ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିବାକୁ ବସିଲାଣି ବର୍ଷ : କେବେ ହେବ ଡାକ୍ତରୀ ନାମଲେଖା ପାଇଁ କାଉନ୍‌ସେଲିଂ, ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର : ନଭେମ୍ବର ୧ରୁ ପ୍ରକାଶ ପାଇଲାଣି ନିଟ୍‍ର ୟୁଜି ପରୀକ୍ଷା ଫଳ। ଫଳ ପ୍ରକାଶ ପାଇବାକୁ ଇତି ମଧ୍ୟରେ ୧ ମାସ ପୁରିଲାଣି। ମାତ୍ର ଏଯାଏଁ ଆରମ୍ଭ ହୋଇନି କାଉନ୍‌ସେଲିଂପ୍ରକ୍ରିୟା। ବର୍ଷ ସରିବାକୁ ଥିବାବେଳେ କାଉନ୍ସେଲିଂ କେବେ ହେବ? ପିଲାମାନେ କେବେ ନାମ ଲେଖାଇବେ? ପିଲାଙ୍କର ପାଠପଢ଼଼ା କେବେ ଆରମ୍ଭ ହେବ? ଏନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ରହିଛନ୍ତି। ମାତ୍ର କେନ୍ଦ୍ର ପକ୍ଷରୁ ଆଜି ଯାଏଁ ର‍୍ୟାଙ୍କ ତାଲିକା ଆସିନା। ଯଦିଓ ଗତ ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍‌ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଲା। ପରବର୍ତ୍ତୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ସେନେଇ ମଧ୍ୟ କୌଣସି ସୂଚନା ନାହିଁ।

ନଷ୍ଟ ହେବାକୁ ବସିଲାଣି ଡାକ୍ତରୀ ପ୍ରଥମ ବର୍ଷ ପିଲାଙ୍କର ଗୋଟିଏ ବର୍ଷ। ୨୦୨୧ ବର୍ଷର ଶେଷରେ ପହଞ୍ଚିଥିଲେ ବି ପିଲାଙ୍କର ନାମଲେଖା ଏଯାଏଁ ଆରମ୍ଭ ହୋଇନି। ନାମଲେଖା ତ ଦୂରର କଥା। ନିଟ୍‍ ପକ୍ଷରୁ କାଉନ୍‌ସେଲିଂ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇନି। ପୂର୍ବ ବର୍ଷର କରୋନା କଟକଣା ସ୍ଥିତିରେ ଡାକ୍ତରୀ ନାମଲେଖା ଯଥେଷ୍ଟ ପୂର୍ବରୁ ସରିଥିବାବେଳେ ଚଳିତ ବର୍ଷ ଅନେକ ବିଳମ୍ବ ହୋଇଛି। ଫଳରେ ପିଲାଙ୍କ ଶିକ୍ଷାବର୍ଷ କେବେ ଆରମ୍ଭ କରାଯିବ ଏବଂ ଏହାକୁ କିପରି ବିବେଚନା କରାଯିବ ସେ ଦ୍ୱନ୍ଦ୍ୱ ତୁଟୁନି। ପୂର୍ବ ବର୍ଷର ନିଟ୍‍ ପରୀକ୍ଷା ଅଗଷ୍ଟ ମାସରେ ଶେଷ ହୋଇ ଅକ୍ଟୋବର ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିଥିଲା। ଏବର୍ଷ କିନ୍ତୁ ଚିତ୍ର ଓଲଟା। ଡିସେମ୍ବର ମାସ ହୋଇଥିଲେ ମଧ୍ୟ ଏଯାଏଁ କାଉନ୍‌ସେଲିଂ ଆରମ୍ଭ ହୋଇନି। ଅନ୍ୟପକ୍ଷରେ କାଉନ୍‌ସେଲିଂ ଓ ନାମଲେଖା ପ୍ରକ୍ରିୟା ପାଇଁ ଅନ୍ୟୁନ ଦୁଇ ମାସ ଆବଶ୍ୟକ। ଏପରି ସ୍ଥିତିରେ ଚଳିତ ବର୍ଷର ଡାକ୍ତରୀ ନାମଲେଖା ପ୍ରକ୍ରିୟା ସରିବାକୁ ଜାନୁଆରୀ କିମ୍ବା ଫେବୃଆରୀ ହୋଇଯିବ। କହିବାକୁ ଗଲେ ପିଲାଙ୍କର ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଠ ହୋଇଯିବ। ମାତ୍ର ସରକାରୀ ସ୍ତରରେ ଏଥିପ୍ରତି ଧ୍ୟାନ ଦିଆ ନଗଲେ ଡାକ୍ତରୀ ପଢ଼଼ିବାକୁ ଥିବା ଛାତ୍ରଛାତ୍ରୀ ଗୋଟିଏ ବର୍ଷ ପଛରେ ରହିଯିବ। ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ସମାନ ଅସନ୍ତୁଳନତା ଦେଖାଦେବ। ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବିଶିଷ୍ଟ ବୋଲି ଶିକ୍ଷାବିତ୍‍ ଡ. ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି।

ସେହିପରି ଓଜେଇଇ ପକ୍ଷରୁ ମଧ୍ୟ ସ୍ଥଗିତ କରାଯାଇଥିବା କାଉନ୍‌ସେଲିଂ ପ୍ରକ୍ରିୟା ପୁଣି କେବେ ଆରମ୍ଭ ହେବେ ସେ ନେଇ କୋଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ସର୍ବୋଚ୍ଚ ନ୍ୟାୟାଳୟରେ ନିଟ୍‍ ନେଇ ମାମଲା ବିଚାରାଧୀନ ଥିବାରୁ ସ୍ୱାସ୍ଥ ମନ୍ତ୍ରଣାଳୟ କାଉନ୍‌ସେଲିଂ ପ୍ରକ୍ରିୟା ବନ୍ଦ କରିଥିବା ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି। ତେବେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଓଜେଇଇ କାଉନ୍‌ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ପୂର୍ବ ବର୍ଷ ୧୩୫୦ଟିରେ ମେଡିକାଲ ନାମଲେଖା ହୋଇଥିବାବେଳେ ଚଳିତବର୍ଷ ଆଉ ୧୦୦ଟି ସିଟକୁ ମିଶାଇ ମୋଟ ୧୪୫୦ଟି ସିଟରେ ନାମଲେଖା ହେବ। ଚଳିତ ବର୍ଷ ପୁରୀରେ ପ୍ରତିଷ୍ଠା ଲାଭ କରିଥିବା ମେଡିକାଲ କଲେଜର ୧୦୦ଟି ଏମବିବିଏସ ସିଟ୍‍ କାଉନସେଲିଂ ପ୍ରକ୍ରିୟାରେ ନୂତନ ଭାବେ ସାମିଲ କରାଯିବ।

ଓଡ଼ିଶାରେ ମୋଟ ୮ଟି ସରକାରୀ ଏବଂ ୨ଟି ଘରୋଇ ମେଡିକାଲ କଲେଜରେ ଥିବା ୧୪୫୦ ସିଟ ଲାଗି ଓଜେଇଇ ପକ୍ଷରୁ କାଉସେଲିଂ କରାଯିବ। ସେହିପରି ୨ଟି ଡିମଡ୍‍ ବିଶ୍ୱବିଦ୍ୟାଳୟର ୫ଶହ ସିଟ ଲାଗି ସ୍ୱତନ୍ତ୍ର କାଉନ୍‍ସେଲିଂ କରାଯିବ। ରାଜ୍ୟର ୮ଟି ସରକାରୀ ମେଡିକାଲ କଲେଜ ମଧ୍ୟରୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ଏମକେସିଜି ମେଡିକାଲ କଲେଜ ବ୍ରହ୍ମପୁରରେ ୨୫୦ଟି ଲେଖାଏଁ ସିଟ ରହିଥିବା ବେଳେ ଭିମସାର୍‍ ବୁର୍ଲାରେ ୨୦୦ ସିଟ, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ୧୨୫ଟି ଲେଖାଏଁ ସିଟ, ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‍ରେ ଚଳିତ ବର୍ଷ ନାମଲେଖା ହେବ। ସେହିପରି ନୂତନ କରି ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଶହେ ସିଟ୍‍ ଲାଗି ମଧ୍ୟ ଚଳିତବର୍ଷ ଠାରୁ ନାମଲେଖା ଆରମ୍ଭ ହେବ। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ପରେ କାଉନ୍‌ସେଲିଂ ଓ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ।

Leave A Reply

Your email address will not be published.