ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବ ଖାଦ୍ୟ ଓ କୃଷି ସଂଗଠନ ରିପୋର୍ଟ: ଚାଷୀଙ୍କ ଅଡୁଆ ବଢାଇଛି ମହଙ୍ଗା ବଜାର, ବଦଳୁଛି ଚାଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ବରେ ଯେଉଁଭଳି ଭାବେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଘଟୁଛି ତାହା ଉଭୟ ଚାଷୀ ଓ ଗ୍ରାହକମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ଅତ୍ୟଧିକ ଦର ଯୋଗୁ ଗ୍ରାହକମାନେ ବଜାରରୁ ବହୁ ଉତ୍ପାଦକୁ କିଣିପାରୁନାହାନ୍ତି। ସାର ଓ ଇନ୍ଧନ ମୂଲ୍ୟ ମହଙ୍ଗା ହୋଇଥିବାରୁ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଏଭଳି ମହଙ୍ଗା ବଜାର ଏବେ ଚାଷୀଙ୍କ ପାଇଁ ବଡ଼ ସମସ୍ୟା ଆଣିଦେଇଛି। ଏଭଳି ସ୍ଥିତିରେ କିଛି ରାଷ୍ଟ୍ରରେ ଚାଷୀ ଚାଷ ବଦଳାଉଥିବା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ରିେପାର୍ଟରୁ ଜଣାଯାଇଛି।

ଚଳିତବର୍ଷ ବିଶ୍ବରେ ଖାଦ୍ୟ ଆମଦାନି ରେକର୍ଡ ସ୍ତରରେ ପହଞ୍ଚିବ। ଏଥିଯୋଗୁ ଖାଦ୍ୟ ବଜାର ଆହୁରି ଜଟିଳ ରୂପ ଧାରଣ କରିବ ବୋଲି ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ଏଫ୍‌ଏଓର ଖାଦ୍ୟ ଆକଳନ ରିପୋର୍ଟ ଏହା ଦର୍ଶାଯାଇଛି। ରିପୋର୍ଟ ଅନୁଯାୟୀ, ବହୁ ସମ୍ବେଦନଶୀଳ ଦେଶ କିଣୁଥିବା ଉତ୍ପାଦ ଲାଗି ଅଧିକ ମୂଲ୍ୟ ଦେଉଥିଲେ ମଧ୍ୟ ପ୍ରତିବଦଳରେ କମ୍ ଖାଦ୍ୟ ସାମଗ୍ରୀ ପାଉଛନ୍ତି। ଦରଦାମ୍ ଅଧିକ ରହୁଥିବାରୁ ବିକାଶଶୀଳ ଦେଶଗୁଡ଼ିକ ସେମାନଙ୍କର ଡାଲି ଜାତୀୟ ଖାଦ୍ୟ ଶସ୍ୟ, ତୈଳବୀଜ ଓ ମାଂସ ଆମଦାନୀରେ ହ୍ରାସ ଘଟାଉଛନ୍ତି। ବର୍ତ୍ତମାନର ଉଚ୍ଚ ଦରରେ ଏହି ସବୁ ସାମଗ୍ରୀଗୁଡ଼ିକୁ କିଣିବା ପାଇଁ ସେମାନଙ୍କର କ୍ଷମତା ହ୍ରାସ ପାଇଛି। ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ କରିବା ପରେ ସାରା ବିଶ୍ବରେ ଦରଦାମ୍ ବହୁତ ବଢ଼ିଥିବାବେଳେ ଜଳବାୟୁ ଓ ବଜାର ସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ଦେଶରୁ ତାହା ବିଦେଶକୁ ରପ୍ତାନି ହୋଇ ନ ପାରି ପଡ଼ିରହିଛି। ୟୁକ୍ରେନ୍‌ରେ ଆଉ କିଛି ସପ୍ତାହ ପରେ ଶସ୍ୟ ଅମଳ ହେବ। କିନ୍ତୁ ଯୁଦ୍ଧ ଶେଷ ହୋଇ ନ ଥିବାରୁ ଏହି ଦେଶ ଉପରେ ନିର୍ଭରଶୀଳ ଆଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ସ୍ଥିତି ଆହୁରି ଖରାପ ହେବ ବୋଲି ଏଫ୍‌ଏଓ ଏହାର ରିପୋର୍ଟରେ ଆକଳନ କରିଛି।

ସାର ଓ ତେଲ ଭଳି ପ୍ରମୁଖ ଉପାଦାନଗୁଡିକର ମୂଲ୍ୟ ଅଧିକ ରହିଥିବାରୁ ଚାଷ ପାଇଁ ଏଥର ଖର୍ଚ୍ଚ ବଢ଼ିଯିବ। ଫଳରେ ଅମଳ ହେବାକୁ ଥିବା ସାମଗ୍ରୀ ମୂଲ୍ୟ ଅଧିକ ମହଙ୍ଗା ହେବ। ଯେପରିକି ରୁଷ ଓ ବେଲାରୁଷ ବିଶ୍ବକୁ ଅଧିକ ସାର ରପ୍ତାନି କରିଥାନ୍ତି। ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁଁ ରୁଷ ଉପରେ ଲଗାଯାଇଥିବା କଟକଣା ଏହି ଦେଶ ପାଇଁ ରପ୍ତାନି କଷ୍ଟସାଧ୍ୟ କରିଛି। ଉଦାହରଣ ସ୍ବରୂପ ସାର ଦାମ୍ ଅଧିକ ହେବାରୁ ଉତ୍ତର ଆମେରିକାର କିଛି ଚାଷୀ ମକା ବଦଳରେ ସୋୟାବିନ ଚାଷ କରିବାକୁ ମନ ବଳାଇଛନ୍ତି, କାରଣ ସୋୟା ଚାଷରେ କମ୍ ନାଇଟ୍ରୋଜେନ୍ ସାର ବ୍ୟବହାର ହୋଇଥାଏ। ଦରବୃଦ୍ଧି କାହା ପାଇଁ ବି ଲାଭଦାୟକ ହେବ ନାହିଁ। ଗ୍ରାହକମାନେ ଅଧିକ ମୂଲ୍ୟ ଗଣି‌ଲେ ମଧ୍ୟ ଚାଷୀଙ୍କୁ ସେହି ଲାଭ ମିଳିବନାହିଁ। କାରଣ ଚାଷରେ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସେମାନଙ୍କର ରିଟର୍ଣ୍ଣ ସେହି ଅନୁପାତରେ କମିଯିବ।

Leave A Reply

Your email address will not be published.