ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦାୟ ବାଇଡେନ୍‌‌?

ବିଶ୍ୱର ସବୁଠୁ ଉନ୍ନତ, ଧନାଢ଼୍ୟ ଏବଂ ପ୍ରଭାବଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଏହା ସ୍ୱାଭାବିକ ଯେ ଆମେରିକା ଓ ତାହାର ନୂଆ ରାଷ୍ଟ୍ରପତିଙ୍କ ବିନା ବିଶ୍ୱର ଶାନ୍ତି, ସ୍ଥିରତା ଓ ସମୃଦ୍ଧି କଳ୍ପନା କରାଯାଇ ନ ପାରେ। ଚଳିତ ବର୍ଷ ନଭେମ୍ବର ମାସ ୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ନିମନ୍ତେ ଦୁଇ ପ୍ରମୁଖ ଦଳ ରିପବ୍ଲିକାନ ଓ ଡେମୋକ୍ରାଟିକ ପାର୍ଟିର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବିତର୍କ ବା ଡିବେଟ୍‌‌ ଆରମ୍ଭ ହୋଇଯାଇଛି। ବହୁଦଳୀୟ ବ୍ୟବସ୍ଥା ସତ୍ତ୍ବେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ପାରମ୍ପରିକ ଭାବେ ଏହି ଦୁଇଦଳ ମଧ୍ୟରେ ସୀମିତ ରହିଛି। ଉଭୟ ଦଳ ଦୁଇଜଣ ଅତି ବୟସ୍କ ନେତାଙ୍କୁ ରାଷ୍ଟ୍ରପତି ଭାବେ ପୁନର୍ବାର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ପ୍ରଥମ ପର୍ଯ୍ୟାୟ ଡିବେଟ୍‌‌ରେ ୮୧ ବର୍ଷ ବୟସର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌‌ ଡେମୋକ୍ରାଟିକ୍‌‌ ଦଳର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ରିପବ୍ଲିକାନ୍‌‌ ପାର୍ଟିର ବର୍ଷିୟ ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ନିଷ୍ପ୍ରଭ ପ୍ରମାଣିତ ହୋଇଛନ୍ତି। ବୟସାଧିକ୍ୟ ଜନିତ କ୍ଷୀଣ ସ୍ୱର, ଦୁର୍ବଳ ସ୍ମରଣଶକ୍ତି ଯୋଗୁଁ ସେ ବଡ଼ପାଟିଆ ଓ କୁହାଳିଆ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ଏକ ପ୍ରକାର ହାର ମାନିଛନ୍ତି। ବୟସ ଦୃଷ୍ଟିରୁ ଟ୍ରମ୍ପ ମଧ୍ୟ ଯୁବକ ନୁହନ୍ତି; କିନ୍ତୁ ତାଙ୍କର କହିବାର ଓ ନିଜକୁ ଜାହିର କରିବାର ସାମର୍ଥ୍ୟ ସ୍ପଷ୍ଟ ପ୍ରମାଣିତ କରୁଛି ଯେ ସେ ଏଥର ଜିତିବା ସମ୍ଭାବନା ଅଧିକ। ତେବେ ତାଙ୍କ ବିରୋଧରେ ଥିବା ଅଦାଲତ ମାମଲାର ରାୟ ଏବଂ ତାଙ୍କର ଉଗ୍ର ରକ୍ଷଣଶୀଳ ଓ ବିସ୍ତାରବାଦୀ ନୀତି ଏବଂ ଭାବମୂର୍ତ୍ତିକୁ ନେଇ ରିପବ୍ଲିକାନ୍‌‌ ଦଳରେ ଯେଉଁ ବିରୋଧାଭାସ ରହିଛି, ତା’ ଉପରେ ତାଙ୍କ ଭାଗ୍ୟ ନିର୍ଭର କରେ। ଅଠସ୍ତରୀ ବର୍ଷୀୟ ଟ୍ରମ୍ପଙ୍କ ଚାରିବର୍ଷର ଶାସନ ଆମେରିକା ଏବଂ ବିଶ୍ୱ ଦେଖିଛି ଏବଂ ସେ ନିଜର ଲଗାମହୀନ ଭାଷା ଓ କାମ ପାଇଁ ନିନ୍ଦିତ।

ଦୁଇ ବରିଷ୍ଠଙ୍କ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଡିବେଟ୍‌‌ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବିଶେଷଜ୍ଞମାନେ କହୁଛନ୍ତି ଯେ ଦୁଇ ବରିଷ୍ଠ ବିଶ୍ୱର ସବୁଠୁ ଶକ୍ତିଶାଳୀ ପଦ ପାଇଁ ନିଜ ନିଜର ପଥକୁ ବିଗାଡ଼ି ଦେଇଛନ୍ତି। ଏମାନେ ପ୍ରତିଦ୍ୱନ୍ଦ୍ୱିତାରେ ରହନ୍ତୁ ବା ନ ରହନ୍ତୁ, ଆମେରିକା କିନ୍ତୁ ଇତିମଧ୍ୟରେ ଏଥରର ରାଷ୍ଟ୍ରପତି ନିର୍ବାଚନ ହାରିଗଲାଣି। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଓ ଅନ୍ୟତମ ପୁରୁଣା ଗଣତନ୍ତ୍ର ପାଇଁ ଏଭଳି ସମାଲୋଚନା ଅବଶ୍ୟ ଚିନ୍ତାଜନକ। ବାଇଡେନ୍‌‌ଙ୍କ ସପକ୍ଷରେ ବୟସ ଓ ତାଙ୍କର ମାନସିକ, ଶାରୀରିକ ସ୍ୱାସ୍ଥ୍ୟ ନାହିଁ। ଭାବମୂର୍ତ୍ତି ଦୃଷ୍ଟିରୁ ଟ୍ରମ୍ପ ମଧ୍ୟ ଗ୍ରହଣୀୟ ନୁହନ୍ତି ଓ ତାଙ୍କର ବୟସ ମଧ୍ୟ ଭୋଟରଙ୍କୁ ଉତ୍ସାହିତ କରୁନାହିଁ। ତେଣୁ ଦୁଇଦଳର କନ୍‌‌ଭେନସନ୍‌‌, ଯାହା ନିକଟରେ ବସିବାକୁ ଯାଉଛି, ସେଥିରେ ରାଷ୍ଟ୍ରପତି ପ୍ରାର୍ଥୀ ଉଭୟ ପକ୍ଷ ମନୋନୀତ କରିବେ। ଡେମୋକ୍ରାଟିକ୍‌‌ ଦଳ ଏବେ ବାଇଡେନ୍‌‌ଙ୍କ ସ୍ଥାନରେ ଉପରାଷ୍ଟ୍ରପତି କମଳା ହାରିସ୍‌‌ଙ୍କୁ ପ୍ରାର୍ଥୀ କରିବାକୁ ବିଚାର କରୁଛି। କମଳା ହାରିସ୍‌‌ଙ୍କ ସପକ୍ଷରେ ତିନିଟି କଥା ଅଧିକ ଯାଉଛି। ସେ ମହିଳା ଏବଂ କୃଷ୍ଣକାୟ ବର୍ଗର। ଏ ଯାଏଁ ଆମେରିକାରେ କୌଣସି ମହିଳା ରାଷ୍ଟ୍ରପତି ହୋଇନାହାନ୍ତି। ତାଙ୍କର ବୟସ ଅପେକ୍ଷାକୃତ କମ୍‌‌ ଏବଂ ଓବାମାଙ୍କ ପରେ ସେ ଡେମୋକ୍ରାଟିକ୍‌‌ ଦଳର ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ବଡ଼କଥା ହେଲା, ଆମେରିକା ରାଜନୀତିରେ ରକ୍ଷଣଶୀଳ ଗୋରାମାନଙ୍କର ଏକାଧିପତ୍ୟ ଆଉ ନାହିଁ। କୃଷ୍ଣକାୟ, ମିଶ୍ରିତ ବର୍ଣ୍ଣର ଲୋକ, ବିଦେଶରୁ ଆସି ସେଠାକାର ନାଗରିକତ୍ୱ ଗ୍ରହଣ କରିଥିବା ଭୋଟର ଜଣେ ଉଦାରବାଦୀ, ସମାବେଶୀ ଓ ଅପେକ୍ଷାକୃତ ଯୁବ ପ୍ରାର୍ଥୀ ଚାହାନ୍ତି। ତେଣୁ କମଳା ହାରିସ୍‌‌ ଯଦି ବାଇଡେନ୍‌‌ଙ୍କୁ ହଟାଇ ପ୍ରାର୍ଥୀ ହୁଅନ୍ତି, ତେବେ ଆମେରିକା ଭୋଟରଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ। ସର୍ବଶେଷ ଖବର ଅନୁସାରେ ବାଇଡେନ୍‌‌ ଏଥର ନିର୍ବାଚନରୁ ଓହରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ତାଙ୍କ ବଦଳରେ କମଳା ହାରିସ୍‌‌ ନା ଅନ୍ୟ କିଏ ତାଙ୍କ ଦଳରୁ ପ୍ରାର୍ଥୀ ହେବେ, ତାହା ଚୂଡ଼ାନ୍ତ ହୋଇନାହିଁ।

ବାଇଡେନ୍‌‌ ହେଉଛନ୍ତି ଆମେରିକୀୟ ରକ୍ଷଣଶୀଳତା, ଦକ୍ଷିଣପନ୍ଥୀ ଗୋରା ବିଚାରର ପ୍ରତିନିଧି। ସେ ଅତ୍ୟଧିକ ଜାତୀୟତାବାଦୀ ଏବଂ ଅଣଶ୍ୱେତାଙ୍ଗଙ୍କ କର୍ତ୍ତୃତ୍ୱ ବୃଦ୍ଧିକୁ ବିରୋଧ କରନ୍ତି। ରକ୍ଷଣବାଦୀ ଗୋରା ଧନିକ ଗୋଷ୍ଠୀ ତାଙ୍କୁ କେବଳ ସମର୍ଥନ କରୁନାହିଁ, ଆର୍ଥିକ ସହାୟତା ମଧ୍ୟ ଦେଉଛି। ଦ୍ୱିତୀୟତଃ, ଟ୍ରମ୍ପ ନିଜେ ପ୍ରକାଣ୍ଡ ଧନୀ ଓ ନିର୍ବାଚନ ଲଢ଼ିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ରହିଛି। ସମଗ୍ର ୟୁରୋପରେ ଏବେ ରକ୍ଷଣଶୀଳ ଓ ଶ୍ୱେତାଙ୍ଗ ଦକ୍ଷିଣପନ୍ଥୀ ଦଳଙ୍କର ବିଜୟ ଘଟୁଥିବା ବେଳେ ଆମେରିକାରେ ସେ ପ୍ରକ୍ରିୟାର ପୁନରାବୃତ୍ତି ସମ୍ଭାବନା ଅଧିକ। ବିଶ୍ୱରେ ଆମେରିକାର କର୍ତ୍ତୃତ୍ୱ ବୃଦ୍ଧିକୁ ଅଧିକାଂଶ ଗୋରା ରକ୍ଷଣଶୀଳ ଗୋଷ୍ଠୀ ଚାହୁଁଥିବାରୁ ସେମାନେ ଟ୍ରମ୍ପଙ୍କ ଭଳି ଜଣେ ଦଣ୍ଠା ଟାଣୁଆ ନେତା ଚାହୁଁଛନ୍ତି ଏବଂ ଏଥିରେ ଟ୍ରମ୍ପଙ୍କ ବୟସ ଏକ ପ୍ରସଙ୍ଗ ହେଉ ନାହିଁ। ଅପରପକ୍ଷରେ ବିଶ୍ୱର ସବୁ ଉଗ୍ରଜାତୀୟତାବାଦୀ ସରକାର ଥିବା ଦେଶ ଚାହୁଁଛନ୍ତି ଟ୍ରମ୍ପ ପୁନର୍ବାର ପ୍ରାର୍ଥୀ ହୋଇ ଜିତନ୍ତୁ। ଭାରତ ମଧ୍ୟ ଆପଣା ସ୍ୱାର୍ଥ ଦୃଷ୍ଟିରୁ ବାଇଡେନ୍‌‌ଙ୍କ ସ୍ଥାନରେ ଟ୍ରମ୍ପଙ୍କୁ ଚାହିଁବ। ତେଣୁ ଟ୍ରମ୍ପଙ୍କ ପାଇଁ ଯଦି ଅଦାଲତି ପ୍ରତିବନ୍ଧକ ନ ଥାଏ, ତେବେ ସେ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। ତାଙ୍କୁ ରିପବ୍ଲିକାନ ପାର୍ଟି ବଦଳାଇବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ। ଏକ ମ୍ଳାନ ଭାବମୂର୍ତ୍ତି ସମ୍ପନ୍ନ ଟ୍ରମ୍ପଙ୍କୁ ତାଙ୍କ ଦଳ ପୁନର୍ବାର ପ୍ରାର୍ଥୀ କରିବାକୁ ଯେଉଁ ବ୍ୟଗ୍ରତା ପ୍ରକାଶ କରୁଛି, ତା’ପଛରେ ଦେଶର ଭୋଟରଙ୍କ ମନୋଭାବର ଝଲକ ବୋଧହୁଏ ରହିଛି। ତେବେ ଆଉ ଅଳ୍ପ ଦିନ ପରେ ସବୁ କଥା ସ୍ପଷ୍ଟ ହୋଇଯିବ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଏକ ସୁଦୀର୍ଘ ପରମ୍ପରା ରହିଛି। ଏଠାରେ ବୟସ୍କ ନେତାଙ୍କୁ ମୁଖ୍ୟତଃ ରାଜନୈତିକ ଦଳ ପ୍ରାର୍ଥୀ କରିଥା’ନ୍ତି। ସେଠାରେ ଶିକ୍ଷା, ଦୀକ୍ଷା, ଚରିତ୍ର, ସମ୍ଭ୍ରମତାର ସ୍ଥାନ ନଥାଏ। ସେ ଦେଶରେ ଏ ଯାଏଁ କେବଳ ମହିଳାଙ୍କୁ ଛାଡ଼ି ଆଉ ସବୁବର୍ଗର ପ୍ରତିନିଧି ରାଷ୍ଟ୍ରପତି ହୋଇ ସାରିଛନ୍ତି। ଏଥିରେ ଆନୁଷ୍ଠାନିକ ଶିକ୍ଷା ନଥିବା ବ୍ୟକ୍ତି, ଦୁର୍ନୀତି ଅଭିଯୋଗରେ ପଦଚ୍ୟୁତ, ଅବିବାହିତ, ପନ୍ଦର ସନ୍ତାନର ଜନକ, ରକ୍ଷିତାଙ୍କଠାରୁ ସନ୍ତାନ ଜନ୍ମ କରାଇଥିବା ବ୍ୟକ୍ତି, ଅନାଥ, ଦରିଦ୍ର, ଧନୀ, ମଧ୍ୟମବର୍ଗ, ବହୁ ପତ୍ନୀକ, ବେଶ୍ୟାସକ୍ତ ଓ ଯୌନାଚାରରେ ଲିପ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ। ତାହାର ତାଲିକା ମଧ୍ୟ ବେଶ ଲମ୍ବା। ଏହା ସେଠାକାର ସଂସ୍କୃତି ଓ ବ୍ୟବସ୍ଥାରେ ଏକ ନିନ୍ଦନୀୟ କାର୍ଯ୍ୟ ନୁହେଁ। ପୂର୍ବତନ ରାଷ୍ଟ୍ରପତି ଆଣ୍ଡ୍ୟୁ ଜନସନଙ୍କ ଭାଷାରେ ‘ଆମେରିକାରେ ସମସ୍ତେ ରାଷ୍ଟ୍ରପତି ପଦକୁ ଯାଇପାରିବେ, ସେ ନିଜେ ତ ନିରକ୍ଷର ପିତାମାତାଙ୍କଠାରୁ ଜନ୍ମ ନେଇଥିଲେ ଏକ କାଠ କ୍ୟାବିନ୍‌‌ରେ। ତାଙ୍କ ନିଜର କୌଣସି ଆନୁଷ୍ଠାନିକ ଶିକ୍ଷା ନଥିଲା। ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବନରେ ଉପରକୁ ଉଠି ସେ ହ୍ୱାଇଟ୍‌‌ହାଉସ୍‌‌କୁ ଯାଇଥିଲେ ରାଷ୍ଟ୍ରପତି ଭାବରେ।’
ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଅତି ବୟସ୍କ ନେତାଙ୍କୁ ବାଛିବାର ରହସ୍ୟ କ’ଣ? ବୋଧହୁଏ ଆମେରିକା ନୂଆ ବାସ୍ତବତା ସହିତ ବଦଳୁଛି ଏବଂ ବୟସ୍କ ଓ ଅନୁଭବୀ ନେତାଙ୍କ ଭିତରେ ଆମେରିକାର ଭାଗ୍ୟ ଓ ଭବିଷ୍ୟତକୁ ଗୁରୁତ୍ୱ ଦେଉଛି। ପ୍ରଥମ ପର୍ଯ୍ୟାୟ ବିତର୍କରେ ବାଇଡେନ୍‌‌ ନିଷ୍ପ୍ରଭ ହୋଇଯାଇଥିଲେ ମଧ୍ୟ ଟ୍ରମ୍ପଙ୍କୁ ବିଜୟୀ କୁହାଯାଇ ନପାରେ। ତାଙ୍କ ଭାବମୂର୍ତ୍ତି ଏବେ ମଧ୍ୟ ତାଙ୍କୁ ଭୂତ ପରି ଗୋଡ଼ାଉଛି। ଦୁଇନେତାଙ୍କ ମଧ୍ୟରେ ପ୍ରଥମ ବାକ୍ୟଯୁଦ୍ଧରେ ଯିଏ ଜିତୁ ପଛେ ଆମେରିକା କିନ୍ତୁ ବୟସ୍କଙ୍କୁ ନିର୍ବାଚନ ମୈଦାନକୁ ଠେଲି ଦେଇ ରାଷ୍ଟ୍ରପତି ନିର୍ବାଚନରେ ହାରିବାକୁ ଯାଉଛି। ଦୁଇଦଳର ପରବର୍ତ୍ତୀ ବିତର୍କ ସ୍ଥିର କରିବ ଏହା ବୟସ୍କଙ୍କ ଲଢ଼େଇ ହେବ ନା ନୂଆ ପିଢ଼ିର ନେତା ମଇଦାନକୁ ଆସିବେ।

Leave A Reply

Your email address will not be published.