ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆପଣଙ୍କ ପାଇଁ କେମିତି ରହିବ ୨୦୨୨ ମସିହା, ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶି

ମେଷ:- (ଚୁ, ଚେ, ଚୋ, ଲ, ଲି, ଲୁ, ଲୋ, ଅ) ଚଳିତ ବର୍ଷ ଗତ ସମୟ ଅପେକ୍ଷା ଯଥେଷ୍ଟ ସୁଫଳ ପାଇବେ। ଶାରୀରିକ, ମାନସିକସ୍ତରରେ ସୁସ୍ଥ ରହିବେ। ଅନେକ ସମସ୍ୟାରୁ ମୁକ୍ତି ପାଇବେ। ସମାଜରେ ପ୍ରଭାବଶାଳୀ ଓ ପ୍ରତିଷ୍ଠିତ ହେବେ। ମହିଳାମାନେ ଦୃଢ଼ ମନା ଓ ଆତ୍ମନିର୍ଭରଶୀଳ ହେବେ। ମାଙ୍ଗଳିକ କାର୍ୟ୍ୟ ସମ୍ପାଦନ କରିବାରେ ଯଥେଷ୍ଟ ସମ୍ଭାବନା ରହିଛି। ନୂତନ ମୂଲ୍ୟବାନ ଦ୍ରବ୍ୟାଦି ପ୍ରାପ୍ତିର ସୁଯୋଗ ଆସିବ। ଜୀବନଧାରା ସୁଖମୟ ଓ ଉନ୍ନତି ରହିବ। ପୂର୍ବ ସମସ୍ୟାର ସମାଧାନ ହେବ। ଆର୍ଥିକ ଯୋଜନା କାର୍ୟ୍ୟକାରୀ ହେବ। ସର୍ବାଙ୍ଗୀନ ଉନ୍ନତି ଓ ସୌଭାଗ୍ୟବୃଦ୍ଧି ହୋଇପାରେ। କେତେକ କ୍ଷେତ୍ରରେ ବ୍ୟୟବୃଦ୍ଧି, ହଠାତ୍ ସମସ୍ୟା ଆସିପାରେ। ଦୂରଯାତ୍ରା ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ। ନୂତନ କର୍ମନିଯୁକ୍ତି ହୋଇପାରେ। ପ୍ରଶାସନିକ ଓ ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବିଦେଶ ଯାତ୍ରା କରିବାର ସୁଯୋଗ ଆସିପାରେ। ଶତ୍ରୁମାନେ ପ୍ରଶମିତ ହେବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଶେଷ ଭାଗରେ କିଛିଟା ଅଶାନ୍ତି ଓ ବ୍ୟୟ ବୃଦ୍ଧି ହୋଇପାରେ। ବିଦ୍ୟାର୍ଥୀମାନେ ଯତ୍ନଶୀଳ ଓ ଉଚ୍ଚଶିକ୍ଷାପ୍ରତି ଆଗ୍ରହୀ ହେବେ। ଶୁଭତ୍ୱ ବୃଦ୍ଧି ପାଇଁ ଗୁରୁଜନମାନଙ୍କୁ ସେବା ସହ କୌଣସି ଅନାଥାଶ୍ରମରେ କିଛି ଦାନ କରଣୀୟ।

ଶୁଭ ଅଙ୍କ- ୩ ଓ ୯, ଶୁଭରଙ୍ଗ- ହଳଦିଆ ଓ ମେରୁନ, ଆରାଧ୍ୟ ଦେବଦେବୀ- ହନୁମାନ / ମା’ ମଙ୍ଗଳା

ବୃଷ:- (ଇ, ଉ, ଏ, ଓ, ବ, ବି, ବୁ, ବେ, ବୋ)- ଚଳିତ ବର୍ଷ ମାନସମ୍ମାନ ଫଳପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଅଗ୍ରଗତି, କିଛିଟା ଆର୍ଥିକ ସୁଧାର ହେବାର ଜଣାଯାଏ। ଅପରପକ୍ଷରେ ସ୍ୱାସ୍ଥ୍ୟହାନି, ମାନସିକ ଦୁଶ୍ଚିନ୍ତା ସହ ବେଳେବେଳେ ବାଧାବିଘ୍ନ, ଶତ୍ରୁପୀଡ଼ା ଆଦି ପ୍ରଭାବିତ କରିପାରେ। ସାଂସାରିକ ଗୁରୁଜନମାନଙ୍କ ସଙ୍ଗେ ମତଭେଦ, ବୃଥା ଭ୍ରମଣ, ଖର୍ଚ୍ଚାନ୍ତ ଓ ମାନସିକ ଅବସାଦ ରହିପାରେ। ଯଦିଓ ଆର୍ଥକ ସ୍ଥିତି ଭଲ ରହିବ, କିନ୍ତୁ ବ୍ୟୟଭାର ବୃଦ୍ଧି ପାଇବ। ବର୍ଷର ପ୍ରଥମ ଭାଗରେ ଉଠାତ୍ ମାଲିମକଦ୍ଦମାରେ ପ୍ରଭାବିତ ହୋଇପାରନ୍ତି। କୌଣସି ନୂତନ କାର୍ୟ୍ୟରେ ସମସ୍ୟା ଦେଖାଦେଇପାରେ। ବିନା କାରଣରେ ଧନବ୍ୟୟ, ବୃଥା ଭ୍ରମଣ ଓ ସମସ୍ୟା ରହିପାରେ। ମହିଳାମାନେ ଅସ୍ଥିରମନା ରହିବେ। ପ୍ରଶାସନିକ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ, କିନ୍ତୁ ଲୋକସମ୍ପର୍କ ବଢ଼ିବ। ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି। ଆତ୍ମିକ ବା ଆଧ୍ୟାତ୍ମିକ ସାଧନ ପାଇଁ ଭଲ ରହିଛି। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ବିଦ୍ୟାର୍ଥୀମାନେ ସମୟ ସମୟରେ ଅନ୍ୟମନସ୍କ ରହିବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଭଗବାନ ମହାଦେବଙ୍କୁ ଅଭିଷେକ କରିବା ସହ ଗରିବମାନଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରଣୀୟ।

ଶୁଭ ଅଙ୍କ – ୬ ଓ ୮, ଶୁଭରଙ୍ଗ- ସିଲଭର୍‌ ବା କଳା, ଆରାଧ୍ୟ ଦେବଦେବୀ- କୁଳ ଦେବତା / ଅନ୍ନପୂର୍ଣ୍ଣା

ମିଥୁନ:- (କ, କି, କୁ, କେ, ଘ, ଛ, କୋ, ହ)- ଚଳିତ ବର୍ଷ କେତେକାଂଶରେ ସୁଫଳ ପ୍ରାପ୍ତି ହେବାର ଜଣାଯାଏ। ଶାରୀରିକ, ମାନସିକ ସୁସ୍ଥତା ଦେଖାଦେବ। କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ ହେବ। ଦୃଢ଼ ମନୋବଳ ବୃଦ୍ଧି ପାଇବ। ବର୍ଷ ଆରମ୍ଭରେ କେତେକ ସମସ୍ୟା, ଅର୍ଥାଭାବ, କାର୍ୟ୍ୟହାନି, ବନ୍ଧୁବିଚ୍ଛେଦ, ଦୁର୍ଘଟଣା, ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ଭଳି ଫଳ କେତେକାଂଶରେ ମିଳିପାରେ। ବ୍ୟସ୍ତ ବିବ୍ରତ ରହିବା ସହ ଅଭାବ ଲାଗି ରହିବ। ସାଂସାରିକ କାର୍ୟ୍ୟବ୍ୟସ୍ତତା, ହଠାତ୍ ଭ୍ରମଣ ଦେଖାଦେବ। ଚାକିରିରେ ଶେଷ ଆଡ଼କୁ ପଦମର୍ୟ୍ୟାଦା ପ୍ରାପ୍ତି ହୋଇପାରେ। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ କେତେକ ସମସ୍ୟା ଆସିଲେ ମଧ୍ୟ ସମାଧାନ ହୋଇପାରିବ। ମହିଳାମାନେ ରକ୍ଷଣଶୀଳ ହେବେ। କିନ୍ତୁ, ବେଳେବେଳେ କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ସମୟ ସମୟରେ ସାଂସ୍କୃତିକ କର୍ମରେ ଯୋଗଦାନ, ଅର୍ଥପ୍ରାପ୍ତି, ଅତିଥିଙ୍କ ଆଗମନ ହୋଇପାରେ। ଶେଷ ଭାଗରେ ଆର୍ଥିକ ଉନ୍ନତି, ଦ୍ରବ୍ୟାଦି ଲାଭ ହୋଇପାରେ। ବାଣିଜ୍ୟରେ ବିଶେଷ ଉନ୍ନତି ହୋଇପାରେ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ପ୍ରଭୁ ଶ୍ରୀଗଣେଶଙ୍କୁ ଦୂର୍ବା ଅର୍ପଣ କରିବା ସହ ଗୋସେବା କରଣୀୟ।

ଶୁଭ ଅଙ୍କ- ୪ ଓ ୬, ଶୁଭରଙ୍ଗ- ମେଟାଲିକ୍‌ ବା ଧଳା, ଆରାଧ୍ୟ ଦେବଦେବୀ- ପ୍ରଭୁ ଶ୍ରୀଜଗନ୍ନାଥ / ମା’ ଭୁବନେଶ୍ୱରୀ

କର୍କଟ:- (ହି, ହୁ, ହେ, ହୋ, ଡ, ଡ଼ି, ଡୁ, ଡ଼େ, ଡ଼ୋ)- ଚଳିତ ବର୍ଷ ବିଭିନ୍ନ ପ୍ରକାର ସମସ୍ୟା, କ୍ଷୟକ୍ଷତି ଦୁର୍ଘଟଣାଦି ପ୍ରଭାବ, ସ୍ୱାସ୍ଥ୍ୟଜନିତ ସମସ୍ୟା, ଆର୍ଥିକ ଚାପ ଭଳି ପ୍ରଭାବ ରହିପାରେ। ଅନେକ ସମୟରେ ବିଚଳିତ ଓ ମନସ୍ତାପରେ ରହିବେ। ୠଣ ପ୍ରଭାବ, ଶତ୍ରୁ ବୃଦ୍ଧି ଦେଖାଦେବ। ଶେଷ ଭାଗରେ କିଛିଟା ଶୁଭ ଅର୍ଥାତ୍ ଗୃହରେ ମାଙ୍ଗଳିକ କାର୍ୟ୍ୟ ଓ ଆନୁଷ୍ଠାନିକ କର୍ମରେ ଯୋଗଦାନ, ସନ୍ତାନ ସନ୍ତତିଙ୍କ ଉନ୍ନତି ଓ ଆଧ୍ୟାତ୍ମିକ ବା ଭଗବତ କର୍ମରେ ଉନ୍ନତି ଭଳି ସୁଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରର ବାଧାବିଘ୍ନ ଦେଇ କିଛିଟା ସୁଫଳ ମିଳିପାରେ। ବହୁ ପରିଶ୍ରମ କରି ସାମାନ୍ୟ ଫଳ ମିଳିବ। ପଡ଼ୋଶୀ ବା ସାଙ୍ଗସାଥୀଙ୍କର କିଛିଟା ସହଯୋଗ ପାଇବେ। କଳା, ବିଜ୍ଞାନ, ଶିଳ୍ପ ଓ କୃଷି କ୍ଷେତ୍ରରେ ଭଲ ଫଳ ମିଳିବ। ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପ୍ରଭାବିତ ହୋଇପାରନ୍ତି। ଚାକିରିରେ ଅବହେଳା ଓ ଅର୍ଥହାନି ହୋଇପାରେ। ପ୍ରଶାସନିକ ଅଭିଯୋଗ ଆସିବା ସହ ସ୍ୱାଭିମାନରେ କ୍ଷୁଣ୍ଣ ହୋଇପାରେ। ରାଜନୀତିରେ ଶତ୍ରୁମାନଙ୍କ ଦ୍ୱାରା ପ୍ରଭାବିତ ହେବେ। ବାଣିଜ୍ୟରେ ସମୟ ସମୟରେ ଚିନ୍ତାଜନକ ପରିସ୍ଥିତି ରହିବ। ବିଦ୍ୟାର୍ଥୀମାନେ ସଫଳ ହେବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଭଗବାନ ଶଙ୍କରଙ୍କୁ ଦୁଗ୍ଧରେ ଅଭିଷେକ କରିବା ସହ ଶ୍ୱାନମାନଙ୍କୁ ଖାଦ୍ୟ ଦିଅନ୍ତୁ।

ଶୁଭ ଅଙ୍କ- ୧ ଓ ୨, ଶୁଭରଙ୍ଗ- ପିଙ୍କ୍‌ ବା ସିଲଭର୍‌, ଆରାଧ୍ୟ ଦେବଦେବୀ- ଭଗବାନ ଶିବ / ଗଜଲକ୍ଷ୍ମୀ

ସିଂହ:- (ମି, ମୁ, ମୋ, ଟ, ଟି, ଟୁ, ଟେ) ଚଳିତ ବର୍ଷ ସାଧାରଣ ଫଳ ମିଳିବ। ଆଦ୍ୟ ଭାଗରେ କିଛିଟା ଅଧିକ ସୁଫଳ ପାଇବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଅଧିକାଂଶ ସମୟରେ ରହିବ। କର୍ମକ୍ଷେତ୍ରରେ ବହୁ ପରିଶ୍ରମ ସତ୍ତ୍ବେ  ସାମାନ୍ୟ ଫଳ ପାଇବେ। ଆର୍ଥିକସ୍ତର ଠିକ୍ ରହିବ, କିନ୍ତୁ ଅସ୍ଥିରତା କାରଣରୁ ବ୍ୟୟାଧିକ ଦେଖାଦେବ। ସାଂସାରିକ ଦୃଢ଼ମନା ଓ ଉତ୍ତମ ବୁଝାମଣା ରହିବ। ମିତ୍ର ସହଯୋଗ ଓ ନୂତନ ବନ୍ଧୁ ଲାଭ ଯୋଗ ରହିଛି। ୠଣରୁ ମୁକ୍ତି ପାଇପାରନ୍ତି। ପ୍ରେମ କ୍ଷେତ୍ରରେ ମଧ୍ୟ ଫଳ ମିଳିବ। ମହିଳାମାନେ ଅନେକ ସମୟରେ ଉଦାରମନା ଏବଂ କର୍ତ୍ତବ୍ୟନିଷ୍ଠ ରହିବେ। ଚାକିରିରେ ବେଳେବେଳେ ବିରୋଧୀ ରହିଲେ ମଧ୍ୟ ସ୍ଥାୟିତ୍ୱ ବଜାୟ ରହିବ। ପ୍ରଶାସନିକ ଅଭିଯୋଗ ଆସି ପୁନଶ୍ଚ ସମାଧାନର ଧାରା ମିଳିଯିବ। ରାଜନୀତିରେ ସାଂଗଠନିକ କାର୍ୟ୍ୟରେ ଭାଗ ନେଇ ସଫଳ ହେବେ। ଆଧ୍ୟାତ୍ମିକ ଦୃଷ୍ଟିରୁ ତୀର୍ଥସ୍ଥଳ ଭ୍ରମଣ କରିବାର ସୁଯୋଗ ଆସିପାରେ। ଶୁଭାଦି କର୍ମରେ କିଛିଟା ବିଘ୍ନ ଆସିପାରେ। କଳା, ବିଜ୍ଞାନ, ଶିଳ୍ପ ସାଧାରଣ ଫଳ ମିଳିବ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ। ବିଦ୍ୟାର୍ଥୀମାନେ ମଧ୍ୟ ଫଳ ପାଇବେ। ଶୁଭତ୍ୱ ବୃଦ୍ଧି ପାଇଁ ସୂର୍ୟ୍ୟନାରାୟଣଙ୍କୁ ପ୍ରତ୍ୟହ ଅର୍ଘ୍ୟ ପ୍ରଦାନ ସହ ଗୋଶାଳାରେ ଦାନ କରଣୀୟ।

ଶୁଭ ଅଙ୍କ- ୨ ଓ ୫, ଶୁଭରଙ୍ଗ- ଧଳା ବା ସବୁଜ, ଆରାଧ୍ୟ ଦେବଦେବୀ- ଭଗବାନ ସୂର୍ୟ୍ୟ / ଭଗବତୀ ମାତଙ୍ଗୀ

କନ୍ୟା:- (ଟୋ, ପ, ପି, ପୁ, ଷ, ଢ଼, ଠ, ପେ. ପୋ)-  ଚଳିତ ବର୍ଷ ସମ ଫଳ ପ୍ରାପ୍ତି ହେବାର ଜଣାଯାଏ। କିନ୍ତୁ ଶେଷ ଭାଗରେ କିଛିଟା ଅଧିକ ଫଳ ମିଳିପାରେ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇବେ। ବିରୋଧୀ ଓ ଶତ୍ରୁମାନେ ଆୟତ୍ତାଧୀନ ହେବେ। ଜୀବନ ଶୈଳୀ ମୁକ୍ତ ଓ ସ୍ୱାଧୀନ ରହିବ। ସାଂସାରିକ ପରିଶ୍ରମୀ ଓ ଆର୍ଥିକ ସ୍ୱଚ୍ଛଳତା ରହିବ, ମହିଳାମାନେ ଗୃହକାର୍ୟ୍ୟରେ ବ୍ୟସ୍ତ ଓ ରକ୍ଷଣଶୀଳ ହେବେ। ପ୍ରେମରେ କିଛିଟା ଟେନ୍‌ସନ୍‌ ଭିତରେ ସଫଳତା ପାଇବେ। ଚାକିରିରେ କର୍ତ୍ତବ୍ୟ ନିଷ୍ଠ ଓ  ପ୍ରଶଂସା ପାଇବେ। ପ୍ରଶାସନିକ ଓ ରାଜନୀତିରେ ସୁଦକ୍ଷ ଓ ଲୋକପ୍ରିୟତା ବୃଦ୍ଧି ପାଇବ। ସମୟ ସମୟରେ କାର୍ୟ୍ୟଭାର ଓ କ୍ଳାନ୍ତ ଅନୁଭବ କରିପାରନ୍ତି। ପାରିବାରିକ ଚିନ୍ତା ସହ ବନ୍ଧୁହାନି ଯୋଗ ରହିଛି। ବୃଥା ଭ୍ରମଣ ଓ ଦ୍ରବ୍ୟାଦିହାନି ହୋଇପାରେ। ପୁରାତନ ସମସ୍ୟାରୁ ମୁକ୍ତି ପାଇବେ। ବିବାହାଦି ଶୁଭ ମାଙ୍ଗଳିକ କାର୍ୟ୍ୟ ସମ୍ପନ୍ନ ହୋଇପାରେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପରିଶ୍ରମ ମୁତାବକ ଫଳ ପାଇବେ। ବିଦ୍ୟାର୍ଥୀମାନେ ଅଧ୍ୟୟନରତ ରହିବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅନ୍ୟାନ୍ୟ ଝମେଲା ବେଳେବେଳେଆସିପାରେ, କିନ୍ତୁ ସମାଧାନର କରିବାର ସକ୍ଷମ ହେବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଶାଳଗ୍ରାମଙ୍କୁ ତୁଳସୀ ଅର୍ପଣ କରିବା ସହ ଗୋସେବା କରଣୀୟ।

ଶୁଭ ଅଙ୍କ- ୫ ଓ ୮, ଶୁଭରଙ୍ଗ- ସବୁଜ ଓ ନୀଳ, ଆରାଧ୍ୟ ଦେବଦେବୀ- ପ୍ରଭୁ ଜଗନ୍ନାଥ / କୁଳଦେବଦେବୀ

ତୁଳା:- (ର, ରି, ରୁ, ରେ, ରୋ, ତ, ତି, ତୁ, ତେ)- ଚଳିତ ବର୍ଷ ବିଶେଷ ସୁଫଳ ମିଳିବ ନାହିଁ, ତଥାପି ଆଦ୍ୟ ଭାଗରେ କିଛିଟା ଅଶ୍ୱସ୍ତି ଫଳ ମିଳିବ। ଗୁରୁଜନମାନଙ୍କର ସହଯୋଗ ଓ ସନ୍ତାନମାନଙ୍କର ଉନ୍ନତି ଦେଖାଦେବ। ଅପରପକ୍ଷରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିବ। ଆର୍ଥିକ କ୍ଷତି, ମାନସିକ କ୍ଳେଶ, ଶତ୍ରୁବୃଦ୍ଧି. କର୍ମକ୍ଷେତ୍ରରେ ଭିତ୍ତି ଗ୍ରସ୍ତ, ବୃଥା ଭ୍ରମଣ ଓ ଖର୍ଚ୍ଚାନ୍ତ ଦେଖାଦେବ। ପାରିବାରିକ ସମସ୍ୟା ଓ ଆର୍ଥିକର ଚାପ ରହିବ। ବନ୍ଧୁମାନଙ୍କ ସହିତ ମତଭେଦ ରହିପାରେ। ୠଣ ପ୍ରଭାବ ଓ ମାନସିକ ଅସ୍ଥିରତା ଦେଇ ଗତି କରିବେ। ଦ୍ରବ୍ୟାଦିହାନି ଓ ଦୁର୍ଘଟଣା ପ୍ରତି ସତର୍କତା ଅବଲମ୍ବନୀୟ। ସମୟ ସମୟରେ ଉତ୍ତେଜନା ପରିସ୍ଥିତି ସହ ଶତ୍ରୁବୃଦ୍ଧି, ମାଲିମକଦ୍ଦମାରେ ପ୍ରଭାବିତ ହେବେ। ଚାକିରିରେ ସ୍ଥାନାନ୍ତର ଯୋଗ ରହିଛି। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବେ। ବହୁ ପରିଶ୍ରମ କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବାର ସକ୍ଷମ ହେବେ। ମହିଳାମାନେ ନିଜକୁ ହେୟ ମନେ କରିବେ। ଉଦାରତା କାରଣରୁ ଆଧ୍ୟାତ୍ମିକତା ଆଡ଼କୁ ଗତି କରିବେ। ଦ୍ରବ୍ୟାଦି ହାନି ଓ ଚୌରାଦି ଭୟ ଦେଖାଦେଇପାରେ। କଳା, ବିଜ୍ଞାନ, ଶିଳ୍ପ ଓ ବାଣିଜ୍ୟରେ ମଧ୍ୟମ ଫଳ ପାଇବେ। ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଅଶ୍ବତ୍ଥ ବୃକ୍ଷରେ ଜଳଦାନ ଓ ପୂଜା, ଗାୟତ୍ରୀ ଜପ ସହ ଅନାଥମାନଙ୍କୁ ଶୀତବସ୍ତ୍ର ଦାନ କରନ୍ତୁ।
ଶୁଭ ଅଙ୍କ- ୫ ଓ ୬, ଶୁଭରଙ୍ଗ- ସବୁଜ ଓ ସିଲଭର, ଆରାଧ୍ୟ ଦେବାଦେବୀ- ଶିବଶଙ୍କର / ମାତା ଲକ୍ଷ୍ମୀ

ବିଛା:- (ତୋ, ନ, ନି, ବୁ, ନେ, ନୋ, ଯ, ଯ, ଯୁ)- ଚଳିତ ବର୍ଷ ବିଶେଷ ସୁଫଳ ପାଇବେ ନାହିଁ। କର୍ମ କ୍ଷେତ୍ରରେ ଅସ୍ଥିରତା, କାର୍ୟ୍ୟ ବିଳମ୍ବ ଓ ବ୍ୟୟ ବହୁଳତା ଦେଖାଦେବ। ଅସଂପୂର୍ଣ୍ଣ କାର୍ୟ୍ୟ ବହୁ ବିଳମ୍ବରେ ସମ୍ପନ୍ନ ହେବ। ହଠାତ୍ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତାରିତ ହେବେ। କେତେକ ସ୍ଥଳେ ବକେୟା ଧନ ପ୍ରାପ୍ତି ହୋଇପାରେ। ପାରିବାରିକ କାର୍ୟ୍ୟ ବ୍ୟସ୍ତତା ମଧ୍ୟରେ ସମୟ କଟିବ। ଚାକିରିରେ ବ୍ୟସ୍ତ ବିବ୍ରତ ରହିବେ। ଆଦ୍ୟ ଭାଗରେ ବହୁ ପରିଶ୍ରମ କରି ସାମାନ୍ୟ ଫଳ ପ୍ରାପ୍ତି ହେବ। ମହିଳାମାନେ ନିଜକୁ ହେୟ ମନେ କରିବେ। ବାଧାବିଘ୍ନ ସତ୍ତ୍ବେ ଆଗେଇ ଚାଲିବେ। ଶେଷ ଭାଗରେ ନୂତନ ଦ୍ରବ୍ୟାଦି କ୍ରୟ କରିବାର ସୁଯୋଗ ପାଇବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ସକ୍ରିୟ ଓ ଜନସେବାରେ ବ୍ରତୀ ହେବେ। ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ୱାଭିମାନୀ ହେବେ। ଆଧ୍ୟାତ୍ମିକ ସାଧନ ପାଇଁ ବର୍ଷଟି ଶ୍ରେଷ୍ଠ ରହିଛି। କିଛିଟା ସ୍ୱାସ୍ଥ୍ୟ ସମସ୍ୟା, ଅର୍ଥାଭାବ, ଗୁରୁଜନମାନଙ୍କୁ ନେଇ ଚିନ୍ତା, ଶତ୍ରୁ ପ୍ରଭାବ ରହିପାରେ, ବାଣିଜ୍ୟରେ ସ୍ୱଳ୍ପ ମାତ୍ରାରେ ଲାଭଦାୟକ ରହିବ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ରହିବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଗରିବ ବିଦ୍ୟାର୍ଥୀଙ୍କୁ କିଛି ଦାନ କରିବା ସହ ଶନିଶ୍ଚର ମେଳା ପୂଜା କରଣୀୟ।

ଶୁଭ ଅଙ୍କ- ୩ ଓ ୯, ଶୁଭରଙ୍ଗ- ହଳଦିଆ ବା ମେରୁନ, ଆରାଧ୍ୟ ଦେବଦେବୀ ପ୍ରଭୁ ହନୁମାନଜୀ / ମା’ ବଗଳାମୁଖୀ

ଧନୁ:- (ଯେ, ଯୋ, ଭ, ଭି, ଭୁ, ଧ, ଫ, ତ, ଭେ) ଚଳିତ ବର୍ଷ କିଛି ସମସ୍ୟା ଭିତରେ ଆଗେଇ ଚାଲିବେ। ବର୍ଷର ଆଦ୍ୟଭାଗରେ ବିଭିନ୍ନ ସମସ୍ୟା, ଶାରୀରିକ ଓ ମାନସିକ ପୀଡ଼ା, ବୃଥାଭ୍ରମଣ ଓ ଖର୍ଚ୍ଚାନ୍ତ ଯୋଗ, ବନ୍ଧୁବାନ୍ଧବଙ୍କ ସଙ୍ଗେ ମନୋମାଳିନ୍ୟ, ଅନିଶ୍ଚିତତା ଭିତରେ ଗତି କରିବେ। ଅଶାନ୍ତି ଓ ଭ୍ରାତୃ ବିବାଦ ଦେଖାଦେବ। କର୍ମକ୍ଷେତ୍ରରେ କେତେକ କ୍ଷେତ୍ରରେ ଅସହଯୋଗ ମିଳିପାରେ। ସାଂସାରିକ ଜୀବନ ପ୍ରତି ବେଳେବେଳେ ତିକ୍ତତା ଅନୁଭବ କରିବେ, କିନ୍ତୁ ଆର୍ଥିକ ସ୍ୱଚ୍ଛଳତା ରହିବ। ଶେଷ ଭାଗରେ ମହିଳାମାନେ କର୍ମତତ୍ପର ରହିବେ। ଚାକିରିରେ ବ୍ୟସ୍ତବହୁଳତା ଓ ଆର୍ଥିକ ଅଭିବୃଦ୍ଧି ହେବ। ବିଦେଶ ଯାତ୍ରା କରିବାର ସୁଯୋଗ ପାଇବେ। ପ୍ରଶାସନିକ ଦାୟିତ୍ୱବୋଧ ଓ ସମ୍ମାନ ପାଇବେ। ରାଜନୀତିରେ ଦୃଢ଼ ନେତୃତ୍ୱ ଦେଖାଦେବ। ଆଧ୍ୟାତ୍ମିକ ଦୃଷ୍ଟିରୁ ସତ୍ସଙ୍ଗ ଲାଭ ଓ ତୀର୍ଥାଦି ଭ୍ରମଣ କରିବାର ସୁଯୋଗ ପାଇବେ। କଳା, ବିଜ୍ଞାନ, କୃଷି କ୍ଷେତ୍ରରେ ସାଧାରଣ ଫଳ ମିଳିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ କେତେକ ସମୟରେ ଆୟବ୍ୟୟ ସମାନ ରହିବ। ବିଦ୍ୟାର୍ଥୀମାନେ ଚଞ୍ଚଳମନା ରହିବେ। ଶେଷ ଭାଗରେ ଅଜଣା ବ୍ୟକ୍ତିଙ୍କର ସାହାଯ୍ୟ ପ୍ରାପ୍ତି ହେବ। ଶୁଭ ମାଙ୍ଗଳିକ କାର୍ୟ୍ୟ କରିବାର ସୁଯୋଗ ପାଇବେ। ଶୁଭତ୍ୱ ବୃଦ୍ଧି ପାଇଁ ଗାୟତ୍ରୀ ମନ୍ତ୍ର ସହ ଅନାଥମାନଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

ଶୁଭ ଅଙ୍କ- ୨ ଓ ୩, ଶୁଭରଙ୍ଗ- ଧଳା ବା ହଳଦିଆ, ଆରାଧ୍ୟ ଦେବଦେବୀ- ଭଗବାନ ଶ୍ରୀରାମ / ଗ୍ରାମ ଦେବାଦେବୀ

ମକର:- (ଭୋ, ଜ୍ଞ, ଜ, ଜି, ଜୁ, ଜୋ, ଖ, ଖି, ଖେ, ଗ, ଗି)- ଚଳିତ ବର୍ଷ ବିଭିନ୍ନ ଦିଗରୁ ସଫଳତା ପାଇବେ। କିନ୍ତୁ କିଛିଟା ସ୍ୱାସ୍ଥ୍ୟ ସମସ୍ୟା ରହିପାରେ। କର୍ମକ୍ଷେତ୍ରରେ ପ୍ରତିଷ୍ଠା, ଆର୍ଥିକ-ଅଭିବୃଦ୍ଧି, ନୂତନ ଯୋଜନା ସଫଳ ରୂପାୟନ ହେବ। ବିଗତ ସମସ୍ୟାର ସମାଧାନ ହୋଇପାରେ। ହଠାତ୍ ଶୁଭ ମାଙ୍ଗଳିକ କାର୍ୟ୍ୟର ଯୋଗ ରହିଛି। ସାଂସାରିକ ଉତ୍ତମ ବୁଝାମଣା ଓ ବିଶେଷ ଉନ୍ନତି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ଓ ନୂତନ କର୍ମରେ ନିଯୁକ୍ତି ହୋଇପାରନ୍ତି। ଚାକିରିରେ ପଦୋନ୍ନତି ଓ ଆର୍ଥିକ ସ୍ଥିତିର ପରିବର୍ତ୍ତନ ହୋଇପାରେ। ଆର୍ଥିକସ୍ତରରେ ସମୃଦ୍ଧିପ୍ରାପ୍ତ ହେବ। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ମାନମର୍ୟ୍ୟାଦା ବୃଦ୍ଧି, ଧନ ଓ ସମ୍ମାନ ମିଳିପାରେ। ନିର୍ମାଣ କାର୍ୟ୍ୟ, ଭୂମି ଓ ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ। ବେକାର ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିପାରେ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁକୃପା ଓ ସାଧୁସଙ୍ଗ ଲାଭ କରିବାର ଯୋଗ ରହିଛି। ପରିବହନ, କୃଷି, ଶିଳ୍ପ ଓ ବାଣିଜ୍ୟରେ ବେଶ୍ ଲାଭପ୍ରଦ ରହିବ। ବିଦ୍ୟାର୍ଥୀମାନେ କୃତକାର୍ୟ୍ୟ ହେବେ। କେତେକ ସ୍ଥଳେ ଭ୍ରାତୃଜନିତ ବିବାଦ, ବ୍ୟୟବହୁଳତା ଆଦି ଫଳମାନ ଦେଖାଦେବାର ଜଣାଯାଏ। କୌଣସି ବଡ଼ଧରଣର କାର୍ୟ୍ୟ ତୁଲାଇବାକୁ ଯାଇ ୠଣ ପ୍ରଭାବିତ ହୋଇପାରନ୍ତି। ଶୁଭତ୍ୱ ବୃଦ୍ଧି ଓ ଅଶୁଭତ୍ବରୁ ମୁକ୍ତି ପାଇଁ ପ୍ରଭୁ ହନୁମାନଜୀଙ୍କ ଚାଳିଶା ପାଠ ଓ ଅନାଥ ବୟସ୍କ ବ୍ୟକ୍ତିଙ୍କୁ କିଛି ଦାନ ଦିଅନ୍ତୁ।

ଶୁଭ ଅଙ୍କ- ୫ ଓ ୮, ଶୁଭରଙ୍ଗ: ସବୁଜ ଓ କଳା, ଆରାଧ୍ୟ ଦେବଦେବୀ- ମହାଦେବ / ଦକ୍ଷିଣ କାଳୀ

କୁମ୍ଭ:- (ଗୁ, ଗେ, ଗୋ, ଶ, ଶି, ଶୁ, ସି, ସେ, ସୋ, ଦ) ଚଳିତ ବର୍ଷ ସାଧାରଣ ଫଳ ପାଇବେ। ଆଦ୍ୟ ଭାଗ ଅପେକ୍ଷା ଶେଷ ଭାଗରେ କିଛିଟା ଶୁଭଫଳ ଅର୍ଥାତ୍ ହଠାତ୍ ଅଳ୍ପମାତ୍ରାରେ ଅର୍ଥପ୍ରାପ୍ତି, ଗୁରୁଜନମାନଙ୍କର ସାହାଯ୍ୟ, ସରକାରୀ ଅନୁକମ୍ପା, ସାମାଜିକ ପ୍ରତିଷ୍ଠା, ବାରମ୍ବାର ଚେଷ୍ଟା କରି କେତେକ ସୁଫଳ ପାଇପାରନ୍ତି। କର୍ମକ୍ଷେତ୍ରରେ ଅସ୍ଥିରତା ଦ୍ରବ୍ୟାଦି ହାନି, ସମସ୍ୟା ବହୁଳ ଦେଖା ଦେଇପାରେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦ୍ୱାରା ବ୍ୟୟବୃଦ୍ଧି ଦେଖାଦେବ। କେତେକ ସମୟରେ ବିଚଳିତ ରହିବେ। ପୁରାତନ ରୋଗ ଓ ଦୁର୍ଘଟଣା ପ୍ରତି ସର୍ବଦା ସତର୍କତା ଅବଲମ୍ବନୀୟ। ସାଂସାରିକ ଅବଶ୍ୟ ବୁଝାମଣା ଓ ଶାନ୍ତିରେ କଟିବ। ମନୋବଳ ସୁଦୃଢ଼ ଓ ଉତ୍ସାହ ଦେଖାଦେବ। ମହିଳାମାନେ ପରିଶ୍ରମୀ ହେବେ। ଶେଷଭାଗରେ କୌଣସି ଶୁଭକାର୍ୟ୍ୟ ସମ୍ପାଦନ ହୋଇପାରେ। ଚାକିରିରେ କାର୍ୟ୍ୟଭାର ଓ ସ୍ଥାନାନ୍ତର ଯୋଗ ରହିଛି। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ପ୍ରଶାସନିକ କ୍ଷେତ୍ରରେ ସମୟ ସମୟରେ ଚିନ୍ତାଜନକ ପରିସ୍ଥିତି ଉପୁଜି ପାରେ। ବେଳେବେଳେ ଅର୍ଥହାନି, କାର୍ୟ୍ୟହାନି ଓ ମନସ୍ତାପ ରହିପାରେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ଥାନ ପତନ ରହିପାରେ। ବିଦ୍ୟାର୍ଥୀ ବହୁ ପରିଶ୍ରମ କରି ସାମାନ୍ୟ ଫଳ ପାଇବେ। ଅଶୁଭତ୍ୱରୁ ମୁକ୍ତି ପାଇଁ ଅଶ୍ୱତ୍ଥ ବୃକ୍ଷରେ ଜଳଦାନ ଓ ପୂଜା ସହ ପିମ୍ପୁଡ଼ିମାନଙ୍କୁ ମିଠା ଚାଉଳ ଦିଅନ୍ତୁ।

ଶୁଭ ଅଙ୍କ- ୩ ଓ ୬, ଶୁଭରଙ୍ଗ: ସୁନେଲି ବା ସିଲଭର, ଆରାଧ୍ୟ ଦେବଦେବୀ- ଶ୍ରୀ ଗଣେଶଜୀ / ମାତା ଗୌରୀ

ମୀନ:- (ଦି, ଦୁ, ଝ, ଞ, ଦେ, ଦୋ, ଚ, ଚି) ଚଳିତ ବର୍ଷ ଉତ୍୍ଥାନ ପତନ ଦେଇ ଗତି କରିବେ। କିଛିଟା ସ୍ୱାସ୍ଥ୍ୟ ସମସ୍ୟା ସହ କେତେକ ସ୍ଥଳେ ବିରୋଧାଭାସ ଦେଖାଦେବ। ଚାକିରିରେ ସମସ୍ୟା ଓ ସ୍ଥାନାନ୍ତର ହୋଇପାରେ। ହଠାତ୍ ଅର୍ଥଲାଭର ସୂଚନା ଜଣାଯାଏ। ଅନେକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଭିତରେ ବି କାର୍ୟ୍ୟ ହାସଲ କରିପାରିବେ। ବ୍ୟୟ ବୃଦ୍ଧି କାରଣରୁ ୠଣ ପ୍ରଭାବିତ ହୋଇପାରନ୍ତି। ଅଯଥା ବିବାଦୀୟ ପରିସ୍ଥିତି ଉପୁଜିବ। ବନ୍ଧୁବାନ୍ଧବମାନଙ୍କ ସହିତ ମନାନ୍ତର ଓ କଳହ ଦେଖାଦେବ। ଶୁଭ ମାଙ୍ଗଳିକ କାର୍ୟ୍ୟ ସମ୍ପାଦନ କରିବାର ସୁଯୋଗ ଆସିପାରେ। ବହୁ ପରିଶ୍ରମରେ ସଫଳତା ପ୍ରାପ୍ତ ହେବେ। ପୁରାତନ ସମସ୍ୟାରୁ ମୁକ୍ତି ପାଇବେ। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ତୁଲାଇ ସମ୍ମାନ ପାଇବେ। ଚାକିରିରେ କାର୍ୟ୍ୟ ବହୁଳତା ଦେଖାଦେବ। ମହିଳାମାନେ ପରିଶ୍ରମୀ ହେବେ। ହଠାତ୍ ଦୂରଯାତ୍ରା କରିପାରନ୍ତି। କଳା, ବିଜ୍ଞାନ କ୍ଷେତ୍ରରେ ସାଧାରଣ ଫଳ ପାଇବେ। ପାରିବାରିକ ଅସ୍ଥିରତା ଓ ସମସ୍ୟା ଲାଗି ରହିବ। ଦୁର୍ଘଟଣାପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ବିଦ୍ୟାର୍ଥୀମାନେ ଭ୍ରମଣପ୍ରିୟ ହେବେ। ଶୁଭତ୍ୱ ବୃଦ୍ଧି ପାଇଁ ମାତା ସରସ୍ୱତୀଙ୍କ ଉପାସନା ସହ ଶ୍ୱାନଙ୍କୁ ଭୋଜନ ଦିଅନ୍ତୁ।

ଶୁଭ ଅଙ୍କ- ୨ ଓ ୮, ଶୁଭରଙ୍ଗ: ଧଳା ଓ ବାଇଗଣୀ, ଆରାଧ୍ୟ ଦେବଦେବୀ- ଶ୍ରୀକୃଷ୍ଣ / ମା’ ତାରିଣୀ

(ଶୁଭାଶୁଭ ଫଳମାନ ଦଶା – ମହାଦଶା ଓ ଗ୍ରହବଳ ଅନୁଯାୟୀ କେତେକାଂଶରେ ବ୍ୟତିକ୍ରମ ହୋଇପାରେ)

(ପଣ୍ଡିତ ଅଭିମନ୍ୟୁ ଦୀକ୍ଷିତ୍ (ଅଭିନନା) ମୋ. ନଂ. ୯୭୭୭୭୬୬୨୨୦)

Leave A Reply

Your email address will not be published.