ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାର୍ଯ୍ୟ କରିବା ମୋ ପାଇଁ ଆଶୀର୍ବାଦ : କାର୍ତ୍ତିକ ପାଣ୍ଡିଆନ

ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରିଛି ମୋର ଭବିଷ୍ୟତ

ଭୁବନେଶ୍ବର : ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ। ଏନେଇ ସେ ନିଜେ ଆଜି ବଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି। କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ‘ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ।’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସର୍ବଭାରତୀୟ ପ୍ରଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ରଖିଛନ୍ତି ‘୫-ଟି’ ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ। ସେ କହିଛନ୍ତି ଯେ ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି।

ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅନେକ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି। ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି। କେହିକେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ଆପଣ ସମସ୍ତଙ୍କୁ ମୁଁ ଅତ୍ୟନ୍ତ ବିନମ୍ର ଭାବରେ ଗୋଟିଏ ଉତ୍ତର ଦେବି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ମୋର ସୌଭାଗ୍ୟ ମନେ କରୁଛି। ଆଗାମୀ ନିର୍ବାଚନରେ ରାଜ୍ୟର ସବୁ ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ତାଙ୍କ ସହ ଠିଆ ହେବି। ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବି। ଏହି ପରିବାରରେ ମୁଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛି। ଦଳର ଲକ୍ଷଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନ ଥିଲା, ଏବେ ତାହା ମୋତେ ମିଳିଛି। ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Leave A Reply

Your email address will not be published.