ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଞ୍ଚା ଉପରେ ‘ଡିଜିଟାଲ ଇଣ୍ଡିଆ’

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ଡିଜିଟାଲ ଇଣ୍ଡିଆ ନାରା ଭେଳିକି ପାଲଟିଛି। ଏଠାରେ ମୋବାଇଲ ନେଟୱର୍କ ନ ଥିବାରୁ ଗ୍ରାମବାସୀ ଗଛ ଉପରେ ମଞ୍ଚାକରି ନେଟୱର୍କ ନିମନ୍ତେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ରହୁଥିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସମଗ୍ର ଭାରତବର୍ଷରେ ଡିଜିଟାଲ ଆନ୍ଦୋଳନ ସମୟରେ ଏଠାରେ ସାଧାରଣ ମୋବାଇଲ ସେବା ମିଳିବା କଷ୍ଟକର ହୋଇପଡ଼ିଛି। ଏପରିକି କୋମଳମତି ଶିଶୁମାନେ ପାଠ ପଢ଼ିବା ନିମନ୍ତେ ପାହାଡ଼ କିମ୍ବା ଗଛ ଉପରେ ଚଢ଼ି ମଞ୍ଚା କରି ପାଠ ପଢ଼ିବାର ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି।

ସମଗ୍ର ଭାରତ ବର୍ଷରେ ଗାଁ ଠାରୁ ସହର ସବୁଠାରେ ଡିଜିଟାଲ ଇଣ୍ଡିଆର ନାରା; କିନ୍ତୁ ବାସ୍ତବରେ ଆଜି ପର୍ଯ୍ୟନ୍ତ ‘ଡିଜିଟାଲ ଇଣ୍ଡିଆ’ କେବଳ ଏକ ସ୍ଲୋଗାନରେ ସୀମିତ ରହିଯାଇଛି। ଆଜିବି ଗାଁ ଗହଳିର ଲୋକେ ମୋବାଇଲ ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। କାମାକ୍ଷାନଗର ଉପଖଣ୍ଡ ସଦର ମହକୁମାଠାରୁ ମାତ୍ର ୨୦ କିଲୋମିଟର ଦୂର ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ କାଦବସନ୍ତ ଗ୍ରାମରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଏବେ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି। ଯାହା ଫଳରେ କୌଣସି ସୁବିଧା, ଅସୁବିଧା, କିମ୍ବା ଜରୁରୀ ଆବଶ୍ୟକତା ସହିତ ମେଡିକାଲ ସେବାରୁ ବଞ୍ଚିତ ହୋଇ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ଆଜି ପର୍ଯ୍ୟନ୍ତ କୌଣସି ମୋବାଇଲ ନେଟୱର୍କ ଉପଲବ୍ଧ ହୋଇନାହିଁ। ଘର ଭିତରେ ମୋବାଇଲ ନେଟୱର୍କ ଆସୁ ନ ଥିବାରୁ ପାହାଡ଼, ଜଙ୍ଗଲ ଓ ବଡ଼ ଗଛରେ ମଞ୍ଚା ବାନ୍ଧି ମୋବାଇଲରେ ଯୋଗାଯୋଗ କରୁଛନ୍ତି।

ଯାହା ଫଳରେ ଆବଶ୍ୟକ ସମୟରେ ମୋବାଇଲ ସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଖରା, ବର୍ଷା ଓ ଶୀତ ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଠ ପଢ଼଼ୁଥିବା କୁନିକୁନି ପିଲାମାନେ ମୋବାଇଲ ମାଧ୍ୟମରେ ପାଠ ପଢ଼଼ୁଥିବା ବେଳେ ଘରେ ନେଟୱର୍କ ଆସୁ ନଥିବାରୁ ବାଧ୍ୟହୋଇ ପାହାଡ଼ ଉପରେ ବିପଦସଂକୁଳ ପରିବେଶରେ ପାଠ ପଢ଼ୁଛନ୍ତି। ଖରାଦିନେ ପାହାଡ଼ ଉପରେ ପାଠ ପଢ଼ିପାରୁଥିବା ବେଳେ ବର୍ଷା ଓ ଶୀତ ଦିନରେ ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଥିବା ପିଲାମାନେ ପ୍ରକାଶ କରିଛନ୍ତି। ଜୟପୁରା କାଟେଣୀ ପଞ୍ଚାୟତରେ ମୋବାଇଲ ସେବା ପାଇଁ ଜୟପୁରା କାଟେଣୀ ଗାଁ ଠାରେ ଏକ ମୋବାଇଲ ଟାୱାର ନିର୍ମାଣ ହୋଇଥିଲେ ହେଁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ। ଫଳରେ କାଦବସନ୍ତ ଗାଁରେ ଥିବା କଲୋନୀ ସାହି ଓ ଦେହୁରୀ ସାହିର ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ମୋବାଇଲ ସେବା ମିଳୁନାହିଁ।

ମୋବାଇଲରେ କଥା ହେବା ପାଇଁ ଗାଁ ଠୁ ଦୂର ପାହାଡ଼ ନିକଟରେ ଗଛରେ ମଞ୍ଚା ବାନ୍ଧି କିମ୍ବା ଗଛରେ ମୋବାଇଲକୁ ଝୁଲାଇ ଘଣ୍ଟାଘଣ୍ଟା ଧରି ନେଟୱର୍କକୁ ଅପେକ୍ଷା କରୁଛନ୍ତି। ଗାଁ ଲୋକ ୧୦୮ ଆମ୍ବୁଲାନ୍ସ ସେବାଠାରୁ ଆରମ୍ଭ କରି ଅଗ୍ନିଶମ ସେବା, ଥାନା ଇତ୍ୟାଦି ଆବଶ୍ୟକ ସେବାରୁ ବଞ୍ଚିତ ହେଉଛନ୍ତି। ଗାଁର ପ୍ରାୟ ଲୋକ ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମୋବାଇଲ ସେବା ପାଇବା ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅସମର୍ଥ ହେଉଛନ୍ତି। ମୋବାଇଲ ସେବା ନେଇ ଗ୍ରାମବାସୀ କିଛିବର୍ଷ ପୂର୍ବରୁ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ହୋଇପାରିନାହିଁ। ଆଜିର ଡିଜିଟାଲ ଇଣ୍ଡିଆ ସହ ଏମାନଙ୍କ କୌଣସି ସମ୍ପର୍କ ନଥିବା ମନେହୁଏ। ଏବେ ଉଭୟ ଦେଶ ତଥା ରାଜ୍ୟରେ ଡିଜିଟାଲ ଇଣ୍ଡିଆର ନାରା ଦେଇ ସରକାର ଚାଲୁଥିବାରୁ ସରକାରୀ ସ୍ତରରେ ମୋବାଇଲ ସେବା ପାଇବା ନେଇ ଆଶାବାଦୀ ୫୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଅପେକ୍ଷା କରି ରହିଛନ୍ତି। ଆଜିର ସମୟରେ ସମାଜର ପ୍ରତ୍ୟେକ ବ୍ୟକ୍ତି ପାଇଁ ମୋବାଇଲ ବିଶେଷ ମହତ୍ୱ ରଖୁଥିବା ବେଳେ ଏଥିରୁ କାଦବସନ୍ତ ଗ୍ରାମବାସୀ ବଞ୍ଚିତ ହୋଇ ରହିଛନ୍ତି। ଜଙ୍ଗଲ ଓ ପାହାଡ଼ ମଝିରେ ଥିବା ଏହି ଗାଁ ଲୋକେ କିଭଳି ମୋବାଇଲ ସେବା ପାଇପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.