ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଛାତିଥରା ଦୁର୍ଘଟଣା : ଡିଭାଇଡର ଡେଇଁ ଟ୍ରକ୍‌‌ରେ ପିଟିହେଲା କାର୍‌‌, ୨ ମୃତ

ଭୁବନେଶ୍ୱର : ୧୬ ନମ୍ୱର ଜାତୀୟ ରାଜପଥର ତମାଣ୍ଡୋ ହ୍ୟୁଣ୍ଡାଇ ସୋ’ରୁମ ନିକଟରେ ଦୁର୍ଘଟଣା ଘଟିଛି। ଏକ କାର୍‌‌ ଡିଭାଇଡର ଡେଇଁ ଟ୍ରକ୍‌‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ଡାମରା ଅଞ୍ଚଳରେ ରହୁଥିବା ଜଗତସିଂହପୁରର ବିଶ୍ୱଜିତ ରାୟ (୨୧)।

ମିଳିଥିବା ସୂଚନା ଅନୁସାରେ, ବିଶ୍ୱଜିତ, ସୌରଭ ଲେଙ୍କା, ସୌରଭ ଭୂୟାଁ, ସତ୍ୟରଞ୍ଜନ ଦାସ ଓ ଏଚ୍‌‌. ରଥ ରସୁଲଗଡ଼ ଅଞ୍ଚଳରେ ରୁହନ୍ତି। ରବିବାର ସକାଳେ ୫ ଜଣ ମିଶି ବରୁଣେଇ ପାହାଡ଼କୁ ଯାଇଥିଲେ। ସେଠାରେ ଭୋଜିଭାତ ସାରି ସନ୍ଧ୍ୟାରେ ଭୁବନେଶ୍ୱର ଫେରୁଥିଲେ। ସେମାନେ ଫେରୁଥିବା ନାଲି ରଙ୍ଗର କାରଟି ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ତମାଣ୍ଡୋ ହ୍ୟୁଣ୍ଡାଇ ସୋରୁମ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର୍‌‌ ଆରପଟକୁ ଚାଲି ଯାଇଥିଲା। ଆରପଟ ରାସ୍ତାରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଆଡ଼କୁ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ କାର୍‌‌ ଭିତରେ ଥିବା ୫ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ଖବରପାଇ ତମାଣ୍ଡୋ ଥାନା ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌‌ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ସେଠାରେ ଡାକ୍ତର ବିଶ୍ୱଜିତଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ୱଜିତ ଏକ ବିସ୍କୁଟ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ମାଲବାହୀ ଟ୍ରକ୍‌‌ଟି ଦୁର୍ଗାପୁରରୁ ଚେନ୍ନାଇ ଅଭିମୁଖେ ଯାଉଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ କାର ଓ ଟ୍ରକକୁ ଜବତ କରିଛି। ଟ୍ରକ ଚାଳକକୁ ଥାନାରେ ଅଟକ ରଖିଛି। ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ସହିତ ଚଳାଚଳକୁ ସ୍ୱାଭାବିକ କରିଥିଲା।

ସେହିପରି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଦୁଇ ଜଣ ଯୁବକ ଏକ ବାଇକ୍‌‌ରେ ଫାୟାର ଷ୍ଟେସନ ଛକରୁ ଖଣ୍ଡଗିରି ଆଡ଼କୁ ଯାଉଥିଲେ। ଏକ କାର୍‌‌ ସେମାନଙ୍କୁ ଧକ୍କା ଦେବାରୁ ଉଭୟ ଗାଡ଼ିରୁ ଛିଟିକି ପଡ଼ିଥିଲେ। ସେହି ସମୟରେ ଏକ ଟ୍ରକ୍‌‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଦୁଇ ଯୁବକଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌‌ସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ପୁରୀଘାଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.