ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାସହରା ବନ୍ୟପ୍ରାଣୀ

ପ୍ରାକୃତିକ ଜଙ୍ଗଲ ହେଉଛି ବନ୍ୟପ୍ରାଣୀମାନଙ୍କ ମୂଳ ଆବାସ ସ୍ଥାନ। ପ୍ରାକୃତିକ ଜଙ୍ଗଲ ମଧ୍ୟ ଏକ ଜଟିଳ ପୂର୍ଣ୍ଣାଙ୍ଗ ପରିସଂସ୍ଥା, ଯେଉଁଥିରେ ବିବିଧ ଉଦ୍ଭିଦ ତଥା ପ୍ରାଣୀ ଏକତ୍ର ବାସ କରନ୍ତି। ସେଥିରେ ଖାଦ୍ୟ ଓ ଖାଦକ ଉଭୟ ଶ୍ରେଣୀର ପ୍ରାଣୀ ସ୍ଥାନୀୟ ପରିବେଶ ଓ ପ୍ରାକୃତିକ ସମ୍ପଦକୁ ସମ ଭାବରେ ଉପଭୋଗ କରନ୍ତି। କିନ୍ତୁ ଅଦୂରଦୃଷ୍ଟି ମାନବୀୟ କାର୍ଯ୍ୟକଳାପ ଯଥା ଖଣିଖାଦାନ, ଶିଳ୍ପ, ସହର ସମ୍ପ୍ରସାରଣ, ରାସ୍ତାଘାଟ ନିର୍ମାଣ ଇତ୍ୟାଦି ହେତୁ ଅବିଚାରିତ ଭାବରେ ପ୍ରାକୃତିକ ଜଙ୍ଗଲ ଅପସାରଣ ହୋଇ ଚାଲିଛି। ଫଳରେ ପ୍ରାକୃତିକ ଜଙ୍ଗଲ ନିଜର ପରିସଂସ୍ଥୀୟ ସେବା ପ୍ରଦାନ କ୍ଷମତା ହରେଇ ବସୁଛି। ପରିସଂସ୍ଥୀୟ ସେବା କହିଲେ ଜଳଚକ୍ର ନିୟନ୍ତ୍ରଣ, ବୃଷ୍ଟିଜଳ ଉତ୍ପାଦନ, ପରିସଂସ୍ଥୀୟ ସନ୍ତୁଳନ, ଉତ୍ତାପ ନିୟନ୍ତ୍ରଣ, ବାୟୁମଣ୍ଡଳର ବିଶୁଦ୍ଧିକରଣ, ମୃତ୍ତିକା ସଂରକ୍ଷଣ, ବିବିଧ ପ୍ରାଣୀ ତଥା ଉଦ୍ଭିଦ ପାଇଁ ଆଶ୍ରୟ ପ୍ରଦାନ ଇତ୍ୟାଦିକୁ ବୁଝାଏ। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ବର୍ତ୍ତମାନ ବିଶ୍ୱ ଜଳବାୟୁରେ ବହୁତ ଅନିୟମିତତା ଘଟିଚାଲିଛି। ବାୟୁମଣ୍ଡଳର କ୍ରମଶଃ ଉତ୍ତାପମୁଖୀ ହୋଇ ଚାଲିଛି, ସାମୁଦ୍ରିକ ଜଳ ପତନ ବଢ଼଼ିବାରେ ଲାଗିଛି, ଉପକୂଳବର୍ତ୍ତୀ ଲୁଣାଜଙ୍ଗଲ କ୍ରମେ ସଙ୍କୁଚିତ ହେଉଛି, ସ୍ଥଳ ଭାଗରେ ଜଙ୍ଗଲ ଅପସରି ଯାଉଛି ଏବଂ ଘନତା ହରାଉଛି। ଜଙ୍ଗଲରେ ନିଅାଁ ଲାଗୁଛି, ବନ୍ୟା, ବାତ୍ୟା, ଝଡ଼, ମରୁଡ଼ି ହେତୁ ଜଙ୍ଗଲ ଛାରଖାର ହେଉଛି, ପ୍ରାକୃତିକ ଜଳଉତ୍ସ ତାହାର ଜଳଧାରଣ ଶକ୍ତି ହରାଇ ବସୁଛି।

ଗତ ଏପ୍ରିଲ ମାସରେ ଓଡ଼ିଶାର ଏକମାତ୍ର ସଂରକ୍ଷିତ ଜୈବମଣ୍ଡଳ ଶିମିଳିପାଳରେ ଏକାସାଙ୍ଗରେ ୩୫ଟି ସ୍ଥାନରେ ବନାଗ୍ନି ଘଟିଥିଲା। ଏହାକୁ ଆୟତ୍ତ କରିବାରେ ବନବିଭାଗ ସଫଳ ହୋଇଥିଲେ ହେଁ ଅପୂରଣୀୟ ପରିସଂସ୍ଥାଜନିତ କ୍ଷୟକ୍ଷତି ଘଟିଥିଲା। ସେହି ସମୟରେ ଖଣ୍ଡପଡ଼ା ଅଞ୍ଚଳରେ ସଂରକ୍ଷିତ ଜଙ୍ଗଲରେ ପ୍ରାୟ ତିନି ସପ୍ତାହ ଧରି ନିଅାଁ ଲାଗିରହିଥିଲା। ଏଭଳି ପରିସ୍ଥିତିରେ ବନ୍ୟଜନ୍ତୁମାନେ ଖାଦ୍ୟ ଓ ଜଳ ଅଭାବରୁ ଜନବସତି ମୁହାଁ ହେବା ସ୍ୱାଭାବିକ। ବନ୍ୟପ୍ରାଣୀ ସଂଖ୍ୟା ବଢ଼଼ିବା ଅନୁପାତରେ ଜଙ୍ଗଲ ଇଲାକା ଯଦି ବଢ଼େ ସମସ୍ୟା ବିଶେଷ ରହିବ ନାହିଁ। କିନ୍ତୁ ଏହା ପରିବର୍ତ୍ତେ ଜଙ୍ଗଲ ଅଞ୍ଚଳ ହ୍ରାସ ହେବାରେ ଲାଗିଛି। ଜଙ୍ଗଲ ସମ୍ପଦ ଉପରେ ନିର୍ଭରଶୀଳ ବନାଞ୍ଚଳ ଅଧିବାସୀ ଏବଂ ବନ୍ୟପ୍ରାଣୀ ଉଭୟ ଚାପର ସମ୍ମୁଖୀନ ହେଉଥିବା ଫଳରେ ବନ୍ୟପ୍ରାଣୀ ଏବଂ ମଣିଷଙ୍କ ମଧ୍ୟରେ ସଂଘର୍ଷ ବଢ଼଼ିବାରେ ଲାଗିଛି। ନିକଟ ଅତୀତରେ କେରଳର ୱନୋଡ ଜିଲ୍ଲାରେ ୪ଟି ମୃତ ଗାଈ ଧରି ହଜାରରୁ ଊର୍ଦ୍ଧ୍ବ ଲୋକ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଅସନ୍ତୋଷର କାରଣ ଥିଲା ଗୋଟିଏ ବାଘ ସେହି ଗାଈମାନଙ୍କୁ ମାରି ଦେଇଥିଲା। ପଶ୍ଚିମ ଘାଟ ଅନ୍ତର୍ଗତ ୱନୋଡ ଅଭୟାରଣ୍ୟରୁ ବାଘଟିଏ ଆସି ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା। ଲୋକଙ୍କ ଦାବି ହେଲା ବାଘଟିକୁ ଗୁଳି କରି ହତ୍ୟା କରାଯାଉ ଏବଂ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।

ଅଧିକ ପଢନ୍ତୁ

ଖାଦ୍ୟ ତଥା ପାନୀୟ ଜଳ ଅନ୍ୱେଷଣରେ ବନ୍ୟପ୍ରାଣୀମାନେ ଅନେକ ସମୟରେ ଗ୍ରାମାଞ୍ଚଳରେ ପଶି ଗୋରୁଗାଈ, ମେଣ୍ଢା, ଛେଳିଙ୍କୁ ଶିକାର କରନ୍ତି। ତୃଣଭୋଜି ପ୍ରାଣୀ ହାତୀ ବିଲବାଡ଼ରେ ପଶି କଦଳୀ ଗଛ, ଆମ୍ୱ ଗଛ, ପଣସ ଗଛ ଇତ୍ୟାଦି ଖାଇ ଦିଅନ୍ତି। ଧାନ, ମକା ଇତ୍ୟାଦି ଫସଲ ଦଳିଚକଟି ନଷ୍ଟ କରି ଦିଅନ୍ତି। ଗତ ଜୁନ ମାସରେ ଛତିଶଗଡ଼ର କାଙ୍କେଇ ଜିଲ୍ଲା ଅନ୍ତର୍ଗତ ଚିନାର ଗ୍ରାମରେ ଜଣେ ୭୫ ବୟସ୍କା ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ଏକ କଲରାପତରିଆ ବାଘ ଘରୁ ଟାଣି ନେଇ ଶିକାର କରିଥିଲା। ଏହାର କିଛିଦିନ ପୂର୍ବରୁ ଏକ ମଣିଷଖିଆ ବାଘ ଛତିଶଗଡ଼ର ବିଭିନ୍ନ ଗ୍ରାମରେ ୫/ ୬ ଜଣଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିଲା। ସେଭଳି ଗତ ଜୁନ୍‌‌ ମାସରେ କେନ୍ଦୁଝର ଜିଲ୍ଲା ପାଟଣାରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ନିହ୍ନୁଆ ଗ୍ରାମରେ ହେଟା ବାଘ ଆକ୍ରମଣରେ ୪ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଥିଲେ। ଗତ ମେ’ ମାସରେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଏକ କଲରାପତରିଆ ବାଘ ପଶି ଲୋକଙ୍କୁ ଆତଙ୍କିତ କରିଦେଇଥିଲା। ବନବିଭାଗ ବହୁ କଷ୍ଟସାଧ୍ୟ ପରିଶ୍ରମ କରି ବାଘଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ସେଭଳି ଭାଲୁ, ହେଟା ବାଘ ଭଳି ଅନେକ ବନ୍ୟପ୍ରାଣୀ ବିଭିନ୍ନ ସମୟରେ ଜନବସତିରେ ପଶି ଆତଙ୍କ ସୃଷ୍ଟି କରିବାର ଉଦାହରଣ ଆମ ରାଜ୍ୟ ସମେତ ଦେଶରେ ବହୁଳ।

ଓଡ଼ିଶାର କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ପଞ୍ଚାୟତର ଦୁଇଟି ଗ୍ରାମ ଯଥା ଘରଲା ଓ ଦେଉଳପଡ଼ା ଗ୍ରାମବାସୀଙ୍କ ନିଦ ହଜେଇ ଦେଇଛି ଏକ ଦନ୍ତାହାତୀ। ସିଙ୍ଗୀରା ସଂରକ୍ଷିତ ଜଙ୍ଗଲରୁ ଆସି ୧୨ ଜଣିଆ ହାତୀପଲ ଉକ୍ତ ଅଞ୍ଚଳରେ ପଶି ଧାନ ଗଛ ନଷ୍ଟ କରିବା ସହିତ ପନିପରିବା ଓ କଦଳୀ ଗଛ ଉପାଡ଼ିବା ସହିତ ଘର ଭାଙ୍ଗି ଗ୍ରାମବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ୧୧ଟି ଅନ୍ୟ କେଉଁ ଆଡ଼େ ଚାଲିଯାଇଥିଲେ। ସେଥିରୁ ଗୋଠଛଡ଼ା ହୋଇ ଗୋଟିଏ ଦନ୍ତାହାତୀ ଘରଲା ଓ ଦେଉଳପଡ଼ା ଗ୍ରାମବାସୀଙ୍କ ଚିନ୍ତା ବଢ଼଼ାଇ ଦେଇଥିଲା। ଗାଁ ଲୋକମାନେ ଶୌଚ ଇତ୍ୟାଦି ନିତ୍ୟକର୍ମ ପାଇଁ କେନାଲ ହୁଡ଼ାକୁ ଯିବାକୁ ଭୟ କରୁଥିଲେ। କଳାହାଣ୍ଡି ଜିଲ୍ଲାରେ ହାତୀପଲ ଆସିବା, ଫସଲ ହାନି ଓ ଘରଦ୍ୱାର ଭାଙ୍ଗିବା ଘଟଣା ବାରମ୍ୱାର ଦେଖିବାକୁ ମିଳୁଛି। ଏକର ଏକର ଫସଲ ନଷ୍ଟ ହେବା ସହ ଧନଜୀବନ ହାନି ଘଟିବା କିଛି ନୂଆ କଥା ନୁହେଁ କଳାହାଣ୍ଡିରେ। ଗତ ଏପ୍ରିଲ ମାସ ପ୍ରଥମାର୍ଦ୍ଧରେ ଓଡ଼ଗାଁ ଓ ପଞ୍ଚରିଡ଼ା ବନାଞ୍ଚଳ ସୀମାନ୍ତରେ ଲଗାତାର ୧୫ ଦିନ ହେବ ଏକ ହାତୀ ପଲ ଗାଁ ଭିତରେ ପଶି ଖରାଦିନିଆ ଧାନ ଫସଲ, ପନିପରିବା, କଦଳୀ, ପଣସ ଗଛ ନଷ୍ଟ କରି ଉଜାଡ଼ି ଦେଇଥିଲେ।

ଏଥିସହିତ ପଢ଼ନ୍ତୁ

ତେବେ ଚିନ୍ତାର କାରଣ ହେଉଛି ଏଭଳି ଘଟଣା ଦିନକୁ ଦିନ ବଢ଼଼ି ଚାଲିଛି। ଉଭୟ ଖାଦ୍ୟ ଓ ପାନୀୟ ଜଳ ନ ପାଇ ବିଭିନ୍ନ ସମୟରେ ହାତୀମାନେ ଜନବସତି ମୁହାଁ ହୋଇ କେଉଁଠି ଶିକାରୀଙ୍କ ହାବୁଡ଼େ ପଡ଼ି ମୃତ୍ୟୁବରଣ କରୁଥିବା ବେଳେ କେତେକ ଅଞ୍ଚଳରେ ଚାଷୀମାନଙ୍କ କ୍ଷେତ ନଷ୍ଟ କରିବାରୁ ଚାଷୀମାନେ କ୍ଷତି ସହୁଛନ୍ତି ଏବଂ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ୨୦୨୦ରୁ ୨୦୨୪ ମଧ୍ୟରେ ୪ ବର୍ଷରେ କେବଳ ଆଠଗଡ଼ ଅଧୀନରେ ଥିବା ୫ ଗୋଟି ବନାଞ୍ଚଳରେ ମୋଟ ୨୩ଟି ହାତୀ ମୃତ୍ୟୁବରଣ କରିଥିବା କୁହାଯାଉଛି। ‘ୱାଇଲ୍ଡଲାଇଫ ସୋସାଇଟି ଅଫ ଓଡ଼ିଶା’ର ଏକ ରିପୋର୍ଟ ଅନୁଯାୟୀ, ୨୦୨୩-୨୪ରେ ପ୍ରାୟ ୧୫୦ ଜଣଙ୍କର ହାତୀ ଆକ୍ରମଣରେ ପ୍ରାଣହାନି ହୋଇଥିବା ବେଳେ ଏହା ହେଉଛି ଦେଶରେ ସର୍ବାଧିକ। ସେହିପରି ୨୦୨୨-୨୩ରେ ମଧ୍ୟ ଓଡ଼ିଶାରେ ହାତୀ-ମଣିଷ ଲଢ଼େଇରେ ମଣିଷ ମୃତକଙ୍କ ସଂଖ୍ୟା ଥିଲା ୧୪୮ ଓ ସେହିବର୍ଷ ମଧ୍ୟ ଦେଶରେ ଏହା ଥିଲା ସର୍ବାଧିକ।

ଏହି ସମସ୍ୟାର ସ୍ଥାୟୀ ନିରାକରଣ ତଥା ସମାଧାନ ପାଇଁ ଅନେକଗୁଡ଼ିଏ ଗଠନମୂଳକ ପଦକ୍ଷେପ ନେବା ନିହାତି ଜରୁରୀ। ପ୍ରଥମେ ଜଙ୍ଗଲରେ ଯେଉଁ ପ୍ରାକୃତିକ ସମ୍ପଦ ରହିଛି ଯଥା ହାତୀ, ହରିଣ, ସମ୍ୱର ଇତ୍ୟାଦି ତୃଣଭୋଜି ପ୍ରାଣୀଙ୍କ ପାଇଁ ବିବିଧ ଖାଦ୍ୟ ଉପଯୋଗୀ ବୃକ୍ଷଲତା, ମାଂସାଶୀ ପ୍ରାଣୀଙ୍କ ପାଇଁ ହରିଣ ସମ୍ୱର ଜାତୀୟ ତୃଣଭୋଜି ପ୍ରାଣୀ, ପର୍ଯ୍ୟାପ୍ତ ପରିମାଣ ଜଳ, ଇତ୍ୟାଦି ଉପଲବ୍ଧ ଅଛି କି ନାହିଁ ଆକଳନ କରିବାକୁ ହେବ। ବନ୍ୟପ୍ରାଣୀଙ୍କ ଘନତା ଅନୁସାରେ ମୁକ୍ତଭାବରେ ଚଳପ୍ରଚଳ କରିବା ପାଇଁ ବ୍ୟାପକ ବନାଞ୍ଚଳ, ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ ଅଞ୍ଚଳକୁ ଜନବସତିଶୂନ୍ୟ କରିବା, ସମ୍ପୃକ୍ତ ଅଞ୍ଚଳରେ ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ସୁରକ୍ଷିତ ଭାବରେ ରଖିବା, ବନବିଭାଗ ଓ ସରକାର ବନ୍ୟପ୍ରାଣୀ ଦ୍ୱାରା ଫସଲ ତଥା ଜନଜୀବନ ହାନି ପାଇଁ ତ୍ୱରିତ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବା, ଜଙ୍ଗଲରେ ଜଳ ଉତ୍ସ ଯେଭଳି ନିରନ୍ତର ପାନୀୟ ଜଳ ଯୋଗାଇବ ସେଥିପାଇଁ ବିହିତ ବ୍ୟବସ୍ଥା କରିବା, ବନ୍ୟପ୍ରାଣୀଙ୍କ ଚାହିଦା ମୁତାବକ ବିଭିନ୍ନ ବୃକ୍ଷଲତା ରୋପଣ କରିବା, ବନାଗ୍ନିକୁ ତୁରନ୍ତ ନିର୍ବାପିତ କରିବା ବ୍ୟବସ୍ଥା କରିବା, ବନ କର୍ମଚାରୀଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି କିଭଳି ବ୍ୟବହାର ପ୍ରଦର୍ଶନ କରିବେ ଏବଂ ବିପଦଆପଦ ବେଳେ ନିଜକୁ କିଭଳି ସୁରକ୍ଷିତ ରଖିବେ ସେ ବିଷୟରେ ପ୍ରଶିକ୍ଷଣ ଦେବା ଭଳି ଅନେକ ସୁପରିକଳ୍ପିତ ପଦକ୍ଷେପ ନେବା ଆବଶ୍ୟକ। ସର୍ବୋପରି ଏକ ନିର୍ଦ୍ଦିଷ୍ଟ ପରିସଂସ୍ଥାରେ ଖାଦ୍ୟ ସୃଙ୍ଖଳରେ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକ ଅନୁସାରେ କିଛି ପ୍ରାଣୀଙ୍କୁ ସ୍ଥାନାନ୍ତରିତ କଲା ବେଳେ କିଛି ପ୍ରାଣୀ ଆଣି ଭର୍ତ୍ତି କରିବା ଆବଶ୍ୟକ।

ଓଡ଼ିଶାରେ ବର୍ତ୍ତମାନ ୧୯ ଟି ଅଭୟାରଣ୍ୟ ଅଛି, ଯାହାର ଆୟତନ ସମୁଦାୟ ବନାଞ୍ଚଳ ଆୟତନର ୧୦.୩୭ ଭାଗ। ଓଡ଼ିଶାର ବନାଞ୍ଚଳ ହେଉଛି ୫୮, ୧୪୦ ବର୍ଗ କିଲୋମିଟର। ବର୍ତ୍ତମାନ କେବଳ ଅଭୟାରଣ୍ୟଗୁଡ଼ିକରେ ହିଁ ଅଧିକାଂଶ ବନ୍ୟପ୍ରାଣୀ ଅଛନ୍ତି। ତେଣୁ ସେଗୁଡ଼ିକର ପ୍ରାକୃତିକତା ଯେଭଳି ନଷ୍ଟ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌‌। ଆବଶ୍ୟକ ସ୍ଥଳେ ଆହୁରି କିଛି ନୂତନ ବନାଞ୍ଚଳକୁ ନେଇ ଅଧିକ ଅଭୟାରଣ୍ୟ ସୃଷ୍ଟି କରାଯିବା ଦରକାର।
ଭୁବନେଶ୍ୱର
ସଭାପତି- ଓଡ଼ିଶା ପରିବେଶ ସମିତି

ଡକ୍ଟର ସୁନ୍ଦର ନାରାୟଣ ପାତ୍ର
ମୋ: ୯୪୩୭୧୯୦୪୨୦

Leave A Reply

Your email address will not be published.