ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରାଖଣ୍ଡ ସୁଡ଼ଙ୍ଗରୁ ଉଦ୍ଧାର ଅଭିଯାନ

ସଫଳ ଶୁଭ ସମ୍ବାଦ: ଜୀବନ ଜିତିଲା

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ସିଲ୍‌କ୍ୟାରା ସୁଡ଼ଙ୍ଗରୁ ଆସିଛି ସୁଖଦ ଖବର। ଦୀର୍ଘ ୧୭ ଦିନ ଧରି ଜାତୀୟ ସ୍ତରରେ ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ଘଟିଛି। ଏହି ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ଗତ ୧୨ ତାରିଖରୁ ଅଟକି ରହିଥÒବା ୪୧ ଜଣ ଶ୍ରମିକଙ୍କୁ ପାରମ୍ପରିକ Ñଟ୍‌ ହୋଲ୍‌ ପଦ୍ଧତିରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ଶ୍ରମିକ ମଧ୍ୟ ରହିଛନ୍ତି। ତେଣୁ ଅତ୍ୟନ୍ତ ଉତ୍କଣ୍ଠିତ ଅବସ୍ଥାରେ ଥିବା ସାରା ଦେଶରେ ଆଶ୍ୱସ୍ତି ପ୍ରକାଶ ପାଇବା ସ୍ୱାଭାବିକ। ଭୂପୃଷ୍ଠରୁ ପ୍ରାୟ ୨୦୦ ଫୁଟ ତଳେ ଦୀର୍ଘ ୧୭ ଦିନ ଅଟକି ରହିବାର ଯେଉଁ ବେଦନାଦାୟକ ଅନୁଭୂତି ତାହା କେବଳ ସେହି ଶ୍ରମିକମାନେ ହିଁ ଅନୁଭବ କରୁଥିବେ। ଜୀବନମରଣ ସ୍ଥିତିରେ ପ୍ରତିଟି ମୁହୂର୍ତ୍ତ ବିତାଇବାର ବାଧ୍ୟବାଧକତା ଯେ କେତେ ଭୀତିପ୍ରଦ ସେ କଥା ଅନୁମାନ କରିବା ସହଜ ନୁହେଁ। ଏବେ ସୁଖ ଓ ଆଶ୍ୱସ୍ତିର କଥା ଯେ ଉଦ୍ଧାର ପାଇାଥିବା ଶ୍ରମିକ ଓ ତାଙ୍କ ପରିବାରବର୍ଗଙ୍କର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଏହାସହିତ ଏହି ଧରଣର ଉଦ୍ଧାର ଅଭିଯାନରେ ଭାରତ ବିଶ୍ବରେ ଏକ ନୂଆ ଇତିହାସ ରଚିଛି।

ଏଥିରେ କିନ୍ତୁ ଯେଉଁ ଦୁର୍ବଳତା ପଦାକୁ ଆସୁଛି ତାହା ହେଲା ବିଶ୍ୱର ଅନ୍ୟତମ ପ୍ରଗତିଶୀଳ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ରାଷ୍ଟ୍ର ବୋଲାଉଥିବା ଭାରତରେ ଗଭୀର ଖଣି ଓ ସୁଡ଼ଙ୍ଗ ମଧ୍ୟରୁ ନିରାପଦରେ ଲୋକଙ୍କୁ ତୁରନ୍ତ ବାହାର କରିବାର ବୈଷୟିକ ଜ୍ଞାନକୌଶଳ ଓ ସାଧନ ଆମ ପାଖରେ ଅଭାବ ରହିଛି। ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ଆମର ସବୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ଯନ୍ତ୍ରପାତି ଏହି ଉଦ୍ଧାର କାର୍ଯ୍ୟରେ ବିଫଳ ହେଲା। ଆମେରିକାରୁ ଆସିଥିବା ‘ଅଗର’ ମେସିନ୍‌‌ ମଧ୍ୟ ଧସିଥିବା ପଥରକୁ କାଟି ପାରିଲା ନାହିଁ। ଏହା ସତ୍ତ୍ବେ ଆମର ପୁରୁଣା, ପାରମ୍ପରିକ କୌଶଳଟି ହୋଲ୍‌‌ ପଦ୍ଧତି ଏଥିରେ ସଫଳ ହୋଇଛି। ଏହି ପଦ୍ଧତିରେ ଶ୍ରମିକମାନେ ଖଣି ଭିତରେ ମୂଷା ପରି ପାରମ୍ପରିକ ଆୟୁଧ ସାହାଯ୍ୟରେ ଗାତ ଖୋଳି ଖଣିଜ ଉତ୍ତୋଳନ କରିଥା’ନ୍ତି। ଉତ୍ତର-ପୂର୍ବାଞ୍ଚଳରେ ଏହା ଏକ ପୁରୁଣା କୌଶଳ। ଏହାଦ୍ୱାରା ପରିବେଶ ଓ ଖନନକାରୀଙ୍କ ପ୍ରତି ଅଧିକ ବିପଦ ଅବଶ୍ୟ ଥାଏ। କିଛି ବର୍ଷ ତଳେ ମେଘାଳୟର କୋଇଲା ଖଣିରେ ବେଆଇନ ଭାବେ ଏହି ହୋଲ୍‌‌ ପଦ୍ଧତିରେ ଲୋକେ ଖନନ କରି ଜାଳେଣି ଚୋରି କରୁଥିବାବେଳେ ଖଣି ଧସି ବହୁ ଲୋକ ନିଖୋଜ ହୋଇଥିଲେ। ତା’ପରଠାରୁ ସରକାର / ଏମ୍‌‌ଜିଟି ଏହି ପଦ୍ଧତିକୁ ନିଷିଦ୍ଧ କରିଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ଯେଉଁଟି ହୋଲ୍‌‌ ଟେକ୍‌‌ନୋଲୋଜିକୁ ଗ୍ରୀନ୍‌‌ ଟ୍ରିବ୍ୟୁନାଲ ନିଷିଦ୍ଧ କରିଛନ୍ତି ତାହା ହିଁ ସିଲ୍‌‌କ୍ୟାରା ସୁଡ଼ଙ୍ଗରୁ ଉଦ୍ଧାର ଅଭିଯାନରେ ଶେଷ ଓ ସଫଳ ବିକଳ୍ପ ହୋଇଛି। ୨୪ ଜଣିଆ ହୋଲ୍‌‌ ଖଣି ବିଶେଷଜ୍ଞ ମାନୁଆଲ୍‌‌ ଡ୍ରିଲିଂ ବା ପାରମ୍ପରିକ ଖନନ କରି ସୁଡ଼ଙ୍ଗରେ ଫସିଥିବା ଶ୍ରମିକୁଙ୍କୁ ଉଦ୍ଧାର କରିବାରେ ପ୍ରାୟ ସଫଳ ହୋଇଛନ୍ତି।

ତେବେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଯେ ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୂର୍ଣ୍ଣ ବିଫଳ ହୋଇଛି, ତାହା କୁହାଯାଇ ନ’ପାରେ। ଯେଉଁ ଦୂରତ୍ୱରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଅଟକି ରହିଥିଲେ, ତାହାର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ଖନନ ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ କରାଯିବା ସହିତ ଅଳ୍ପ ଗୋଲେଇର ପାଇପ ସମ୍ପୃକ୍ତ ଶ୍ରମିକଙ୍କ ପାଖକୁ ପଠାଇବା ସମ୍ଭବ ହୋଇଥିଲା। ଏହି ପାଇପ ଦ୍ୱାରା ସେମାନଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅମ୍ଳଜାନ ଯୋଗାଇ ଦିଆଯାଉଥିଲା। ଯାହା ଫଳରେ ସେମାନେ ବଞ୍ଚିରହିବା ସମ୍ଭବ ହୋଇଥିଲା। ସିସି କ୍ୟାମେରା ସାହାଯ୍ୟରେ ସେମାନଙ୍କ ସହ ମଧ୍ୟ ବାହାରୁ ନିୟମିତ ସମ୍ପର୍କ ରକ୍ଷା କରାଯାଉଥିଲା। ତେବେ ସେ ଯା’ହେଉ ବିଭିନ୍ନ ପ୍ରକାର ପ୍ରୟାସ ଏବଂ ସବୁକ୍ଷେତ୍ରର ସହଯୋଗ ଫଳରେ ଅମୂଲ୍ୟ ଜୀବନଗୁଡ଼ିକୁ ରକ୍ଷା କରିବାରେ ପ୍ରାୟ ସଫଳ ହେବା ବଡ଼ ଆଶ୍ୱସନାର ବିଷୟ। ଏହି ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ସମସ୍ତେ ଧନ୍ୟବାଦର ପାତ୍ର। ଏହା ଏକପ୍ରକାର ଜାତୀୟ ଆହ୍ୱାନ ଥିଲା ଏବଂ ତାହାର ପ୍ରଭାବଶାଳୀ ମୁକାବିଲା କରାଯିବା ନିଶ୍ଚିତ ଆନନ୍ଦର ବିଷୟ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ସମ୍ପୃକ୍ତ ସବୁ ମନ୍ତ୍ରଣାଳୟ, ଏନ୍‌‌ଡିଆର୍‌‌ଏଫ୍‌‌ ଓ ରାଜ୍ୟ ସରକାରଙ୍କ ସହଯୋଗ ଓ ତତ୍ପରତା ଅବଶ୍ୟ ପ୍ରଶଂସାଯୋଗ୍ୟ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଗତ ତିନି/ଚାରିଦିନ ଧରି ଘଟଣାସ୍ଥଳରେ ଉପସ୍ତିତ ଥିଲେ ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ବିପର୍ଯ୍ୟୟ ପ୍ରଶମନରେ ଉଲ୍ଲେଖନୀୟ ସଫଳତା ଓ ଅଭିଜ୍ଞତା ହାସଲ କରିଥିବା ଓଡ଼ିଶା ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଉପସ୍ତିତି ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ଥିଲା।

ଦୁର୍ଘଟଣା ସର୍ବଦା ଦୁର୍ଘଟଣା। ସବୁ ପ୍ରସ୍ତୁତି ଏବଂ ନିରାପତ୍ତା ବ୍ୟବସ୍ଥା ସତ୍ତ୍ବେ ବେଳେବେଳେ ଅଘଟଣ ଘଟିଥାଏ। ତଥାପି ହିମାଳୟର ଭଙ୍ଗୁର ପାର୍ବତ୍ୟମାଳାରେ ଭୂତଳ ଖନନ ଓ ସୁଡ଼ଙ୍ଗ ନିର୍ମାଣବେଳେ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ବା ମାନକ ନିୟମାବଳି ଏବଂ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ଗ୍ରହଣୀୟ ନୁହେଁ। ଏକ ନିର୍ମାଣାଧୀନ ସୁଡ଼ଙ୍ଗ ମଝିରୁ ଧସି ପଡ଼ିବା ଅର୍ଥ ନିର୍ମାଣରେ ତ୍ରୁଟି ରହିଛି ଏବଂ ସମ୍ପୃକ୍ତ ଘରୋଇ କମ୍ପାନୀ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରିନାହିଁ। ଏହାର ଉପଯୁକ୍ତ ତଦନ୍ତ ହୋଇ ରିପୋର୍ଟ ଆଧାରରେ ଭବିଷ୍ୟତର ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ ହେବା ଆବଶ୍ୟକ। ଏଠି କାମ କିଏ କରୁଛି -ଘରୋଇ କିମ୍ବା ସରକାରୀ, ତାହା ବଡ଼ ପ୍ରଶ୍ନ ନୁହେଁ। ବହୁ ଘରୋଇ ସଂସ୍ଥା ଅନେକ ନିର୍ମାଣ କାମରେ ସଫଳତାର ସହ କାମ କରିଆସୁଛନ୍ତି। ସେମାନଙ୍କ ସୁରକ୍ଷା ଓ ନିଷ୍ଠା ପ୍ରଶ୍ନାତୀତ। ତଥାପି ଆମକୁ ଆମ ନିରାପତ୍ତା ମାର୍ଗଦର୍ଶିକାକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। କୁହାଯାଉଛି ଯେ ସରକାରୀ ନିର୍ଦ୍ଦେଶାବଳୀ ସତ୍ତ୍ବେ ଭୁଶୁଡ଼ି ପଡ଼ିଥିବା ଏହି ଦେଢ଼କିମି ଲମ୍ବର ସୁଡ଼ଙ୍ଗରେ ଜରୁରୀ ପ୍ରସ୍ଥାନ ନିଷ୍କାସନ ପଥ ନଥିଲା। ତେଣୁ କେଉଁ ପରିସ୍ଥିତିରେ ଏହି ତ୍ରୁଟି ଘଟିଲା ତାହା ଅନୁସନ୍ଧାନ ସାପେକ୍ଷ। ବୋଧହୁଏ ତଦାରଖ ବ୍ୟବସ୍ଥାର ଅଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

ଏଥିସହିତ ପଢ଼ନ୍ତୁ

ବିଭିନ୍ନ ଘଟଣାରୁ ଆମକୁ ବୁଦ୍ଧି ଶିଖାଏ। ଅନୁଭୂତି ଓ ଅନୁଭବ ଆମକୁ ନୂଆ ବାଟ ଦେଖାଏ। ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାର ଏକ ସୁଖଦ ଅନ୍ତ ଘଟିବାକୁ ଯାଉଥିବା ନିଶ୍ଚୟ ଭଲ କଥା। ତେବେ ଏଥିରେ ଆମେ ଆତ୍ମହରା ନ ହୋଇ କିମ୍ବା ଏହି ସଫଳତାର ତୁଚ୍ଛା ରାଜନୀତିକରଣ ନ କରି ଆମ ନିର୍ମାଣ ନିରାପତ୍ତା ବ୍ୟବସ୍ଥା ଏବଂ ମାର୍ଗଦର୍ଶିକାକୁ ଭବିଷ୍ୟତ ପାଇଁ ଅଧିକ ସୁରକ୍ଷିତ କରିବା ଆବଶ୍ୟକ। ବିପତ୍ତିରୁ ଜୀବନ ବଞ୍ଚିବା ସର୍ବଦା ସୁଖଦ ଅନୁଭବ ଆଣେ। ଏହା ଯେ ଭାରତର ଏକ ବିରଳ ବିଜୟ, ତାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ।

Leave A Reply

Your email address will not be published.