ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ନବୀନ ଅଭ୍ୟୁଦୟ

ଆଧୁନିକ ଇଲେକଟ୍ରୋନିକ୍ସ ଯନ୍ତ୍ରପାତିର ମସ୍ତିଷ୍କ ହେଉଛି ସେମିକଣ୍ଡକ୍ଟର ବା ଅର୍ଦ୍ଧ-ପରିବାହୀ ଯନ୍ତ୍ରାଂଶ। ଏହି ବିଶେଷ ଯନ୍ତ୍ରାଂଶରେ ବିଦ୍ୟୁତ୍ ଶକ୍ତିର ପ୍ରବାହକୁ ଆବଶ୍ୟକତା ଅନୁସାରେ ନିୟନ୍ତ୍ରିତ କରାଯାଇ ବିଭିନ୍ନ ତଥ୍ୟ ଓ ସୂଚନାର ପରିବର୍ତ୍ତିତ ବୈଦ୍ୟୁତିକ ଉର୍ଜାର ସଂଚାରକୁ କାମରେ ଲଗାଯାଏ। ସେଥିପାଇଁ ଇଲେକ୍ଟ୍ରୋନିକ ଯନ୍ତ୍ରପାତିଗୁଡ଼ିକର ନିର୍ମାଣରେ ସେମିକଣ୍ଡକ୍ଟରର ବହୁଳ ବ୍ୟବହାର ହେଉଛି ଏବଂ ଆଜି ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି।

ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିକୁ ଛାଡ଼ି ଆଧୁନିକ ଜୀବନର କଳ୍ପନା କରାଯାଇପାରେନା। ରେଡିଓ, ଟେଲିଭିଜନ୍, କମ୍ପ୍ୟୁଟର, ଭିଡିଓ ଗେମ୍ ଏବଂ ମେଡିକାଲ୍ ରୋଗ ନିଦାନ ପଦ୍ଧତି ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ଆଦିରେ ସେମିକଣ୍ଡକ୍ଟର ବ୍ୟବହୃତ ହୋଇଥାଏ। ଯଦିଓ ଅନେକ ଇଲେକ୍ଟ୍ରୋନିକ୍ ଯନ୍ତ୍ରର ପ୍ରସ୍ତୁତି ‘ଭ୍ୟାକମ୍ ଟ୍ୟୁବ୍ ଟେକ୍ନୋଲୋଜି’ ମାଧ୍ୟମରେ ମଧ୍ୟ ସଂପାଦନ ହୋଇପାରୁଛି, କିନ୍ତୁ ଗତ ୫୦ ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ବହୁଳ ବିକାଶ କାରଣରୁ ଇଲେକ୍ଟ୍ରୋନିକ୍ ଯନ୍ତ୍ରଗୁଡ଼ିକ କ୍ଷୁଦ୍ରାତିକ୍ଷୁଦ୍ର, ଗତିଶୀଳ ଏବଂ ଅଧିକ ବିଶ୍ୱାସଯୋଗ୍ୟ ହୋଇସାରିଛି। ଯୋଗାଯୋଗ, ଗମନାଗମନ, କମ୍ପ୍ୟୁଟିଙ୍ଗ୍, ସ୍ବାସ୍ଥ୍ୟ ସେବା, ପ୍ରତିରକ୍ଷା, ସ୍ୱଚ୍ଛଶକ୍ତି ଏବଂ ଅଗଣିତ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର ପାଇଁ ସେମିକଣ୍ଡକ୍ଟର ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଏହାର କାରଣ ହେଲା ସେମିକଣ୍ଡକ୍ଟର ଯନ୍ତ୍ରାଂଶକୁ ବିଶେଷ ଡିଜାଇନ୍ ତଥା ନିର୍ମାଣ କୌଶଳ ଦ୍ବାରା ତିଆରି କରି, ସେଥିରେ ବିଦ୍ୟୁତ୍ ପ୍ରବାହକୁ ଆବଶ୍ୟକ ମତେ ନିୟନ୍ତ୍ରିତ କରାଯାଇପାରୁଥିବାରୁ ଏହା ବିଭିନ୍ନ ସୂଚନାର ପରିବହନ ଓ ସଂଯୋଗୀକରଣ କରିପାରୁଛି। ତେଣୁ ଏହାହିଁ କମ୍ପ୍ୟୁଟର “ଚିପ”ଗୁଡ଼ିକର ସ୍ନାୟୁତନ୍ତ୍ର ଭଳି ସୂକ୍ଷ୍ମ କାର୍ଯ୍ୟ କରିପାରୁଛି। ଆମେ ସଂପ୍ରତି ବ୍ୟବହାର କରୁଥିବା ପ୍ରାୟ ସମସ୍ତ ଇଲେକଟ୍ରୋନିକ୍ ଯନ୍ତ୍ର ଯଥା – ସ୍ମାର୍ଟ ଫୋନ୍ସ, ଗେମିଙ୍ଗ୍ କନସୋଲ୍ସ, ମୋଟର ଗାଡ଼ି ଏବଂ ମେଡିକାଲ ଯନ୍ତ୍ରପାତିରେ “ମାଇକ୍ରୋଚିପ୍ସ” (କ୍ଷୁଦ୍ର ଅର୍ଦ୍ଧ-ପରିବାହୀ) ବ୍ୟବହୃତ ହୋଇଥାଏ। ଉଦାହରଣ ସ୍ୱରୂପ ଆମେ ଯେତେବେଳେ ଆମ ଲ୍ୟାପଟପ୍‌ରେ ଅବସର ବିନୋଦନ ପାଇଁ ସିନେମା ଓ ନାଟକ ପାଇଁ ଟିକେଟ କରିଥାଉ, ରେଷ୍ଟୁରାଣ୍ଟ ଖୋଜିଥାଉ, କିମ୍ବା ସିନେମା ଦେଖୁ କିମ୍ବା ନିଜର ଇ-ମେଲ୍ ଦେଖୁ, ସେତେବେଳେ ଆମ ଲ୍ୟାପଟପ୍‌ରେ ସେମିକଣ୍ଡକ୍ଟର ଭିତ୍ତିକ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ ଏବଂ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ , ଆମ କମ୍ପ୍ୟୁଟର କାର୍ଯ୍ୟକୁ ସଠିକ୍ ଦିଗରେ ପରିଚାଳିତ କରି ଆମର କାର୍ଯ୍ୟ ବରାଦର ନିର୍ଦ୍ଦିଷ୍ଟ ଓ ସଠିକ୍ ସମାଧାନ ତତ୍କାଳ ଦେଇପାରିଥାଏ। ଗତ ୫୦ ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଜ୍ଞାନକୌଶଳର ବିକାଶ ଇଲେକ୍ଟ୍ରୋନିକ୍ ଯନ୍ତ୍ରଗୁଡ଼ିକୁ କ୍ଷୁଦାତିକ୍ଷୁଦ୍ର, ଗତିଶୀଳ ଏବଂ ଅଧିକ ବିଶ୍ୱାସଯୋଗ୍ୟ କରିଦେଇଛି। ସତ କହିବାକୁ ଗଲେ “ଚିପ୍” ହେଉଛି ଏକ ଅତ୍ୟାଧୁନିକ ପ୍ରଯୁକ୍ତି ବିସ୍ମୟ, ଯାହାକି ମାନବ ସଭ୍ୟତାର ଚତୁରତା, ଅସୀମ ଦକ୍ଷତା ଓ ତୀକ୍ଷ୍ଣ ବୁଦ୍ଧିର ସ୍ପଷ୍ଟ ସ୍ୱାକ୍ଷର ଭାବେ ଆଜି ପ୍ରତିଭାତ ହୋଇଛି।

ଏବେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଖେଳାଳି ଭାବେ ମୁଣ୍ଡଟେକି ଠିଆ ହେଉଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ଚାହିଦାକୁ ଦେଖିଲେ ଏହା ପ୍ରତୀୟମାନ ହୋଇଥାଏ ଯେ ଭାରତବର୍ଷରେ ସେମିକଣ୍ଡକ୍ଟର ଶିଳ୍ପର ଅଭିବୃଦ୍ଧି, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ, ଇଲେକ୍ଟ୍ରିକ ଭେହିକିଲ୍, ସ୍ମାର୍ଟଫୋନ୍ କ୍ଷେତ୍ରରେ ବୃହତ୍ତର ଚାହିଦାରୁ ଜନ୍ମ ନେଉଛି ଓ ଏହି ଚାହିଦା ଦିନକୁ ଦିନ ଆହୁରି ବଢ଼଼ି ବଢ଼଼ି ଚାଲିବ। ୨୦୨୬ ମସିହା ସୁଦ୍ଧା ଭାରତବର୍ଷରେ ସ୍ମାର୍ଟଫୋନ୍‌ର ଚାହିଦା ଏକ ଶହ କୋଟି ହୋଇଯାଇଥିବ। ଏତଦ୍‌ବ୍ୟତୀତ ଦେଶରେ ୫ଜି ଟେକ୍ନୋଲୋଜିର ପ୍ରଚଳନ ଏବଂ “ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ” ର ବହୁଳ ବ୍ୟବହାର ସ୍ମାର୍ଟ ଫୋନ୍‌ର ବ୍ୟବହାରକୁ ବହୁଗୁଣିତ କରିଦେବ। ୨୦୨୨ ମସିହାରେ ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ୨୭ ବିଲିୟନ ଆମେରିକୀୟ ଡଲାର ଥିଲା ଏବଂ ୯୦ ପ୍ରତିଶତରୁ ଅଧିକ ପରିମାଣର ସେମିକଣ୍ଡକ୍ଟର ବିଦେଶରୁ ଆମଦାନୀ ହେଉଥିବା କାରଣରୁ ଭାରତୀୟ ଚିପ୍ ନିର୍ମାତାମାନେ ବହୁ ପରିମାଣରେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ହୋଇଥାଆନ୍ତି। ଆମେରିକା ଓ ୟୁରୋପ ମହାଦେଶର ଚିତ୍ର ମଧ୍ୟ ପ୍ରାୟ ଭାରତ ଭଳି, ଯେଉଁମାନେ କି ତାଇୱାନ ଓ ଚୀନ ଉପରେ ସେମିକଣ୍ଡକ୍ଟର ଆମଦାନୀ ପାଇଁ ନିର୍ଭରଶୀଳ ହୋଇଥା’ନ୍ତି, ଯେଉଁଠାରେ ସେମିକଣ୍ଡକ୍ଟରର ଉତ୍ପାଦନ କମ୍ପାନୀମାନେ ବହୁ ମାତ୍ରାରେ କେନ୍ଦ୍ରୀଭୂତ।

ଏଭଳି ପରିସ୍ଥିତିକୁ ଆଖିଆଗରେ ରଖି ଏ କ୍ଷେତ୍ରରେ ଭାରତ ସରକାର ୧୦ ବିଲିୟନ ଆମେରିକିୟ ଡଲାର (୭୬ ହଜାର କୋଟି) ବିଶେଷ ପ୍ରୋତ୍ସାହନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି, ଯାହାକି ଦେଶରେ ସେମିକଣ୍ଡକ୍ଟରସ୍‌ ଓ ଡିସ୍‌ପ୍ଲେ ମାନୁଫ୍ୟାକ୍‌ଚରିଙ୍ଗ ଇକୋସିଷ୍ଟମ୍‌ର ବିକାଶ ପାଇଁ ବିନିଯୋଗ ହେବ ଏବଂ ମାନୁଫ୍ୟାକ୍‌ଚରିଙ୍ଗ ଓ ଡିଜାଇନ୍ ପାଇଁ ପୂର୍ଣ୍ଣ ଭାବେ ଅଭିପ୍ରେରିତ ହେବ। ଏହାର ମୂଳ ଲକ୍ଷ୍ୟ ହେବ ଦେଶରେ ସେମିକଣ୍ଡକ୍ଟରର ମାନୁଫ୍ୟାକ୍‌ଚରିଙ୍ଗ ଓ ଡିଜାଇନ୍ କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ତଥା ଭାରତବର୍ଷକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଦ୍ଭାସିତ କରିବା। ବୈଦେଶିକ ପୁଞ୍ଜିନିବେଶକରୀଙ୍କୁ ଏକ ଆର୍ଥିକ ପ୍ୟାକେଜ୍ ମାଧ୍ୟମରେ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବ, ଯଦ୍ୱାରା ଭାରତବର୍ଷ ତାଙ୍କର ମୋଟ ପ୍ରକଳ୍ପ ମୂଲ୍ୟର ୫୦ ପ୍ରତିଶତ ବହନ କରିବ ଏବଂ ସେମିକଣ୍ଡକ୍ଟର କଂପାନୀମାନେ କୌଣସି କ୍ଷତି, ବିପଦ ବା ଅନିଷ୍ଟର ଆଶଙ୍କା ବିହିନ ମଡେଲ ଉପଲବ୍ଧ କରିପାରିବେ। ଏ ସମସ୍ତ କଥାକୁ ବିଚାରକୁ ନେଲେ ଏହା ଜଣା ପଡ଼ିଥାଏ ଯେ ଭାରତବର୍ଷର ସେମିକଣ୍ଡକ୍ଟର ବଜାର ୨୦୨୬ ମସିହା ସୁଦ୍ଧା ୫୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ, ଯାହାରକି ୨୦୨୨ରୁ ୨୦୨୬ ମଧ୍ୟରେ ମୋଟ ହାରାହାରି ଅଭିବୃଦ୍ଧି ହାର ବାର୍ଷିକ ୨୦ ପ୍ରତିଶତ ହେବ।

ଏଥିସହିତ ପଢ଼ନ୍ତୁ

ସଂପ୍ରତି ଭାରତବର୍ଷରେ ପ୍ରାୟ ୫୫ ହଜାର ସେମିକଣ୍ଡକ୍ଟର ଡିଜାଇନ୍ ଇଂଜିନିୟର କର୍ମରତ ଅଛନ୍ତି ଏବଂ ସେମାନେ ଇଂଜିନିୟରିଂ ସହାୟକ ସିଷ୍ଟମ ସହ ଓତପ୍ରୋତଃ ଭାବେ ଜଡ଼ିତ ଅଛନ୍ତି। ‘ଡିଜାଇନ ଲିଙ୍କ୍‌ଡ ଇନ୍‌ସେନ୍‌ଟିଭ୍‌ ସ୍କିମ୍’ ମାଧ୍ୟମରେ ଭାରତବର୍ଷରେ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ କ୍ଷେତ୍ରରେ ‘ଭ୍ୟାଲୁ ଆଡେଡ୍ ରିସର୍ଚ୍ଚ’କୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଫଳରେ ଭାରତବର୍ଷରେ ସେମିକଣ୍ଡକ୍ଟର ଶିଳ୍ପ ଗବେଷଣା ଓ ଉନ୍ନୟନ, ମାନୁଫ୍ୟାକ୍‌ଚରିଙ୍ଗ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ୨ ଲକ୍ଷ ୫୦ ହଜାର ନୂତନ କର୍ମ ନିଯୁକ୍ତି ସୃଷ୍ଟି ହୋଇପାରିବ।

ଉଭୟ ଜାତୀୟ ଓ ବିଶ୍ବସ୍ତରରେ ସେମିକଣ୍ଡକ୍ଟର ଶିଳ୍ପ ଅଭିବୃଦ୍ଧି ଏକ ବଳିଷ୍ଠ ଦଶକର ସମ୍ମୁଖୀନ ହେବାକୁ ଯାଉଛି, ଯାହାକି ଭାରତବର୍ଷ ପାଇଁ ସମୃଦ୍ଧି ଓ ସୁଯୋଗର ସିଂହଦ୍ୱାର ଉନ୍ମୋଚନ କରିଦେବ। ଭାରତ ସଂପ୍ରତି ବିଶ୍ୱ ସେମିକଣ୍ଡକ୍ଟରର ଏକ ମହାକେନ୍ଦ୍ର ଭାବେ ରୂପାନ୍ତରିତ ହେଉଛି।

ଏବେ ଆମ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପର ସ୍ଥିତି ପ୍ରତି ନଜର ପକାଇବା। ଗତ ସେପ୍ଟେମ୍ବର ୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ନୂତନ ‘ସେମିକଣ୍ଡକ୍ଟର ମାନୁଫ୍ୟାକ୍‌ଚରିଙ୍ଗ ଏବଂ ଫାବ୍ଲେସ୍ ପଲିସି – ୨୦୨୩’ ଘୋଷଣା କରିଛନ୍ତି। କୌଣସି ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ଓ ଦେଶରକ୍ଷା କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଶିଳ୍ପ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ। ଅନ୍ୟପକ୍ଷରେ, ନିକଟରେ ‘ଓଡ଼ିଶା ଫର୍ ସିଲିକନ୍ ୨୦୨୩’ ର ଆୟୋଜନ ରାଜ୍ୟର ସେମିକଣ୍ଡକ୍ଟର ଓ ଚିପ୍ ଯାତ୍ରାକୁ ସୁଗମ କରିବ। ସେମିକଣ୍ଡକ୍ଟର ଓ ଚିପ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। କେବଳ ଉତ୍ପାଦନ ହେବ ନାହିଁ, ବରଂ ଆନୁଷଙ୍ଗିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ରାଜ୍ୟରେ ନୂଆ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଶିଳ୍ପ ଶିକ୍ଷା ପରିସର ସହଯୋଗ ସହ ଓଡ଼ିଶାକୁ ସେମିକଣ୍ଡକ୍ଟର ଗବେଷଣା ଓ ବିକାଶ କେନ୍ଦ୍ର ଭାବେ ପରିଣତ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ଭାଗିଦାରୀ ଏବଂ ସହଯୋଗର ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ନଭେମ୍ବର ୨ ତାରିଖ ଦିନ ରାଜ୍ୟ ସରକାର ତିନିଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି।

ଇଣ୍ଡିଆନ୍ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଆସୋସିଏସନ୍ (ଆଇଇଏସ୍ଏ) ସହ ହୋଇଥିବା ବୁଝାମଣା ଅନୁଯାୟୀ, ଏହି ସଂଘ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକାଶ ଓ କାର୍ଯ୍ୟକ୍ରମ ଆୟୋଜନ ସହିତ ଜ୍ଞାନ-ସାମଗ୍ରୀର ଅବଧାରଣା ସୃଷ୍ଟି ମାଧ୍ୟମରେ ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ପ୍ରୋତ୍ସାହନ କ୍ଷେତ୍ରରେ ସହାୟତା ଦେବ। ସେହିପରି ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀ ଭାବେ ଖ୍ୟାତି ଅର୍ଜନ କରିଥିବା ସିନୋପ୍ସିସ୍ ସହ ସ୍ୱାକ୍ଷରିତ ବୁଝାମଣା ଅନୁସାରେ ଓ-ଚିପ୍ କାର୍ଯ୍ୟକ୍ରମ, ପ୍ରତିଭା ଓ କର୍ମଶକ୍ତିର ବିକାଶ, ସେମିକଣ୍ଡକ୍ଟର ଓ ଭିଏଲ୍ଏସ୍ଆଇ କ୍ଷେତ୍ରରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ରାଜ୍ୟ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ତଥା କର୍ମନିଯୁକ୍ତି ପ୍ରଦାନ ଦିଗରେ ସହଯୋଗ କରିବ। ଅପରପକ୍ଷେ ଦେଶରୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି/ଆଇଟିଇଏସ୍ ରପ୍ତାନୀ ବିକାଶ କାର୍ଯ୍ୟରେ ନିୟୋଜିତ ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସଫ୍ଟୱେର ଏକ୍ସପୋର୍ଟ ପ୍ରୋମୋସନ୍ କାଉନସିଲ୍ (ଇଏସ୍ସି) ପାଇଁ ରାଜ୍ୟ ସରକାର ଅଫିସ୍ ଯୋଗାଇ ଦେବାଲାଗି ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଆଇଇଏସ୍ଏ ଓଡ଼ିଶା ଚାପ୍ଟର ଓ କ୍ୟାମ୍ପସ୍ କନେକ୍ଟ କାର୍ଯ୍ୟକ୍ରମ ଭଳି ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଫର୍ ସିଲିକନ୍ -୨୦୨୩ ଆୟୋଜନ ଅବସରରେ ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଲାଗି ପଥ ପ୍ରସ୍ତୁତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟ ବାହାରୁ ଅନେକ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଅନେକ ଶିକ୍ଷାବିତ୍ ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେସନ୍, ଚିପ୍ ଆର୍କିଟେକ୍ଚର୍ ଏବଂ ଚିପ୍ ଡିଜାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା। କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ଓଡ଼ିଶା ଫର୍ ସିଲିକନ୍ – ୨୦୨୩ ,ରାଜ୍ୟରେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଢ଼ି ତୋଳିବାରେ ସହାୟକ ହେବ। ଏହା ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କହିଥିଲେ।

ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଫ୍ୟାବ୍ଲେସ୍ ଇନୋଭେସନ୍ ଆଣ୍ଡ ଏକ୍ସିଲରେସନ୍ ପ୍ରୋଗ୍ରାମ (ଓ-ଚିପ୍) ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ଶିକ୍ଷାନୁଷ୍ଠାନ, ସଂସ୍ଥାଗତ ଗବେଷକ ଏବଂ ଛାତ୍ରଛାତ୍ରୀମାନେ ଇଡିଏ ଉପକରଣ ଏବଂ ଆଇପି ଭଣ୍ଡାର, ମୂଳପାଣ୍ଠି ଯୋଗାଣ, ଗବେଷଣା ଅନୁଦାନ ବ୍ୟବସ୍ଥା, ବଜାର ପ୍ରବେଶ, ପରାମର୍ଶ ଓ ଭିତ୍ତିଭୂମି ସହାୟତା ତଥା ଏକ ସାଧାରଣ ସୁବିଧା କେନ୍ଦ୍ର ଆଦିର ସୁଯୋଗ ପାଇପାରିବେ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଏହି ନୀତି ଅଧିକ ଆକର୍ଷଣୀୟ ବୋଲି କୁହାଯାଇଛି।

ଏହାମଧ୍ୟରେ ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ବୈଷୟିକ କେନ୍ଦ୍ର – ସିନୋପସିସ୍ ଇଣ୍ଡିଆ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍ (ଇଡ଼ିଏ) ଉପକରଣ ଯୋଗାଣକାରୀ ସଂସ୍ଥା ସିନୋପ୍‌ସିସ୍‌ର ଡିଜାଇନ୍, ଗବେଷଣା ଓ ବିକାଶ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନଭେମ୍ବର ୧୦ ତାରିଖରେ ଉଦ୍‌ଘାଟନ କରିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ ଚିପ୍ ଡିଜାଇନ୍ ଇକୋସିଷ୍ଟମ୍ ଅଭିବୃଦ୍ଧି ହେବା ସହ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ ଏବଂ ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ୍ ଗବେଷଣା ଓ ବିକାଶ ସଶକ୍ତ ହୋଇପାରିବ। ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ବ ଦକ୍ଷ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଆମେରିକା ଗସ୍ତ ଏବଂ ବିଶ୍ୱର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନୀ ସହିତ ସଫଳ ଆଲୋଚନା ଦ୍ୱାରା ବହୁରାଷ୍ଟ୍ରୀୟ କମ୍ପାନୀମାନେ ମଧ୍ୟ ଭୁବନେଶ୍ୱରରେ ସେମାନଙ୍କ କେନ୍ଦ୍ର ସ୍ଥାପନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ସିନୋପ୍‌ସିସ୍‌ର ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସର ପ୍ରତିଫଳନ। ଡକ୍ଟର ଚିତ୍ତରଂଜନ ମିଶ୍ର ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩

Leave A Reply

Your email address will not be published.