ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନ୍ୟାୟ ମନ୍ଦିରର ସେବକ

ପ୍ରଚଳିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ପ୍ରଶାସନିକ ବ୍ୟବସ୍ଥାରେ ଅନ୍ୟାୟ ଅନୀତିର ଶିକାର ହୋଇଥିôବା ପୀଡ଼ିତ ବ୍ୟକ୍ତିଟିଏ ଯେତେବେଳେ ସବୁଆଡ଼ୁ ନିରାଶ ହୁଏ, ସେତେବେଳେ ଶେଷ ଆଶ୍ରୟ ରୂପେ ସେ କେବଳ ଦୁଇଟି ସ୍ଥାନକୁ ବାଛି ନିଏ। ଗୋଟିଏ ଦେବାଳୟ ଓ ଅନ୍ୟଟି ନ୍ୟାୟାଳୟ। ତା’ ପାଇଁ ନ୍ୟାୟ ଓ ସହାୟତା ପାଇବାର ଶେଷ ଆଶାଟିକକ ଏହି ଦୁଇଟି ସ୍ଥାନରେ ହିଁ ବଞ୍ଚି ରହିଥାଏ। ଆଜିର ବସ୍ତୁବାଦୀ ଦୁନିଆରେ ସମ୍ପୃକ୍ତ ପୀଡ଼ିତ ପ୍ରଥମେ ନ୍ୟାୟାଳୟକୁ ଯିବାକୁ ଉଚିତ୍‌‌ ମନେ କରେ। କାରଣ ତା’ର ଦୃଢ଼ ବିଶ୍ୱାସ ଥାଏ ଯେ ଏଠାରେ ହିଁ ତା’କୁ ତା’ର ଅଧିକାର ଓ ପ୍ରକୃତ ନ୍ୟାୟ ମିଳିପାରିବ ଏବଂ କୌଣସି ଅଲୌକିକତା ବିନା ବାସ୍ତବତା ସାକାର ହେବ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନଙ୍କ ନ୍ୟାୟାଳୟ ପ୍ରତି ଏହି ଆଶା, ବିଶ୍ୱାସ, ଭରସା ସର୍ବୋପରି। ତେଣୁ ନ୍ୟାୟାଳୟ ବା କୋର୍ଟକଚେରିକୁ ‘ନ୍ୟାୟ ମନ୍ଦିର’ ରୂପେ ତୁଳନା କରାଯାଇଆସିଛି। ଏହି ପୃଷ୍ଠଭୂମିରେ ଯଦି କେହି ‘ନ୍ୟାୟ ମନ୍ଦିର’ର ଅଧିଷ୍ଠିତ ବିଚାରପତିମାନଙ୍କୁ ‘ନ୍ୟାୟଦେବତା’ ବା ‘ନ୍ୟାୟମୂର୍ତ୍ତି’ ରୂପେ ପରିଗଣିତ କରନ୍ତି ତେବେ ସେଥିରେ କିଛି ଅତିଶୟୋକ୍ତି ନାହିଁ। ବିଚାରପତିମାନଙ୍କୁ ଦେବତା ତୁଲ୍ୟ ଆସନ ଦିଆଯାଇଥିବାରୁ ନ୍ୟାୟାଳୟରେ ସମ୍ବୋଧନ ବେଳେ ସେମାନଙ୍କୁ ‘ମାଇ ଲର୍ଡ’, ‘ୟୋର ଲର୍ଡସିପ୍‌‌’ ଆଦି ସମ୍ବୋଧନ କରାଯିବାର ପରମ୍ପରା କାହିଁ କେତେକାଳରୁ ପ୍ରାୟ ସବୁଦେଶରେ ରହି ଆସିଛି। ଆହୁରି ମଧ୍ୟ ନ୍ୟାୟମୂର୍ତ୍ତିମାନେ ମାନବୀୟ ଆବେଗରେ ପ୍ରଭାବିତ ହୋଇ ଦୟା, କ୍ଷମା, କ୍ରୋଧ ଓ ମୋହଗ୍ରସ୍ତ ହୋଇ ନ୍ୟାୟରେ ଅବହେଳା କରିବେ ନାହିଁ ବୋଲି ନ୍ୟାୟର ଦେବୀଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇ ହାତରେ ନିକିତି ଓ ଦଣ୍ଡ ଧାରଣ କରିଥିବାର ପ୍ରତିମୂର୍ତ୍ତିର ପରିକଳ୍ପନା କରାଯାଇଛି। ଅପରପକ୍ଷରେ ଯଦି ସାଧାରଣ ଜନତା ସମ୍ପୃକ୍ତ ନ୍ୟାୟ ଦେବତାଙ୍କ ପାଖରୁ ଅଲୌକିକତା ଆଶା କରନ୍ତି କିମ୍ବା ସେମାନେ ସର୍ବଶକ୍ତିମାନ ବୋଲି ଧାରଣା ସୃଷ୍ଟି କରନ୍ତି ତେବେ ତାହା ଅଯୌକ୍ତିକ। ବିଚାରପତି ବା ନ୍ୟାୟର ଦେବତାମାନେ ରକ୍ତ, ମାଂସଧାରୀ ସାଧାରଣ ମଣିଷ। ସେମାନଙ୍କର କିଛି ନିର୍ଦ୍ଦିଷ୍ଟ ଭାବଗତ, ବୈଚାରିକ ସୀମା ମଧ୍ୟ ରହିଛି। ସେମାନେ ତ୍ରିକାଳଦର୍ଶୀ ହୋଇ ନ ଥିବାରୁ ସେମାନଙ୍କ ବିଚାର ଓ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣ ଓ ରାୟ ପ୍ରଦାନରେ କିଛି ଭୁଲ୍‌‌ ଭଟକା ତଥା ସୀମିତ ପ୍ରଭାବ ରହିଯାଇ ଥାଇପାରେ। ତେଣୁ ନ୍ୟାୟମୂର୍ତ୍ତିମାନେ ନିଜକୁ ଦେବତା ବୋଲି ମନେ ନ କରିବା ମଧ୍ୟ ସ୍ୱାଭାବିକ।

ଏକଥା ଏଠାରେ ଅବତାରଣା କରିବାର ପୃଷ୍ଠଭୂମି ହେଲା ନିକଟରେ ଏଭଳି ଏକ ବିଷୟକୁ ନେଇ ବିତର୍କ ସୃଷ୍ଟି ହୋଇଛି। ନ୍ୟାୟାଳୟ ଏକ ମନ୍ଦିର ଏବଂ ନ୍ୟାୟମୂର୍ତ୍ତିମାନେ ଦେବତା ସହିତ ତୁଳନୀୟ କି ନୁହେଁ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଘଟଣାର ପୃଷ୍ଠଭୂମି ହେଉଛି କୋଲକାତାର ନ୍ୟାଶ୍‌‌ନାଲ୍‌‌ ଜୁଡିସିଆଲ୍‌‌ ଏକାଡେମି। ଏହାର ବାର୍ଷିକ ସମ୍ମିଳନୀରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଞ୍ଚାସୀନ ଥିଲେ। ମମତା ବାନାର୍ଜୀ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କହିଥିଲେ ଯେ ନ୍ୟାୟପାଳିକା ସମ୍ପୂର୍ଣ୍ଣ ରୂପେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଶୁଦ୍ଧ, ସ୍ୱଚ୍ଛ ଓ ପବିତ୍ର ହେବା ଦରକାର। କାରଣ ଲୋକମାନେ ନ୍ୟାୟପାଳିକାକୁ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ମନ୍ଦିର, ଗୁରୁ୍‌‌ଦ୍ୱାରା, ଗୀର୍ଜା, ମସଜିଦ୍‌‌ ରୂପେ ସମ୍ମାନ କରି ଆସୁଛନ୍ତି। ଏହାପରେ ଶ୍ରୀଚନ୍ଦ୍ରଚୂଡ଼ ନିଜ ମତ ରଖି କହିଥିଲେ ଯେ ଅଦାଲତ ମନ୍ଦିର କିମ୍ବା ବିଚାରପତିମାନେ ଦେବତା ନୁହନ୍ତି। ବିଚାରପତିମାନେ ନିଜକୁ ଏଭଳି ମନେ କରିବାରେ ସାଂଘାତିକ ବିପଦ ରହିଛି। ବିଚାରପତିମାନେ ଦେଶର ସମ୍ବିଧାନ ପ୍ରଦତ୍ତ ଅଧିକାର ଅନୁଯାୟୀ ନିଜକୁ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେବକ ବୋଲି ବିବେଚନା କରିବା ଅଧିକ ଠିକ୍‌‌ ହେବ। ବିଚାରପତିମାନଙ୍କୁ ଦେବତା ତୁଲ୍ୟ ବିଚାର ନ କରିବା ପାଇଁ ଅନୁରୋଧ କରିବା ଭାରତରେ ଏହା ପ୍ରଥମଥର ନୁହେଁ। ୨୦୨୩ ଅକ୍ଟୋବର ମାସରେ ଏକ ମାମଲାର ଶୁଣାଣି ଅବସରରେ କେରଳ ହାଇକୋର୍ଟ ବିଚାରପତି ପି ଭି କୁନ୍ନିକ୍ରିଷ୍ଣନ୍‌‌ ମଧ୍ୟ ଅନୁରୂପ ମତ ଦେଇ କହିଥିଲେ ଯେ ନ୍ୟାୟାଳୟ ନ୍ୟାୟ ମନ୍ଦିର ବୋଲି ବିବେଚିତ ହେଉଥିଲେ ମଧ୍ୟ ସେଠାରେ ବସୁଥିବା ବିଚାରପତିମାନେ ଦେବତା ନୁହନ୍ତି। ତେଣୁ ଅଦାଲତରେ ‘ଯୋଡ଼ ହସ୍ତ’ କିମ୍ବା ‘ଲୁହ’ର ଗୁରୁତ୍ୱ ନାହିଁ।

କେରଳ ହାଇକୋର୍ଟ ବିଚାରପତି କୁନ୍ନିକ୍ରଷ୍ଣନ୍‌‌ ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ମନ୍ତବ୍ୟରେ ଯେଉଁ ସାମାନ୍ୟ କଥନର ଇଙ୍ଗିତ ରହିଛି ତାହା ହେଉଛି – ଅଦାଲତ ଓକିଲମାନଙ୍କ ସ୍ୱର୍ଗ। ସେଠାରେ ଅନୁନୟ ବିନୟ ବଦଳରେ ଆଇନସିଦ୍ଧଯୁକ୍ତି ତର୍କର ଗୁରୁତ୍ୱ ଅଧିକ। ସେହିପରି ମନ୍ଦିର ହେଉ ବା ଗୀର୍ଜା ବା ମସଜିଦ୍‌‌ – ଏହି ସବୁ ଧର୍ମାନୁଷ୍ଠାନରେ ଶୁଦ୍ଧ ଓ ସମର୍ପିତ ହୃଦୟର ପ୍ରାର୍ଥନା ଓ ପଶ୍ଚାତାପର ଅଶ୍ରୁ ବଦଳରେ କୃତକର୍ମ ପାଇଁ ଦୟା ଓ କ୍ଷମା ମିଳୁଥିବା ବେଳେ କୋର୍ଟରେ କେବଳ ଯୁକ୍ତିସଂଗତ, ନ୍ୟାୟ ଆଧାରିତ, ଆଇନ ଅନୁମୋଦିତ ଏବଂ ସାକ୍ଷ୍ୟ, ତଥ୍ୟ ଓ ପ୍ରମାଣ ବଳରେ ରାୟ ମିଳେ। ଅଦାଲତରେ ଅପରାଧୀର ପଶ୍ଚାତାପ ପାଇଁ କ୍ଷମା, ଦୟା ନୁହେଁ ଅପରାଧ ପାଇଁ ଦଣ୍ଡବିଧାନ ଅନିବାର୍ଯ୍ୟ। ତେଣୁ ବିଚାରପତିମାନେ ଭାବପ୍ରବଣତାରୁ ଊର୍ଦ୍ଧ୍ବରେ ଏକ ନିର୍ଦ୍ଦିଷ୍ଟ ସମ୍ବିଧାନ ପ୍ରଦତ୍ତ ବିଧିବ୍ୟବସ୍ଥା ଭିତରେ ବନ୍ଧା। ସେମାନେ କ୍ଷମାଶୀଳ ହେବା ପରିବର୍ତ୍ତେ ଆଇନାନୁମୋଦିତ କର୍ତ୍ତବ୍ୟ ପରାୟଣ ଓ ସମ୍ବିଧାନ ପ୍ରତି ନିଷ୍ଠାବାନ ହେବା ଅପରିହାର୍ଯ୍ୟ। ସମ୍ବିଧାନକୁ ଉଚିତ ସମ୍ମାନ ଦେବା, ତାହାର ଆଦେଶ ପାଳନ କରିବା ଏବଂ ସେହି ଆଧାରରେ ନାଗରିକଙ୍କୁ ନ୍ୟାୟ ଦେବା ହିଁ ନ୍ୟାୟମୂର୍ତ୍ତିଙ୍କ ପ୍ରଥମ ଓ ପ୍ରଧାନ ଧର୍ମ। ତେଣୁ ନ୍ୟାୟମୂର୍ତ୍ତିମାନେ ଦେବତା ପଦବାଚ୍ୟ ହେବେ ବା କେମିତି? ଯଦି ବିଚାରପତିମାନେ ଦେବତା ହୋଇଥା’ନ୍ତେ ତେବେ ଆଜି ଭାରତର ବିଭିନ୍ନ କୋର୍ଟକଚେରିରେ ୫ କୋଟିରୁ ଊର୍ଦ୍ଧ୍ବ ମାମଲା ବିଚାର ଅପେକ୍ଷାରେ ପଡ଼ି ରହି ନଥା’ନ୍ତା କି ଜେଲ୍‌‌ ଭିତରେ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଉଦ୍‌‌ବେଗଜନକ ଭାବେ ବଢ଼଼ୁ ନଥା’ନ୍ତା।

ମୋଟ ଉପରେ ବିଚାର କଲେ ବିଚାରପତିମାନେ ଦେବତା ପଦବାଚ୍ୟ କି ନୁହନ୍ତି ତାହାର ଉଭୟ ପକ୍ଷବାଦୀ ତର୍କ ରହିଛି। ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକମାନେ ନ୍ୟାୟ ଓ ଅଧିକାର ପାଇଁ ଶେଷଭରସା ରୂପେ ନ୍ୟାୟାଳୟ ଓ ନ୍ୟାୟମୂର୍ତ୍ତିମାନଙ୍କୁ ଆଦରି ନେଇଥିବାରୁ ଏବଂ ଉଚିତ ନ୍ୟାୟ ପ୍ରଦାନ ଏକ ଦେବସୁଲଭ ଗୁଣ ହୋଇଥିବାରୁ ବିଚାରପତିମାନଙ୍କୁ ଦେବତାତୁଲ୍ୟ ମନେ କରିବା ନାଗରିକମାନଙ୍କ ଦ୍ୱାରା ନ୍ୟାୟ ବ୍ୟବସ୍ଥା ପ୍ରତି ଥିବା ଆସ୍ଥାର ପରିଚାୟକ। ଏହି ଭାବପ୍ରବଣତା ଆଧାରରେ ଆମେ ଡାକ୍ତରମାନଙ୍କୁ ମଧ୍ୟ ‘ଦ୍ୱିତୀୟ ଭଗବାନ’ ଆଖ୍ୟା ଦେଇଥାଉ। ଏହିଦୃଷ୍ଟିରୁ ଦେଖିଲେ ମମତା ବାନାର୍ଜୀଙ୍କ ମତ ବିଶାଳ ଓ ସାମଗ୍ରିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ। କିନ୍ତୁ ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ ବିଚାରପତିମାନେ ଯଦି ଲୋକଙ୍କ ଭାବପ୍ରବଣତାକୁ ସମ୍ମାନ ଦେଇ ନିଜକୁ ଦେବତୁଲ୍ୟ ବୋଧ କରିବେ ତେବେ ସମ୍ବିଧାନ ଓ ଆଇନ ବାଟ ହୁଡ଼ିବାର ଆଶଙ୍କା ଅଧିକ। ତେଣୁ ଏହି ଦୃଷ୍ଟିରୁ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ମତ ‘ବିଚାରପତିମାନଙ୍କୁ ଦେବତା ତୁଲ୍ୟ ବିଚାର କରିବା ଏକ ସାଂଘାତିକ ବିପଦ’ ଅଧିକ ପ୍ରଣିଧାନଯୋଗ୍ୟ। ତେଣୁ ଆମେ ଏହି ଉପସଂହାରରେ ପହଞ୍ଚି ପାରିବା ଯେ ବିଚାରପତିମାନେ ଦେବତା ନ ହେଲେ ମଧ୍ୟ ଦେବତୁଲ୍ୟ ଆଚରଣ କରି ନିଷ୍ପେସିତ, ଅବହେଳିତ, ଗରିବ ପୀଡ଼ିତ ଜନତାଙ୍କ ପ୍ରତି ନ୍ୟାୟ ସେବା ପ୍ରଦାନରେ ଅଧିକ ସହାନୁଭୂତିଶୀଳ ହେବା ଆବଶ୍ୟକ। ଏଥିପାଇଁ ସେମାନେ ଅଧିକ ସ୍ୱଚ୍ଛ, ନିର୍ମଳ, ନିରପେକ୍ଷ ହେବା ସହିତ ରାଜନୈତିକ ସ୍ୱାର୍ଥ, ନିଜସ୍ୱ ଆଦର୍ଶରୁ ଊର୍ଦ୍ଧ୍ବରେ ରହିବା ବିଧେୟ। ସେମାନେ ଯଥାର୍ଥରେ ନ୍ୟାୟ ମନ୍ଦିରର ସେବକ।

Leave A Reply

Your email address will not be published.