ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅତିଥି ଦେବୋ ଭବ

ଭାରତୀୟ ସନାତନ ଧର୍ମ ଓ ସଂସ୍କୃତି ପରସ୍ପରକୁ ସମ୍ମାନ ଦେବା ଶିଖାଇଛି। ଭାରତୀୟମାନେ ପରସ୍ପର ପାଇଁ ଚିନ୍ତା ପ୍ରକଟ କରିଥା’ନ୍ତି; ସେ ମଣିଷ ହେଉ, ପଶୁପକ୍ଷୀ ହେଉ, ବୃକ୍ଷଲତା ହେଉ ଅବା ପ୍ରକୃତି। ମାନବ ସଭ୍ୟତା ଆରମ୍ଭରୁ ଭାରତବର୍ଷର ଏହି ଗୌରବମୟ ପରମ୍ପରା ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ପ୍ରଭାବିତ କରି ଆସିଛି। ଅତିଥି ଓ ଆତିଥେୟତା ଭାରତୀୟ ସାମାଜିକ ଓ ସାଂସ୍କୃତିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟରେ ଅତିଥି ଆଦର-ଅଭ୍ୟର୍ଥନାର ପାତ୍ର। ଭାରତୀୟ ଆଦର୍ଶର ଆଧାର ହେଉଛି-ଆମେ ଅନ୍ୟମାନଙ୍କୁ ଯେପରି ବ୍ୟବହାର ଦେଖାଇଥାଉ, ଅନ୍ୟମାନେ ଆମମାନଙ୍କୁ ସେପରି ବ୍ୟବହାର ଦେଖାଇଥା’ନ୍ତି। ଭାରତବର୍ଷର ଜୈନମୁନି ଓ ବୌଦ୍ଧଭିକ୍ଷୁମାନେ ହିନ୍ଦୁଧର୍ମର ବନ୍ଧୁତାପୂର୍ଣ୍ଣ ଆତିଥ୍ୟ ଲାଭ କରୁଥିଲେ। ବୌଦ୍ଧଧର୍ମର ଦିଘନିକାୟରେ ଆଦର୍ଶ ଗୃହିଣୀଙ୍କୁ ଉପଦେଶ ରହିଛି ଯେ ସ୍ୱାମୀଙ୍କ ଗୃହରେ ଅତିଥିମାନଙ୍କ ପ୍ରତି ସେବାପରାୟଣ ହୋଇ ରହିବ। ଆତିଥ୍ୟ ପ୍ରଦାନ କରିବା ଅବସରରେ କମାର ଚୁନ୍ଦ ଗୌତମ ବୁଦ୍ଧଙ୍କୁ ଜାଣିଶୁଣି ଛତୁରେ ବିଷ ଦେଇଥିଲା। ବୁଦ୍ଧ ତାହା ଭକ୍ଷଣ କରି ମୃତ୍ୟୁଶଯ୍ୟାରେ ଥିଲାବେଳେ ଦୁଃଖ କରୁଥିବା ଶିଷ୍ୟମାନଙ୍କୁ କହିଥିଲେ- ‘ଅତିଥିପରାୟଣ ଚୁନ୍ଦ ତାଙ୍କ ଅତିଥିଙ୍କ ମୃତ୍ୟୁରେ ନିଜକୁ ଦୋଷୀ ମନେ ନକରନ୍ତୁ। ଚୁନ୍ଦଙ୍କ ଭୋଜନ ବୁଦ୍ଧଙ୍କୁ ନିର୍ବାଣର ପଥ ଦେଖାଇଥିବାରୁ ସେ ପ୍ରଶଂସନୀୟ।’ ଶିଖମାନେ ଅନୁରୂପ ଭାବେ ଅତିଥିପରାୟଣ ଥିଲେ। ପରବର୍ତ୍ତୀ କାଳର ଇସ୍‌‌ଲାମଧର୍ମୀ ଓ ଖ୍ରୀଷ୍ଟୀୟାନମାନେ ଆତିଥ୍ୟର ଅଲିଖିତ ନୀତିନିୟମକୁ ଯଥେଷ୍ଟ ସମ୍ମାନ ଦେଉଥିଲେ। ଜଣେ ବ୍ୟକ୍ତି କୌଣସି ଗ୍ରାମ ବା ଅଞ୍ଚଳରେ ରାତିରେ ଉପବାସରେ ରହିବା କେହି ମୁସଲିମ୍‌‌ ଚିନ୍ତା କରିପାରନ୍ତି ନାହିଁ। ଆରବ ଦେଶରେ ଖାଦ୍ୟଦାନ ଆତିଥ୍ୟ। ଅନ୍ନ ଦାନ ପରେ ଜଣେ ଅତିଥି ଆତିଥେୟଙ୍କ ପାରିବାରିକ ସଦସ୍ୟ ହୋଇଯା’ନ୍ତି। ଅତିଥିଙ୍କ ସୁରକ୍ଷା ଆତିଥେୟଙ୍କ କର୍ତ୍ତବ୍ୟ ହୋଇପଡ଼େ। କୋରାନ ମତେ ପ୍ରାକୃତିକ ଦୁର୍ବିପାକ ବା ଆବଶ୍ୟକ ସମୟରେ ଜଣେ ଅସହାୟ ବା ଅନାଥକୁ ଭୋଜନ ପ୍ରଦାନ ଆତିଥେୟତା ଅଟେ। ୍‌‌ଖ୍ରୀଷ୍ଟଧର୍ମ ଉପଦେଶ ଦିଏ- ଅଜଣା ଲୋକମାନଙ୍କ ପାଇଁ ଘରର ଦରଜା ଖୋଲା ରଖିଲେ ଅତିଥି-ସେବକମାନଙ୍କ ପାଇଁ ଈଶ୍ୱରଙ୍କ ରାଜ୍ୟର ଦରଜା ସବୁବେଳେ ଖୋଲାଥାଏ। ଜଣେ ରୁଗ୍‌‌ଣ, ଦରିଦ୍ର, ଅନାଥ ଓ ବିଧବାଙ୍କ ସେବା ଆତିଥେୟତାର ମୂଳମନ୍ତ୍ର। ଚିକିତ୍ସାଳୟ ସ୍ଥାପନ କରିବା ଦ୍ୱାରା ଅପରିଚିତ ଓ ଅସହାୟ ଲୋକଙ୍କ ସେବାଯତ୍ନ କରିବା ସମ୍ଭବ ହୋଇଥାଏ।

ସନାତନ ଧର୍ମରେ ଅତିଥି ପୂଜ୍ୟ। ଭାରତୀୟ ମୁନିଋଷିଙ୍କ ଆହ୍ୱାନ-‘ଅସହାୟ ଓ ଗରିବକୁ ଦାନ କର’ା ମୂଳତଃ ଗୃହସ୍ଥମାନେ ଆତିଥେୟ ଏବଂ ବ୍ରହ୍ମଚାରୀ ତଥା ବାସହୀନ ସର୍ବହରାମାନେ ଅତିଥି। ସଭ୍ୟତାର ଆରମ୍ଭରେ କେବଳ ବେଦପାଠୀ ବ୍ରାହ୍ମଣମାନେ ଅତିଥି ରୂପେ ସ୍ୱୀକୃତ ହେଉଥିଲେ। କିନ୍ତୁ ଆତିଥ୍ୟର ସଂଜ୍ଞା ବ୍ୟାପକ। ଋଗ୍‌‌ବେଦର ପୁରୁଷସୂକ୍ତରେ ଜାତିପ୍ରଥାର ଯୌକ୍ତିକତା ସାମାଜିକ ସଂହତି ପ୍ରତିଷ୍ଠା କରି ଲୋକମାନଙ୍କୁ ଏକତାସୂତ୍ରରେ ଆବଦ୍ଧ କଲା। ଭାରତୀୟ ସାଂସ୍କୃତିକ ପରମ୍ପରାରେ ସମାନତାର ବାର୍ତ୍ତା ପ୍ରଚାରପ୍ରସାର ହେଲା ପରେ ସାମାଜିକ ଚିତ୍ର ବଦଳିବାକୁ ଲାଗିଲା। ଗବେଷକ ଏ.ଏସ୍‌‌ ଗେଡେନ୍‌‌ କହନ୍ତି: ‘ଭାରତ ପୃଥିବୀରେ ଏକମାତ୍ର ଦେଶ, ଯେଉଁଠାରେ ଗାଁ ଗଣ୍ଡାରେ ଯାଉଥିବା ବାଟୋଇର ଦୃଢ଼ ବିଶ୍ୱାସ ଥାଏ ଯେ ସେ ଯେକୌଣସି ଗାଁକୁ ଗଲେ ମଧ୍ୟ ଆବଶ୍ୟକତା କରୁଥିବା ଜରୁରୀ ପଦାର୍ଥ ନିଶ୍ଚୟ ଉପଲବ୍ଧ ହେବ।’ ଆଜି ମଧ୍ୟ ଏହି ଉକ୍ତିର ସତ୍ୟତା ରହିଛି।

ଲାଟିନ୍‌‌ ଶବ୍ଦ ‘ହସପିଟିୟମ୍‌‌’ ଯାହା ‘ହସପସ୍‌‌’ ଶବ୍ଦରୁ ଆସିଛି, ଉଭୟ ଅତିଥି ଓ ଆତିଥେୟକୁ ବୁଝାଏ। ଏହି ଉଭୟାର୍ଥକ ଶବ୍ଦ ପଛରେ ଗ୍ରୀକ୍‌‌ ଶବ୍ଦ ‘ଜେନକ୍ସ’ ନିହିତ, ଯାହାର ଅର୍ଥ ହେଉଛି ଜଣେ ଅପରିଚିତ ବ୍ୟକ୍ତି, ଯିଏ ସାଦର ଅଭ୍ୟର୍ଥନା ଗ୍ରହଣ କରେ ବା ଅନ୍ୟମାନଙ୍କୁ ସ୍ୱାଗତ କରେ। ଅତିଥି ଗୋଟିଏ ସଂସ୍କୃତ ଶବ୍ଦ। ବୈଦିକ ବ୍ୟାଖ୍ୟାକର୍ତ୍ତା ଯାସ୍କ କହନ୍ତି – ‘ଅଟ୍‌‌’ ଧାତୁର ଅର୍ଥ ସାତତ୍ୟ ଗମନ ବା ନିରନ୍ତର ଗମନ କରିବା। ଜଣେ ଅତିଥି କୌଣସି ସ୍ଥାନରେ ଅଧିକ ସମୟ ରହନ୍ତି ନାହିଁ(ଅନିତ୍ୟଂ ହି ସ୍ଥିତିଃ ଯସ୍ମାତ୍‌‌ ସୋତିଥି ଉଚ୍ୟତେ)ା ‘ଶବ୍ଦକଳ୍ପଦ୍ରୁମ’ରେ ଅତିଥି ଶବ୍ଦର ନିମ୍ନମତେ ବ୍ୟାଖ୍ୟା କରାଯାଇଛି –

ଯସ୍ୟ ନ ଜ୍ଞାୟତେ ନାମ ନ ଗୋତ୍ରଂ ନଚ ସ୍ଥିତିଃ / ଅକସ୍ମାତ୍‌‌ ଗୃହମାୟାତି ସୋତିଥିଃ ପ୍ରୋଚ୍ୟତେ ବୁଧୈଃ।ା
ଅତିଥିମାନେ ତିଥି, ବାର ବା ସମୟ ନଜଣାଇ ଅଘୋଷିତ ଭାବରେ ପହଞ୍ଚିଯାଆନ୍ତି। ପ୍ରାଚୀନ କାଳରେ ଲୋକମାନେ ବିନା ଦ୍ୱିଧାରେ ସେମାନଙ୍କୁ ଗ୍ରହଣ କରୁଥିଲେ। ସାଦର ସ୍ୱାଗତ ବ୍ୟତୀତ ଆତିଥ୍ୟ କହିଲେ ବନ୍ଧୁତାପୂର୍ଣ୍ଣ ବ୍ୟବହାର, ପଡ଼ୋଶୀଭାବନା, ଦୁଃଖୀ, ଅସହାୟ ଓ ଅଭାବୀ ବ୍ୟକ୍ତିକୁ ଆବଶ୍ୟକ ଧନ ବା ପଦାର୍ଥ ଦାନ, ସୁରକ୍ଷା ପ୍ରଦାନ, ଅଜଣା ଅଶୁଣା ଅପରିଚିତ ଆଶ୍ରୟହୀନ ଲୋକଙ୍କୁ ସ୍ୱତଃପ୍ରବୃତ୍ତ ଭାବରେ ବାସଯୋଗାଇ ଦେବା, ଶୋକାତୁରକୁ ଶାନ୍ତ୍ୱନା ଦେବା, ଜ୍ଞାନୀଗୁଣୀଲୋକଙ୍କ ସାକ୍ଷାତ୍‌‌ କରି ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିବା, ଉପହାର ଆଦାନପ୍ରଦାନ କରିବା ଓ ପଂକ୍ତିଭୋଜନ କରିବା ଆଦି ଆତିଥ୍ୟ ଅନ୍ତର୍ଗତ। ଦେଖାଯାଏ କିଛିଲୋକଙ୍କ ଘରକୁ କେହି ଆସନ୍ତି ନାହିଁ। ପଞ୍ଚତନ୍ତ୍ରର କର୍ତ୍ତା ବିଷ୍ଣୁଶର୍ମା କହନ୍ତି ଯାହା ଘରକୁ ବିଭିନ୍ନ କାମରେ ସହୃଦୟ ବନ୍ଧୁ ଓ ଲୋକମାନେ ଆସନ୍ତି ସେମାନେ ଏହି ସଂସାରରେ ଧନ୍ୟ, ବିବେକଜ୍ଞ ଓ ସଭ୍ୟ। ଏହାକୁ ସଂସ୍କୃତରେ ନିମ୍ନମତେ ବର୍ଣ୍ଣନା କରାଯାଇଛି –

ତେ ଧନ୍ୟାସ୍ତେ ବିବେକଜ୍ଞାସ୍ତେ ସଭ୍ୟା ଇହ ଭୂତଳେ / ଆଗଚ୍ଛନ୍ତି ଗୃହେ ଯେଷାଂ କାର୍ଯ୍ୟାର୍ଥଂ ସୁହୃଦୋ ଜନାଃ(-ପଞ୍ଚତନ୍ତ୍ର- ମିତ୍ରଭେଦ-୨୮୫)
ଐତରେୟ ଆରଣ୍ୟକ ମତରେ – ଯିଏ ଉତ୍ତମ ଜନରେ ପରିଣତ ହୁଅନ୍ତି ଓ ଶ୍ରେଷ୍ଠତାର ଅଧିକାରୀ ହୁଅନ୍ତି ସେ ଅତିଥି(ଶ୍ରେଷ୍ଠତାମ୍‌‌ ଅଶ୍ନୁତେ ସ ବା ଅତିଥିର୍ଭବତି)। ଆମେ ଜ୍ଞାତ ବା ଅଜ୍ଞାତରେ ବିଭିନ୍ନ ଲୋକମାନଙ୍କ ଦ୍ୱାରା ବିବିଧ ଉପାୟରେ ଉପକୃତ ହୋଇଥାଉ। ଆମ ପାଇଁ ଏହା ଏକ ଋଣ। ଏଥିରୁ ମୁକ୍ତି ଲଭିବାକୁ ବିହିତ ପଞ୍ଚ ମହାଯଜ୍ଞ ମଧ୍ୟରୁ ନୃଯଜ୍ଞ ଅର୍ଥାତ୍‌‌ ଅତିଥିପୂଜନ(ଆତିଥ୍ୟେଷ୍ଟି)ଅନ୍ୟତମ(ନୃଯଜେ୍ଞାତିଥିପୂଜନମ୍‌‌-ମନୁସ୍ମୃତି.୩/୭୦)।
ଅତିଥିଚର୍ଚ୍ଚା ପଦ୍ଧତି ବିଷୟରେ ଶାସ୍ତ୍ରମାନଙ୍କରେ ଅନେକ କଥା ଉଲ୍ଲେଖ ରହିଛି। ନ୍ୟାୟ ମାର୍ଗରେ ଉପାର୍ଜିତ ଧନଧାନ୍ୟାଦିର ଦାନ ହିଁ ପ୍ରକୃତ ଦାନ। ଅତିଥିଙ୍କୁ ଦେୟ ପଦାର୍ଥ ଶ୍ରଦ୍ଧାରେ ଦେବା ଉଚିତ। ଶ୍ରଦ୍ଧା ନଥିଲେ ଦେବା ଉଚିତ ନୁହେଁ(ଶ୍ରଦ୍ଧୟା ଦେୟମ୍‌‌, ଅଶ୍ରଦ୍ଧୟା ଅଦେୟମ୍‌‌ -ତୈତ୍ତିରୀୟ ଉପନିଷଦ)। ଖୁସି ହୋଇ ଯିଏ ଖାଇବାକୁ ଦେଉ ନାହିଁ, ତା’ଠାରୁ ଖାଇବ ନାହିଁ। ଖାଇବାକୁ ଦେଲେ ଖାଦକ ଯଦି ଖୁସି ହେଉ ନାହିଁ; ଖାଇବାକୁ ଦେବ ନାହିଁ(ନ ଦ୍ୱିଷନ୍ନଶ୍ନୀୟାନ୍ନ ଦ୍ୱିଷତୋନ୍ନମଶ୍ନୀୟାତ୍‌‌(ଅଥର୍ବବେଦଃ-୯.୬.୨୪)। ଦାତା ଭାଗ୍ୟଚକ୍ରରେ ପଡ଼ି କେତେବେଳେ ଗ୍ରହୀତା ସ୍ଥାନକୁ ଚାଲିଯାଇ ପାରେ। ତେଣୁ ସହାନୁଭୂତି ସହ ଯଥାଶକ୍ତି ଦାନ ଦେବା ଆବଶ୍ୟକ। ଖାଦ୍ୟ ପରିବେଷଣ ପୂର୍ବକ ଦୀପ ଆଲୋକିତ କରିବା ଦ୍ୱାରା ଅତିଥି ସମ୍ମାନିତ ହୋଇଥା’ନ୍ତି। କୃପଣ ଠାରୁ ଦାତା ଅଧିକ ଯୋଗ୍ୟ। ଯିଏ ନିଜର ଧନକୁ ଅନ୍ୟମାନଙ୍କ ସହିତ ବାଣ୍ଟେ ତାଙ୍କଠାରୁ କୃପଣ ଅଧିକ ଦରିଦ୍ର। ଋଗ୍‌‌ବେଦରେ ଅଗ୍ନି ସମସ୍ତଙ୍କର ପ୍ରିୟ ଅତିଥି।

ଦାତା କାଳେ କାଳେ ପ୍ରଶଂସିତ। ଯିଏ ଭୋକିଲା ଭିକାରିକୁ ଉଦାରହୃଦୟ ହୋଇ ଦାନ କରେ ସେ ଭିକାରିର ବନ୍ଧୁ। ଋଗ୍‌‌ବେଦର ‘ଦାନସ୍ତୁତି’(୧୦/୧୧୭) ମତେ ଉଦାର ଦାତାଙ୍କର ଧନ କେବେ କ୍ଷୀଣ ହୁଏ ନାହିଁ। ପୃଷ୍ଠପୋଷକମାନଙ୍କୁ ରକ୍ଷା କରିବା ପାଇଁ ଅଗ୍ନିଦେବଙ୍କୁ ଓ ବିପଦରୁ ରକ୍ଷା କରିବା ପାଇଁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରାଯାଇଛି। ଭୟାତୁର ଓ ଶରଣାଗତକୁ ସୁରକ୍ଷା ଦେବା ବଡ଼ ଆତିଥେୟତା। ଋଗ୍‌‌ବେଦ(୬.୨୮.୩)ରେ କୁହାଯାଇଛି- ଯିଏ ଦେବତା ଓ ଉଦାରତା ପ୍ରଚାର କରୁଥିବା କବିଋଷିମାନଙ୍କୁ ଦାନ ଦିଅନ୍ତି ସେମାନେ ନଷ୍ଟ ହୁଅନ୍ତି ନାହିଁ। ଚୋରତସ୍କରମାନେ ତାଙ୍କର କିଛି କ୍ଷତି କରନ୍ତି ନାହିଁ। ଦାନ ଦେବା ଦ୍ୱାରା ଦାତା ଓ ଗ୍ରହୀତାମାନଙ୍କ ମଧ୍ୟରେ ଏକ ପାରସ୍ପରିକ ଦୃଢ଼ବନ୍ଧନ ସ୍ଥାପିତ ହୁଏ। ଯାତ୍ରାପଥ ନିଷ୍କଣ୍ଟକ ହୁଏ। ଦାତାଙ୍କ ଦାନ କେବେ ନଷ୍ଟ ହୁଏ ନାହିଁ, ଅନ୍ୟ ପକ୍ଷରେ ଏହା ଏକ ଦୁଧିଆଳୀ ଧେନୁ ପରି ଫଳପ୍ରସୂ ହୋଇ ଅଧିକରୁ ଅଧିକ ଫଳ ଦାନ କରିଥାଏ(ଋଗ୍‌‌ବେଦ ୧.୧୨୫.୪)।

ଅତିଥି ଅପୂଜିତ ରହିଲେ ନିନ୍ଦା ମୁଣ୍ଡାଇବାକୁ ହୁଏ। କୁହାଯାଇଛି ‘ମୋଘମନ୍ନଂ ବିନ୍ଦତେ ଅପ୍ରଚେତାଃ’। ଅର୍ଥାତ୍‌‌ ଯିଏ ଦେବତା ଓ କ୍ଷୁଧାର୍ତ୍ତକୁ ନଦେଇ ନିଜେ ଖାଏ ସେ ପାପ ଭକ୍ଷଣ କରେ। ଅତିଥିଙ୍କୁ ନିରାଶ କରିବା ନିନ୍ଦନୀୟ। ଖାଦ୍ୟ, ପାନୀୟ, ବିଶ୍ରାମ ନେବା ଉଦ୍ଦେଶ୍ୟରେ ଆସୁଥିବା ପରିଚିତ ବା ଅପରିଚିତ ବ୍ୟକ୍ତିଙ୍କୁ ଯିଏ ଗର୍ବଭାବନା, ହେୟମନୋବୃତ୍ତି, ଅନାଦର, ଆଳସ୍ୟ, କାର୍ପଣ୍ୟ ବା ଅନ୍ୟ କୌଣସି ଦୁର୍ଭାବନାର ବଶବର୍ତ୍ତୀ ହୋଇ ନିରାଶ କରି ଘରୁ ଫେରାଇ ଦିଅନ୍ତି, ଅତିଥି ସେଭଳି ଗୃହସ୍ଥର ସକଳ ପୁଣ୍ୟ ସାଥିରେ ନେଇ ଯା’ନ୍ତି ଓ ନିଜର ଦୁଷ୍କୃତ ଗୃହସ୍ଥଙ୍କୁ ଦେଇ ଯାଆନ୍ତି(ଅତିଥିର୍ଯସ୍ୟ ଭଗ୍ନାଶୋ ଗୃହାତ୍‌‌ ପ୍ରତିନିବର୍ତ୍ତତେ। ସ ତସ୍ମୈ ଦୁଷ୍କୃତଂ ଦତ୍ତ୍ୱା ପୁଣ୍ୟମାଦାୟ ଗଚ୍ଛତି)।

ଯିଏ ଅନ୍ତରଙ୍ଗ ଓ ଅନୁରକ୍ତ ବନ୍ଧୁଙ୍କୁ ସାହାଯ୍ୟ କରେ ନାହିଁ, ସେ ଜୀବନରେ ବନ୍ଧୁହୀନ ଅସହାୟ ହୋଇଥାଏ ବୋଲି ଋଗ୍‌‌ବେଦରେ କୃପଣ ନିନ୍ଦିତ ହୋଇଛି। ଯିଏ ଗର୍ବ କରନ୍ତି କିନ୍ତୁ ଦାନ କରନ୍ତି ନାହିଁ, ସେମାନଙ୍କୁ ନିଧନ କରିବା ପାଇଁ ଇନ୍ଦ୍ରଦେବତାଙ୍କୁ ଆହ୍ୱାନ କରାଯାଇଛି। ତୈତ୍ତିରୀୟ ବ୍ରାହ୍ମଣ(୩.୧୧.୮.୩-୪)ରେ ଉଲ୍ଲେଖ ଅଛି ଯେ ଯିଏ ବ୍ରାହ୍ମଣ ଅତିଥିଙ୍କୁ ସତ୍କାର ପ୍ରଦାନ କରେ ନାହିଁ, ସେଭଳି ଅଜ୍ଞ ଲୋକର ସକଳ ଆଶା, ସମ୍ଭାବନା, ପ୍ରତ୍ୟାଶା, ବନ୍ଧୁମିଳନ, ଉତ୍ସାହପୂର୍ଣ୍ଣ ବାଣୀଶ୍ରବଣ, ଯଜ୍ଞ, ପବିତ୍ର କର୍ମ, ସନ୍ତାନ ଓ ଗୋଧେନୁ ନଷ୍ଟ ହୋଇଯାଏ। ଋଗ୍‌‌ବେଦରେ ଉଲ୍ଲେଖ ଅଛି – ଦାତାମାନେ ଦୀର୍ଘଜୀବନ ଓ ଅମୃତତ୍ୱର ଅଧିକାରୀ ହେଲା ବେଳେ କୃପଣମାନେ ଦୁଃଖ ଭୋଗ କରନ୍ତି(୧.୧୨୫.୭)। ଦାନ ଦେଲେ ମନ ପ୍ରଶସ୍ତ ହୁଏ। ଦାତା ଈଶ୍ୱରଙ୍କ ସହିତ ତୁଳନୀୟ। ଈଶ୍ୱର ଆତ୍ମା ରୂପରେ ସର୍ବତ୍ର ଓ ସକଳ ଦେହରେ ବିଦ୍ୟମାନ। ତେଣୁ ଆତିଥ୍ୟ କେବଳ ଅତିଥିଙ୍କ ଏକ ସେବା ନୁହେଁ, ଈଶ୍ୱରଙ୍କ ପୂଜା ମଧ୍ୟ। ଅତିଥିଙ୍କୁ ସତ୍କାର କଲେ ଆତିଥେୟ ସମୃଦ୍ଧ ଲୋକଙ୍କୁ ପ୍ରାପ୍ତ ହୁଅନ୍ତି। ସଂକ୍ଷେପରେ ଜଣେ ଗୃହସ୍ଥ ଜଣେ ଅତିଥିଙ୍କ ସେବା କରିବା ବ୍ୟୟବହୁଳ ଯଜ୍ଞଫଳଠାରୁ କୌଣସି ଗୁଣରେ କମ୍‌‌ ନୁହେଁ। ଚନ୍ଦ୍ରଗୁପ୍ତଙ୍କ ରାଜତ୍ୱକାଳରେ ଚୀନ ପରିବ୍ରାଜକ ଫାହିୟାନ୍‌‌ (ଶତାବ୍ଦୀ-୩୯୯-୪୧୪)ଲେଖିଛନ୍ତି – ଭାରତର ସହରଗୁଡ଼ିକ ସମୃଦ୍ଧିଶାଳୀ ଥିଲା ଓ ପର୍ଯ୍ୟଟକମାନଙ୍କ ପାଇଁ ଅତିଥିଶାଳାମାନ ରହିଥିଲା। ବିହାର ଓ ମନ୍ଦିରଗୁଡ଼ିକ ଚମତ୍କାର ଥିଲା।

ଡ. ଶରତ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୭୦୦୮୪୭୫୪୪୨

Leave A Reply

Your email address will not be published.