ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିରବତାର ଭାଷା

ଅନେକ ସମୟରେ, ଅନେକ କ୍ଷେତ୍ରରେ କଥା କହୁଥିବା ଲୋକଟି ହଠାତ୍‌‌ ଚୁପ୍‌‌ ପଡ଼ିବାର ଦେଖି ଆମେ ଆଶ୍ଚର୍ଯ୍ୟ ଅନୁଭବ କରୁ। ଭାବିନେଉ କି ବୋଧହୁଏ ସେ କିଛି ଗୁରୁତର ଭୁଲ୍‌‌ କରିଦେଇଛି, ଯେଉଁଥିପାଇଁ ସେ ଲୋକଲଜ୍ଜା ଭୟରେ ଚୁପ୍‌‌ ରହିବାକୁ ବାଧ୍ୟ ହେଉଛି। ଏମିତି ବି ହୋଇପାରେ, ଭୁଲ୍‌‌ର କାରଣ ବା କୈଫିୟତ ଦେବାପାଇଁ ହୁଏତ ତା’ ପାଖରେ ପ୍ରମାଣର ଘୋର ଅଭାବ ଥାଏ। ସୁତରାଂ ସେ ଚୁପ୍‌‌ ରହିବାକୁ ବାଧ୍ୟ ହୁଏ। ତେବେ ସୂକ୍ଷ୍ମ ଦୃଷ୍ଟିରେ ଦେଖିବାକୁ ଗଲେ, ଲୋକଟି ପ୍ରକୃତରେ ଠିକ୍‌‌ ଥାଏ, ମାତ୍ର ଅନେକ ତା’ କୁତ୍ସାରଟନା କରିବାରେ ଏମିତି ଲାଗିପଡ଼ିଥା’ନ୍ତି ଯେ ସେ ନିଜ ସମ୍ମାନକୁ ଜଗି ଚୁପ୍‌‌ ରହିବାକୁ ବାଧ୍ୟ ହୋଇଥାଏ। କାରଣ ସେ ଭଲଭାବରେ ଜାଣେ, ସମାଲୋଚନା କରୁଥିବା ଲୋକେ ସର୍ବଦା ତା’ ପଛରେ ହିଁ ଥାଆନ୍ତି, ଆଗରେ ନୁହେଁ। ତେଣୁ ସେମାନଙ୍କ ସହିତ ଅଯଥା ଯୁକ୍ତି ନକରି ଅଗତ୍ୟା ଦୂରେଇ ଯିବାକୁ ଉଚିତ୍‌‌ ମନେ କରିଥାଏ।

ଚୁପ୍‌‌ ରହୁଥିବା ଲୋକର ଭାଷା ହେଉଛି ନିରବତା, ଯାହା ଦୁନିଆର ସର୍ବଶ୍ରେଷ୍ଠ ଭାଷା ବୋଲି କୁହାଯାଇପାରେ। କାରଣ ନିରବତା ଯେତେକିଛି ଓ ଯାହାକିଛି କୁହାଯାଇପାରେ, ସେତେ କଥା ଓଠ କହିପାରେ ନାହଁ। ନିରବତାକୁ ଜୀବନର ଶ୍ରେଷ୍ଠ ପନ୍ଥା ଭାବରେ ଗ୍ରହଣ କରିଥିବା ଲୋକର ବିଚାରଧାରା ଏୟା ଯେ, ଯେଉଁ ଲୋକ ତୁମେ କହିଥିବା ଠିକ୍‌‌ କଥାର ମଧ୍ୟ ଭୁଲ୍‌‌ ଅର୍ଥ ବାହାର କରିଥାଏ, ତା’କୁ ସଫେଇ ଦେଇ ନିଜର ସମୟ ନଷ୍ଟ କରିବା ଅପେକ୍ଷା ଚୁପ୍‌‌ ରହିଯିବା ଭଲ। କାରଣ ଏଠି କଥା ବୁଝିବା ବାଲା ପ୍ରାୟତଃ କେହି ନଥା’ନ୍ତି, ଆଉ ଯେଉଁ କେତେଜଣ ବୁଝିବା ବାଲା ଅଛନ୍ତି, ସେମାନେ କଥାର ଅଲଗା ଅର୍ଥ ବାହାର କରନ୍ତି। ସକାରାତ୍ମକ ଦିଗ ଅପେକ୍ଷା ନକାରାତ୍ମକ ଦିଗକୁ ବିଶେଷ ପ୍ରାଧାନ୍ୟ ଦିଅନ୍ତି। ଯେଉଁଠି ଏପରି ଆଶଙ୍କା ରହିଥାଏ ସେଇଠୁ ଦୂରେଇ ଯିବା ହିଁ ଶ୍ରେୟସ୍କର।
ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନେକ ସମୟରେ ପ୍ରାୟତଃ ଠିକ୍‌‌ ଥାଆନ୍ତି। କିନ୍ତୁ ସେମାନେ ସମାଲୋଚନା କରୁଥିବା ବ୍ୟକ୍ତିଟି ସହିତ ତର୍କ କରି ଜିତି ପାରନ୍ତି ନାହିଁ। କାରଣ ତାଙ୍କ ଓଠରେ ଯୁକ୍ତି ଆସିବା ଆଗରୁ ଆଖିରେ ଲୁହ ଆସିଯାଏ। ଏ କଥାର ମର୍ମ ଉପଲବ୍ଧି କରି ନ ପାରି ଅନେକ ଏହା ତାଙ୍କର ଦୁର୍ବଳତା ବୋଲି ହେୟଜ୍ଞାନ ମନେ କରନ୍ତି। ତେବେ ସେମାନେ ବୁଝିପାରନ୍ତି ନାହିଁ ଯେ ଚୁପ୍‌‌ ରହୁଥିବା ବ୍ୟକ୍ତି ବି କେତେ ଭୟଙ୍କର ହୋଇପାରେ। ନେଲସନ ମଣ୍ଡେଲାଙ୍କ ମତରେ, ‘ଦୂରତା ଲୋକଙ୍କଠାରୁ ସମ୍ପର୍କ ଅଲଗା କରେ ନାହିଁ, ନିରବତା ହିଁ କରେ।’

ସତରେ ଏଇ ନିରବତାର ଅଙ୍କ ଖୁବ୍‌‌ ଜଟିଳ। ମନରେ ଖୁବ୍‌‌ କଷ୍ଟ ଆସିଲେ ଯାଇ କେହି ମୁହଁ ଖୋଲେ ତ କିଏ ପୁଣି ଆଖିର ଲୁହ ଆଖିରେ ମାରି ନିରବ ରୁହେ। ଚୁପ୍‌‌ ରହୁଥିବା ଲୋକମାନଙ୍କୁ କେବେ ବି ଦୁର୍ବଳ ଭାବିବା ଉଚିତ ନୁହେଁ। କାରଣ ସେମାନେ ଭଦ୍ରାମୀ ଜାଣନ୍ତି ବୋଲି ଚୁପ୍‌‌ ରହନ୍ତି ଆଉ ତାହା ହେଉଛି ସେମାନଙ୍କ ପାରିବାରିକ ସଂସ୍କାର। ଅଥଚ ଏହାକୁ ବୁଝି ନ ପାରି ଅନେକ ତାଙ୍କୁ ସମାଲୋଚନାରେ ପୋତି ଦିଅନ୍ତି। ସାଧାରଣରେ ଅସ୍ତବ୍ୟସ୍ତ କରିପକାନ୍ତି, ତାହା ଅବଶ୍ୟ ନେପଥ୍ୟରେ। କାରଣ ସାମ୍ନାକୁ ଯିବାର ସତ୍‌‌ସାହସ ସେମାନଙ୍କର ନଥାଏ।

ଏକଥା ସତ ଯେ ହୃଦୟର ସବୁ କଷ୍ଟକୁ ପ୍ରକାଶ କରିବା ପାଇଁ ଶବ୍ଦର ଆବଶ୍ୟକତା ପଡ଼େ ନାହିଁ। କିଛି କଷ୍ଟ ପାଇଁ ନିରବତା ହିଁ ଯଥେଷ୍ଟ ହୋଇଥାଏ। ଏହା ବ୍ୟକ୍ତିକୁ ସଂଯମୀ କରାଏ। ବ୍ୟକ୍ତିତ୍ୱର ବିକାଶ ଘଟାଏ। ଆତ୍ମସମ୍ମାନ ବୃଦ୍ଧି କରେ। କାର୍ଯ୍ୟଧାରାକୁ ସୁଗମ କରାଏ। ଯୁଦ୍ଧରେ ବିଜୟୀ ହେବା ପାଇଁ ଯେମିତି କେବେ କେବେ ପଛେଇ ଯିବାକୁ ହୁଏ, ସମ୍ପର୍କ ବଞ୍ଚାଇବାକୁ ଯେମିତି ବେଳେ ବେଳେ ଦୂରତ୍ୱ ରକ୍ଷା କରିବାକୁ ପଡ଼ିଥାଏ, ଠିକ୍‌‌ ସେମିତି ସମ୍ମାନ ବଞ୍ଚାଇବାକୁ ଯାଇ ବେଳେ ବେଳେ ନିରବତା ଅବଲମ୍ୱନ କରିବାକୁ ପଡ଼ିଥାଏ। ତେଣୁ ଅନ୍ୟର ସବୁ ପ୍ରଶ୍ନର ଜବାବ ଦେବାକୁ ସେ ଉଚିତ୍‌‌ ମଣେ ନାହିଁ। ଏଥିରେ ସମ୍ମାନ ତ ହାନି ହୋଇନଥାଏ ବରଂ ବଢ଼଼ିଥାଏ।

ଲୋକେ କ’ଣ କହିବେ, ଏହି କଥାଟି ପାଇଁ ବହୁତ ଲୋକଙ୍କ ସ୍ୱପ୍ନ ଭାଙ୍ଗିଯାଏ। ଲୋକଙ୍କ ସବୁକଥାକୁ ଧରିବସିଲେ କେହି ଆଗକୁ ଯାଇପାରିବେ ନାହିଁ। କେହି ବି ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆଗେଇ ଆସିବେ ନାହିଁ। ନିଜ ସ୍ୱପ୍ନ ନିଜକୁ ହିଁ ପୂରଣ କରିବାକୁ ପଡ଼ିବ। ଯଦି ଏହା ସତ, ତା’ହେଲେ ସବୁଠୁ ଭଲ ହେବ ଆଧୁନିକ ଯୁଗରେ ସ୍ୱାର୍ଥ ଖୋଜୁଥିବା ଲୋକଠାରୁ ଦୂରେଇ ରହିବା। ଦେଖିବେ, ଦିନେ ନା ଦିନେ ଆପଣଙ୍କ ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ନୀଚ୍ଚମନା ଲୋକଙ୍କ ପ୍ରବୃତ୍ତି ହେଉଛି, ସେମାନେ ଈର୍ଷା ପରାୟଣ ହେବେ ହିଁ ହେବେ। ନିନ୍ଦା, ଅପବାଦ, କୁତ୍ସାରଟନା କରିବେ ହିଁ କରିବେ। ଅପମାନିତ କରିବାକୁ ତିଳେ ହେଁ ଭ୍ରୂକ୍ଷେପ କରିବେ ନାହିଁ। ଏ କ୍ଷେତ୍ରରେ ବୁଦ୍ଧିମାନ ଲୋକଟି ଜାଣିଶୁଣି ଅସ୍ୱାଭାବିକ ନିରବ ରହେ। ଏହି ନିରବତା ହିଁ ତା’ର ଭୂଷଣ ଓ ମନଃଶକ୍ତିର ପରିଚାୟକ।
ମିଛ କହୁଥିବା ଲୋକ ଅନବରତ କହିଚାଲିଥାଏ, କିନ୍ତୁ ସତ କହୁଥିବା ଲୋକଟି ନିରବ ଥାଏ। ସେ ଏଇଥିପାଇଁ ନିରବ ଥାଏ ଯେ, ସେ ଜାଣିଥାଏ କିଛି ପ୍ରଶ୍ନର ଉତ୍ତର ସମୟ ହିଁ ଦେଇଥାଏ। ଏଣୁ ସେ ଚୁପ୍‌‌ ହୋଇ ଅପେକ୍ଷା କରି ରହିଥାଏ ସମୟକୁ। ସମୟ ହିଁ କହିଦିଏ କେଉଁଟା ଭୁଲ୍‌‌ ଆଉ କେଉଁଟା ଠିକ୍‌‌। ଆଉ ସମୟ ଯେତେବେଳେ ସମାଜକୁ ସତ ଜଣାଇଦିଏ, ସେତେବେଳେ କହୁଥିବା ଲୋକଟିର ମୁହଁ କଳା ପଡ଼ିଯାଏ। ଅଗତ୍ୟା ସେ ଚୁପ୍‌‌ ରହିବାକୁ ବାଧ୍ୟ ହୁଏ। ନିରବତା ଏମିତି ଏକ ଅସ୍ତ୍ର, ଯାହା ଶତ୍ରୁର ମନରେ ବି ଆଣିଦିଏ ଝଡ଼। ହୃଦୟରେ ସୃଷ୍ଟି କରେ କମ୍ପନ। କେବେ କେବେ ଶତ୍ରୁର ହୃଦୟକୁ ବି ତରଳାଇ ଦେଇପାରେ ସେ। ପରିସ୍ଥିତି ତାକୁ ମିତ୍ରତାର ହାତ ବଢ଼଼ାଇବାକୁ ବାଧ୍ୟ କରେ।

ଜୀବନର ଦୁଇଟି ପରିସ୍ଥିତିରେ ନିରବ ରହିବା ଆବଶ୍ୟକ। ଗୋଟିଏ ହେଲା, ବାରମ୍ୱାର କହିବା ପରେ ଯଦି କେହି ଆପଣଙ୍କ ଭାବନାକୁ ବୁଝି ମଧ୍ୟ ନବୁଝିବାର ଅଭିନୟ କରୁଛନ୍ତି। ଅନ୍ୟଟି ହେଲା, କିଛି କହିବା ପୂର୍ବରୁ ଯଦି କେହି ଆପଣଙ୍କ ମନକଥା ବୁଝି ପାରୁଛନ୍ତି। ଶେଷରେ ଏତିକି କହିବା ଯଥେଷ୍ଟ ହେବ ଯେ ସଂଯମର ନାଁ ହେଉଛି ନିରବତା, ଯାହା ସମ୍ପର୍କ ଗଢ଼େ ପୁଣି ଭାଙ୍ଗେ। ଏହାକୁ ହୁଏତ କେହି ଆପଣଙ୍କ ଅହଙ୍କାର ଭାବିପାରନ୍ତି, କିନ୍ତୁ ଏହା ଆପଣଙ୍କ ଜୀବନକୁ ମଜବୁତ୍‌‌ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ। ସୁତରାଂ ସବୁ ଶବ୍ଦଠାରୁ ଶକ୍ତିଶାଳୀ ଏହି ନିରବତାର ଭାଷାକୁ ବୁଝିପାରିଲେ ଆମ ମଣିଷପଣିଆ ପ୍ରତିପାଦିତ ହୋଇପାରିବ।

ସଂଗ୍ରାମ କେଶରୀ ପୃଷ୍ଟି
ରାଜ କିଶୋରନଗର, ମୋ : ୯୪୩୭୫୪୭୧୪୬

Leave A Reply

Your email address will not be published.