ଓଡ଼ିଶାର ଜନଜାତିଙ୍କୁ କେନ୍ଦ୍ର ସରକାରଙ୍କ ଚରମ ପ୍ରତାରଣା, ୧୬୦ରୁ ଊର୍ଦ୍ଧ୍ବ ସମ୍ପ୍ରଦାୟ ଅନୁସୂଚିତ ଜନଜାତି ମାନ୍ୟତାରୁ ବଞ୍ଚିତ
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେଡି ସଂସଦୀୟ ପ୍ରତିନିଧି
ଭୁବନେଶ୍ୱର : ଓଡ଼ିଶାରେ ଲକ୍ଷ ଲକ୍ଷ ଆଦିମ ଜନଜାତି ବସବାସ କରୁଛନ୍ତି। ସେହିପରି ଦେଶର ସର୍ବାଧିକ ଆଦିମ ଜନଜାତି ସମୂହ (ପିଭିଟିଜି) ଓଡ଼ିଶାରେ ଅଛନ୍ତି। ଆଦିବାସୀମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି; କିନ୍ତୁ କେନ୍ଦ୍ର ସରକାର ସେମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ନେଇ ପଛଘୁଞ୍ଚା ଦେଉଛନ୍ତି। ଓଡ଼ିଶାରେ ଥିବା ୧୬୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟକୁ ତୁରନ୍ତ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶା ବାରମ୍ବାର ଦାବି କରିଛି। ବିଜେଡି ସଂସଦୀୟ ଦଳ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛି। ସଂସଦରେ ଏ ସଂକ୍ରାନ୍ତରେ ବାରମ୍ବାର ଦାବି ହୋଇଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନେକ ବାର ଅନୁରୋଧ କରିଛନ୍ତି। ଏହା ସତ୍ତ୍ବେ ଏହାପ୍ରତି କେନ୍ଦ୍ରର ବିଜେପି ସରକାର ଗୁରୁତ୍ୱ ଦେଇନାହିଁ କିମ୍ବା ରାଜ୍ୟର ବିଜେପି ସାଂସଦମାନେ ଏ ସମ୍ପର୍କରେ ଥରଟିଏ ବି ସ୍ୱର ଉତ୍ତୋଳନ କରିନାହାନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଆଦିବାସୀମାନଙ୍କର କଲ୍ୟାଣ ଏବଂ ବିକାଶ ଲାଗି ଅନେକ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ (ଏସ୍ଡିସି) ପ୍ରତିଷ୍ଠା କରାଯାଇଛି। ଏହି ପରିଷଦ ସମୂହରେ ୧୧୭ଟି ବ୍ଲକ, ୨୦୨୨ ଗ୍ରାମ ପଞ୍ଚାୟତ, ୧୮୬୮୭ ଗ୍ରାମ ଏବଂ ୧୪.୦୫ ଲକ୍ଷ ଅନୁସୂଚିତ ଜନଜାତିର ଲୋକଙ୍କୁ ସାମିଲ କରାଯାଇଛି। ତେବେ ସେମାନଙ୍କର ସ୍ୱତନ୍ତ୍ର ବିକାଶ ପାଇଁ ରାଜ୍ୟ ସରକାର ୧୬୦ ଆଦିବାସୀ ସମୂହଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ନିଜେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଣ୍ଡାଙ୍କୁ ପତ୍ର ଲେଖି ରାଜ୍ୟର ୧୬୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟକୁ ଏହି ତାଲିକାରେ ସ୍ଥାନ ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଲେ ନାହିଁ। ମନ୍ତ୍ରାଳୟ ପକ୍ଷରୁ ଗଠିତ ଟାସ୍କ ଫୋର୍ସ ୨୦୧୪ ମସିହାରେ ଓଡ଼ିଶାର ୯ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଏସ୍ଟି ତାଲିକାରେ ସାମିଲ କରିବା ପାଇଁ ସୁପାରିଶ କରିଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ୨୦୧୧ ମେ’ ୩୦, ୨୦୧୨ ନଭେମ୍ବର ୩ ଓ ୨୦୨୧ ଫେବୃଆରୀ ୧୯ ତାରିଖରେ ପତ୍ର ଲେଖି ଅନୁରୋଧ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାତୀୟ ଫୋରମ୍ ଓ ଜୋନାଲ ବୈଠକରେ ମଧ୍ୟ ଏହି ଦାବିକୁ ଦୋହରାଇ ଆସୁଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଦାବି ପରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟର ଅଧିକାରୀଙ୍କ ଟିମ୍ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁଧ୍ୟାନ କରିଥିଲେ। ପିଭିଟିଜି ପାଇଁ ବଜେଟରେ ବ୍ୟୟବରାଦ କରିବା ଏବଂ ୧୬୦ରୁ ଅଧିକ ଆଦିବାସୀ ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ସ୍ଥାନ ଦେବା ପାଇଁ ମଧ୍ୟ ଓଡ଼ିଶାର ଦାବି ସମ୍ପର୍କରେ ଅଧିକାରୀମାନେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ତର୍ଜମା କରିଥିଲେ। ୨୦୧୪ରେ ଟାସ୍କ ଫୋର୍ସକୁ ଓଡ଼ିଶା ଦେଇଥିବା ତଥ୍ୟ ସମ୍ପର୍କରେ ବି ଏହି ବୈଠକରେ ଆଲୋଚନା ହୋଇଥିଲା। ଏସ୍ଟି ମାନ୍ୟତା ଦାବିରେ ଅଗ୍ରଣୀ ଥିବା ମୁଖ୍ୟତଃ କନ୍ଧ କୁମ୍ଭାର, ଝୋଡିଆ/ଜୋଡିଆ/ଜଡିଆ ଏବଂ ଝଡିଆ, ଚୁକ୍ଟି ଭୁଞ୍ଜିଆ, ସଅର, ମାଙ୍କିଡିଆ, ପୋରଜା ଓ ବେରାଙ୍ଗ ଝୋଡିଆ ପାରୋଜା, ଦୁରୁଆ ଏବଂ ପହରିଆ ଭଳି ସମ୍ପ୍ରଦାୟ ସମ୍ପର୍କିତ କାଗଜପତ୍ର ଗତ ମେ’ ୨୫ ତାରିଖରେ ପ୍ରଦାନ କରାଯାଇଥିଲା। ପୁନର୍ବାର ଅକ୍ଟୋବର ୧୦ ତାରିଖରେ ଅନ୍ୟ ୨୦ଟି ଆଦିବାସୀ ସମ୍ପ୍ରଦାୟ ଯଥା ତାମୋଡିଆ ଭୁମିଜ, ତମାଡିଆ ଭୁମିଜ, ତାମୁଣ୍ଡିଆ ଭୁମିଜ, ଜାମୁଳିଆ ଭୁମିଜ, ଜାମୁଡିଆ ଭୁମିଜ, ତାନଲା ଗଉଡ଼, ଦୋରା/ଅନତି ଦୋରା/ଏନାଟି ଦୋରା, ସଅର, କୁଇ (କନ୍ଧ), କଉର, ରାଜୁଆଳ/ରାଜୁଆଡ, କୋନ୍ଧ ରେଡ୍ଡୀ/ କୋନ୍ଧ ରେଡି, ପୁଟିୟା/ପୁଟିଆ/ଦୁଳିଆ/ଧୁଳିଆ/ପୁଟିଆ ପାଇକ/ଧୁଳିଆ ପାଇକ, କଳାଙ୍ଗା, ତମାଡିଆ/ତାମୁଡିଆ, ଭଗତା, ବୁକ୍ତା, ଭୋଗଟା, ନକାସିଆ, ଭଞ୍ଜାପୁରଣଙ୍କ ସମ୍ପର୍କରେ ତଥ୍ୟ ପ୍ରମାଣ ଭିତ୍ତିକ କାଗଜପତ୍ର ମନ୍ତ୍ରାଳୟକୁ ଓଡ଼ିଶା ସରକାର ଦେଇଥିଲେ। ଏହା ପରେ ଗତ ସେପ୍ଟେମ୍ବର ୧୬ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁନର୍ବାର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ୧୬୯ରୁ ଅଧିକ ଆଦିବାସୀ ସମ୍ପ୍ରଦାୟଙ୍କୁ ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ଦିନର ଦାବି ଦୋହରାଇଥିଲେ। ମାତ୍ର ଏହାକୁ କେନ୍ଦ୍ରର ବିଜେପି ସରକାର ଏଯାଏ ଗ୍ରହଣ କରିନାହାନ୍ତି। ଏପଟେ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ନେତାମାନେ ଆଦିବାସୀଙ୍କ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି; ମାତ୍ର ରାଜ୍ୟ କୋଟିକୋଟି ଆଦିବାସୀଙ୍କ ହକ୍କୁ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି।