ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟି-୨୦ ବିଶ୍ବକପ୍‌: ଆଜି ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ବାର୍ବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍‌ ୯ମ ସଂସ୍କରଣର ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ବ୍ରିଜ୍‌ଟାଉନ୍‌ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଟାଇଟଲ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା। ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ ହୋଇପାରି ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।

କୋହଲି, ରୋହିତଙ୍କ ଲାଗି ଶେଷ ସୁଯୋଗ
ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଅପରାଜେୟ ରହିଛନ୍ତି। ସାରା ଟୁର୍ଣ୍ଣାମେଣ୍ଟ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳିମାନେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଓ ସୁପରଷ୍ଟାର ବିରାଟ କୋହଲି କ୍ୟାରିୟରର ଅନ୍ତିମ ଟି-୨୦ ବିଶ୍ୱକପ୍‌ ଖେଳୁଛନ୍ତି ବୋଲି କୁହାଯାଉଛି। ଫଳରେ ଏହି ଦୁଇ ତାରକା ଶେଷଥର ପାଇଁ ଟାଇଟଲ ଜିତିବାର ସୁଯୋଗ ହାତଛଡ଼ା କରିବେ ନାହିଁ। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚକୁ ସାରା ବିଶ୍ୱ ଉପଭୋଗ କରିବ। ତେଣୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି।

ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ
ଫାଇନାଲ ମ୍ୟାଚ୍‌ର ପିଚ୍‌ ସ୍ପିନରଙ୍କ ଅପେକ୍ଷା ଦ୍ରୁତବୋଲରଙ୍କୁ ଅଧିକ ସୁହାଇବ। ଏଠାରେ ଦ୍ରୁତ ବୋଲର ୨୦.୨୨ ରନ ହାରରେ ୫୯ ଓ ସ୍ପିନର ୨୬.୪୦ ହାରରେ ୩୨ଟି ୱିକେଟ ନେଇଛନ୍ତି। ତେବେ ବ୍ୟାଟରମାନେ ଏଠାରେ ସୁବିଧାଜନକ ସ୍ଥିତି ହାସଲ କରିବେ। ମ୍ୟାଚ୍‌ ଆରମ୍ଭରେ ଦ୍ରୁତ ବୋଲରମାନେ ବ୍ୟାଟରଙ୍କୁ ସମସ୍ୟାରେ ପକାଇବେ।

ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ଟସ୍‌
ଏହି ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ୱ ରହିବ। ଏଠାରେ ୨୯ଟି ମ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ଖେଳାଯାଇଥିବା ବେଳେ ଟସ୍‌ ଜିତିବା ଦଳ ୧୮ଟିରେ ବିଜୟୀ ହୋଇଛି। ଟସ୍‌ ଜିତିଥିବା ଦଳ ଏଠାରେ ୧୩ଥର ପ୍ରଥମେ ବ୍ୟାଟିଂ କରି ୧୦ଟିରେ ବିଜୟୀ ହୋଇଛି। ଅନ୍ୟପଟେ ଟସ୍‌ ଜିତି ୧୯ଥର ପ୍ରଥମେ ବୋଲିଂ କରିଥିବା ଦଳ ମାତ୍ର ୮ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାସ୍ତ ହୋଇଛନ୍ତି। ଟସ୍‌ ଜିତିବା ଦଳ ବ୍ୟାଟିଂ କରିବାକୁ ଅଧିକ ପସନ୍ଦ କରିବ। ପ୍ରଥମେ ବ୍ୟାଟିଂ କରିଥିବା ଦଳ ଏଠାରେ ୧୯ ଓ ଚେଜ୍‌ କରିଥିବା ଦଳ ୧୦ଥର ବିଜୟୀ ହୋଇଛନ୍ତି।କିନ୍ତୁ ପରିବର୍ତ୍ତିତ ସ୍ଥିତିରେ ଟସ୍‌ ଜିତିବା ଦଳ କି ନିଷ୍ପତ୍ତି ନେବ କହିବା ମୁସ୍କିଲ ହେବ।

ଭାରତ ସପକ୍ଷରେ ରେକର୍ଡ
ଭାରତ ଓ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨୬ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ଭାରତ ୧୪ଟିରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧ର ବାଜି ମାରିଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ଶେଷଥର ପାଇଁ ୨୦୨୩ ଡିସେମ୍ବରରେ ଭାରତ ଜୋହାନ୍ସବର୍ଗରେ ୧୦୬ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ବାର୍ବାଡୋସରେ ଭାରତ ରେକର୍ଡ ଭଲ ନାହିଁ
ଭାରତ ତୃତୀୟଥର ପାଇଁ ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ବାର୍ବାଡୋସର ବଳିଷ୍ଠ କ୍ରିକେଟ ଇତିହାସ ରହିଛ। କିନ୍ତୁ ଭାରତ ଏଠାରେ ମାତ୍ର ୩ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ଏଠାରେ ଭାରତ ଗୁରୁବାର ଏଠାରେ ସୁପର-୮ରେ ୭୪ ରନରେ ଆଫଗାନିସ୍ତାନକୁ ହରାଇଥିଲା।

ଫୋକସରେ ପାଣ୍ଡ୍ୟା, ଅର୍ଶଦୀପ, ପନ୍ତ, ସାମସି, ଡିକକ୍‌, ଜାନସେନ
ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଋଷଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ସ୍ପିନର ତାବରେଜ ସାମସି, ବ୍ୟାଟର କ୍ୱିଣ୍ଟନ ଡିକକ ଓ ଅଲରାଉଣ୍ଡର ମାର୍କୋ ଜାନସେନଙ୍କ ପ୍ରଦର୍ଶନ ଭାରତକୁ ସମସ୍ୟାରେ ପକାଇବ ଓ ଏମାନେ ଫୋକସରେ ରହିଛନ୍ତି।

ବର୍ଷା ଆଶଙ୍କା ରହିଛି
ଫାଇନାଲ ମ୍ୟାଚ୍‌ରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଘଡଘଡି ସହ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଶନିବାର ଏଠାରେ ୭୦ ପ୍ରତିଶତ ବର୍ଷାର ସମ୍ଭାବନା ରହିଛି। ସାରା ମ୍ୟାଚ୍‌ରେ ଖରା ପଡିବାର ସମ୍ଭାବନା କମ ରହିଛି। ଏହା ପ୍ରଶଂସକଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ- ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଋଷଭ ପନ୍ତ, ଶିବମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାର୍କାରାମ (ଅଧିନାୟକ), ଓଟନିଲ ବାର୍ଟମ୍ୟାନ, ଗେରାଲ୍ଡ କୋଜି, କ୍ୱିଣ୍ଟନ ଡିକକ, ବିଜୋର୍ଣ୍ଣ ଫର୍ଚୁନ, ରିଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ହେନେରିଚ କ୍ଲାସେନ, କେଶବ ମହାରାଜ, ଡେଭିଡ୍‌ ମିଲର, ଅନରିଜ ନୋର୍ଜେ, କାଗିସୋ ରାବାଡ଼ା, ରିୟାନ ରିକ୍ଲେଟୋନ, ତାବରେଜ ସାମସି ଓ ଟ୍ରିଷ୍ଟାନ ଷ୍ଟବ୍ସ।

Leave A Reply

Your email address will not be published.