ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେବ ପହିଲି ଭୋଗ ନୀତି

ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଧନୁ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ। କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। ଏହି ସମୟରେ ଚାଷୀଘରକୁ ଅମଳ ହୋଇଥିବା ଖାଦ୍ୟଶସ୍ୟ ଆସିଥାଏ।

ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡ଼ା’ ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ। ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କଠୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ପାଖରେ ଲାଗି କରାଯାଏ। ଘରକୁ ଘର ମୁଆଁ ଦିଆନିଆ ହୁଏ । ଦେଶୀ ଘିଅ, ଗୁଡ଼/ଚିନି ସିରା, ଲିଆ, ନଡ଼ିଆପାତି, କାଜୁ ବାଦାମ, ଅଳେଇଚ, ଲବଙ୍ଗ ଆଦି ଦେଇ ପ୍ରସ୍ତୁତ ହୁଏ ଧନୁ ମୁଆଁ ।

ସେହିଭଳି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗନୀତି ଅନୁଷ୍ଠିତ ହୁଏ। ଠାକୁରମାନଙ୍କ ନିକଟରେ ଅନ୍ୟ ମାସ ଅପେକ୍ଷା ଏହି ସମୟରେ ଅତି ସକାଳୁ ସକାଳୁ ଭୋଗ ଲାଗି କରାଯାଏ। ଲୋକଶ୍ରୁତି ଅନୁଯାୟୀ, ଧନୁ ସଂକ୍ରାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ମାସକ ଲାଗି ତାଙ୍କ ବାପଘରକୁ ଯାଆନ୍ତି। ତେଣୁ ଏହି ସମୟରେ ଠାକୁରମାନଙ୍କ ଲାଗି ମା’ ଯଶୋଦା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ପୁଅଝିଅ (ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା)ଙ୍କୁ ସକାଳୁ ସହଳ ସହଳ ଖାଇବାକୁ ଦିଅନ୍ତି। ମହାପ୍ରଭୁଙ୍କ ନିକଟରେ ପରମ୍ପରାକ୍ରମେ ଏହି ପହିଲି ଭୋଗ ହୋଇଥାଏ । ଏଥିରେ ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ଲିଖିତ ଦ୍ରବ୍ୟ ପରିମାଣ ଅନୁସାରେ ବଡ଼ ଝିଲି, ଦରସୁଆ ଝିଲି, ଦରସୁଆ ବଡ଼ି, ବଡ଼ବଡ଼ା, ଆରିସା, ଏଣ୍ଡୁରି, ମୁଗେଇ, ଚୁଡ଼ାପୁଆ, ଛତୁ, ଲଡୁ, ଗଜା, ଖଇରଚୂଳ, ଗଇଁଠା, ମଣ୍ଡା, ବଡ଼ି, କଣ୍ଟେଇ ଇତ୍ୟାଦି ଭୋରରୁ ଲାଗି ହୋଇଥାଏ।

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ସକାଳର ଗୋପାଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡ଼ି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ଼ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । କିମ୍ବଦନ୍ତୀ ଅନୁସାରେ, ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ସାରି ଅଯୋଧ୍ୟା ଫେରି ଶାସନଭାର ଗ୍ରହଣ କରିଥିବା କୁହାଯାଏ। ପୁରାଣ ଅନୁସାରେ, ଏହି ତିଥିରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ଏହାର ସ୍ମୃତିରେ ଏହି ଦିନ ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୁଏ। ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ।

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି 

ପହିଲି ଭୋଗ ଧନୁ ସଂକ୍ରାନ୍ତି ଅର୍ଥାତ୍‌ ଡିସେମ୍ବର ୧୬ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ରାତ୍ର ୨ଟାରେ ଦ୍ୱାରଫିଟା, ଭିତର ଶୋଧ ୨ଟା ୩୦, ୨ଟା ୪୫ରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବ । ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବ । ସକାଳ ୬ଟା ୩୦ରୁ ୮ଟା ସକାଳ ଧୂପ (କେବଳ କୋଠଭୋଗ), ୮ଟା ୨୦ରୁ ୧୦ଟା ଭୋଗମଣ୍ଡପ, ୧୦ଟା ୩୦ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ), ୧୧ଟା ୪୫ରୁ ଅପରାହ୍ନ ୧ଟା ଦ୍ୱିତୀୟ ଭୋଗମଣ୍ଡପ ହୋଇ ଅନ୍ୟାନ୍ୟ ନୀତି ଚାଲିବ । ଅପରାହ୍ନ ୫ଟାରେ ସନ୍ଧ୍ୟା ଆଳତି, ୬ଟା ୩୦ରୁ ରାତି ୮ଟା ସନ୍ଧ୍ୟାଧୂପ, ୯ଟାରେ ଚନ୍ଦନ ଲାଗି, ୧୦ଟାରେ ବଡ଼ସିଂହାର ବେଶ, ୧୦ଟା ୩୦ ବଡ଼ସିଂହାର ଭୋଗ ଏବଂ ୧୧ଟାରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ଲାଗି ନୀତି ନିର୍ଘଣ୍ଟ ହୋଇଛି ।

Leave A Reply

Your email address will not be published.