ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶାମୁକ୍ତ ଶିକ୍ଷା ପରିସର କେବେ?

ଶିକ୍ଷା ପରିସରକୁ ନିଶା ମୁକ୍ତ ଓ ତମାଖୁ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତମାଖୁ ବର୍ଜନ ଦିବସ ଆସିଲେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ନିକଟରେ ପାଳିତ ହୋଇଛି ବିଶ୍ୱ ତମାଖୁ ବର୍ଜନ ଦିବସ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହାକୁ ପାଳନ କରାଯାଉଛି। ସଚେତନା ଶୋଭାଯାତ୍ରା ମଧ୍ୟ କରାଯାଉଛି। ସବୁପରେ ମଧ୍ୟ ଏହାକୁ ବନ୍ଦ କରାଯାଇପାରୁନାହିଁ। ସ୍କୁଲ, କଲେଜ ପାଖରେ ଖୋଲିଥିବା ସିଗାରେଟ, ଗୁଟଖା ଦୋକାନ ବନ୍ଦ ହୋଇପାରୁନି। ଶିକ୍ଷାନୁଷ୍ଠାନର ଶହେମିଟର ଦୂରରେ କୌଣସି ନିଶା କିମ୍ବା ତମାଖୁ ଜାତୀୟ ସାମଗ୍ରୀ ଦୋକାନ ରହିବ ନାହିଁ ବୋଲି ୨୦୦୩ରୁ ନିୟମ ରହିଥିଲେ ମଧ୍ୟ ଏହାକୁ କେହି ମାନୁନାହାନ୍ତି। ମାଳ ମାଳ ଦୋକାନ ଖୋଲିଛି ଏବଂ ଏହି ସଂଖ୍ୟା ବଢ଼଼ିବାରେ ଲାଗିଛି। ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି ବ୍ୟବସାୟୀ। ଏପରିକି ଲୁଚାଛପାରେ ଗଞ୍ଜେଇ ଓ ବ୍ରାଉନସୁଗର ବି ଏସବୁ ଦୋକାନରେ ମିଳୁଥିବା ଅଭିଯୋଗ ହେଉଛି।

ଖୁସିର କଥା ଯେ ଓଡ଼ିଶା ସରକାର ଗତବର୍ଷ ଅଗଷ୍ଟ ମାସ ଠାରୁ ‘ହ୍ୱାଇଟ ସ୍ପାଇଡର’ (ଧଳା ବୁଢ଼ିଆଣୀ) ନାମରେ ଏକ ବିଶେଷ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଅବକାରୀ ଗୁଇନ୍ଦା ତଥା ସାଧାରଣ ଜନତାଙ୍କଠାରୁ ସୂଚନା ଭିତ୍ତିରେ ବହୁ ନିଶା ମାଫିଆ ଧରାପଡ଼ିଲେଣି। ଦିନକୁଦିନ ଏହିଭଳି କଡ଼ାକଡ଼ି ତନଖି ଚାଲିଛି ଏବଂ କୋଟି କୋଟି ଟଙ୍କାର ଧଳା ଜହର ବା ହେରୋଇନ, ଚରସ ଓ ବ୍ରାଉନ ସୁଗର ଧରା ପଡ଼ିସାରିଲାଣି। ଅବଶ୍ୟ ଏଥିରେ ଆନ୍ତଃରାଜ୍ୟ ମାଫିଆ ଗୋଷ୍ଠୀ ଅନ୍ତର୍ଭୁକ୍ତ। ଆମ ରାଜ୍ୟରେ ରାଜ୍ୟ ସରକାରଙ୍କ ‘ହ୍ୱାଇଟ ସ୍ପାଇଡର’ ଅଭିଯାନ ସହିତ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟ ଜଗି ରହିଛନ୍ତି ଏବଂ ବହୁପୂର୍ବରୁ ସଂଗଠିତ ଭାବେ କାମ କରୁଥିବା ନିଶାମୁକ୍ତି ଅଭିଯାନ ମଧ୍ୟ ସକ୍ରିୟ ରହିଛି।

ଅଧିକ ପଢନ୍ତୁ

ପରିତାପର ବିଷୟ ହେଲା, ଯେଉଁମାନେ ତମାଖୁ ନିରୋଧୀ ନିୟମର ଖୋଲାଖୋଲି ଉଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଛି। କେବଳ ଶିକ୍ଷାନୁଷ୍ଠାନ ବାହାରେ ନୁହେଁ, ବରଂ କ୍ୟାମ୍ପସ ଭିତରେ ମଧ୍ୟ ସିଗାରେଟ, ଗୁଟୁଖା କାରବାର ଖୋଲାରେ ଚାଲିଛି। କେତେକ ଦୋକାନରେ ଲୁଚାଛପାରେ ମଦ, ଗଞ୍ଜେଇ ମଧ୍ୟ ବିକ୍ରି ହେଉଛି। ରାଜ୍ୟସାରା ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏସବୁ ଦେଖୁଥିଲେ ମଧ୍ୟ ଚୁପ ରହୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ତମାଖୁ ନିୟନ୍ତ୍ରଣ କମିଟିକୁ ଦିଆଯାଇଥିଲେ ମଧ୍ୟ କମିଟି ନିରବଦ୍ରଷ୍ଟା ସାଜିଛି। ମଝିରେ ମଝିରେ ଲୋକଦେଖାଣିଆ ଭାବେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ କେବଳ ଜୋରିମାନା ଆଦାୟ କରାଯାଏ। ତା’ପରେ ଯଥା ପୂର୍ବଂ ତଥା ପର ନୀତିରେ ପୁଣି ବେପାର ଚାଲେ।

ସୂଚନା ଅନୁସାରେ କ୍ୟାମ୍ପସକୁ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ଅଧୀନରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି। ଆଇନ ଅନୁଯାୟୀ କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରାଯିବାକୁ କଡ଼ା ନିର୍ଦ୍ଦେଶ ରହିଛି। କୋଟପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ମାର୍ଗଦର୍ଶିକା ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ କ୍ଷେତ୍ରରେ ଜାତୀୟ ସେବା ଯୋଜନା(ଏନଏସଏସ) ସଦସ୍ୟଙ୍କୁ ଗୁରୁଦାୟିତ୍ୱ ଦିଆଯାଇଥିଲା। ପନ୍ଦର ଦିନ କିମ୍ବା ମାସକୁ ଅତିକମରେ ଥରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା। କେତେକ ଶିକ୍ଷାନୁଷ୍ଠାନରେ କାଁ ଭାଁ ସଚେତନତା କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ନିଶା ରୋକିବା ପାଇଁ କ୍ୟାମ୍ପସଗୁଡ଼ିକରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନି।

ଏଥିସହିତ ପଢ଼ନ୍ତୁ

ଯଦି ଆମେ ଆମର ଭବିଷ୍ୟ ପିଢ଼ିକୁ ଏକ ନିଶ୍ଚିତ ମୃତ୍ୟୁଯନ୍ତାରୁ ରକ୍ଷା କରିବାକୁ ଚାହୁଁଥିବା, ତେବେ ଏହି ‘ଧଳା ବୁଢ଼ିଆଣୀ’ ବନାମ ‘ମାଟିଆ ଚିନି’ ଅଭିଯାନରେ ରାଜ୍ୟ ଅବକାରୀ ବିଭାଗ ସହିତ ଖୋଲାଖୋଲି ସହଯୋଗ କରିବା ଅତ୍ୟାବଶ୍ୟକ। ପାଖ ପଡ଼ୋଶୀ, ବଜାର, ଦୋକାନରେ ଯେଉଁଠି ବି ନିଶା ଦ୍ରବ୍ୟ କାରବାରର ଆଭାସ ମିଳିବ, ତାହା ଆମେ ସରକାରଙ୍କ ଦ୍ୱାରା ବିଶେଷ ଭାବେ ପ୍ରଚାରିତ ହ୍ୱାଟସଆପ ନଂରେ ତତ୍‌‌କ୍ଷଣାତ ଜଣାଇବା ଦରକାର। ନ ହେଲେ ଧୀରେ ଧୀରେ ଏହି ଧଳା ଓ ମାଟିଆ ଜହର ଅକ୍ଟୋପସର ପଞ୍ଝା ବିସ୍ତାର କରି ଆମ ଯୁବ ସମାଜକୁ କବଳିତ କରିଦେବ।

ସଭ୍ୟ ସମାଜରେ ଜନଜାଗୃତି ସବୁପ୍ରକାର ଦୁର୍ନୀତି ଓ ଦୁର୍ଷ୍କମକୁ ବିରୋଧ କରିବା ପାଇଁ ସବୁଠାରୁ ପ୍ରଭାବୀଶକ୍ତି ଭାବେ ଯୁଗେ ଯୁଗେ ପରିଚିତ। ଆମେ ଆଜି ସେହି ଶକ୍ତିକୁ ଆହ୍ୱାନ କରୁଛୁ ଯେ ଆମ ରାଜ୍ୟକୁ ଓ ଦେଶକୁ ନିଶା ଅଜଗରର କବଳରୁ ମୁକ୍ତି ଦେବା ପାଇଁ ସମସ୍ତେ ଅଣ୍ଟା ଭିଡ଼ି ‘ଧଳା ବୁଢ଼ିଆଣୀ ବନାମ ମାଟିଆ ଚିନି’ ଅଭିଯାନର ସ୍ୱଂୟସେବକ ଓ ସୈନିକ ଭାବେ ସମାଜ ରକ୍ଷା ପାଇଁ ଆଗେଇ ଆସନ୍ତୁ। ଓଡ଼ିଶା ଅବକାରୀ ଅଧିନିୟମରେ ମଦ ବ୍ୟବସାୟ ଲାଗି ଯେଉଁ ସ୍ଥାନ ଓ ବ୍ୟକ୍ତିଙ୍କ ଉପରେ କଟକଣା ରହିଛି, ବସ୍ତୁତଃ ସେହି ନିଷିଦ୍ଧାଞ୍ଚଳଗୁଡ଼ିକରେ ଏଭଳି ଅଭିଯାନକୁ ବ୍ୟାପକ କରାଯିବା ଆବଶ୍ୟକ। ୨୦୧୩ ଏପ୍ରିଲରେ ରାଜ୍ୟ ସରକାର ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଯୁବପିଢ଼ି ମଧ୍ୟରେ ନିଶା ଓ ଅନ୍ୟ ମାଦକ ଦ୍ରବ୍ୟ ପ୍ରସାର ନେଇ ଉଦବେଗ ପ୍ରକାଶ କରାଯିବା ସହିତ ‘ନିଶାମୁକ୍ତ ଗ୍ରାମ’ ପ୍ରତିଷ୍ଠା ଲାଗି କୁହାଯାଇଥିଲେ ମଧ୍ୟ ନିଶା ନିବାରଣ ପାଇଁ ଆନ୍ତରିକତା ଅଭାବରୁ ଯୁବନୀତିର ଏହି ଆଭିମୁଖ୍ୟ ସଫଳ ହେବା ପରିବର୍ତ୍ତେ ବିଫଳ ହେଉଛି। ତେଣୁ ଯଦି ସରକାର ପକ୍ଷରୁ ଏସବୁ ନିୟମକୁ କଡ଼ାକଡ଼ି ପାଳନ କରାଯିବା ସହିତ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେବେ ଯାଇ କ୍ୟାମ୍ପସ ନିଶାମୁକ୍ତ ହୋଇପାରିବ।
ଆଇନ୍‌‌ଜୀବୀ
ଓଡ଼ିଶା ହାଇକୋର୍ଟ, କଟକ

ପୁଷ୍ପମିତ୍ର ମହାପାତ୍ର

Leave A Reply

Your email address will not be published.