ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ସବାଇ’ରୁ ସ୍ୱାବଲମ୍ବୀ ଜନଜାତି ମହିଳା; ପ୍ରଥମେ ଇ-ମାର୍କେଟ ଏବଂ ପରେ ସିଧାସଳଖ ଆମେରିକା ଓ ୟୁରୋପକୁ ରପ୍ତାନୀ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର: ଖୁବ ଶୀଘ୍ର ବିଶ୍ୱ ବଜାରରେ ମିଳିବ ମୟୂରଭଞ୍ଜ ଜିଲ୍ଲା ଜନଜାତି ମହିଳାଙ୍କ ଦ୍ୱାରା ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ। ପ୍ରଥମେ ଇ-ମାର୍କେଟ ଓ ପରେ ସିଧାସଳଖ ଆମେରିକା ଓ ୟୁରୋପକୁ ରପ୍ତାନୀ ପାଇଁ ଉଦ୍ୟମ ଚାଲିଛି। ମୟୂରଭଞ୍ଜ ଜିଲ୍ଲା ନଙ୍ଗଳକଟାର ସବାଇ ଘାସ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଓଏମ୍‍ବିଏଡିସି ସହାୟତାରେ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ନଙ୍ଗଳକଟା ଅଞ୍ଚଳର ୧୪ଟି ଗାଁର ୨୦୧ ଆଦିବାସୀ ମହିଳାଙ୍କ ସମେତ ଜିଲ୍ଲାର ଅନ୍ୟ ଆଦିବାସୀ ମହିଳା ଏଥିରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ଏ ବାବଦରେ ଓର୍‍ମାସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି; ସବାଇଘାସ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଆମେ ଏବେ ନ୍ୟାସ୍‍ନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଫ୍ୟାଶନ୍‍ ଟେକ୍ନୋଲୋଜି ସହ ଚୁକ୍ତି କରିଛୁ। ଯେଉଁମାନେ କି ସାଧାରଣ ଶିଳ୍ପୀର ସାମଗ୍ରୀକୁ ନୂଆ ରୂପ ଦେଉଛନ୍ତି। ଏବେ ଜିଲ୍ଲାରେ ପାଖାପାଖି ୭୦୦ରୁ ୮୦୦ ଆଦିବାସୀ ମହିଳା ଏହି କାମରେ ନିୟୋଜିତ ଅଛନ୍ତି। ଯେଉଁମାନେ କି ୪ଟି କ୍ଲଷ୍ଟରରେ କାମ କରୁଛନ୍ତି। କେବଳ ସବାଇ ଘାସ ସାମଗ୍ରୀ ବିକ୍ରି କରି ଏହି ମହିଳାମାନେ ବାର୍ଷିକ ୩ରୁ ୪ କୋଟି ଟଙ୍କା ଆୟ ମଧ୍ୟ କରୁଛନ୍ତି। ସବାଇ ଘାସ ସାମଗ୍ରୀର ବଜାର ଚାହିଦା ରହିଛି। ତେଣୁ ଆମେ ଏକ୍ସପୋର୍ଟ ଲାଇସେନ୍ସ ପାଇଁ ଚେଷ୍ଟା କରୁଛୁ। ଥରେ ଏହା ହେଲେ ମୟୂରଭଞ୍ଜର ସବାଇ ଘାସ ସାମଗ୍ରୀ ସିଧା ଆମେରିକା ଓ ୟୁରୋପ ବଜାରରେ ଉପଲବ୍ଧ ହେବ।

ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ସବାଇଘାସର ବାସ୍କେଟ, ଘର ସାଜସଜ୍ଜା ସାମଗ୍ରୀ, ଓ ମଶିଣା ଆଦି ସାମଗ୍ରୀର ପ୍ରଡକ୍ଟ ସାର୍ଟିଫିକେସନ୍‍ କାମ ଚାଲିଛି। ଏଥିପାଇଁ ଟ୍ରାଇଫେଡର ଏକ ଦଳ ନଙ୍ଗଳକଟା କ୍ଲଷ୍ଟର ଯାଇ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବୁଲି ଦେଖି ଆସିବା ସହ ଏହାର ଗୁଣାତ୍ମକମାନ ଯାଞ୍ଚ କରିଛନ୍ତି। ଥରେ ପ୍ରସ୍ତୁତ ପ୍ରଡକ୍ଟଗୁଡିକର କୋଡିଂ ହେବା ସହ ଏହାକୁ ସାର୍ଟିଫିକେସନ୍‍ ଦିଆଯିବା ପରେ ଏହାକୁ ଏକ ନିର୍ଦ୍ଦିଷ୍ଟ ଦରରେ ବିଭିନ୍ନ ସ୍ଥାନରେ ବିକ୍ରିବଟା କରାଯାଇ ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଓଏମ୍‍ବିଏଡିସିର ପ୍ରକଳ୍ପ ମୁଖ୍ୟ ଶ୍ୱେତା ମିଶ୍ର।

କରୋନା ଭଳି ମହାମାରୀ ବେଳେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ମହିଳା ନିଜର ପାରମ୍ପରିକ କୌଳିକ ବୃତ୍ତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ। ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ବ୍ଲକସ୍ତରରେ ୧୦ ଜଣଙ୍କୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କଲେ। ପରେ ଡିଆଇସି(ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରି ସେଣ୍ଟର) ସହାୟତାରେ ତାଲିମ ନେଇ ଏହି କାମକୁ ଆଗକୁ ବଢ଼଼ାଇଲେ। ୨୦୨୧ ଅଗଷ୍ଟ ମାସରୁ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଓଏମ୍‍ବିଏଡିସି କାର୍ଯ୍ୟକ୍ରମ ଦ୍ୱାରା ସଙ୍ଗଠିତ ହୋଇ ମୋଲୁଚାନ୍ଦ ଆର୍ଟିସାନ୍‍ ପ୍ରଡ୍ୟୁସର ଅର୍ଗାନାଇଜେସନ୍‍ ଗଠନ କଲେ। ଯେଉଁଥିରେ ବର୍ତ୍ତମାନ ରଙ୍ଗମାଠିଆ, ବଡଯୁଡ, ଗୋପାଳପୁର, ଝଡଜମଡା, ମଶିଣାକାଠି, ନଙ୍ଗଳକଟା, ଓରାଚାନ୍ଦବିଲା, ଶାଗବାଡିଆ, ତାସୋର୍ଡା, ମେଧାମାରି ଆଦି ଗାଁର ୨୦୧ ମହିଳା ଶିଳ୍ପୀମାନେ ଯୋଡି ହୋଇଛନ୍ତି। ପୂର୍ବରୁ ବର୍ଷକୁ ସବାଇ ଘାସରୁ ଶହେ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ ୫୦ ଜଣ ମାଷ୍ଟର କ୍ରାଫ୍ଟସ୍‍ମେନ୍‍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୦୦ରୁ ଅଧିମ ସାମଗ୍ରୀ ପ୍ରସ୍ତୁତ ହୋଇ ପାରୁଛି। ସେହିପରି ସାମଗ୍ରୀ ବିକ୍ରିକରି ଜଣପିଛା ମାସିକ ୧୫୦୦ରୁ ୨୦୦୦ ଟଙ୍କା ଆୟ କରୁଥିବା ମା’ମାନେ ଏବେ ୩୫୦୦ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରୁଛନ୍ତି।

‘କରୋନା ଭଳି ମହାମାରୀରେ ଯେତେବେଳେ କାମଧନ୍ଦା ନ ପାଇ ଆମେ ସବୁ ଘରେ ବସିଲୁ, ସେତେବେଳେ ଅବସର ସମୟରେ ସବାଇ ଘାସ ସମ୍ପର୍କରେ ଚିନ୍ତା କଲୁ। ଏହି ଘାସକୁ ଉପଯୋଗ କରି ଆଉ କେଉଁ ସାମଗ୍ରୀ କରିହେବ ତାହା ବି ଭାବିଲୁ। ଫଳସ୍ୱରୂପ ଆଜି ଆମେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ବଳ ଜୁଟାଇ ପାରିଛୁ’। ଗହଣା, ବାସ୍କେଟ, ଭେନିଟି ବ୍ୟାଗ୍‍, ମଶିଣା ଆଦିର ଆଦର ଗ୍ରାହକଙ୍କଠାରେ ବେଶୀ ବୋଲି କହନ୍ତି ନଙ୍ଗଳକଟା ସ୍ଥିତ ମୋଲୁଚାନ୍ଦ ଆର୍ଟିସାନ୍‍ ପ୍ରଡ୍ୟୁସର ଅର୍ଗାନାଇଜେସନ୍‍ର ସଭାପତି କୁନି ସିଂହ।

Leave A Reply

Your email address will not be published.