ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ ମାଲିକଙ୍କ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାଣକାଟ ଘଟଣା: ସନ୍ଧ୍ୟା ସୁଦ୍ଧା ବସ ଚଳାଚଳ ସ୍ୱାଭାବିକ ନେଇ ବୈଠକରେ ନିଷ୍ପତ୍ତି

ବାରିପଦା: ବାରିପଦା ଘରୋଇ ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ହାଣକାଟ ଘଟଣାକୁ ନେଇ ବସ ମାଲିକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବସ ଚଳାଚଳକୁ ନେଇ ଆଗାମୀ ନିଷ୍ପତ୍ତି ବାବଦରେ ଘରୋଇ ବସ ମାଲିକ ସଂଘର ଉତ୍ତର ଓଡ଼ିଶା ଜୋନସ୍ତରୀୟ ବୈଠକ ବେତନଟୀ ସ୍ଥିତ ଧର୍ମଶାଳାରେ ଅନୁଷ୍ଠିତ ହୋଇଛି।

ବାସୁଦେବପୁର, ବାରିପଦା, ବାଲେଶ୍ଵର, ଜଳେଶ୍ବର, ଭଦ୍ରକର ଘରୋଇ ବସ ମାଲିକ ମାନେ ବୈଠକରେ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ବସ ଚଳାଚଳ ବିବାଦକୁ ନେଇ ଆଲୋଚନା ହୋଇ ରବିବାର ସନ୍ଧ୍ୟା ସୁଦ୍ଧା ବସ ଚଳାଚଳ ସ୍ବାଭାବିକ ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଏଥି ସହିତ ବସ ମାଲିକ ସଂଘର କର୍ମକର୍ତ୍ତା ମାନେ ବାରିପଦା ଠାରେ ଜିଲ୍ଲା ପ୍ରଶାସନ ସହିତ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆଲୋଚନା କରିବେ ବୋଲି କହିଛନ୍ତି। ରାଇରଙ୍ଗପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମା ଦୁର୍ଗା ନାମକ ବସଟି ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରିବା ସମୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରଣାସ୍ତ୍ର ଧରି ବସ ମାଲିକ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାକୁ ନେଇ ୬ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ରହିଛନ୍ତି। ଏଥି ସହିତ ୪ଜଣ ବସ ମାଲିକଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଯାହାକୁ ନେଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାବ୍ୟାପି ଘରୋଇ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି। ତେବେ ବସ ମାଲିକ ସଂଘର ଆଗାମୀ ପଦକ୍ଷେପ କଣ ରହିବ ସେ ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ତ ବସ ମାଲିକ ମାନେ ନିଜର ଯୁକ୍ତି ଉପସ୍ଥାପନ କରିବା ପରେ ନିଷ୍କର୍ଷରେ ପହଞ୍ଚିଥିଲେ।

Leave A Reply

Your email address will not be published.