ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ୫ ରାଜ୍ୟର ଏକଜିଟ୍ ପୋଲ୍‌ , କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକ୍କର

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ର ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ ର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।  ଡିସେମ୍ବର ୩ ତାରିଖ ରବିବାର ୫ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ।

ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକ୍‌ଜିଟ୍‌ ପୋଲ ଫଳାଫଳ ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି। ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି। ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି। ତେବେ ଟିଭି ୯, ଜନ୍‌କି ବାତ୍ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି।

ଛତିଶଗଡ଼ର ଏକଜିଟ୍ ପୋଲ୍ ଫଳାଫଳ ସାମ୍ନାକୁ ଆସିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬। ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢ଼ିବା ଲାଗି ଯୋଗ୍ୟ ହେବ। ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକି ରହିଛି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ସେହିଭଳି ‘ଏବିପି ନିଉଜ୍-ସି ଭୋଟର’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬-୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର ସମ୍ଭାବନା ରହିଛି। ଏହା ସହ ‘ଇଣ୍ଡିଆ ଟିଭି-ସିଏନଏକ୍ସ’ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ୩୦-୪୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସ ୪୬-୫୬ ଆସନରେ ଜିତିବା ସମ୍ଭାବନା ରହିଛି। ‘ଜନ୍ କି ବାତ୍’ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ କଂଗ୍ରେସ ଆଗରେ ରହିଛି। ବିଜେପି ୩୪-୪୫ ମଧ୍ୟରେ ଆସନରେ ଜିତିବା ସମ୍ଭାବନା ଥିବା ବେଳେ କଂଗ୍ରେସ ୪୨-୫୩ ଆସନରେ ଜିତିପାରେ। ଏଭଳି ସ୍ଥିତିରେ ପୁଣି ଥରେ କଂଗ୍ରେସ ଛତିଶଗଡ଼ରେ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲରୁ ଜଣାପଡ଼ିଛି।

ତେଲେଙ୍ଗାନାରେ ମଧ୍ୟ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ ଅନୁସାରେ ରାଜ୍ୟରେ କଂଗ୍ରେସ୍ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ତେବେ କଂଗ୍ରେସ ଟିକିଏ ଆଗୁଆ ଥିବା ସଂକେତ ମିଳୁଛି । ରାଜ୍ୟରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ ।

ଟୁଡେସ୍ ଚାଣକ୍ୟର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ । ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭି-ମାଟ୍ରିଜ୍ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ। ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ। ଜନକି ବାତ୍ ରିପୋର୍ଟ ଅନୁସାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ ଓ ବିଆରଏସ ୪୦-୫୫ଟି ଆସନ ଓ ବିଜେପି ୭ରୁ ୧୩ଟି ଆସନ ଜିତିବ।

Leave A Reply

Your email address will not be published.