ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରପ୍ରଦେଶ ହାଥ୍‌ରସ ସତ୍‌‌ସଙ୍ଗ ସଭାରେ ଅଘଟଣ, ଆଉ କେତେ ହେଲେ ଶିଖିବା?

ତୀର୍ଥ ପର୍ଯ୍ୟଟନସ୍ଥଳ, ଧାର୍ମିକ ସମାବେଶ ଓ ସତ୍‌‌ସଙ୍ଗ ଆଦି କାର୍ଯ୍ୟରେ ଦୁର୍ଘଟଣା ଜନିତ ଗଣଅପମୃତ୍ୟୁ ନୂଆ କଥା ନୁହେଁ। ସବୁ ଧର୍ମ, ମତ ଓ ପନ୍ଥରେ ଭାରତ ସମେତ ସମଗ୍ର ବିଶ୍ୱରେ ମଝିରେ ମଝିରେ ଏଭଳି ଘଟଣା ଘଟିଥାଏ। ପରିତାପର ବିଷୟ ହେଲା ମଣିଷ, ଆୟୋଜକ, କର୍ତ୍ତୃପକ୍ଷ ଏଥିରୁ କିଛି ଶିଖନ୍ତି ନାହିଁ। ଯଦି ଏଥିପ୍ରତି କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ପକ୍ଷ ଉପଯୁକ୍ତ ଧ୍ୟାନ ଦେଉଥା’ନ୍ତେ, ତା’ହେଲେ ଉତ୍ତରପ୍ରଦେଶର ହାଥ୍‌ରସ ଜିଲ୍ଲାରେ ମଙ୍ଗଳବାର ଏଭଳି ଏକ ଦୁଃଖଦ ଘଟଣାର ପୁନରାବୃତ୍ତି ହୋଇନଥା’ନ୍ତା।
ସରକାରୀ ସୂଚନା ଅନୁସାରେ ଜଣେ ଆତ୍ମଘୋଷିତ ଆଧୁନିକ ସାଧୁ ଓ ଧାର୍ମିକ ପ୍ରଚାରକ ବିଶ୍ୱହରି ଭୋଲେ ବାବାଙ୍କ ପ୍ରବଚନ ଶୁଣିବା ପାଇଁ ଏକ ଛୋଟ ଗାଁରେ ସତ୍‌‌ସଙ୍ଗ ଆୟୋଜିତ ହୋଇଥିଲା। ମୌଳିକ ସୁବିଧା ସୁଯୋଗ ନଥିବା ଏହି ଗାଁରେ ଏକ ଲକ୍ଷ ଭକ୍ତଙ୍କ ବସିବା ପାଇଁ ଯେଉଁ ତମ୍ବୁ ପ୍ରସ୍ତୁତ ହୋଇଥିଲା, ତାହାର ପ୍ରବେଶ / ପ୍ରସ୍ଥାନ ଦ୍ୱାର ସଂକୀର୍ଣ୍ଣ ଥିଲା। ତମ୍ବୁ ଚତୁଃପାର୍ଶ୍ବରେ ନାଳ ରହିଥିବା ବେଳେ ଗାଡ଼ିମୋଟର ସବୁ ଥୁଆ ହୋଇଥିବାରୁ ସେଥିରୁ ସହଜରେ ବାହାରିବାର ବ୍ୟବସ୍ଥା ନଥିଲା। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ କିଛି ଲୋକ ପ୍ରବଚନ ପରେ ତୁରନ୍ତ ବାହାରକୁ ଆସିବା ବେଳେ ପ୍ରସ୍ଥାନ ଦ୍ୱାର ପାଖରେ ଦଳାଚକଟା ହୋଇଥିଲା। ଏଥିରେ ପ୍ରାୟ ୧୨୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ। ଏହାଛଡ଼ା ପ୍ରାୟ ୫୦୦ ଗୁରୁତର ହୋଇଛନ୍ତି। ଆଖପାଖରେ ଏତେ ଆହତଙ୍କୁ ଆଶୁ ଚିକିତ୍ସା କରିବାର ସୁବିଧା ନଥିବାରୁ ଅନେକ ପ୍ରାଣ ଅକାଳରେ ଚାଲିଯାଇଛି।

ଏଭଳି ସ୍ଥିତିରେ ଦୁର୍ଘଟଣା କାରଣ ହଠାତ୍‌‌ ଜାଣିବା କଷ୍ଟ ହୋଇଥାଏ। ବିଭିନ୍ନ ଲୋକ ନାନା କଥା କହନ୍ତି। କ’ଣ ସତ, କ’ଣ ମିଛ, ତାହା କହିବା ସହଜ ନୁହେଁ। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରବଚନ ପରେ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ସତ୍‌‌ସଙ୍ଗୀମାନେ ବାହାରକୁ ବାହାରୁଥିବା ବେଳେ ଆଉ କିଛି ବିପରୀତ ଦିଗରେ ଧସେଇ ପଶି ବାବା ବସିଥିବା ସ୍ଥାନରୁ ତଥାକଥିତ ପବିତ୍ର ମାଟି (ଧୂଳି) ସଂଗ୍ରହ କରିବାକୁ ଉଦ୍ୟମ କରିବାରୁ ଦଳାଚକଟା ହୋଇଥିଲା। ଜିଲ୍ଲା ପ୍ରଶାସନର ସଫେଇ ହେଲା ଯେ ଏହି ସତ୍‌‌ସଙ୍ଗ ପାଇଁ ଆୟୋଜକଙ୍କୁ ଅସ୍ଥାୟୀ ଅନୁମତି ମିଳିଥିଲା। ସେମାନେ ଆବଶ୍ୟକ ବ୍ୟବସ୍ଥା ନକରି ଏହାର ଆୟୋଜନ କରିଥିଲେ। ଆୟୋଜକଙ୍କ କହିବା କଥା ହେଲା ଯେ ପୁଲିସ୍‌‌ ଓ ପ୍ରଶାସନର ସୁରକ୍ଷା ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଲା। ଦୁର୍ଘଟଣା ସର୍ବଦା ଦୁର୍ଘଟଣା ଏବଂ ଏହାର କାରଣ ତଦନ୍ତରୁ ଜଣାପଡ଼ିବ। ଆମକୁ କିନ୍ତୁ ଜଳ ଜଳ ଦେଖାଯାଉଛି ଯେ ମୌଳିକ ସୁବିଧା ସୁଯୋଗ ନଥିବା ଏକ ଅଗମ୍ୟ ସ୍ଥାନରେ ଏତେ ବଡ଼ ସତ୍‌‌ସଙ୍ଗ ପାଇଁ ଅନୁମତି ଦେବାରେ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌‌ ଅବହେଳା ପ୍ରଦର୍ଶନ କରିଛନ୍ତି।
ଧର୍ମ ଓ ବିଶ୍ୱାସ ଏକ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ତାହାକୁ ନେଇ ଟିପ୍ପଣୀ ଦେବା ଠିକ୍‌‌ ହେବ ନାହିଁ। ତେବେ ଧର୍ମ, ବିଶ୍ୱାସ ଓ ଆସ୍ଥା ନାମରେ ଏଭଳି ଗଣମୃତ୍ୟୁ ଘଟଣାକୁ ସ୍ୱୀକାର କରାଯାଇ ନପାରେ। ଏଭଳି ଘଟଣାରେ ମହିଳା, ଶିଶୁ, ବୁଢ଼ାବୁଢ଼ୀ ଓ ରୋଗୀ ଅଧିକ ସଂଖ୍ୟାରେ ମୃତାହତ ହୋଇଥା’ନ୍ତି। ସେମାନେ ଯେଉଁ ପୁଣ୍ୟ ଲାଭ ଓ ବିଶ୍ୱାସ ନେଇ ଏଭଳି ଆସରକୁ ଆସନ୍ତି, ସେଥିରେ ସେମାନଙ୍କର ଅପମୃତ୍ୟୁକୁ ଏକ ଅଲଭ୍ୟ ମରଣ ଭାବିବା ମୂର୍ଖାମୀ ଏବଂ ମାନବିକତାର ପରିପନ୍ଥୀ। ପ୍ରବଚକ, ବାବା, ପ୍ରମୁଖ ଆୟୋଜକମାନେ ଏହି ଦୁର୍ଘଟଣାରେ କ୍ୱଚିତ ମୃତାହତ ହୋଇଥା’ନ୍ତି; ବରଂ ସେମାନେ କୌଶଳକ୍ରମେ ସେଠାରୁ ପଳାୟନ କରି ନିଜକୁ ଆଇନ ହାତରୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି। ବିଭିନ୍ନ ସତ୍‌‌ସଙ୍ଗ, ଧାର୍ମିକ ସମ୍ମିଳନୀ ଓ ଆୟୋଜନରେ ସମ୍ପୃକ୍ତ ସଂଗଠନ ବା ପନ୍ଥର ନୀତି ନିୟମ ଅନୁସାରେ କାର୍ଯ୍ୟ ହୋଇଥାଏ, ଯାହା ସରକାରୀ ନିରାପତ୍ତାମାନର ବିରୋଧାଚରଣ କରେ। ଅତିଶୟ ଦହନଶୀଳ ପଦାର୍ଥରେ ଶିବିର ନିର୍ମାଣ କରିବା, ପର୍ଣ୍ଣକୁଟୀରରେ ତୃଣ ଶଯ୍ୟାରେ ଶୋଇବା, ନିରାପତ୍ତା ବ୍ୟବସ୍ଥାକୁ ଆରାଧ୍ୟଙ୍କ ଉପରେ ଛାଡ଼ିଦେବା ଆଦି ମାନସିକତା ନିଶ୍ଚୟ ବିପଜ୍ଜନକ। ୧୯୮୭ ଫେବ୍ରୁଆରୀ ୨୩ରେ ଆମ ବାରିପଦାର ମଧୁବନ ପଡ଼ିଆରେ ଆୟୋଜିତ ନିଗମାନନ୍ଦ ଭକ୍ତ ସମ୍ମିଳନୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ କଥା ଲୋକେ ଏବେ ବି ଭୁଲି ନାହାନ୍ତି। ଏଥିରେ ପ୍ରାୟ ୩୦ ପିଲା, ୧୦ ମହିଳାଙ୍କ ସମେତ ୨୧୫ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ।

ଭାରତରେ ଏଭଳି ଦଳାଚକଟା ଓ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ହାର ଅଧିକ ହେବା ପଛରେ ରହିଛି ସତର୍କତାର ଅଭାବ ଓ ଅତିଶୟ ଧର୍ମପ୍ରବଣତା। ୨୦୦୫ ଜାନୁୟାରୀରେ ମହାରାଷ୍ଟ୍ରର ମନ୍ଧରଦେବୀ ମନ୍ଦିର ପାଖରେ ଦଳାଚକଟାରେ ୨୬୫ ଭକ୍ତ ପ୍ରାଣ ହରାଇଥିଲେ। ସେହିଭଳି ୨୦୦୮ରେ ହିମାଚଳର ନୈନା ଦେବୀ ମନ୍ଦିର ଓ ରାଜସ୍ଥାନର ଯୋଧପୁରସ୍ଥିତ ଚାମୁଣ୍ଡାଦେବୀ ମନ୍ଦିରରେ ଗୁଜବରୁ ଦଳାଚକଟା ଘଟି ଉଭୟ ଘଟଣାରେ ଶତାଧିକ ଭକ୍ତଙ୍କ ଜୀବନ ଯାଇଥିଲା। ୨୦୧୩ରେ ରତନଗଡ଼ ମନ୍ଦିର ଓ ୨୦୨୩ରେ ଇନ୍ଦୋରର ଏକ ମନ୍ଦିରରେ ଏଭଳି ଦୁର୍ଘଟଣା ଘଟି ଅନେକ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ।

ଧର୍ମସ୍ଥଳ ଓ ଧାର୍ମିକ ସମାବେଶରେ ଦଳାଚକଟା ଓ ଦୁର୍ଘଟଣାର କେତେକ ନିର୍ଦ୍ଦିଷ୍ଟ କାରଣ ରହିଛି। ସେଥିରେ ରହିଛି ସ୍ଥାନର ସ୍ଥିତି ଓ ଆତଯାତ ସୁବିଧାର ଅଭାବ, ସଂକୀର୍ଣ୍ଣ ପଥ ଓ ପରିସର, ଗୁଜବରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭୟ ଜନିତ ଠେଲାପେଲା ଓ ଦଳାଚକଟା, ଅଗ୍ନିକାଣ୍ଡ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଭିଡ଼ ନିୟନ୍ତ୍ରଣରେ ତ୍ରୁଟି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର, କର୍ତ୍ତୃପକ୍ଷ, ଆୟୋଜକ ଓ ଭକ୍ତ ଏଥିପ୍ରତି ସତର୍କ ନ ହେବା ମଣିଷର ସାମୂହିକ ବିବେକକୁ ଦୋହଲାଇ ଦେଉଛି। ଏଭଳି କାର୍ଯ୍ୟକ୍ରମରେ ପରିଚାଳନା ପାଇଁ ମାନବ ନୀତି (ଏସ୍‌‌ଓପି) ଓ ନିୟମ ରହିଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରମାନେ ତାହାକୁ କଡ଼ାକଡ଼ି ଭାବେ ପାଳନ ନ କରିବା ଅର୍ଥ ଏଥିରେ କିଛି ରହସ୍ୟ ରହୁଛି। ପ୍ରଥମେ ମଣିଷ ଜୀବନ ତା’ପରେ ଧର୍ମ। ଧର୍ମ ଓ ପ୍ରବଚନ ଆଳରେ ମଣିଷ ଜୀବନକୁ ତୁଚ୍ଛ କରିଦେବା ମାନବ ଧର୍ମ କିମ୍ବା ରାଜଧର୍ମ ନୁହେଁ। ଆଶା କରିବା ସରକାର ଏହାକୁ ଆଉ ହାଲକା ଭାବେ ନ ନେଇ କଠୋର ସୁରକ୍ଷା ନୀତି କାର୍ଯ୍ୟକାରୀ କରିବେ। ପ୍ରତ୍ୟେକ ଭକ୍ତ ମଧ୍ୟ ନିଜ ସୁରକ୍ଷାକୁ ପ୍ରଥମେ ଅଗ୍ରାଧିକାର ଦେବା ଆବଶ୍ୟକ। ସର୍ବୋପରି ବାବା/ମାତାମାନଙ୍କର ଦେଶ ଭାରତରେ ଏହି ମାନବରୂପୀ ଆତ୍ମଘୋଷିତ ଈଶ୍ୱରମାନଙ୍କୁ ସେମାନଙ୍କ ଅନୁଗାମୀ ଓ ଭକ୍ତଙ୍କ ନିରାପତ୍ତା ପାଇଁ ଦାୟୀ କରିବାର ବୈଧାନିକ ବ୍ୟବସ୍ଥା କରାଯାଉ।

Leave A Reply

Your email address will not be published.