ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀ ଉପକଣ୍ଠରେ ବିକ୍ରି ହେଉଛି ସରକାରୀ ଜମି, ରାତାରାତି ଗଢ଼ିଉଠୁଛି ବସ୍ତି

ଭୁବନେଶ୍ୱର : ରାଜଧାନୀରେ ଘର ଖଣ୍ଡେ କରିବା ଅନେକଙ୍କ ପାଇଁ ସ୍ୱପ୍ନ। ଏପରିସ୍ଥଳେ ମଧ୍ୟବିତ୍ତ ପରିବାରର ବ୍ୟକ୍ତିଟିଏ ଜମି ଖଣ୍ଡେ ପାଇ ଘର କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ଲଗାଇ ଦେଉଛି। ଏହାର ସୁଯୋଗ ନେଇ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଜମି ଦଲାଲ୍‌‌। କେଉଁଠି ସରକାରୀ ଜମିକୁ ବିକ୍ରି କରି ଦେଉଛନ୍ତି ତ ଆଉ କେଉଁଠି ମିଥ୍ୟା କାଗଜପତ୍ର ଦେଖାଇ ଜମି ବିକ୍ରି କରୁଛନ୍ତି। କିଛି କ୍ଷେତ୍ରରେ ଆଗୁଆ ଟଙ୍କା ନେଇ ଆଉ ଧରାଛୁଆଁ ମଧ୍ୟ ଦେଉନାହାନ୍ତି।

ଦଲାଲ୍‌‌ ଓ ଠକଙ୍କ ଯନ୍ତାରେ କେବଳ ସାଧାରଣ ବର୍ଗର ଲୋକେ ନୁହନ୍ତି ବହୁ ଶିକ୍ଷିତ ଲୋକ ବି ପଡ଼ିଛନ୍ତି। ଏଭଳି ଠକେଇ ଅଭିଯୋଗ ଉପକଣ୍ଠବର୍ତ୍ତୀ ଚନ୍ଦକା, ପଥରଗାଡ଼ିଆ, ଭରତପୁର, ଶ୍ୟାମପୁରଠାରୁ ଆରମ୍ଭ କରି ତମାଣ୍ଡୋ, ପାତ୍ରପଡ଼ା ଆଦି ଅଞ୍ଚଳରେ ଜମି ମାଫିଆ ବେଶ୍‌‌ ସକ୍ରିୟ। ରାଜଧାନୀ ଓ ଏହାର ଉପକଣ୍ଠରେ ଦୀର୍ଘଦିନ ଧରି ପଡ଼ି ରହିଥିବା ସରକାରୀ ଜମିକୁ କିଛି ଦଲାଲ୍‌‌ ମାଡ଼ି ବସୁଛନ୍ତି। ଗୋଚର ଠାରୁ ଆରମ୍ଭ କରି ଜଙ୍ଗଲ ଜମି ପର୍ଯ୍ୟନ୍ତ, କିଛି ବି ଛାଡ଼ୁ ନାହାନ୍ତି। ପ୍ରାଥମିକ ପର୍ଯ୍ୟାୟରେ ସେମାନେ ସରକାରୀ ଜମିକୁ ତାରବାଡ଼ ଦ୍ୱାରା ଆବଦ୍ଧ କରି ଦେଉଛନ୍ତି। ପରେ ନିର୍ଦ୍ଦିଷ୍ଟ ମାପରେ ଜମିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି।

ସେହିଭଳି ରାଜଧାନୀ ସହର ଭିତରେ ଥିବା ବିଭିନ୍ନ ସରକାରୀ ଜମିରେ ମାଫିଆମାନେ ଟିଣ, ଝାଟିମାଟି ଘର କରି ତାଙ୍କ ସମ୍ପର୍କୀୟଙ୍କୁ ପ୍ରଥମେ ଥଇଥାନ କରୁଛନ୍ତି। ପରବର୍ତ୍ତୀ ସମୟରେ ଏହିସବୁ ଘରକୁ ଭଡ଼ାରେ ଲଗାଉଛନ୍ତି ଓ ସେଗୁଡ଼ିକ ବିକ୍ରି ମଧ୍ୟ କରି ଦେଉଛନ୍ତି। ଫଳରେ ସରକାରୀ ଜାଗା ଉପରେ ଗଢ଼ିଉଠୁଛି ଗୋଟାକ ପରେ ଗୋଟାଏ ବସ୍ତି ଓ ଜନବସତି। ଏସବୁ ଘରଗୁଡ଼ିକରେ ଯେଉଁମାନେ ଭଡ଼ାରେ ରହୁଛନ୍ତି ଦୁଇରୁ ତିନିବର୍ଷ ପରେ ସେଗୁଡ଼ିକୁ ସେହିମାନଙ୍କୁ ହିଁ ବିକ୍ରି କରାଯାଉଛି ଓ ସଂଗଠିତ କରି ଜମିର ପଟ୍ଟା ପାଇଁ ଦାବି କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱରର ଅନେକ ବସ୍ତିରେ ଦଲାଲ୍‌‌ମାନେ ଏବେ ବି ସକ୍ରିୟ ହୋଇଛନ୍ତି। ବିଶେଷକରି ସରକାରଙ୍କ ଜମିପଟ୍ଟା ନେଇ ଘୋଷଣା ହେବା ପରେ ସେମାନଙ୍କ ଦଖଲରେ ଥିବା ବସ୍ତିର ଘରଗୁଡ଼ିକୁ ଚଢ଼ା ଦାମ୍‌‌ରେ ବିକ୍ରି କରୁଛନ୍ତି। କେବଳ ରାଜଧାନୀ ସହରରେ ନୁହେଁ ରାଜଧାନୀ ଉପକଣ୍ଠବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ନୂଆନୂଆ ବସ୍ତି ଗଢ଼ିଉଠିବା ପଛରେ ଏଭଳି ଦଲାଲଙ୍କ ସମ୍ପୃକ୍ତି ଜଣାପଡ଼ିଛି।

କେତେକ ଦଲାଲ୍‌‌ ସରକାରୀ ଜମିକୁ ଅକ୍ତିଆରକୁ ନେଇ ସେଗୁଡ଼ିକରେ ପାଚେରି ବୁଲାଇ ଦେଉଛନ୍ତି ଓ କିଛିବର୍ଷ ଗଲା ପରେ ସେଗୁଡ଼ିକ ପ୍ଲଟିଂ କରି ବିକ୍ରି କରୁଛନ୍ତି। ପଥରଗାଡ଼ିଆ ଠାରେ ଥିବା ଛୋଟ ଜଙ୍ଗଲ କିସମର ପ୍ରାୟ ୫ଏକର ଜମିକୁ ମାଫିଆମାନେ ନିଜ ଅକ୍ତିଆରକୁ ନେଇ ପ୍ଲଟିଂ କରି ବିକ୍ରି କରୁଛନ୍ତି। ହେଲେ ଏଯାଏଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନାହିଁ। ସେପଟେ ସରକାରୀ ଜମି କିଣୁଥିବା ଏମିତିକି କ୍ରେତାଙ୍କ ମନ ବୁଝିବା ପାଇଁ କୋର୍ଟ ପେପରରେ ଏଗ୍ରିମେଣ୍ଟ୍‌‌ ମଧ୍ୟ କରୁଛନ୍ତି। ଯେଉଁଥିରେ ପ୍ରକୃତ ବିକ୍ରେତାଙ୍କ ସମ୍ପର୍କରେ କିଛି ଉଲ୍ଲେଖ ରହୁନାହିଁ।

କିଣିଥିବା ବ୍ୟକ୍ତି ଏ ନେଇ ଅଦାଲତକୁ ଦୌଡ଼ି ଦୌଡ଼ି ପରବର୍ତ୍ତୀ ସମୟରେ ନୟାନ୍ତ ହେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୧୦ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ରାଜଧାନୀ ଉପକଣ୍ଠରେ ଜମିବାଡ଼ି ବିବାଦ ପରିମାଣ ବହୁଗୁଣିତ ହୋଇଛି। କେତେକ ମାମଲା ଥାନାରେ ଗଡ଼ୁଛି ତ ଆଉ କେତେକ ମାମଲା ଏବେ ବି ଅଦାଲତରେ ବିଚାରାଧୀନ ଚାଲିଛି। ଅନେକ କ୍ଷେତ୍ରରେ ଜମିବାଡ଼ିକୁ କେନ୍ଦ୍ରକରି ମାର୍‌‌ପିଟ୍‌‌ ଉଗ୍ରରୂପ ଧାରଣ କରୁଛି। ଯାହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Leave A Reply

Your email address will not be published.