ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ମାସକୁ ଅନୁପ୍ରବେଶ କରୁଛନ୍ତି ୨୦୦ ରୋହିଙ୍ଗ୍ୟା ମୁସଲମାନ, ମାଟି ତଳେ ରହିଛି ସୁଡ଼ଙ୍ଗ

୧୦ ଲକ୍ଷ ଟଙ୍କା ଦେଇ ସୀମା ପାର୍‌ କରାଯାଉଛି

ନୂଆଦିଲ୍ଲୀ : ଭାରତରେ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ବେଆଇନ ଭାବେ ରହୁଥିବା ୪୦ ହଜାରରୁ ଅଧିକ ରୋହିଙ୍ଗ୍ୟା ମୁସଲମାନଙ୍କୁ ସରକାର ନିଜ ଦେଶକୁ ପଠାଇବା ପାଇଁ ପ୍ରୟାସ କରୁଛନ୍ତି। ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ମଧ୍ୟ ସୂଚନା ମିଳିଛି। ଏହା ମଧ୍ୟରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଭାରତ ସରକାର ରୋହିଙ୍ଗ୍ୟାଙ୍କୁ ଦେଶରୁ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଥିବାବେଳେ ବାଂଲାଦେଶରୁ ପ୍ରତି ମାସରେ ୨୦୦ରୁ ଅଧିକ ରୋହିଙ୍ଗ୍ୟାଙ୍କୁ ଦେଶକୁ ଅଣାଯାଉଛି। ଏଥିପାଇଁ ଏକ ଗ୍ୟାଙ୍ଗ କାମ କରୁଛି। ଭାରତରେ ଅନୁପ୍ରବେଶ ପରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ଜାଲ୍‌ ପରିଚୟ ପତ୍ର ମାଧ୍ୟମରେ ୧୪ ରାଜ୍ୟ ଆସାମ, ପଶ୍ଚିମବଙ୍ଗ, ତ୍ରିପୁରା, ମିଜୋରାମ, ମେଘାଳୟ, ଜମ୍ମୁ-କାଶ୍ମୀର, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଏବଂ କେରଳରେ ଥଇଥାନ କରାଯାଉଛି। ଏକ ଅନ୍ତର୍ଜାତୀୟ ମାନବ ଚାଲାଣ ଗ୍ୟାଙ୍ଗ ଦ୍ବାରା ଏପରି କରାଯାଉଛି। କିଛି ଦିନ ତଳେ ନ୍ୟାସନାଲ ଇନଭେଷ୍ଟିଗେସନ ଟିମ(ଏନଆଇଏ) ଏହି ମାନବ ଚାଲାଣ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଜଲିଲ ମିଆଁକୁ ଗିରଫ କରିଥିଲା। ଜେରା ସମୟରେ ସେ ଚାଞ୍ଚଲ୍ୟକର ସୂଚନା ଦେଇଛି। ଏବେ ଏହି ଗୋଷ୍ଠୀରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚୁରା କରାଯାଉଛି।

ଅଭିଯୁକ୍ତ ଜଲିଲ ତ୍ରିପୁରାର ବାସିନ୍ଦା। ତା ଉପରେ ଏନ୍‌ଆଇଏ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ମିଆଁର ସହଯୋଗୀ ତଥା ଏହି ଗୋଷ୍ଠୀର ମୁଖିଆ ଜିବୋନ ରୁଦ୍ର ପାଲ୍‌ ଓରଫ ସୁମନକୁ ପୂର୍ବରୁ ଗିରଫ କରାଯାଇଥିଲା। ମିଆଁର ସହଯୋଗୀ ଜଜ୍‌ ମିଆଁ ଏବଂ ଶନ୍ତୋ ଏବେ ଫେରାର ଅଛି। ସମସ୍ତେ ତ୍ରିପୁରାରୁ ଗ୍ୟାଙ୍ଗ ଚଳାଉ ଥିଲେ। ୨୦୨୩ ନଭେମ୍ବର ୮ରେ ଏନଆଇଏ ଜଲିଲକୁ ତା ଘରୁ ଗିରଫ ପାଇଁ ଉଦ୍ୟମ କରାଯାଇଥିଲା। ମାତ୍ର ସେ ଫେରାର ହୋଇ ଯାଇଥିଲା। ଏହା ପରେ ଏନ୍‌ଆଇଏ ତା ଗୋଷ୍ଠୀର ୨୯ ସଦସ୍ୟଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ବାଂଲାଦେଶରେ ଥିବା ଏହି ଗ୍ୟାଙ୍ଗର ସଦସ୍ୟ ଭାରତରେ ରହିବାକୁ ଚାହୁଁଥିବା ରୋହିଙ୍ଗ୍ୟାଙ୍କଠାରୁ ୧୦ରୁ ୨୦ ଲକ୍ଷ ଟଙ୍କା ( ୧୪ରୁ ୨୮ ଲକ୍ଷ ବାଂଲାଦେଶୀ ଟଙ୍କା) ଆଣୁଥିଲେ। ଏହା ବଦଳରେ ସୀମା ପାର୍‌ କରାଇ ପରିଚୟ ପତ୍ର ସହିତ ଭାରତରେ ଥଇଥାନ କରାଇବାର ପ୍ୟାକେଜ ଦେଉଥିଲେ। ଭାରତରେ ଅନୁପ୍ରବେଶ ପୂର୍ବରୁ କିମ୍ବା ପରେ ରୋହିଙ୍ଗ୍ୟାଙ୍କୁ ହିନ୍ଦୀ, ଆସାମୀ ଏବଂ ଅନ୍ୟ ଭାରତୀୟ ଭାଷା ଶିଖାଉ ଥିଲେ। ପରିଚୟ ପ୍ରଘଟ ନ ହେବା ପାଇଁ ଏହି ପ୍ରଶିକ୍ଷଣ ଦିଆ ଯାଉଥିଲା। ଏହି ଭାଷା ଆଧାରରେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ବସା ଯାଉଥିଲା।

ଏହି ଗୋଷ୍ଠୀ ପ୍ରତି ଦିନ ୫ରୁ ୧୦ ଜଣ ରୋହିଙ୍ଗ୍ୟାଙ୍କୁ ଭାରତରେ ଅନୁପ୍ରବେଶ କରାଉ ଥିଲା। ଏଥିପାଇଁ ବାଂଲାଦେଶ ସୀମାକୁ ଲାଗିଥିବା ଆସାମ, ମିଜୋରାମ, ମେଘାଳୟ ଏବଂ ତ୍ରିପୁରାରେ ମାଟି ତଳେ ସୁଡ଼ଙ୍ଗ ରହିଛି। ଭାରତକୁ ଆସିବା ପରେ ଅନୁପ୍ରବେଶକାରୀଙ୍କ ଚେହେରା ବଦଳାଇ ଦିଆଯାଇଥାଏ। ପରେ କିଛି ଦିନ ପାଇଁ ଅଜ୍ଞାତ ସ୍ଥାନରେ ରଖା ଯାଇଥାଏ। ଏହି ସମୟରେ ରୋହିଙ୍ଗ୍ୟାଙ୍କ ଫଟୋ ନେଇ ଜାଲ୍‌ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଥାଏ ବୋଲି ତ୍ରିପୁରା ପୁଲିସ ପକ୍ଷରୁ କୁହାଯାଇଛି। ଏବେ ଦିଲ୍ଲୀରେ ପଞ୍ଜୀକୃତ ଭାବେ ହଜାରେ ରୋହିଙ୍ଗ୍ୟା ଅଛନ୍ତି। ମାତ୍ର ବାସ୍ତବିକ ସଂଖ୍ୟା ଏହାଠାରୁ ଅନେକ ଗୁଣ ଅଧିକ ବୋଲି କୁହାଯାଉଛି। ଦିଲ୍ଲୀର ଜସୋଲା, ଯମୁନା ନଦୀ କୂଳ, ଶ୍ରମ ବିହାର, କଞ୍ଚନ ବିହାର ଏବଂ ଦକ୍ଷିଣ ଦିଲ୍ଲୀ ସ୍ଥିତ ଖାଦର ଆଦିରେ ଅନେକ ରୋହିଙ୍ଗ୍ୟା ରହୁଛନ୍ତି।

Leave A Reply

Your email address will not be published.