ବଜ୍ର-କବଚ ତାଳଗଛ
![sakala article](https://thesakala.in/wp-content/uploads/2023/02/Article-image.jpg)
ତାଳ ଗଛ ସହିତ ଆମେ ଚିରପରିଚିତ। ତାଳ ଗଛ(ପାମ ଟ୍ରି)ର ଉତ୍ପତ୍ତି ଓ ବିକାଶ ନେଇ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। କିନ୍ତୁ ଏହା ଉଷ୍ଣ ଏବଂ ଉପଉଷ୍ଣ ଅଞ୍ଚଳରେ ବିଶେଷ ଭାବେ ବଢ଼଼ିପାରେ। ଏହା ଏକ ବୃହତ୍ ପ୍ରଜାତିର ଗଛ ଏବଂ ବିଭିନ୍ନ ପ୍ରଜାତିର ହୋଇଥାଏ। ସାଧାରଣତଃ ଏହାର ଉଚ୍ଚତା ପ୍ରଜାତି ଉପରେ ନିର୍ଭର କରେ। କିଛି ତାଳ ଗଛ ୭୦ ମିଟର ପର୍ଯ୍ୟନ୍ତ ଉଚ୍ଚ ହୋଇପାରେ ଏବଂ ତାଳ ଗଛର ପତ୍ର ବିଶେଷ କ୍ଷମତାରେ ଦୀର୍ଘ ଓ ପଙ୍ଖା ଆକୃତିର ହୋଇଥାଏ। ତାଳ ଗଛରୁ ବାହାରୁ ଥିବା ରସରୁ ତାଡ଼ି ଏବଂ ଗୁଡ଼ ପ୍ରସ୍ତୁତ କରାଯାଏ। ଗଛର କଠିନ କାଣ୍ଡ ଦ୍ୱାରା ବ୍ୟବସାୟିକ ଏବଂ ଗୃହସାମଗ୍ରୀ ତିଆରି କରାଯାଏ। ତାଳ ଗଛର ଆର୍ଥିକ ଓ ସାମାଜିକ ମୂଲ୍ୟ ବିଶାଳ ଭାବେ ମାନ୍ୟ ହୋଇଥାଏ। ପ୍ରତ୍ୟେକ ତାଳ ପ୍ରଜାତି ତାଙ୍କ ନିଜସ୍ୱ ବୈଶିଷ୍ଟ୍ୟ ଓ ଉପଯୋଗରେ ବିଭିନ୍ନ ହୋଇଥାଏ। ଏହି କାରଣରୁ ମନୁଷ୍ୟ ଏହାକୁ ଆବଶ୍ୟକତା ଓ ସୁବିଧା ଅନୁଯାୟୀ ବ୍ୟବହାର କରିଥା’ନ୍ତି।
ତାଳ ଗଛ ପରିବେଶ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ବୈଜ୍ଞାନିକମାନଙ୍କ ମତରେ ତାଳ ଗଛ ବଜ୍ରପାତକୁ ରୋକିବାରେ ସାହାଯ୍ୟ କରିପାରିବ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଝଡ଼ ଏବଂ ଘୂର୍ଣ୍ଣିବଳୟରୁ ମଧ୍ୟ ରକ୍ଷା କରିପାରିବ। ତାଳ ଗଛ ଅନ୍ୟ
ଗଛଠାରୁ ଅଧିକ ଶକ୍ତିଶାଳୀ ଏବଂ ଘଣ୍ଟା ପ୍ରତି ୧୪୫ ମାଇଲ ପର୍ଯ୍ୟନ୍ତ ପବନକୁ ସହ୍ୟ କରିପାରିବ। ଏଥିରୁ ତେଲ, କାଠ, ବୁଣା ସାମଗ୍ରୀ, ଖାଦ୍ୟ, ପାନୀୟ ଏବଂ ଇନସୁଲିସନ୍ ମଧ୍ୟ ଉତ୍ପାଦନ କରିହେବ। ବିଶେଷଜ୍ଞମାନେ କହିଛନ୍ତି ଯେ ବାତ୍ୟା ଓ ବଜ୍ରପାତ ପ୍ରବଣ ଜିଲ୍ଲାମାନଙ୍କରେ ତାଳ ଗଛ ସମେତ ଅନ୍ୟ ଲମ୍ୱା ଗଛର ସଂଖ୍ୟା ହ୍ରାସ ପାଇବାରୁ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ବଢ଼଼ିବାରେ ଲାଗିଛି। ଅବଶ୍ୟ ଏହି ଗଛଗୁଡ଼ିକ ବଜ୍ରପାତକୁ ପ୍ରତିରୋଧ କରେ ନାହିଁ, କିନ୍ତୁ ଏହା ବଜ୍ରପାତର ପଥକୁ ନିୟନ୍ତ୍ରଣ କରିପାରିବ।
ପୂର୍ବରୁ ତାଳ ଗଛ ଲୋକମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ସହିତ ଜଡ଼ିତ ଥିଲା। ଗ୍ରାମାଞ୍ଚଳରେ ଏହି ଗଛର ସଂଖ୍ୟା ଅଧିକ ଥିବାରୁ ଲୋକେ ବଜ୍ରପାତରୁ ରକ୍ଷା ପାଇ ପାରୁଥିଲେ। ତେବେ ସହରୀକରଣ ଏବଂ ଭିତ୍ତିଭୂମି ବିକାଶ ହେତୁ ଗ୍ରାମଗୁଡ଼ିକରେ ତାଳ ବୃକ୍ଷ ସଂଖ୍ୟା ହ୍ରାସ ପାଇବାରେ ଲାଗିଲା। ବଜ୍ରପାତରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ୨୦୧୭ ମସିହାରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତାଳ ମଞ୍ଜି ବୁଣିବାକୁ ଆହ୍ୱାନ ଦେଇଥିଲେ। ସେହିଭଳି ଏକ କାର୍ଯ୍ୟକ୍ରମ ଥାଇଲ୍ୟାଣ୍ଡରେ ମଧ୍ୟ ସଫଳ ହୋଇସାରିଛି। ବଜ୍ରପାତ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ୨୦୧୮ ରେ ତାଳ ଚାରାରୋପଣକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶାର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଜଙ୍ଗଲ ସୀମା, ରାଜପଥ ଏବଂ ଉପକୂଳବର୍ତ୍ତୀ ଗ୍ରାମରେ ତାଳ ଗଛ ଲଗାଇବା ପାଇଁ ‘ମିଶନ ତାଳ’ ଆରମ୍ଭ କରିଥିଲେ। ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଚାଷ ଜମି ହୁଡ଼ାରେ ତାଳ ବିହନ ଲଗାଇବାକୁ ଯୋଜନା କରିଥିଲେ ଏବଂ ରାଜ୍ୟର ୨୫ଟି ଜିଲ୍ଲାରେ ବହୁମୁଖୀ ଆଶ୍ରୟସ୍ଥଳୀରେ ଓଡ଼ିଶା ସରକାର ‘ବଜ୍ର ସୁରକ୍ଷା’ ବ୍ୟବସ୍ଥା ମଧ୍ୟ ସ୍ଥାପନ କରିଛନ୍ତି। ରାଜ୍ୟ ସରକାର ଜଙ୍ଗଲ ଅଧିକାରୀମାନଙ୍କୁ ନିର୍ବନ୍ଧ ଜମି ଏବଂ ରାସ୍ତା କଡ଼ରେ ତାଳ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ତାଳ ନର୍ସରୀ ସୃଷ୍ଟି କରିବାକୁ ସରକାର ଅନ୍ତର୍ଜାତୀୟ ସଂସ୍ଥା ଓ ଦେଶର ବେସରକାରୀ ସଂସ୍ଥାମାନଙ୍କୁ ନିମନ୍ତ୍ରଣ କରିଛନ୍ତି।
ଚଳିତବର୍ଷ ୧୯ ଲକ୍ଷ ତାଳ ଚାରାରୋପଣ ପାଇଁ ନିକଟରେ ବନ ବିଭାଗ ନିଷ୍ପତ୍ତି ନେବା ସହିତ ଏହାର ଅବାଧ କଟା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି, ଯାହା ଅତ୍ୟନ୍ତ ଖୁସିର କଥା। କିନ୍ତୁ ସରକାରଙ୍କୁ ଅନୁରୋଧ ଯେ କେବଳ ତାଳ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନେଲେ ହେବନାହିଁ, ବରଂ ଏହାର ରକ୍ଷଣାବେକ୍ଷଣ ଓ ସଠିକ୍ ଯତ୍ନ ନେବା ଉପରେ କିପରି କଡ଼ା ଯାଞ୍ଚ କରାଯାଇ ପାରିବ ସେଥିପ୍ରତି ବନ ବିଭାଗ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଅନ୍ତୁ। କାରଣ ତାଳ ଗଛ ସହିତ ପ୍ରତିଟି ଜୀବନର ସୁରକ୍ଷା ମଧ୍ୟ ଜଡ଼ିତ।
ଅମୀୟ ଭୂଷଣ ନାୟକ
ମୋ: ୮୯୧୭୬୨୯୨୧୪, ସିମୁଳିଆ, ବାଲେଶ୍ୱର