ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଭାରତ

ପୋର୍ଟ ଏଲିଜାବେଥ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ମଙ୍ଗଳବାର ଖେଳାଯିବ। ଜୋହାନ୍ସବର୍ଗରେ ଗୋଲାପି ଜର୍ସି ପିନ୍ଧି ଖେଳିଥିବା ଦକ୍ଷିଣ ଆଫ୍ରିକାର ଦଳର ଶୋଚନୀୟ ପରାଜୟ ପରେ ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ ଉତ୍ସାହିତ। ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ପଡ଼ିଆରେ ଭାରତ ଏପରି ଭାବେ ହରାଇବ ବୋଲି କେହି ଆଶା କରି ନଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି। କିନ୍ତୁ ଭାରତ ଲାଗି ଏହି ମ୍ୟାଚ୍‌ ଜିତିବା ଏତେଟା ସହଜ ହେବ ନାହିଁ। ମାତ୍ର ସପ୍ତାହକ ତଳେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ପରେ ଦକ୍ଷିଣ ଆଫ୍ରିକା ନିଶ୍ଚିତଭାବେ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ଏହା ଫଳରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଇପାରେ।

ଦ୍ୱନ୍ଦ୍ୱ; ରଜତ ନା ରିଙ୍କୁ
ପ୍ରଥମ ଦିନିକିଆରେ ଖେଳିଥିବା ଶ୍ରେୟସ ଆୟର ଏବେ ଟେଷ୍ଟ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି। ଫଳରେ ଭାରତୀୟ ଏକାଦଶରେ ଗୋଟିଏ ବ୍ୟାଟିଂ ସ୍ଥାନ ଖାଲି ହୋଇଛି। ଏହି ସ୍ଥାନରେ ଦଳ କାହାକୁ ଖେଳାଇବ ସେଥିଲାଗି ଦ୍ୱନ୍ଦ୍ୱରେ ରହିଛି। ଯଦି ଆୟରଙ୍କ ବରାବର ଖେଳାଳି ବଛାଯିବ, ତେବେ ପ୍ରତିଭାଧାରୀ ରଜତଙ୍କ ନାମ ପ୍ରଥମେ ଆସିବ। ରଜତ ନଂ-୪ରେ ଖେଳି ସଫଳ ହୋଇଛନ୍ତି। କିନ୍ତୁ ଘରୋଇ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରିଙ୍କୁ ସିଂ ଜଣେ ମ୍ୟାଚ୍‌ ଫିନିସର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ଏମାନଙ୍କ ସପକ୍ଷରେ ଅନ୍ୟମାନେ ରହିଛନ୍ତି। କିନ୍ତୁ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କାହାକୁ ଦ୍ୱିତୀୟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ କିମ୍ବା ଉଭୟ ଖେଳାଳି ଦଳରେ ସ୍ଥାନ ପାଇବେ ତାହା ମ୍ୟାଚ୍‌ ପୂର୍ବରୁ ଜଣାପଡ଼ିବ। ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ୍‌ରେ ଅନ୍ୟ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ପ୍ରଥମ ଦିନିକିଆରେ ପଦାର୍ପଣ କରି ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନଙ୍କୁ ନେଇ ଭାରତୀୟ ଦଳ ବେଶ ଆତ୍ମବିଶ୍ୱାସୀ ରହିଛି।

ମୁକେଶଙ୍କ ସ୍ଥାନରେ ଆକାଶଦୀପ
ଜୋହାନ୍ସବର୍ଗରେ ଭାରତର ଦୁଇ ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ ଓ ଆଭେଷ ଖାନ୍‌ଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ହାରିଯାଇଥିଲା। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତ ୩ଟି ଯାକ ଫର୍ମାଟରେ ଖେଳିଥିବା ବେଙ୍ଗଲର ଫାଷ୍ଟ ବୋଲର ମୁକେଶ କୁମାର ଏହି ମ୍ୟାଚ୍‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଯଦି ଦ୍ୱିତୀୟ ଦିନିକିଆରୁ ବାଦ୍‌ ଦିଆଯାଏ, ତେବେ ତାଙ୍କ ସ୍ଥାନରେ ଆକାଶଦୀପଙ୍କ ନାମ ବିଚାରକୁ ନିଆଯିବ। ସ୍ପିନ୍‌ ବିଭାଗରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଆହତ ନହେଲେ ବାଦ୍‌ ଦେବାର ଆଦୌ ସମ୍ଭାବନା ନାହିଁ। ସ୍ଥିତିକୁ ଦେଖିଲେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତୀୟ ବୋଲିଂ ବାହିନୀରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌।

ଦକ୍ଷିଣ ଆଫ୍ରିକା ଅପରିବର୍ତ୍ତିତ
ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିବା ପରେ ଘରୋଇ ଦଳରେ ପରିବର୍ତ୍ତନ ହେବା ସ୍ୱାଭାବିକ୍‌। କିନ୍ତୁ ଦକ୍ଷିଣ ଆଫ୍ରିକା ମଧ୍ୟ କିଛି ନୂଆ ଖେଳାଳିଙ୍କୁ ନେଇ ଖେଳୁଛି। ଜୋହାନ୍ସବର୍ଗର ସୁଇଂ ଓ ସିମ୍‌ରେ ପ୍ରତିଷ୍ଠିତ ବ୍ୟାଟର ମଧ୍ୟ ଫେଲ ମାରିଛନ୍ତି। ଏଣୁ ଏହି ବ୍ୟାଟରଙ୍କୁ ଗୋଟିଏ ବିଫଳତା ପରେ ବାଦ୍‌ ଦେବା ଆଶା କରଯାଏ ନାହିଁ। ସେଣ୍ଟ ଜର୍ଜସ ପାର୍କ ପିଚ୍‌ ମଧ୍ୟ ମନ୍ଥର। ଏଠାରେ କେଶବ ମହାରାଜ ଓ ତାବ୍ରେଜ ସାମସିଙ୍କ ପ୍ରଦର୍ଶନ ଭଲ ରହିଛି। ଏଣୁ ଦଳରେ କିଛି ପରିବର୍ତ୍ତନ ହେବାର ଆଶା ନାହିଁ।

ଏଥିସହିତ ପଢ଼ନ୍ତୁ

ପିଚ୍‌ ମନ୍ଥର, ବର୍ଷା ଆଶଙ୍କା
ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ସେଣ୍ଟ ଜର୍ଜସ ପାର୍କ ପିଚ ଏବେ ମନ୍ଥର ବୋଲିଂକୁ ସୁହାଉଛି। ଏଠାରେ ଦକ୍ଷିଣ ଆଫ୍ରିକା ଖେଳିଥିବା ଶେଷ ୩ଟି ଦିନିକିଆ ମଧ୍ୟରୁ ଦୁଇଟିରେ ଏସିଆ ମହାଦେଶ ଦଳ ନିକଟରୁ ପରାଜିତ ହୋଇଛି। ଏହା ଭାରତୀୟ ଦଳ ଲାଗି ସୁଯୋଗ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ରେ ସାମାନ୍ୟ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ଡିସେମ୍ବର ୧୨ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପଛରେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ସହଜରେ ଜିତିନେଇଥିଲ। ଏଠାରେ ଯେଉଁ ଦଳ ଟସ୍‌ ଜିତିବ ସେହି ଦଳ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବାର ସମ୍ଭାବନା ଅଧିକ। ଏଣୁ ପଛରେ ବ୍ୟାଟିଂ କରିଥିବା ଦଳ ଏଠାରେ ଫାଇଦାରେ ରହିବ ବୋଲି ଆଶା କରାଯାଉଛି।

ଭାରତ
ଲୋକେଶ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାଡ଼, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଷ ଖାନ୍‌, ଅର୍ଶଦୀପ ସିଂ ଓ ଆକାଶଦୀପ।

ଦକ୍ଷିଣ ଆଫ୍ରିକା
ଆଇଡେନ୍‌ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋଜି, ରାସି ଭାନ ଡର ଡୁସେନ, ଡେଭିଡ ମିଲର, ହେନ୍‌ରିକ୍‌ କ୍ଲାସେନ, କାଏଲ ଭେରିନ୍‌, ୱିଆନ ମୁଲ୍ଡର, ଆନ୍ଦିଲ ଫେଲୁକୱାଅ, ଓଟ୍ଟନିଏଲ ବାର୍ଟମ୍ୟାନ୍‌, ନାନ୍ଦ୍ରେ ବର୍ଗର, ଲିଜାର୍ଡ ୱିଲିୟମ୍ସ, ମିହଲାଲି ପୋଙ୍ଗୱାନା, କେଶବ ମହାରାଜ, ତାବ୍ରେଜ୍‌ ସାମ୍‌ସି।

Leave A Reply

Your email address will not be published.