ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୬ ତାରିଖରୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ୍‌, ପ୍ରଥମ ୨ ମ୍ୟାଚ ପାଇଁ ବଦଳିଲେ ୩ ଖେଳାଳି

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିଅନ ହେବା ପରେ ଭାରତୀୟ କ୍ରିକେଟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ ଜୁଲାଇ ୬ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ସିରିଜ୍‌ର ସମସ୍ତ ମ୍ୟାଚ୍‌ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ ବୋଲି ଜିମ୍ବାୱେ କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହେବା ପରେ ବରିଷ୍ଠ ଖେଳାଳି ତଥା ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-୨୦ ଅନ୍ତର୍ଜତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି।

ଏହି ଗସ୍ତଲାଗି ଶୁବମାନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଦଳ ଘୋଷଣା କରାଯାଇଛି। ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଯଶସ୍ୱୀ ଜୟସ୍ୱାଲ, ୱିକେଟରକ୍ଷକ ସଞ୍ଜୁ ସାମସନ ଓ ଶିବମ ଦୁବେଙ୍କ ସହ ୩ ରିଜର୍ଭ ଖେଳାଳି ରିଙ୍କୁ ସିଂ, ଖଲୀଲ ଅହମ୍ମଦ୍‌ ଓ ଆଭେଷ ଖାନଙ୍କୁ ଦଳରେ ସାମିଲ କରାଯାଇଛି। ୱେଷ୍ଟଇଣ୍ଡିଜ୍‌ରୁ ଏମାନେ ସିଧାସଳଖ ହରାରେ ଗସ୍ତରେ ଯିବେ। ଏମାନଙ୍କ ବ୍ୟତୀତ କିଛି ଖେଳାଳି ପ୍ରଥମଥର ଜାତୀୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଷେକ ଶର୍ମା, ଧ୍ରୁବ ଜୁରେଲ, ରିଆନ ପରାଗ, ତୁଷାର ଦେଶପାଣ୍ଡେ ଅନ୍ୟତମ। ନୀତୀଶ ରେଡ୍ଡୀଙ୍କୁ ପ୍ରଥମେ ଘୋଷିତ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ଆଘାତ ଯୋଗୁଁ ତାଙ୍କୁ ବାଦ୍‌ ପଡ଼ିଛନ୍ତି ଓ ଦୁବେଙ୍କୁ ତାଙ୍କ ସ୍ଥାନରେ ନିଆଯାଇଛି। ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବେ ଅବସର ନେଇଯାଇଛନ୍ତି। ତାଙ୍କ ସ୍ଥାନରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ଦଳର ପ୍ରଶିକ୍ଷକ ମନୋନୀତ କରାଯାଇଛି।

ପ୍ରଥମ ୨ ମ୍ୟାଚ ପାଇଁ ବଦଳିଲେ ୩ ଖେଳାଳି

ଅନ୍ୟପଟେ ମଙ୍ଗଳବାର ବିସିସିଆଇ ପକ୍ଷରୁ ଜିମ୍ବାୱେ ଗସ୍ତପାଇଁ ଭାରତୀୟ ଟିମରେ ଆଜି ପରିବର୍ତ୍ତନ କରାଯାଇଛି । ଭାରତୀୟ ଟିମରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ପ୍ରଥମ ଦୁଇଟି ଟି ୨୦ ମ୍ୟାଚରେ ସ୍ଥାନରେ ମିଳିଛି । ଏନେଇ ବିସିସିଆଇ ତରଫରୁ ଘୋଷଣା କରାଯାଇଛି । ସେମାନେସଞ୍ଜୁ ସାମସନ, ଶିବମ୍ ଦୁବେ ଓ ୟଶସ୍ୱୀ ଜୟସୱାଲଙ୍କ ସ୍ଥାନରେ ଖେଳିବେ । ସାଇ ସୁଦର୍ଶନ ଆଇପିଏଲରେ ଗୁଜରାଟ ଟାଇଟନ୍ସ, ଜିତେଶ ଶର୍ମା ପଞ୍ଜାବ କିଙ୍ଗ୍ସ ଓ ହର୍ଷିତ ରାଣା କୋଲକତା ନାଇଟରାଇଡର୍ସ ତରଫରୁ ଖେଳୁଥିଲେ ।


୬ରୁ ଆରମ୍ଭ, ୧୪ରେ ଶେଷ

ଏହି ଦ୍ୱିପାକ୍ଷିକ ସିରିଜ୍‌ ଜୁଲାଇ ୬ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ମ୍ୟାଚ୍‌ ଗୁଡିକ ଯଥାକ୍ରମେ ଜୁଲାଇ ୬, ୭, ୧୦, ୧୩ ଓ ୧୪ ତାରିଖରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍‌ ଗୁଡିକ ଜିମ୍ବାୱେର ରାଜଧାନୀ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ ମିନିଟରୁ ଏହି ମୁକାବିଲା ଆରମ୍ଭ ହେବ।

ରାଜାଙ୍କୁ ଜିମ୍ବାୱେ ଅଧିନାୟକ ଦାୟିତ୍ବ

ଏହି ଟି-୨୦ ସିରିଜ୍‌ ଲାଗି ଜିମ୍ବାୱେ ପକ୍ଷରୁ ଏକ ୧୭ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳର ନେତୃତ୍ୱ ସିକନ୍ଦର ରାଜାଙ୍କୁ ଦିଆଯାଇଛି। ପାକିସ୍ତାନ ବଂଶୋଦ୍ଭବ ୨୫ ବର୍ଷୀୟ ଅଲରାଉଣ୍ଡର ଅନ୍ତୁମ ନକ୍‌ଭିଙ୍କୁ ଜିମ୍ବାୱେ ନାଗରିକତ୍ୱ ମିଳିବା ପରେ ତାଙ୍କୁ ପ୍ରଥମଥର ଦଳରେ ନିଆଯାଇଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୩୦୦ ଥିଲାବେଳେ ଜିମ୍ବାୱେ ଘରୋଇ କ୍ରିକେଟରେ ସେ ୭୩.୪୨ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଏହି ଖେଳାଳି ତାଙ୍କ ଫର୍ମ ବଜାୟ ରଖିଲେ ଜିମ୍ବାୱେକୁ ଫାଇଦା ମିଳିବ।

ସୋନି ସ୍ପୋର୍ଟ୍ସରେ ପ୍ରସାରଣ

ଭାରତ-ଜିମ୍ବାୱେ ଟି-୨୦ କ୍ରିକେଟ ସିରିଜ୍‌ର ସମସ୍ତ ମ୍ୟାଚ୍‌ ଗୁଡିକ ସୋନି ସ୍ପୋର୍ଟ୍ସ ନେଟ୍‌ୱର୍କରେ ସିଧାସଳଖ ପ୍ରସାରଣ କରାଯିବ। ଏହି ମ୍ୟାଚ୍‌ ଗୁଡିକ ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରୁ ଆରମ୍ଭ ହେବ। ଟେଲିଭିଜନରେ ପ୍ରସାରଣ ବ୍ୟତୀତ ସୋନି ଲିଭ ଆପ୍‌ ଓ ୱେବ୍‌ସାଇଟ୍‌ରେ ମଧ୍ୟ ମ୍ୟାଚ୍‌ର ପ୍ରସାରଣ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.