ଅନୁସାରେ ଗରିବ ଶ୍ରେଣୀର ମହିଳା, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକ ଏହି ସୁବିଧା ପାଇ ପାରିବେ। ଏଥିଲାଗି ପ୍ରତି ଜିଲ୍ଲା ଏବଂ କୋର୍ଟରେ ନ୍ୟାୟିକ ପ୍ରାଧିକରଣର ବ୍ୟବସ୍ଥା ରହିଛି। ସେମାନଙ୍କ ପାଇଁ ସେଠାରେ ଥିବା ଓକିଲ ମାମଲା ପରିଚାଳନା କରିବେ। ହେଲେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଥିବାରୁ କଏଦୀମାନେ ଏହାର ସୁବିଧା ପାଇ ପାରୁନାହାନ୍ତି। ବିଶେଷକରି ବିଭିନ୍ନ ଜେଲ୍‌‌ରେ ବିଚାରାଧୀନ କଏଦୀଙ୍କ ମଧ୍ୟରେ ଅଧିକାଂଶ ଅଶିକ୍ଷିତ ଥିବାରୁ ଏହି ସୁବିଧା ବିଷୟରେ ଜାଣି ପାରୁ ନାହାନ୍ତି।

ମିଳିଥିବା ତଥ୍ୟ ଅନୁସାରେ, ଗତ ଡିସେମ୍ବର ସୁଦ୍ଧା ମୋଟ ୧୫୫ଜଣ ବିଚାରାଧୀନ ବନ୍ଦୀଙ୍କୁ ଜାମିନ ମିଳିଥିବା ବେଳେ ସେମାନେ ଜେଲ୍‌‌ରୁ ମୁକୁଳି ପାରି ନ ଥିଲେ। ୧୫୫ ଜଣଙ୍କ ମଧ୍ୟରୁ ୧୨୨ଜଣ ବନ୍ଦୀ ପରବର୍ତ୍ତୀ ସମୟରେ ଜାମିନ୍‌‌ରେ ବାହାରିଥିଲେ। କିନ୍ତୁ ଅନ୍ୟ ୩୩ଜଣ ବନ୍ଦୀ ଜାମିନ୍‌‌ ମଞ୍ଜୁର ପରେ ବି ଜେଲ୍‌‌ରେ ରହିଛନ୍ତି। ଜାମିନ ପାଇଁ ଧାର୍ଯ୍ୟ ସର୍ତ୍ତ ପୂରଣ କରି ନ ପାରିବା ଏବଂ ଅନ୍ୟାନ୍ୟ କାରଣରୁ ଏହି ବନ୍ଦୀମାନେ ଜାମିନ ପାଇବା ପରେ ବି ମୁକୁଳି ପାରିନାହାନ୍ତି। ତେଣୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଏହି ୩୩ ଜଣ ବନ୍ଦୀ ଏବେ ମୁକୁଳିବାର ବାଟ ଫିଟିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୩ ହଜାର ୫୯୦ ଜଣ ମହିଳା ମାଗଣା ଆଇନ ସେବା ନେଇଥିବା ବେଳେ ୯୫୮ ଅନୁସୂଚିତ ଜାତି ଏବଂ ୬୨୧ଜଣ ଅନୁସୂଚିତ ଜନଜାତି ବର୍ଗର ଲୋକ ଏହି ସୁବିଧା ନେଇଛନ୍ତି। ସେହିପରି ୨୦୧୯-୨୦ ବର୍ଷରେ ୨ହଜାର ୬୩୯ ଜଣ ମହିଳା ଏବଂ ୭୦୨ ଏସ୍‌‌ଟି ଓ ୫୯୨ଜଣ ଏସ୍‌‌ସି ବର୍ଗର ଲୋକ ଏହି ସେବା ପାଇଛନ୍ତି। ସେହିଭଳି ୨୦୨୦-୨୧ରେ ୧ହଜାର ୬୮୯ ଜଣ ମହିଳା ଏହି ମାଗଣା ଆଇନ୍‌‌ ସେବା ନେଇଥିବା ବେଳେ ୬୬୨ଜଣ ଏସ୍‌‌ସି ଏବଂ ୪୧୪ ଜଣ ଏସ୍‌‌ଟି ଏହି ସୁବିଧା ପାଇଛନ୍ତି। ୨୦୨୧-୨୨ରେ ୯୩୯ଜଣ ମହିଳା ମାଗଣା ଆଇନ ସେବା ପାଇଥିବା ବେଳେ ୫୧୮ଜଣ ଏସ୍‌‌ସି ଏବଂ ୫୨୨ଜଣ ଏସ୍‌‌ଟି ଏହି ସେବା ପାଇଛନ୍ତି। ସେହିପରି ୨୦୨୩-୨୪ରେ ୮୦୦ ଲୋକ ମାଗଣା ଆଇନ ସେବା ପାଇଛନ୍ତି।

ଆଇନ ସେବା ଯୋଗାଇବା ପାଇଁ ପ୍ରତି ଜିଲ୍ଲା ଏବଂ କୋର୍ଟରେ ସରକାର ପକ୍ଷରୁ ଓକିଲ ନିଯୁକ୍ତି ହୋଇଛନ୍ତି। ଏହି ଓକିଲମାନେ ବିଭିନ୍ନ ଥାନାକୁ ପରିଦର୍ଶନରେ ଯାଇ ଓକିଲ ଦେଇ ପାରୁ ନ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ମାଗଣା ଆଇନ ସେବା ଯୋଗାଇବେ। ଏହାସହ ଜେଲ୍‌‌କୁ ଯାଇ ମଧ୍ୟ ମାଗଣା ଆଇନ ସେବାରେ ନିଯୁକ୍ତ ହୋଇଥିବା ଓକିଲ୍‌‌ମାନେ କଏଦୀ ଚିହ୍ନଟ କରି ସେମାନଙ୍କୁ ଆଇନ ସେବା ଯୋଗାଇବେ। ଜଣେ କଏଦୀ ମଧ୍ୟ ପରିବାର ସଦସ୍ୟଙ୍କ ଦ୍ୱାରା ଏହି ଓକିଲ୍‌‌ମାନଙ୍କ ସହ ଯୋଗାଯୋଗ କରି ମାଗଣା ଆଇନ୍‌‌ ସେବା ପାଇପାରିବେ। ଜେଲ୍‌‌ରେ ଥିବା କଏଦୀମାନେ ମଧ୍ୟ ଜେଲ୍‌‌ ଅଧୀକ୍ଷକଙ୍କ ଜରିଆରେ ଏହି ମାଗଣା ଆଇନ ସେବା ପାଇପାରିବେ। ଏହି ସେବା ଯୋଗାଇବା ପାଇଁ ସରକାର ଓକିଲମାନଙ୍କୁ ଲକ୍ଷାଧିକ ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ଗରିବ ଶ୍ରେଣୀର କଏଦୀମାନେ ଏହାର ସୁଫଳ ନେଇ ପାରୁନାହାନ୍ତି। ଅନେକ କ୍ଷେତ୍ରରେ ଏ ବିଷୟରେ କଏଦୀମାନେ ଜାଣି ନାହାନ୍ତି। ତେଣୁ ଏହି ବ୍ୟବସ୍ଥା ବିଷୟରେ ସମସ୍ତେ ଅବଗତ ହେବା ପାଇଁ ପ୍ରତି ଥାନା ବାହାରେ ଏକ ବୋର୍ଡ ମାରିବାକୁ କୋର୍ଟ କହିଛନ୍ତି। ସମସ୍ତ ଥାନା ଆଗାରେ ଆଇନ୍‌‌ଜୀବୀଙ୍କ ନାମ ସହ ସେମାନଙ୍କ ଫୋନ୍‌‌ ନମ୍ବର ଉଲ୍ଲେଖ କରାଯିବାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.