ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ : ସମସ୍ତ ଦେଶ ଚାହିଁଲେ ୨୦୨୨ରେ ହୋଇପାରେ ମହାମାରୀର ଅନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କୋଭିଡର ତୃତୀୟ ଲହରି ବର୍ତ୍ତମାନ ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଲାଣି । ତେଣୁ ଗତ ଦୁଇବର୍ଷ ଧରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଏହି କୋଭିଡ ମହାମାରୀର ଅନ୍ତ କେବେ ଘଟିବ ତାହା ହିଁ ବିଶ୍ୱ ସମୁଦାୟ ନିକଟରେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି । ସମଗ୍ର ବିଶ୍ୱରେ ଏହି ମହାମାରୀର ନିୟନ୍ତ୍ରଣ ପାଇଁ ଯେଉଁ ଉପାୟ ଖୋଜା ଯାଇଛି ତାହା ହେଉଛି ଟିକା । ଏହି କାରଣରୁ ଗତ ୧ ବର୍ଷ ହେଲା ଅଧିକାଂଶ ଦେଶ ଟିକାକରଣକୁ ଜୋର୍‌ ଦେଇଆସିଛନ୍ତି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୧୪୫ କୋଟିରୁ ଅଧିକ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ନୂଆ ଆତଙ୍କ ସୃଷ୍ଟି କରିଛି । ତାର କାରଣ ହେଉଛି ଉଭୟ ଡୋଜ ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରୁ ବର୍ତ୍ତି ପାରୁନାହାନ୍ତି । କିନ୍ତୁ ସବୁଠାରୁ ଆଶ୍ୱସ୍ତିର ବିଷୟ ଏହି କି ଟିକା ନେଇଥିବା ଲୋକମାନେ ସଂକ୍ରମିତ ହେଲେ ମଧ୍ୟ ଗମ୍ଭୀର ହେଉନାହାନ୍ତି । ଉପଲବ୍ଧ ହେଉଥିବା ଔଷଧ ଓ ଚିକିତ୍ସା ବ୍ୟବସ୍ଥାରେ ସେମାନେ ଠିକ୍‌ ହୋଇଯାଉଛନ୍ତି । ତଥାପି ମହାମାରୀର ଅନ୍ତ କେବେ ଘଟିବ ତାକୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।

ଶୁକ୍ରବାର ଏଭଳି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏକ ଆଶ୍ୱସ୍ତିକର ଖବର ଆଣିଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ଘଟିବ ବୋଲି ଡବ୍ଲ୍ୟୁଏଚ୍‌ଓ ଆଶା ପ୍ରକାଶ କରିଛି । ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍‌ ନୂଆବର୍ଷ ଅବ୍ୟବହିତ ପୂର୍ବରୁ ବାର୍ତ୍ତା ଦେଇ କହିଛନ୍ତି କି କରୋନା ବିରୋଧୀ ଲଢ଼େଇରେ ଟିକା ହେଉଛି ପ୍ରମୁଖ ଅସ୍ତ୍ର । ଟିକା ଉତ୍ପାଦନ ବିଶ୍ୱରେ ବୃଦ୍ଧି ପାଇଛି । ଆମେରିକା ଓ ୟୁରୋପର ଅନେକ ଦେଶରେ ଲୋକେ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ ନେଲେଣି । ଇସ୍ରାଏଲରେ ଚତୁର୍ଥ ଡୋଜ୍‌ ଟିକା ପ୍ରଦାନ କରାଗଲାଣି ।

କିନ୍ତୁ ଅନେକ ଆଫ୍ରିକୀୟ ଦେଶରେ ସ୍ୱାସ୍ଥ୍ୟକର୍ମୀମାନେ ସମସ୍ତେ ଟିକା ନେଇପାରି ନାହାନ୍ତି । ସେଠାରେ ପ୍ରତି ୪ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୩ ଜଣ ଟିକା ନେଇପାରିନାହାନ୍ତି । ଟିକାକୁ ନେଇ ଅସମତା ସୃଷ୍ଟି ହୋଇଛି । ଟିକାର ଏହି ବ୍ୟବଧାନ ଯୋଗୁ ନୂଆ ଭାରିଆଣ୍ଟ ଜନ୍ମ ନେଉଛି । ଆମକୁ ମଧ୍ୟ ବିପୁଳ କ୍ଷତି, କଷ୍ଟ ଓ କଟକଣା ମଧ୍ୟକୁ ଠେଲି ଦେଉଛି । ଏହି ଅସମତା ଯେତେଦିନ ଜାରି ରହିଥିବା ସେତେଦିନ ପର୍ୟ୍ୟନ୍ତ ମହାମାରୀର ପ୍ରଭାବ ରହିଥିବ । ତେଣୁ ଆମକୁ ଏହି ଅସମତା ଏବେ ଦୂର କରିବାର ସମୟ ଆସିଛି । ଯେତେ ଶୀଘ୍ର ଏହି ଅସମତା ଦୂର ହେବ ସେତେଶୀଘ୍ର ମହାମାରୀର ଅନ୍ତ ଘଟିବ ।

ସେପଟେ ଡବ୍ଲ୍ୟୁଏଚ୍‌ଓର କୋଭିଡ-୧୯ ଟେକ୍ନିକାଲ ଟିମ୍‌ର ମୁଖ୍ୟ ଡକ୍ଟର ମାରିଆ ଭନ କରଖୋଭ୍‌ କହିଛନ୍ତି ଯେ ଓମାଇକ୍ରନ ଯେଭଳି ଭାବେ ସଂକ୍ରମିତ କରିଚାଲିଛି ତାକୁ ନେଇ ଚିନ୍ତା ପ୍ରକଟ କରିବା ସ୍ୱାଭାବିକ କଥା । କିନ୍ତୁ ୨୦୨୨ ନୂଆ ଆଶା ନେଇ ଆସୁଛି । ଯଦି ଆମେ ଭୁଲ କରିବା ତେବେ ଆହୁରି ଘାତକ ନୂଆ ଭାରିଆଣ୍ଟର ସାମ୍‌ନା କରିବାକୁ ପଡ଼ିପାରେ ।

କିନ୍ତୁ ଆମେ ଯଦି ସତର୍କତା ଅବଲମ୍ବନ କରିବା ଏବଂ ଏହି ନୂଆ ଭାରିଆଣ୍ଟର ସଂକ୍ରମଣକୁ ବ୍ୟାପୀବାକୁ ନ ଦେବା ତେବେ ଶୀଘ୍ର ଏହି ମହାମାରୀର ଅନ୍ତ ଘଟିପାରିବ । ଆମେ ସମସ୍ତେ ନିଜର ଓ ନିଜ ପରିବାରର ସୁରକ୍ଷା ବିଷୟରେ ତ ଚିନ୍ତା କରିଆସୁଛୁ । କିନ୍ତୁ ଆମକୁ ଅନ୍ୟମାନଙ୍କର ସୁରକ୍ଷା କଥା ଧ୍ୟାନରେ ରଖିବାକୁ ହେବ । ଏହି ମହାମାରୀ ରୋକିବାକୁ ଏହା ହିଁ ଏକ ତରିକା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.