ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବାରିପଦାର ଦୁଇ ଡାକ ବିଭାଗ ଅଧିକାରୀ

ବାରିପଦା : ଲାଞ୍ଚ ନେଇ ସିବିଆଇ ହାତରେ ପୋଷ୍ଟାଲ ଇନିସପେକ୍ଟର ଓ ଓଭରସିୟର ଧରା ପଡିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବଡସାହି ସବଡିଭିଜନ ପୋଷ୍ଟାଲ ଇନିସପେକ୍ଟର ଓ ଓଭରସିୟର ଲାଞ୍ଚ ମାମଲାରେ ସିବିଆଇ ହାତରେ ଧରାପଡିଛନ୍ତି। ଇନିକ୍ରିମେଣ୍ଟ ବୃଦ୍ଧି କରିବାକୁ ନେଇ ୪୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଇନିସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ କୁମାର ଦାଶକୁ ସିବିଆଇ ଗିରଫ କରିଛି। ଘଟଣାକୁ ନେଇ ଇନିସପେକ୍ଟରଙ୍କ ଭଡାଘର ଓ ଅଫିସରେ ଭୁବନେଶ୍ୱର ଶାଖାର ଅଫିସରମାନେ ଚଢାଉ କରି ଜରୁରୀ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ବଡସାହି ସବଡିଭିଜନ ମାଣତ୍ରୀ ଉପ ଡାକଘର ଅଧିନ ଦେଓପଡା ପୋଷ୍ଟ ଅଫିସ ଶାଖାର ଏମବିପିଏମ ଭାବେ ଅଜିତ କୁମାର ରାଉତ କାର୍ଯ୍ୟ କରୁଥିଲେ । ୧୫/୨୦ଦିନ ତଳେ ଅଜିତଙ୍କ ଇନକ୍ରିମେଂଟ ବୃଦ୍ଧି କରିବାକୁ ନେଇ ମୁଖ୍ୟ କାର୍ଯ୍ୟାଳୟକୁ ଇନିସପେକ୍ଟର ରୁବି ଦାଶ ଓ ଓଏସ୍ ସୁଶାନ୍ତ କୁମାର ଦାସ ବଡସାହି ମୁଖ୍ୟ ଡାକଘରକୁ ଡକାଇଥିଲେ । ଡିଆରସି ରିଭାଇଜ ପାଇଁ ଏଲିଜିବୁଲ ଥିବାରୁ ନିଜର ଡକ୍ୟୁମେଂଟ ଧରି କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ହେଲେ ଆସିବା ପରେ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏଲିଜିବୁଲ ଥିବାରୁ ଲାଞ୍ଚ ଦେବାକୁ ଅଜିତ ବିରୋଧ କରିଥିଲେ। ଟଙ୍କା ନଦେଲେ ଇନକ୍ରିମେଂଟ ବଢାଇବାକୁ ସିଧାସିଧା ମନାକରିଥିଲେ। ଏହାକୁ ନେଇ ୧୫ହଜାର ଟଙ୍କା ଦେବା ପରେ ଖୁବଶୀଘ୍ର କାର୍ଯ୍ୟ ହେବ ବୋଲି କହିଥିଲେ । ୧୫ହଜାର ଦେବା ପରେ ୧୫ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ନହେବାରୁ ପୁନଶ୍ଚ ଅଜିତକୁ ଡକାଇ ଅଧିକ ୫୦ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ। ହେଲେ ଅଜିତ ଏତେ ଟଙ୍କା ଦେବାକୁ ରାଜି ନହେବାରୁ ୪୦ହଜାର ଟଙ୍କାରେ କଥା ଛିଡିଥିଲା।

୨/୩ହଜାର ଟଙ୍କା ଇନକ୍ରିମେଂଟ ବଢାଇବାକୁ ୪୦ହଜାର ଟଙ୍କା ଦେବା ଘଟଣାକୁ ନେଇ ଅଜିତ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସିବିଆଇ ବିଭାଗର ଡିଏସପି ରାନୁ ଚୌଧୂରୀଙ୍କ ନେତୃତ୍ୱରେ ୮ଜଣଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଯୋଜନା ମୁତାବକ ଟଙ୍କା ନେଇ ବୈଶିଙ୍ଗା ଥାନା ଅଧିନ କଳମା ସ୍ଥିତ ସୁଶାନ୍ତଙ୍କ ବାସଭବନରେ ଅଜିତ ଟଙ୍କା ଦେବା ପରେ ସିବିଆଇର ଅଫିସରମାନେ ମାଡି ବସିଥିଲେ । ଲାଞ୍ଚ ଟଙ୍କା ଜବତ କରିବା ପରେ ଘଟଣାର ସତ୍ୟାସତ୍ୟକୁ ନେଇ ସୁଶାନ୍ତକୁ ଧରି ପୋଷ୍ଟାଲ ଇନିସପେକ୍ଟରଙ୍କ ଭଡା ଘରେ ଚଢାଉ କରିଥିଲେ। ଦିନ ତମାମ ଚଢାଉ କରିବା ପରେ ଜିଲା ମୁଖ୍ୟାଳୟରୁ ଅଧିକାରୀ ପହଂଚିବା ପରେ ଅଫିସ କାର୍ଯ୍ୟାଳୟରେ ପଶି କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ପୋଷ୍ଟାଲ ଇନିସପେକ୍ଟରଙ୍କ ନାମରେ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ନେଇ କର୍ମଚାରୀମାନେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ଯେ କୌଣସି କାର୍ଯ୍ୟ ପାଇଁ ଲାଞ୍ଚ ମାଗିବା ଓ ନଦେଲେ ଧମକଚମକ ଦେଉଥିବାର ଅଭିଯୋଗ ରହିଥିଲା । ରାତି ୮ଟା ପର୍ଯ୍ୟନ୍ତ ଚଢାଉ କରିବା ପରେ ଉଭୟଙ୍କୁ ଗିରଫ କରାଯାଇଛି । ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.