ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମ୍ୱାଦ ମଞ୍ଚରେ ପାଠକୀୟ ସଙ୍କଟ

ଅଧୁନା ପାରମ୍ପରିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଭ୍ରାନ୍ତିକର ସମ୍ୱାଦ ପରିବେଷଣ, ବିଶ୍ୱସନୀୟତା ହାନି, ପ୍ରଶାସନିକ କଟକଣା ଓ ଅନିଶ୍ଚିତ ବ୍ୟବସାୟିକ ସ୍ଥିତିରେ ଭରାକ୍ରାନ୍ତ ହୋଇପଡ଼ିଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଥିସହିତ ପ୍ରଯୋଜନା ଦରବୃଦ୍ଧି, ବିଜ୍ଞାପନ ଆୟ ହ୍ରାସ ଓ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତା ମଧ୍ୟ ପାରମ୍ପରିକ ସମ୍ବାଦ ସଂସ୍ଥାଗୁଡ଼ିକୁ ପ୍ରକାଶନ ବନ୍ଦ, କର୍ମଚାରୀ ଛଟେଇ ଓ ଆନୁସଙ୍ଗିକ କାଟଛାଟ ନିମନ୍ତେ ବାଧ୍ୟ କରୁଛି। ନ୍ୟସ୍ତସ୍ୱାର୍ଥ, ବ୍ୟାବସାୟିକ, ରାଜନୈତିକ ବ୍ୟକ୍ତି ଓ ଗୋଷ୍ଠୀଙ୍କ ଅନୁଚିତ ଚାପ ଭାର ମଧ୍ୟ ସାମ୍ୱାଦିକତାର ଗୁଣବତ୍ତା ହ୍ରାସର ଅନ୍ୟତମ କାରଣ, ଯାହା ଗଣମାଧ୍ୟମର ଲୋକପ୍ରିୟତା ହ୍ରାସ କରୁଛି। ସାମଗ୍ରିକଭାବେ ଏହି କାରଣଗୁଡ଼ିକ ସମ୍ୱାଦ ପ୍ରତି ଉପଭୋକ୍ତାଙ୍କୁ ଉଦାସୀନ କରାଉଥିବା ଜଣାପଡ଼ିଛୁ।

ନିକଟ ଭବିଷ୍ୟତରେ ଗଣମାଧ୍ୟମ ଶିଳ୍ପରେ କୃତ୍ରିମ ବୃଦ୍ଧିମତ୍ତାର ଉପଯୋଗ ଫଳରେ ଏହା ଉପରେ ନିର୍ଭର କରୁଥିôବା ବ୍ୟକ୍ତିବିଶେଷଙ୍କ ସ୍ଥିତି ଆହୁରି ଜଟିଳ ହେବାକୁ ଯାଉଛି। ମୁଖ୍ୟତଃ, ସ୍ମାର୍ଟଫୋନ ଭଳି ଉପକରଣରେ ଚାଟବଟ ଯୋଗେ ସମ୍ୱାଦ ଆହରଣ ପାରମ୍ପରିକ ଗଣମାଧ୍ୟମ ସଂସ୍ଥାର ଭୂମିକାକୁ ଗୌଣ କରିଦେବ ବୋଲି ମତ ପ୍ରକାଶ ପାଇ ଆସୁଛି। ବିକଶିତ ରାଷ୍ଟ୍ରଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତା ପ୍ରତିଷ୍ଠାନଗୁଡ଼ିକ ଗଣମାଧ୍ୟମ ସଂସ୍ଥାମାନଙ୍କ ସହ ବୁଝାମଣା କରୁଥିବା ଧାରା ବିଶ୍ୱବ୍ୟାପୀ ସମ୍ପ୍ରସାରିତ ହେବା ଭୟ ଘାରିଛି। ‘ଟାଇମ’ ଓ ‘ଦି ୱାଲଷ୍ଟ୍ରିଟ ଜର୍ଣ୍ଣାଲ’ ଭଳି ଗଣମାଧ୍ୟମ ସଂସ୍ଥା ‘ଓପନ-ଏଆଇ’ ସହ ରାଜିନାମାକୁ ଗଣମାଧ୍ୟମ ସମୀକ୍ଷକମାନେ ଗୁରୁତ୍ୱର ସହ ନେଇଛନ୍ତି। ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ‘ରଏଟର୍ସ ଇନଷ୍ଟିଚ୍ୟୁଟ ଫର ଷ୍ଟଡି ଅଫ୍‌‌ ଜର୍ଣ୍ଣାଲିଜମ’ ପକ୍ଷରୁ ତ୍ରୟୋଦଶ ସଂସ୍କରଣ ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୪’ ଜୁନ ମାସରେ ପ୍ରକାଶ ପାଇଥିଲା। ଏହି ବିବରଣୀ ପ୍ରସ୍ତୁତି ନିମନ୍ତେ ୨୦୨୪ ଜାନୁୟାରୀ-ଫେବୃୟାରୀ ମାସରେ ୪୭ଟି ରାଷ୍ଟ୍ରରେ ୯୫ ହଜାର ବ୍ୟକ୍ତିଙ୍କୁ ନେଇ ଏକ ସର୍ବେକ୍ଷଣ ଆୟୋଜନ କରାଯାଇଥିଲା। ୨୦୨୧ରୁ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ବସ୍ତୁତଃ ଅନଲାଇନ ସମ୍ୱାଦ ମଞ୍ଚ ଉପଭୋକ୍ତାଙ୍କ ଆଚରଣ ଏହି ବିବରଣୀରେ ପ୍ରତିଫଳିତ ହୋଇଛି। ୨୦୨୪ ସୁଦ୍ଧା ବିଶ୍ୱବ୍ୟାପୀ ୬୭ ପ୍ରତିଶତ ଓ ଭାରତରେ ୫୨ ପ୍ରତିଶତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ପହଞ୍ଚିଥିବାରୁ ସାମଗ୍ରିକ ଭାବେ ସମ୍ୱାଦ ଉପଭୋକ୍ତାଙ୍କ ଆଚରଣରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି।

ସମ୍ୱାଦ ପ୍ରତି ଉପଭୋକ୍ତାଙ୍କ ଆଗ୍ରହ ହ୍ରାସ, ସମ୍ୱାଦ ବିମୁଖ ଓ ସୂଚନା ପ୍ରାଚୁର୍ଯ୍ୟ ପରିବେଶ ସମ୍ୱାଦ ଶିଳ୍ପ ପରିଧିରେ ଉଦବେଗର କାରଣ ପାଲଟିଛି। ‘ଡିଜିଟାଲ ନିଉଜ ରିପୋର୍ଟ ୨୦୨୪’ ନିମନ୍ତେ ସଂଗୃହୀତ ତଥ୍ୟ ଅନୁଯାୟୀ ୨୦୧୬ରୁ ୨୦୨୪ ମଧ୍ୟରେ ସମ୍ୱାଦ ପ୍ରତି ଉପଭୋକ୍ତାଙ୍କ ଆଗ୍ରହ ବ୍ରିଟେନରେ ୩୨ ପ୍ରତିଶତ, ଫ୍ରାନ୍ସରେ ୨୩ ପ୍ରତିଶତ ଓ ଜର୍ମାନୀରେ ୧୯ ପ୍ରତିଶତ କମିଛି। ପାରମ୍ପରିକଭାବେ ଏହି ତିନି ରାଷ୍ଟ୍ର ଗୁଣାତ୍ମକ ସାମ୍ୱାଦିକତା ନିମନ୍ତେ ପ୍ରସିଦ୍ଧି ଲାଭ କରିଆସୁଛନ୍ତି। ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୬ ପ୍ରତିଶତ, ଦକ୍ଷିଣ କୋରିଆରେ୨ ପ୍ରତିଶତ ଓ ଫିନଲ୍ୟାଣ୍ଡରେ ମାତ୍ର ୧ ପ୍ରତିଶତ କମିଛି।

ସମ୍ୱାଦ ପ୍ରତି ଆଗ୍ରହ ହ୍ରାସ ହେତୁ ସମ୍ୱାଦ ବିମୁଖ ପରିବେଶ ସୃଷ୍ଟି ହୋଇଥାଏ। ସାଧାରଣ ଜନତା କହୁଛନ୍ତି ସମ୍ୱାଦର ପୁନରାବୃତ୍ତି ଲକ୍ଷଣ ଓ ବହୁସଂଖ୍ୟକ ସମ୍ୱାଦର ଭାର ସେମାନଙ୍କ ସମ୍ୱାଦ ମଞ୍ଚ ବିଚ୍ୟୁତିର ଦୁଇ ପ୍ରମୁଖ କାରଣ। ରଏଟର୍ସ ସର୍ବେକ୍ଷଣ ଅନୁଯାୟୀ ୨୦୧୯ ସୁଦ୍ଧା ୨୮ ପ୍ରତିଶତ ସୂଚନା ପ୍ରାଚୁର୍ଯ୍ୟ(ମାତ୍ରାଧିକ ଖବର ପ୍ରକାଶ/ପ୍ରସାରଣ)ସମ୍ପର୍କରେ ଅଭିଯୋଗ ଆସୁଥିବା ବେଳେ ୨୦୨୪ରେ ଏହା ୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ବ୍ରିଟେନରେ ୩୦ରୁ ୩୮ ପ୍ରତିଶତ, ଫ୍ରାନ୍ସରେ ୩୭ରୁ ୪୬ ପ୍ରତିଶତ ଓ ବ୍ରାଜିଲରେ ୩୦ରୁ ୪୬ ପ୍ରତିଶତକୁ ସୂଚନା ପ୍ରାଚୁର୍ଯ୍ୟ ଅଭିଯୋଗ ସମ୍ପ୍ରସାରିତ ହୋଇଛି। ସୂଚନା ପ୍ରାଚୁର୍ଯ୍ୟ ପରିବେଶ ସୃଷ୍ଟି ନିମନ୍ତେ କେତେକ ସମୀକ୍ଷକ ସ୍ମାର୍ଟଫୋନ ବ୍ୟବହାରକୁ ଦାୟୀ କରିଥା’ନ୍ତି। ଜନସାଧାରଣ ସ୍ମାର୍ଟଫୋନ ପର୍ଦ୍ଦାରେ ଦୈନିକ ଚାରିରୁ ଛଅ ଘଣ୍ଟା କଟାଉଥିବା ହେତୁ ସମ୍ୱାଦ ସମେତ ବିଭିନ୍ନ ଅଣ-ସମ୍ୱାଦ ମଞ୍ଚରୁ ମଧ୍ୟ ସମ୍ୱାଦ ଆହରଣ କରିଥା’ନ୍ତି। ଅତୀତରେ ସମ୍ୱାଦ ପଢ଼଼ିବା, ଶୁଣିବା ବା ଦେଖିବା ନିମନ୍ତେ ଯେଉଁ ପୂର୍ବପ୍ରସ୍ତୁତି ଆବଶ୍ୟକ ପଡୁଥିଲା ତାହା ଉଭେଇ ଯାଇଛି। ଏତଦ୍‌‌ବ୍ୟତୀତ ବିଭିନ୍ନ ସୂୂଚନା/ବିଜ୍ଞାପନ ଅବିରତ ସ୍ମାର୍ଟଫୋନରେ ପହଞ୍ଚୁଥିବା ହେତୁ ମଧ୍ୟ ସମ୍ୱାଦ ଭାର ବଢ଼଼ିବାରେ ଲାଗିଛି। ଅପରପକ୍ଷରେ ରଏଟର୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସୂଚନା ପ୍ରାଚୁର୍ଯ୍ୟ ପରିବେଶ ସତ୍ତ୍ବେ ବିଶ୍ୱବ୍ୟାପୀ ପ୍ରକାଶକମାନେ ନୂତନ ସମ୍ୱାଦ ଉତ୍ପାଦମାନ ପ୍ରଯୋଜନାରେ ବ୍ୟସ୍ତ। ଅର୍ଥାତ ନିକଟ ଭବିଷ୍ୟତରେ ଅଧିକ ସମ୍ୱାଦ ମଞ୍ଚ ପରିପ୍ରକାଶ ସୁନିଶ୍ଚିତ।

ପାରମ୍ପରିକଭାବେ ଗଣମାଧ୍ୟମ ସମ୍ପାଦକ ମଣ୍ଡଳୀ ଆକର୍ଷକ ଓ ଆମୋଦଦାୟକ ‘ଆଟ୍ରାକ୍ଟିଭ ଆଣ୍ଡ ଏଣ୍ଟରଟେନିଂ’ ସମ୍ୱାଦ ଲୋକପ୍ରିୟ ବୋଲି ବିଚାର କରି ଆସିଥିବା ବେଳେ ରଏଟର୍ସ ପକ୍ଷରୁ ଆୟୋଜିତ ପ୍ରାୟ ୧ଲକ୍ଷ ଉପଭୋକ୍ତାଙ୍କୁ ନେଇ ହୋଇଥିବା ସର୍ବେକ୍ଷଣରେ ବିପରୀତ ତଥ୍ୟ ଉନ୍ମୋଚିତ ହୋଇଛି। ଅଧୁନା ସ୍ଥାନୀୟ ଓ ଆନ୍ତର୍ଜାତିକ ସମ୍ୱାଦର ଚାହିଦା ରହିଛି। ରାଜନୈତିକ ସମ୍ୱାଦ ପ୍ରତି ୪୫ ବର୍ଷରୁ ଊର୍ଦ୍ଧ୍ବ ସମ୍ୱାଦ ଉପଭୋକ୍ତା ଆଗ୍ରହ ପ୍ରକାଶ କରୁଥିବା ବେଳେ ୩୫ ବର୍ଷରୁ କମ ବୟସବର୍ଗ ଏଥିପ୍ରତି ବୀତସ୍ପୃହ। ଯୁବ ଉପଭୋକ୍ତାମାନେ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟରକ୍ଷା ଭଳି ସମ୍ୱାଦକୁ ଗୁରୁତ୍ୱ ଦେଇଥା’ନ୍ତି। ସେହିପରି ମହିଳାମାନେ ରାଜନୀତି ଓ କ୍ରୀଡ଼ା ବଦଳରେ ସ୍ୱାସ୍ଥ୍ୟ ସମ୍ପର୍କିତ ସମ୍ୱାଦ ପ୍ରତି ଆଗ୍ରହ ପ୍ରକାଶ କରନ୍ତି। ମୋଟାମୋଟି ଭାବେ ଯେଉଁ ସମ୍ୱାଦଗୁଡ଼ିକ ବ୍ୟକ୍ତିଗତସ୍ତରରେ ବ୍ୟବହାର୍ଯ୍ୟ ଓ ସାମାଜିକ ଯୋଗାଯୋଗ ସ୍ଥାପନ ନିମନ୍ତେ ସହାୟକ, ତାହାର ଆଦର ବଢ଼ୁଛି।

ବିଶ୍ୱବ୍ୟାପୀ ୨୦୨୪ ସୁଦ୍ଧା ପ୍ରାୟ ୬୨ ପ୍ରତିଶତ ସାମାଜିକ ଗଣମାଧ୍ୟମ ଉପଭୋକ୍ତା ଥିବା ଅବସରରେ ଉଭୟ ଅନଲାଇନ ଓ ଅଫ-ଲାଇନ ସମ୍ୱାଦ ପରିବଷଣରେ ଇଣ୍ଟରନେଟ ବୈଷୟିକ ବ୍ୟାବସାୟିକ ସଂସ୍ଥା ‘ଟେକ କମ୍ପାନୀ’ଗୁଡ଼ିକର ପ୍ରଭାବ ଗଣମାଧ୍ୟମରେ ନୂତନ ସମସ୍ୟାମାନ ଆଣୁଛି। ଅନଲାଇନ ଓ ଅଫ-ଲାଇନ ସମ୍ୱାଦ ସରବରାହ ସାମାଜିକ ଗଣମାଧ୍ୟମ ଉପରେ ନିର୍ଭରଶୀଳ ହୋଇ ପଡ଼ିଥିବା ହେତୁ ଏତଦ୍ୱାରା ସାମଗ୍ରିକ ଭାବେ ଗଣମାଧ୍ୟମ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଥିବା ଅଭିଯୋଗ ହେଉଛି। ଗବେଷଣାରୁ ଜଣାଯାଏ ଯେ ସମ୍ୱାଦ ମଞ୍ଚରେ ଉପଭୋକ୍ତା ତଥ୍ୟଭିତ୍ତିକ ସମ୍ୱାଦ ପରିବେଷଣ ସହ ଅନ୍ୟାନ୍ୟ ସୂଚନା ଓ ପାଠକୀୟ ଅନୁଭବ ଆଶା କରିଥାଏ। ଦ୍ୱିତୀୟ ବିଶ୍ୱଯୁଦେ୍ଧାତ୍ତର ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୂୟର୍କ ସହରରେ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ନଗରବାସୀ ସମ୍ୱାଦପତ୍ର ପଠନ ମାଧ୍ୟମରେ ସହରର ଐତିହ୍ୟ, ସାମାଜିକ ଓ ସାଂସ୍କୃତିକ ଜୀବନରେ ଅଂଶୀଦାର ହୋଇପାରିଥିଲେ। ସମ୍ୱାଦପତ୍ରର ପ୍ରାଧାନ୍ୟକାଳରେ ଭାରତରେ କୋଲକତାରେ ‘ଷ୍ଟେଟସମ୍ୟାନ’, ଦିଲ୍ଲୀରେ ‘ହିନ୍ଦୁସ୍ତାନ ଟାଇମ୍ସ’, ମୁମ୍ୱାଇରେ ‘ଟାଇମ୍ସ ଅଫ ଇଣ୍ଡିଆ’, ଚେନ୍ନାଇରେ ‘ହିନ୍ଦୁ’, ବେଙ୍ଗାଲୁରୁରେ ‘ଡେକାନ ହେରାଲଡ଼’ ଓ ହାଇଦରାବାଦରେ ‘ଡେକାନ କ୍ରୋନିକାଲ’ ଭଳି ଇଂରାଜୀ ସମ୍ୱାଦପତ୍ର ସ୍ଥାନୀୟ ଜନଜୀବନକୁ ଗଭୀର ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଥିଲା।

ସମ୍ୱାଦ ମଞ୍ଚରେ ପାଠକୀୟ ଆଗ୍ରହକୁ ‘ୟୁଜର୍ସ ନିଡ ୨.୦’ ଭଳି ମଡେଲରେ ଚାରି ଭାଗରେ ବିଭକ୍ତ କରାଯାଇଥାଏ, ଯଥା – ଜ୍ଞାନ, ଉପଲବ୍ଧି, ଅନୁଭବ ଓ କାର୍ଯ୍ୟକାରିତା। ଜ୍ଞାନ ଆହରଣ କ୍ଷେତ୍ରରେ ବିଭିନ୍ନ ବିଷୟରେ ଜାଣିବା ଓ ସାମାଜିକ ପ୍ରବାହ ସହବନ୍ଧଚୁ ବୁଝାଏ। କୌଣସି ବିଷୟରେ ଅଧିକ ଜାଣିବା ଓ ଦୃଷ୍ଟିଭଙ୍ଗୀ ଗଠନରେ ଉପଲବ୍ଧି ସହାୟକ ହୁଏ। ସକାରାତ୍ମକ ମନୋଭାବ ଓ ମନୋରଞ୍ଜନ ଅନୁଭବ ପର୍ଯ୍ୟାୟଭୁକ୍ତ। ସେହିପରି ବାସ୍ତବ କ୍ଷେତ୍ରରେ ଉପଯୋଗୀ ଓ ସୂଚନା କାର୍ଯ୍ୟକାରୀ ସମ୍ୱାଦ ରୂପେ ଚିହ୍ନଟ ହୋଇଥାଏ। ଅଧିକାଂଶ ଉପଭୋକ୍ତା ଜ୍ଞାନାର୍ଜନ ଓ ଉପଲବ୍ଧି ନିମନ୍ତେ ସମ୍ୱାଦ ମଞ୍ଚ ଉପରେ ନିର୍ଭରଶୀଳ। ଅନୁଭବ ନିମନ୍ତେ ୫୫ ପ୍ରତିଶତ ଓ ବ୍ୟବହାରିକ ସମ୍ୱାଦ ୫୦ ପ୍ରତିଶତ ପସନ୍ଦ କରିଥା’ନ୍ତି। ଉପଭୋକ୍ତାମାନେ ସମ୍ୱାଦ ପଢ଼଼ିବା, ଶୁଣିବା, ଦେଖିବା କାଳରେ ଅନ୍ୟାନ୍ୟ ସାମାଜିକ ସମସ୍ୟାରୁ ଦୂରେଇ ଯାଇଥା’ନ୍ତି। ଅବଶ୍ୟ ବିଭିନ୍ନ ସମୟରେ ବିଭିନ୍ନ ଭୌଗୋଳିକ ପରିବେଶରେ ସମ୍ୱାଦ ମଞ୍ଚର ବ୍ୟବହାରରେ ଭିନ୍ନତା ପ୍ରମାଣିତ। ଉପଭୋକ୍ତା ଉଦାସୀନ ହେଲେ ସମ୍ୱାଦ ମଞ୍ଚର ଗୁରୁତ୍ୱ ହ୍ରାସ ପାଇବା ସୁନିଶ୍ଚିତ।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

Leave A Reply

Your email address will not be published.