ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜି, ବିରୋଧୀଙ୍କ ସମରସଜ୍ଜା

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ତଥା ସ୍ବତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ୧୦ ଦିନ ଧରି ଚାଲିବାକୁ ଥିବା ଅଧିବେଶନରେ ମୋଟ ୮ଟି ବୈଠକ ବସିବ। ସର୍ବପ୍ରଥମେ କାମଚଳା ବାଚସ୍ପତି (ପ୍ରୋଟେମ ସ୍ପିକର) ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳେ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇବେ। ପରେ ବାଚସ୍ପତି ସଂସଦରେ ପହଞ୍ଚି ଦିବା ୧୧ଟାରୁ ଲୋକସଭା ଅଧିବେଶନ ଆରମ୍ଭ ପାଇଁ ଘୋଷଣା କରିବେ।
ଅଷ୍ଟାଦଶ ଲୋକସଭାର ଏହା ପ୍ରଥମ ସିଟିଂ ହୋଇଥିବାରୁ ଉପସ୍ଥିତ ସାଂସଦମାନେ ପ୍ରଥମେ କିଛି କ୍ଷଣ ମୌନ ରହିବେ। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ନିର୍ବାଚିତ ସାଂସଦଙ୍କ ତାଲିକା ପ୍ରୋଟେମ୍ ବାଚସ୍ପତି ମହତାବଙ୍କ ଟେବୁଲରେ ରଖିବେ। ତା’ପରେ ପ୍ରୋଟେମ୍ ସ୍ପିକର ଲୋକସଭାର ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ କରିବାକୁ କହିବେ। ପ୍ରଧାନମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିସାରିବା ପରେ ପ୍ରୋଟେମ୍ ବାଚସ୍ପତି ତାଙ୍କୁ ଆସନ୍ତା ୨୬ରେ ବାଚସ୍ପତି ନିର୍ବାଚନ ସରିବା ଯାଏଁ ସହାୟତା ଦେବାକୁ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ଚେୟାରପର୍ସନ୍‌ସ ପ୍ୟାନେଲ୍‌ରେ ଥ୍‌ବା ୫ଜଣ ସାଂସଦଙ୍କୁ ଶପଥପାଠ କରାଇବେ। ତା’ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ ଓ ତା’ପର ଦିନ ବାକି ସାଂସଦ ଶପଥ ନେବେ। ଏହା ପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ।

ଅନ୍ୟପକ୍ଷରେ ୨୭ ତାରିଖରେ ରାଜ୍ୟସଭାର ୨୬୪ତମ ଅଧିବେଶନ ଆରମ୍ଭ ହେବ। ଏହି ଦିନ ସଂସଦର ଉଭୟ ସଦନ ଲୋକସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସମ୍ବୋଧନ କରିବେ। ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ବିତର୍କ ଚାଲିବ। ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୨ କିମ୍ବା ୩ରେ ବିତର୍କ ନେଇ ନିଜ ବିବୃତି ରଖିବେ। ତା’ପରେ ସଂସଦର ଉଭୟ ସଦନ ଜୁଲାଇ ୨୧ ଯାଏ ବନ୍ଦ ରଖାଯିବ। ୨୨ ତାରଖରେ ସଂସଦ ଅଧିବେଶନ ଆହୂତ ହୋଇ ବଜେଟ୍ ଉପସ୍ଥାପନ ହେବ।

ଲୋକସଭା ନିର୍ବାଚନରେ ବିଜେପି ଏକକ ବହୁମତ ପାଇନାହିଁ। ସହଯୋଗୀଙ୍କ ସମର୍ଥନରେ ତୃତୀୟ ଥର ପାଇଁ ଏନ୍‌ଡିଏ ମେଣ୍ଟ କ୍ଷମତାସୀନ ହୋଇଛି। ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦୀ ମେଣ୍ଟ ସରକାରର ନେତୃତ୍ବ ନେଉଛନ୍ତି। ଦଶ ବର୍ଷରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ମଜବୁତ ବିରୋଧୀ ଅଛନ୍ତି। ଗତ ସପ୍ତାହରେ ନିଟ୍‌ ପରୀକ୍ଷା ବିଭ୍ରାଟ, ତିନି ଅପରାଧିକ ଆଇନ, ଲୋକସଭା ନିର୍ବାଚନ ପରେ ସେୟାର ବଜାରରେ ହୋଇଥିବା ଗଡ଼ବଡ଼ ଆଦିକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପାଇଁ ସମରସଜ୍ଜା ଆରମ୍ଭ କରିଦେଇଛି। ଏକ୍‌ଜିଟ୍ ପୋଲ୍‌ରେ ବିଜେପିର ତଥା ଏନ୍‌ଡିଏ’ର ମହାବିଜୟର ଆକଳନ ପରେ ଷ୍ଟକ୍ ମାର୍କେଟରେ ନିବେଶକମାନଙ୍କୁ ଅଚାନକ ଲକ୍ଷ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିବା ପ୍ରସଙ୍ଗରେ ମଧ୍ୟ ବିପକ୍ଷ ଦଳ ସରକାରଙ୍କୁ ପ୍ରଶ୍ନ କରିପାରନ୍ତି। ଏତଦ୍‌ବ୍ୟତୀତ ଖାଦ୍ୟ ପଦାର୍ଥ ସମେତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ବିଷୟରେ ସଂସଦରେ ବିତର୍କ ପାଇଁ ମଧ୍ୟ ବିପକ୍ଷ ବ୍ଲକ୍ ସରକାରଙ୍କୁ ଆହ୍ବାନ ଦେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ନିଟ୍‌ ୟୁଜି ପରୀକ୍ଷା ବିଭ୍ରାଟଟି ଏକ ଘୋଟାଲା। ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ)ର ସାଧୁତା ଓ ଯୋଗ୍ୟତା ଉପରେ ମଧ୍ୟ ପ୍ରଶ୍ନ ଚିହ୍ନ ଲାଗିଛି। ନିଟ୍‌ର ଡିଜାଇନ୍‌ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରିବ।

Leave A Reply

Your email address will not be published.