ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ନାନବେଦୀରେ ଦିବ୍ୟସ୍ନାନ ପରେ ଦୁର୍ଲଭ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିର ସ୍ନାନବେଦୀରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରୁଛନ୍ତି। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ‌ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ସକାଳୁ ପ୍ରବଳ ଖରା ଓ ଗୁଳୁଗୁଳି, ଆଉ ଏହାପରେ ଅପରାହ୍ନରେ ପ୍ରବଳ ବର୍ଷାରେ ଭିଜିବା ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି।


ନୀତିକାନ୍ତି ଅନୁଯାୟୀ, ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ଭୋର୍‌ରୁ ଶ୍ରୀଜିଉଙ୍କଧାଡ଼ି ପହଣ୍ଡି ଆରମ୍ଭ କରାଯାଇଥିଲା । ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା । ଏହା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଛନ୍ତି।


ଏହାପରେ ୩ଟାରେ ଛେରାପହଁରା ନୀତି ସମ୍ପନ୍ନ ହେବା  ପରେ ୩ଟା ୪୦ରୁ  ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେଉଛି।  ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।


ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି ।


ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୋଟ ୬୮ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିଛନ୍ତି।

Leave A Reply

Your email address will not be published.