ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି: ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୧ ଟା ଯାଏ ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟା ଠାରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଟା ପର୍ଯ୍ୟନ୍ତ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା ବେଳେ ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯାଇଛି।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢ଼େ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ପହଣ୍ଡି ସରି ୯ଟାରେ ହେବ ମଙ୍ଗଳ ଆଳତି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢ଼େ ୧୧ରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ସାଢେ ୨ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।

Leave A Reply

Your email address will not be published.