ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲି ହରଚଣ୍ଡୀ ପୀଠର ନିଆରା ପରମ୍ପରା: ପୂଜା ପାଉଛି ମାଛକଣ୍ଟା

ବ୍ରହ୍ମଗିରି(ରଞ୍ଜନା ନାୟକ): ରାଜ୍ୟର କେତେକ ପ୍ରମୁଖ ଶକ୍ତିପୀଠରେ ମାଛ ଭୋଗ ହେବାର ପରମ୍ପରା ରହିଛି। ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ମା’ ବାଲି ହରଚଣ୍ଡୀଙ୍କ ପୀଠରେ ମାଛକଣ୍ଟା ପୂଜା ପାଇ ଆସୁଛି। ଯାହାକୁ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣ ସମେତ ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। ବିଶେଷକରି ରଜରେ ଏଠାରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥାଏ। ଏଠାରେ ଥିବା ଦୀର୍ଘବର୍ଷର ମାଛକଣ୍ଟାକୁ ଶ୍ରଦ୍ଧାଳୁମାନେ ମୁଣ୍ଡିଆ ମାରି ମା’ଙ୍କ ଦର୍ଶନ ପାଇଁ ଭିତରକୁ ପ୍ରବେଶ କରିଥାନ୍ତି। ଏଭଳି ଏକ ବିରଳ ମାଛକଣ୍ଟା ପୂଜା ସମ୍ପର୍କରେ ରଞ୍ଜନା ନାୟକଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

ରାଜ୍ୟରେ ଶକ୍ତି ଉପାସନା ପରମ୍ପରା ବହୁ ପ୍ରାଚୀନ। ଏହା ‘ତନ୍ତ୍ରସାର’ ଗ୍ରନ୍ଥରୁ ପ୍ରତୀୟମାନ ହୋଇଥାଏ। ପୁରପଲ୍ଲୀର ରକ୍ଷାକର୍ତ୍ତା ରୂପେ ମା’ ଆରାଧିତ। ପର୍ବପର୍ବଣି, ବିବାହ, ବ୍ରତ, ଉତ୍ସବ ପ୍ରତ୍ୟେକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ମା’ ଶକ୍ତିମୟୀଙ୍କ ମାଜଣା, ବନ୍ଦାପନା କରାଯାଇ କୃପା କାମନା କରାଯାଏ। ସମଗ୍ର ଓଡ଼ିଶା ରାଜ୍ୟରେ ହଜାର ହଜାର ପ୍ରଚୀନ ଶକ୍ତିପୀଠ ବିଦ୍ୟମାନ। ଏହି ଶକ୍ତିପୀଠଗୁଡ଼ିକର ଭୌଗୋଳିକ ସ୍ଥିତି ମଧ୍ୟ ବିଚିତ୍ର। ଅନୁଧ୍ୟାନ କଲେ ଜଣାଯାଏ, ଦେବୀଙ୍କ ପୀଠ ନିଘଞ୍ଚ ଜଙ୍ଗଲ, ଜନବସତି ଶୂନ୍ୟ ଅଞ୍ଚଳରେ ତ କେଉଁଠି ଘଞ୍ଚ ଜନବସତି ଅଞ୍ଚଳରେ, ପୁଣି ନଦୀ ତୀରରେ ଆଉ କେଉଁଠି ସମୁଦ୍ର ପାଖରେ ଓ ଆଉ କେତେକ ପୀଠ ବାଲୁକା ସ୍ତୂପ ଉପରେ ଏବଂ ଆଉ କେତେକ ପାହାଡ଼ର ପାଦଦେଶରେ ଥିବା ବେଳେ କେତେକ ପାହାଡ଼ର ଶୀର୍ଷ ଭାଗରେ ରହିଛି। ଏହି ପୀଠଗୁଡ଼ିକ ମଧ୍ୟରୁ ଓଡ଼ିଶାର ସାଂସ୍କୃତିକ ଏବଂ ପର୍ଯ୍ୟଟନ ବିଭାଗର ସ୍ୱୀକୃତି ତଥା ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିବା ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗ ମାନଚିତ୍ରରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ବାଲି ହରଚଣ୍ଡୀ ମନ୍ଦିର ସ୍ଥାନ ପାଇଛି।

ମନ୍ଦିର ଓ ବିଗ୍ରହ
ଏହି ପ୍ରସିଦ୍ଧ ଶକ୍ତି ପୀଠକୁ ପୁରୀ-ସାତପଡ଼ା ଜାତୀୟ ରାଜପଥର କାଠୁଆରେଡି ଛକରୁ ପଲଙ୍କ ଗ୍ରାମ ମଧ୍ୟ ଦେଇ ଏକ ପିଚୁ ରାସ୍ତା ଲମ୍ବିଯାଇଛି। ସମୁଦ୍ରପତ୍ତନ ଠାରୁ ୬୦ ଫୁଟ୍‌‌ ଉଚ୍ଚର ଏକ ବିରାଟ ବାଲୁକାସ୍ତୂପ ଉପରେ ୮୦ ଫୁଟ ଲମ୍ବ ଓ ୮୦ ଫୁଟ ଓସାର ପ୍ରସ୍ତର ମଣ୍ଡପ ଉପରେ ମା’ ହରଚଣ୍ଡୀଙ୍କ ମନ୍ଦିର ବିଦ୍ୟମାନ। ମନ୍ଦିରର ଉଚ୍ଚତା ୭୦ ଫୁଟ୍‌‌ ହେବ। ଏହି ମନ୍ଦିରରଟି ପଞ୍ଚରଥ ବିଶିଷ୍ଟ ରେଖା ମନ୍ଦିର ଅଟେ। ମନ୍ଦିରର ବେଢ଼଼ାକୁ ଚାନ୍ଦିନୀକୁ ଲାଗି ରହିଛି ଏକ ଛୋଟ ଶିବ ମନ୍ଦିର। ଏଠାରେ ଚଣ୍ଡେଶ୍ୱର ମହାଦେବ ପୂଜା ପାଉଛନ୍ତି। ସେହିଭଳି ମା’ ବାଲି ହରଚଣ୍ଡୀଙ୍କ ବିଗ୍ରହ ୪ ଫୁଟ ଉଚ୍ଚର ଏକ କଳା ମୁଗୁନି ଶିଳାରେ ନିର୍ମିତ ଅଷ୍ଟଭୁଜା ମୂର୍ତ୍ତି। ମହିଷାସୁରକୁ ନିଧନ କରୁଥିବା ମୁଦ୍ରାରେ ରହିଛନ୍ତି।

ସଂକ୍ରାନ୍ତିରେ ମହାଲକ୍ଷ୍ମୀ, ଭୂମିଦହନରେ ସରସ୍ୱତୀ
ଶେଷ ରଜ ବା ବସୁମତୀ ସ୍ନାନଦିନ ଚନ୍ଦନ ହଜୁରୀଙ୍କ ପକ୍ଷରୁ ମା’ଙ୍କ ପାଇଁ ସମସ୍ତ ମାଜଣା ସାମଗ୍ରୀ ଆସିଥାଏ। ମା’ ସେହିଦିନ ମହାକାଳୀ ବେଶରେ ଦର୍ଶନ ଦେଇଥାନ୍ତି। ତାଛଡ଼ା ସମୁଦ୍ର ମଧ୍ୟ ଦେଇ ଆଣ୍ଡାମାନ ନିକୋବର ଦ୍ୱୀପରୁ ମା’ଙ୍କ ଦର୍ଶନ ପାଇଁ ଲୋକ ଆସିଥାନ୍ତି ବୋଲି ପୁରୋହିତ କହିଛନ୍ତି।

ଏଥିସହିତ ପଢ଼ନ୍ତୁ

ସାବିତ୍ରୀରେ ମା’ଙ୍କ ପାଇଁ ବ୍ରହ୍ମଗିରି ବ୍ଲକର ପାଞ୍ଚପଡ଼ା, ମାତାଲାପୁର, ଧରଣାକୁଦୀ, ନହରବାଲି, କୂଅପଦା, ଖେତାଣ୍ଡିକୁ ଏହି ପାଞ୍ଚପଡ଼ାରୁ ଏକ ବିପର୍ଯ୍ୟୟରୁ ଉଦ୍ଧାର କରିଥିବାରୁ ମା’ଙ୍କୁ ଏହି ଗ୍ରାମର ଲୋକମାନେ ଝିଅ ବୋଲି ସମ୍ବୋଧନ କରନ୍ତି ଏବଂ ତାଙ୍କ ପାଇଁ ପ୍ରତିବର୍ଷ ସାବିତ୍ରୀ ଅମାବାସ୍ୟାରେ ଭାର ନେଇ ଆସିଥାନ୍ତି। ମନ୍ଦିର ପକ୍ଷରୁ ମା’ଙ୍କ ବାପଘର ଭାବିକି ବହୁତ ସମ୍ମାନ କରାଯାଏ। ଏଥି ସହିତ ଜାଗର ଦିନ ତେଲୁଗୁ ସମ୍ପ୍ରଦାୟର ଲୋକେ ଆସି ମା’ଙ୍କ ପାଖରେ କୁକୁଡ଼ା, ବୋଦା, ଛେଳି, ଆଦି ବଳି ଦେଇ ରୋଷେଇ କରନ୍ତି। ପହିଲି ରଜରେ ମା’ କୁମାରୀବେଶ ହୋଇଥାନ୍ତି।

ମା’ଙ୍କ ପାଇଁ ମାଛଭୋଗ
ମା’ଙ୍କୁ ପାଖରେ ବର୍ଷସାରା ଆମିଷ ଭୋଗ ହୋଇଥାଏ। ପାଖ ଗାଁର ଲୋକମାନେ ଏହି ମାଛକୁ ଦେଇଥାନ୍ତି। ବାଳଭୋଗରେ, ଖଇ, କଦଳୀ, ଚୁଡ଼ାଭଜା, ଲାଗିହୋଇଥାଏ। ସଂଖୁଡ଼ିରେ ଆରୁଆ ଅନ୍ନ, ଡାଲି, ମାଛବେସର, ଖିରି ଲାଗିହୋଇଥାଏ। ସନ୍ଧ୍ୟା ଧୂପରେ ମା’ଙ୍କୁ ଅଟା କାକରା ଲାଗି ହୋଇଥାଏ। ରାତିରେ ଖେଚୁଡ଼ି ସହିତ ମାଛ ବେସର ଲାଗି ହୁଏ। ମା’ଙ୍କ ବିଛଣା ଯିବା ପୂର୍ବରୁ ମନ୍ଦିର ଧୂଆ ହୋଇ ମହାପ୍ରସାଦ ଲାଗି ହେବାପରେ ମା’ ବିଛଣା ଯାଆନ୍ତି।

ପାରମ୍ପରିକ ପନିକି ପୂଜା
ସେହିଭଳି ମନ୍ଦିର ପରିସରରେ କାହୁଁ କେବେଠାରୁ ଏକ ବଡ଼ ପନିକି ପୂଜା ପାଇ ଆସୁଛନ୍ତି। ପନିକିଟି ରଜ ସମୟରେ ସୁଜ୍ଜିତ ଭାବେ ରଖଯାଇ ପୂଜା କରାଯାଉଛି। ଏହି ପନିକିଟି କେବେଠାରୁ ଓ କାହିଁକି ଏଠାରେ ପୂଜା ପାଉଛି ସେ ସମ୍ପର୍କରେ କେହି କହିପାରୁ ନ ଥିଲେ ମଧ୍ୟ ଏହାକୁ ପୂଜା କରିବା ପାଇଁ କାହୁଁ କେବେଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଆସୁଛି।

୭୦ ବର୍ଷ ତଳର ମାଛକଣ୍ଟା
ଲୋକକଥା ଅନୁସାରେ ୭୦ ବର୍ଷ ତଳେ ସମୁଦ୍ରରେ ଗୋଟେ ବିରାଟ ତିମି ମାଛର ମୃତଦେହ ଭାସୁଥିଲା। ସମୁଦ୍ରରେ ମାଛ ମରିଥିଲା ହେଲେ ତାର ଦୁର୍ଗନ୍ଧ ଅଞ୍ଚଳ ସାରା ଫାଟି ପଡୁଥିଲା। ଏହି ଦୁର୍ଗନ୍ଧରେ ଲେକମାନେ ଅତିଷ୍ଠ ହୋଇପଡ଼ିଲେ। ସମସ୍ତେ ମିଶି ସେହି ମାଛକୁ ଗାତ ଖୋଳି ବାଲିରେ ପୋତିବା ସହିତ ତାର ବଡ଼ ଗାଲିସି ଦୁଇଟିକୁ ନେଇ ଆସିଲେ ମା’ଙ୍କ ଦ୍ୱାର ବନ୍ଧ କରିବା ଉଦ୍ଦେଶ୍ୟରେ। ଯେହେତୁ ତନ୍ତ୍ରଶକ୍ତି ପୀଠ ଭାବରେ ମା’ ବିଦିତ ସେଥିପାଇଁ ସେହି ମାଛକଣ୍ଟା ମା’ଙ୍କ ପାଖକୁ ଆସିଲା। ପୁରୋହିତମାନେ ମିଶି ମୁକ୍ତି ମଣ୍ଡପରେ ବୁଝିବା ପରେ ପଣ୍ଡିତମାନେ କହିଲେ ଯେହେତୁ ମା’ଙ୍କୁ ମହାପ୍ରସାଦ ଅର୍ପଣ କରାଯାଉଛି ଏହି ମାଛ କଣ୍ଟାରେ ଦ୍ୱାରବନ୍ଧ ହେଲେ ମହାପ୍ରସାଦ ଦ୍ୱାରବନ୍ଧ ଦେଇ ଯାଇ ପାରିବନାହିଁ ସେଥିପାଇଁ ଆଉ ଦ୍ୱାରବନ୍ଧ କରାଗଲା ନାହିଁ। ସେମିତି ହିଁ ତାକୁ ରଖାଯାଇ ଫୁଲ ପାଣି ଟିକେ ଦିଆଯାଉଅଛି ବୋଲି ମନ୍ଦିର ପୂଜକ ନୀଳମଣି କୁହନ୍ତି।

ମା’ଙ୍କ ପର୍ବପର୍ବାଣି
ବର୍ଷସାର ସମସ୍ତ ପର୍ବ ମା’ଙ୍କ ପାଖରେ ପାଳନ ହୋଇଥାଏ। ହେଲେ ମୁଖ୍ୟ ପର୍ବ ହେଉଛି ରଜପର୍ବ। ମା’ଙ୍କୁ ରଜର ରାଣୀ ବୋଲି କହିଥାନ୍ତି। ରଜ ପର୍ବରେ ମାଙ୍କ ପାଖରେ ଏବ ବିରାଟ ମେଳା ବସେ। ଏହା ସହିତ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗ୍ରାମବାସୀ ଆସି ଅସ୍ଥାୟୀ ଭାବରେ ଚାରିଦିନ ପାଇଁ ଛାପା(କ୍ୟାମ୍ପ) ପକାଇ ରହିଥାନ୍ତି। ମାଛ, କୁକୁଡା, ବୋଦା ବଳି ପକାଇ ରୋଷେଇ କରି ଏକାଠି ବସି ଖିଆପିଆ କରନ୍ତି। ଏହି ମେଳାରେ ବହୁତ ସଂଖ୍ୟାରେ ଲୋକଙ୍କ ସମାଗମ ହୁଏ।

ସ୍ୱପ୍ନାଦେଶରୁ ପ୍ରସାଦ ଭୋଗ
ମନ୍ଦିର ପୁରୋହିତ ନୀଳମଣି ସୁଆରଙ୍କ କହିବା ଆନୁସାରେ ଏକଦା ମା’ ଜଗନ୍ନାଥଙ୍କ ମନ୍ଦିରକୁ ଯାଉଥିଲେ। ଦୋଳମଣ୍ଡପ ସାହିର ବନମାଳୀ କରଙ୍କ ଧର୍ମପତ୍ନୀ ମା’ଙ୍କୁ ଦେଖି ପଚାରିଲେ, କିଏ ତମେ ସବୁବେଳେ ଯିବା ଆସିବା କରୁଛ। ମା’ ନିଜ ପରିଚୟ ଦେଇ ଚାଲିଆସିଲେ। ରାତିରେ ସ୍ୱପ୍ନ ହେଲା ବନମାଳୀ କରଙ୍କ ଧର୍ମପତ୍ନୀଙ୍କୁ। ମା’ କହିଲେ, ମୁଁ ତମ ସହିତ ସଙ୍ଗାତ ବସିଛି। କିନ୍ତୁ କାହାକୁ କିଛି ଏହି ବିଷୟରେ କହିବ ନାହିଁ। ସେବେଠାରୁ ମା’ଙ୍କ ପାଇଁ ବନମାଳୀ କରଙ୍କ ପରିବାର ତରଫରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ପ୍ରତିଦିନ ନରସିଂହ ପାଟଣାର ଏକ ଗୋପାଳ ହାତରେ ପଠାଇ ଦିଅନ୍ତି। ୨୦୧୪ ମସିହାରେ ଦିନେ ଭୁବନେଶ୍ୱରର ଧନଞ୍ଜୟ କୁମାର ଡଗରା ନାମକ ଜଣେ ବ୍ୟକ୍ତି ସପରିବାର ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେ ସମସ୍ତ କଥା ଜାଣିବା ପରେ ମାଙ୍କ ପାଇଁ ପୁରୀରୁ ମହାପ୍ରସାଦ ଆଣିବା ପାଇଁ ଗୋଟିଏ ଲୋକକୁ ନିଯୁକ୍ତ କରିଲେ। ସେବେଠାରୁ ମା’ଙ୍କ ପାଇଁ ନିୟମିତ ମହାପ୍ରସାଦ ଆସୁଛି।

ମସ୍‌‌ଜିଦ୍‌‌ରେ ବି ମାଛକଣ୍ଟା
ପୁରୀ-ସାତପଡ଼ା ରାସ୍ତାର ଯିବା ବେଳେ ପଣସପଦା ନିକଟ ଭଗବାନପୁର ମୁସଲମାନ ବସ୍ତିରେ ୨ଟି ମସ୍‌‌ଜିଦ୍‌‌ରେ ରହିଛି ମାଛ କଣ୍ଟା। କାଦିମଦାର୍‌‌ ଦୟାନ ମହମ୍ମଦ କହିବାନୁୟାୟୀ ୧୯୮୫ ମସିହାରେ ସମୁଦ୍ରରେ ଭାସୁଥିବା ଏକ ବିଶାଳ ମାଛର ମୃତଦେହ ପୋତାଯାଇଥିଲା। ଏହାର ତିନିବର୍ଷ ପରେ ସେହି ସ୍ଥାନକୁ ଖୋଳିବା ପରେ ସେହି ମାଛର ପାଟି ଭିତରେ ଥିବା ମାଢ଼ିର ଅଂଶକୁ ଅଣାଗଲା ସେହି ମାଢ଼ିର ଦୁଇପଟକୁ କାଟି ମସ୍‌‌ଜିଦରେ ଦୁଆରବନ୍ଧ କରାଗଲା।

Leave A Reply

Your email address will not be published.