ବିଶ୍ବର ସବୁଠାରୁ କମ୍ ବୟସ୍କ ଲେଖିକା

ଦକ୍ଷତା ପ୍ରଦର୍ଶନ ପାଇଁ କୌଣସି ବୟସ ସୀମା ନ ଥାଏ। ଏହାକୁ ପ୍ରମାଣିତ କରିଛନ୍ତି ଇଂଲଣ୍ଡର ୫ ବର୍ଷର ବାଳିକା ବେଲା ଜେ ଡାର୍କ। ବେଲା ନୃତ୍ୟ, ଗୀତ, ଅଭିନୟ କିମ୍ବା ଚିତ୍ରକଳାରେ ନୁହେଁ, ବରଂ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ମାତ୍ର ୫ ବର୍ଷ ବୟସରେ ସେ ଗୋଟିଏ ପୁସ୍ତକ ଲେଖି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି। ବେଲା ଏବେ କିଣ୍ଡର୍ଗାର୍ଟେନ୍ରେ ପଢୁଛନ୍ତି। ସେ ଗତବର୍ଷ ଉକ୍ତ ପୁସ୍ତକଟି ଲେଖିବା ଆରମ୍ଭ କରିଥିଲେ ଏବଂ ପୁସ୍ତକ ସମ୍ପର୍କରେ ତାଙ୍କ ମାତାପିତାଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କ ଅଭିଭାବକ ବେଲାଙ୍କ କଥାକୁ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ବର୍ତ୍ତମାନ ସେ ପୁସ୍ତକଟି ଦେଖିବା ପରେ ମା’ ଚେଲ୍ସି ସାୟମେ ଏବଂ ବାପା ମାଇଲ୍ସ ଡାର୍କ ବେଲାଙ୍କର ସୃଜନଶୀଳତାକୁ ଜାଣିପାରିଛନ୍ତି।
ବେଲାଙ୍କ ରଚନାତ୍ମକ ଶୈଳୀ ଓ ଦୃଷ୍ଟିଭଙ୍ଗୀ ଉଭୟ ପିତାମାତାଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ଏଥିପାଇଁ ସେମାନେ ଗର୍ବ ଅନୁଭବ କରୁଛନ୍ତି। ‘ଦ ଲଷ୍ଟ୍ କ୍ୟାଟ୍’ ନାମକ ଏହି ପୁସ୍ତକର ବିଷୟବସ୍ତୁ ଗୋଟିଏ ବିଲେଇ ଛୁଆ ଉପରେ ଆଧାରିତ, ଯାହାଠାରୁ ବହୁତ କିଛି ଶିକ୍ଷା କରାଯାଇପାରିବ। ବେଲାଙ୍କ କାହାଣୀରେ ଗୋଟିଏ ହଜି ଯାଇଥିବା ବିଲେଇ କଥା ଲେଖାଅଛି। କାହାଣୀ ଅନୁଯାୟୀ, ଗୋଟିଏ ଛୋଟ ବିଲେଇ ତା’ର ମା’ ବିନା ବାହାରକୁ ଚାଲିଯାଏ ଏବଂ ନିରୁଦ୍ଦିଷ୍ଟ ହୋଇଯାଏ। ଏହା ପରେ ସେ ବିେଲଇ ଛୁଆଟି ତା’ ମା’କୁ ଖୋଜିଥାଏ। ତେବେ ତା’ ଜୀବନରେ ମା’ର ଭୂମିକା କ’ଣ ତାହାକୁ ବେଲା ଶବ୍ଦରେ ବର୍ଣ୍ଣନା କରିଛନ୍ତି। ଏହାର କାହାଣୀ ଅତ୍ୟନ୍ତ ଭାବପୂର୍ଣ୍ଣ। ବେଲାଙ୍କର ଏହି ପୁସ୍ତକକୁ ‘ଜିଞ୍ଜର୍ ଫାୟାର ପ୍ରେସ୍’ ପକ୍ଷରୁ ପ୍ରକାଶିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି କାହାଣୀ ସହିତ ସେହି ପୁସ୍ତକରେ ଥିବା ସବୁ ଚିତ୍ରଗୁଡ଼ିକୁ ବେଲା ନିଜେ ତିଆରି କରିଛନ୍ତି।