ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗଡ଼ୁ ଜଳରେ ସ୍ନାନ କରି ଜ୍ୱରରେ ପଡ଼ି ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଶ୍ରୀଜୀଉ। ଉପଶମ ପାଇଁ ଅଣସର ପିଣ୍ଡିରେ ବିଗ୍ରହମାନଙ୍କ ଗୁପ୍ତସେବା କରିବେ ଦଇତାପତି ସେବକ। ଏହି ଅଣସର ସମୟରେ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇ ନ ଥାନ୍ତି କଳାଠାକୁର। ସେଥିପାଇଁ ଏହି ଅଣସର ସମୟ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟିଯାଏ ବ୍ରହ୍ମଗିରି। ଉଭା ହୁଅନ୍ତି ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଶିଳାବ୍ରହ୍ମ ରୂପରେ। ତେଣୁ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ।

ଏଥିପାଇଁ ସଜେଇ ହୋଇଛି ଶ୍ରୀଅଲାରନାଥ ପୀଠ। ରବିବାର ଏଠାରେ ଉଭା ହେବେ ପରମେଶ୍ୱର ପରଂବ୍ରହ୍ମ ଶ୍ରୀଜଗନ୍ନାଥ। ପରମେଶ୍ୱରଙ୍କ ଆଗମନକୁ ପ୍ରତୀକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଚତୁର୍ଦ୍ଧାବିଗ୍ରହ ଚତୁର୍ଭୁଜ ନାରାୟଣ ରୂପରେ ଏଠାରେ ଦର୍ଶନ ଦେଇଥାନ୍ତି। ଅବଢ଼ା ବଦଳରେ ଖିରୀ ଭୋଗରେ ତୃପ୍ତ ହେବେ ପରମେଶ୍ୱର ଏବଂ ଭକ୍ତ। ଶ୍ରୀଅଲାରନାଥ ମନ୍ଦିରର ମଧ୍ୟବର୍ତ୍ତୀକାଳୀନ ନ୍ୟାସୀ ତହସିଲଦାର ସେବାୟତ ଏବଂ ସ୍ଥାନୀୟ ଅଲାରପୁର ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଅନବସର ଯାତ୍ରାକୁ ସୁବ୍ୟବସ୍ଥିତ କରିବାକୁ ଆଲୋଚନା କରିଛନ୍ତି। ହଜାର ହଜାର ଶ୍ରଦ୍ଧାଳୁ କିପରି ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାରିକଡ କରାଯାଇଛି। ଖରା ପାଇଁ କପଡ଼ା ପକାଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ମନ୍ଦିର ବେଢ଼ା ଚତୁଃପାର୍ଶ୍ବ ସଫେଇ କରାଯାଇଛି। ନିଯୋଗ କମିଟିର ସମ୍ପାଦକ ଲୋକନାଥ ସୁଆର, ସଭାପତି ସୁରେନ୍ଦ୍ର କୁମାର ସାହୁ, ଉପସଭାପତି ମଧୁସୁଦନ ପଣ୍ଡା ପ୍ରମୁଖ ଅନବସର ଯାତ୍ରା କିପରି ସୁରୁଖୁରୁରେ ସମାହିତ ହେବ ସେଥିଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

କୁହାଯାଏ ବର୍ଷଯାକ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ଅର୍ଜନ ମିଳିଥାଏ ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ। ଅଲାରନାଥ ପୀଠକୁ ନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି। ସେଥିମଧ୍ୟ ଗୋଟିଏ କିମ୍ବଦନ୍ତୀ ହେଉଛି ଅଣସର ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ। ଜଗନ୍ନାଥଙ୍କ ଗୁପ୍ତ ନୀତି ଚାଲିଥିବାରୁ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏଥିରେ ଦୁଃଖ ପ୍ରକାଶ କରି ମହୋଦଧିରେ ପ୍ରାଣତ୍ୟାଗ କରିବା ପାଇଁ ଯିବା ସମୟରେ ଶୂନ୍ୟ ବାଣୀ ହୋଇଥିଲ ଯେ, ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ଦର୍ଶନ ଦେବି। ମତେ ସେହିଠାରେ ହିଁ ଦର୍ଶନ କରିବ। ଏହାପରେ ଚୈତନ୍ୟ ପ୍ରାଣତ୍ୟାଗରୁ ନିବୃତ୍ତ ହୋଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ। ସେହିଦିନଠାରୁ କିମ୍ବଦନ୍ତୀ ଅନୁସାରେ ଏହି ଅଣସର ପର୍ବ ଏଠାରେ ପାଳିତ ହୋଇଥାଏ ବୋଲି କୁହାଯାଏ।

Leave A Reply

Your email address will not be published.