ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ରଜ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ : ଖରା-ଗରମରେ ହନ୍ତସନ୍ତ ହେଉଛନ୍ତି ଭକ୍ତ

ପୁରୀ: ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯାଇଛି ହେଲେ ଦର୍ଶନରେ ଆସିପାରୁନି ସୁଧାର। ୪ ଦିନ ହେଲାଣି ଶ୍ରୀମନ୍ଦିର ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଛି ସିନା କିନ୍ତୁ ଭିତରେ ବ୍ୟବସ୍ଥିତ ହୋଇପାରିନି ବ୍ୟବସ୍ଥା। ଭିଡ଼ରେ ଭିତରେ ହନ୍ତସନ୍ତ ହେଉଛନ୍ତି ଭକ୍ତ। ଗହଳି ଏମିତି ହେଉଛି ଅନେକ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ଏପରିକି ଭିଡ଼ ଦେଖି ଭିତରକୁ ପଶିବାକୁ ସାହସ କରୁନାହାନ୍ତି କିଛି ଭକ୍ତ। ସେମାନେ ବାହାରୁ ମୁଣ୍ଡିଆ ମାରି ଫେରିଯାଉଛନ୍ତି। ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନକରି ଚାରିଦ୍ୱାରରେ ପ୍ରବେଶ ଅନୁମତି ଦିଆଯିବା ପରେ ଶ୍ରୀମନ୍ଦିରରେ କଲବଲ ହେଉଛନ୍ତି ଭକ୍ତ। ଫଳରେ ଅନେକ ଶ୍ରଦ୍ଧାଳୁ ତିକ୍ତ ଅନୁଭୂତି ନେଇ ଘରକୁ ଫେରୁଛନ୍ତି।

ଶୁକ୍ରବାର ପ୍ରଥମ ରଜ, ଶନିବାର ରଜ ସଂକ୍ରାନ୍ତିରେ ପ୍ରବଳ ଭିଡ ହୋଇଥିବା ବେଳେ ଆଜି ଅର୍ଥାତ ଶେଷ ରଜ ସାଙ୍ଗକୁ ରବିବାର ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ତେବେ ଚାରିଦ୍ୱାରରେ ଭକ୍ତ ପ୍ରବେଶ କରୁଥିଲେ ହେଁ ଦର୍ଶନ ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଭିଡ଼ ଯୋଗୁ ବାହାରେ ଦୀର୍ଘ ସମୟ ଛିଡ଼ା ହୋଇଥିବା ବେଳେ ଅନେକ ଠାକୁରଙ୍କୁ ଠିକ୍‌‌ ଭାବେ ଦର୍ଶନ କରିପାରିନାହାନ୍ତି।

ରଜ ସାଙ୍ଗକୁ ଚାରିଦ୍ୱାର ଖୋଲିଥିବାରୁ ଭଲ ଭାବେ ଠାକୁରଙ୍କ ଦର୍ଶନ ମିଳିବ ଆଶା ରଖି ବହୁସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସୁଛନ୍ତି। କିନ୍ତୁ ଭିତରେ ସ୍ଥିତି ଅସମ୍ଭାଳ ହେବା ସହ ଭକ୍ତ ଅଣନିଶ୍ୱାସୀ ହୋଇପଡୁଛନ୍ତି। ଯେଉଁ ଆଶା କରାଯାଉଥିଲା କି ଚାରି ଦ୍ବାର ଖୋଲିବା ପରେ ଭକ୍ତଙ୍କ ଦର୍ଶନ ଭଲ ସେ ହୋଇପାରିବ, କିନ୍ତୁ ସେପରି ହୋଇପାରୁନାହିଁ। ଗତକାଲି ରଜ ସଂକ୍ରାନ୍ତିରେ ମଧ୍ୟ ଅଚେତ ହୋଇ ୨ ଜଣ ଶ୍ରଦ୍ଧାଳୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରିଯାଇଛନ୍ତି।

ସେପଟେ ସମ୍ପର୍କୀୟଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ନିଆଳିର ଚିତ୍ତରଞ୍ଜନ ସାହୁ କହିଛନ୍ତି ୨ ଘଣ୍ଟା ଧାଡ଼ିରେ ରହିବା ପରେ ମଧ୍ୟ ଭିତରକୁ ଯାଇପାରୁନାହୁଁ। ଚାରିଦ୍ୱାର ଖୋଲିଥିଲେ ବି ଲାଭ କ’ଣ? ଲୋକେ ଠିକ୍‌‌ ଭାବେ ଦର୍ଶନ କରିପାରୁ ନାହାଁନ୍ତି। ଏହାକୁ ଗୁରୁତ୍ୱ ଦିଆଯିବା ଦରକାର। ସେହିପରି ଶ୍ରୀମନ୍ଦିରର ସେବାୟତ ଭଗବାନ ପଣ୍ଡା କହିଛନ୍ତି, ଚାରିଦ୍ୱାର ଖୋଲିବା ପୂର୍ବରୁ ପ୍ରଶାସନ ଏବଂ ସେବାୟତଙ୍କ ସହ ବସି ଆଲୋଚନା କରିବାର ଥିଲା। ଚାରିଦ୍ୱାରରେ ଭକ୍ତମାନେ ପ୍ରବେଶ କଲେ ଭିତରେ ପ୍ରବଳ ଭିଡ଼ ହେବ। ଶ୍ରଦ୍ଧାଳୁମାନେ କିଭଳି ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିବେ, ପ୍ରବେଶ ପ୍ରସ୍ଥାନ ବେଳେ ଯେଭଳି କୌଣସି ଅସୁବିଧା ନ ହେବ, ସେନେଇ ପଦକ୍ଷେପ ନିଆଯାଇ ପାରିଥାନ୍ତା।

ସବୁଠୁ ବଡ଼ କଥା ହେଉଛି, ୩୦/୪୦ ବର୍ଷ ପୂର୍ବରୁ ଶ୍ରୀମନ୍ଦିରକୁ ଯେତିକି ଭକ୍ତ ଆସୁଥିଲେ ଏବେ ତାର ୪/୫ ଗୁଣ ଅଧିକ ଆସୁଛନ୍ତି। ସେମାନଙ୍କ ଭିତରେ ବୟସ୍କ, ପିଲା ବି ରହୁଛନ୍ତି। ମାତ୍ର ଭିଡ଼ ଯୋଗୁ ଅନେକ ହନ୍ତସନ୍ତ ହେଉଛନ୍ତି। ଖରାରେ ବହୁ ସମୟ ଅପେକ୍ଷା କରୁଛନ୍ତି। ଭିତରେ ସ୍ଥିତି ଆହୁରି ଦୟନୀୟ। ବେଢ଼ାରେ କୌଣସି ଜାଗାରେ ଠିଆ ହେବା ପାଇଁ ବି ଜାଗା ନାହିଁ। ତେଣୁ ଏହାର କିପରି ସମାଧାନ ହୋଇପାରିବ ସେ ଦିଗରେ ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି ସେମାନେ ଚିନ୍ତା କରିବା ଦରକାର।

ସହରରେ ଟ୍ରାଫିକ ଜାମ୍‌‌, ପୁଲିସ ନାକେଦମ୍‌‌

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଛି । ଆଉ ଏହାର ପ୍ରଭାବ ବଡ଼ଦାଣ୍ଡ ସମେତ ସହରର ପ୍ରମୁଖ ଏବଂ ବିଭିନ୍ନ ଗଳିକନ୍ଦି ରାସ୍ତାରେ ହିଁ ଜଣାପଡ଼ୁଛି। ବିଶେଷକରି ସହରରେ ଟ୍ରାଫିକ ଅଣାୟତ୍ତ ହୋଇପଡ଼ୁଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତି ରାସ୍ତାରେ ଗାଡ଼ିଗୁଡ଼ିକ ଲମ୍ବା ଲାଇନରେ ରହିବା ସହ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ନାକେଦମ୍‌‌ ହେବାକୁ ପଡ଼ୁଛି। ପୂର୍ବାହ୍ନ ୧୦ଟା ବେଳକୁ ଭିଡ଼ ଏମିତି ହୋଇଥିଲା ଯେ, ମେଡିକାଲ ଛକ ନିକଟରେ ବଡ଼ଦାଣ୍ଡ ହେଉ କି ଜେଲ୍‌‌ରୋଡ ପାର୍ଶ୍ବ ଅବା ଭିଆଇପି ରୋଡ଼ ପାର୍ଶ୍ବ ଏହିସବୁ ରାସ୍ତାରେ ଗାଡ଼ିଗୁଡ଼ିକ ଲମ୍ବା ଲାଇନରେ ରହିଥିଲା। ଫଳରେ ପୁଲିସ ଭୁବନେଶ୍ୱର ଆଡୁ ଆସୁଥିବା ଚାରିଚକିଆ ଯାନଗୁଡ଼ିକୁ ଆଉ ମାର୍କେଟ ଛକ ଆଡକୁ ଛାଡୁ ନ ଥିଲା। ଚାରିଚକିଆ ଗାଡ଼ି ମେଡିକାଲ ଛକରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ପାର୍କିଂ କରିଥିଲେ। ଛୁଟିଦିନ ଥିବାରୁ ଯାତ୍ରୀ, ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ବେଳାଭୂମି ରାସ୍ତା ହେଉ କି ସହରର ଅନ୍ୟ କୌଣସି ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ତେଣୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ୍‌‌ ହେବାକୁ ପଡ଼ିଥିଲା।

Leave A Reply

Your email address will not be published.