ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଦିମ ଜନଜାତି ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ସବାଇ ହସ୍ତଶିଳ୍ପ, ରାଜ୍ଯସରକାର ଯୋଗାଇ ଦେଇଛନ୍ତି ପ୍ରୋତ୍ସାହନ

ବାରିପଦା: ପଶ୍ଚିମବଙ୍ଗ ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଗଙ୍ଗାଷୋଳ ଗ୍ରାମରେ ବସବାସ କରୁଥିବା ଆଦିମ ଜନଜାତି ଲୋଧା ପରିବାରର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସବାଇ ହସ୍ତଶିଳ୍ପ। ସମାଜର ମୁଖ୍ୟ ସ୍ରୋତରେ ଏହି ଆଦିମ ଜନଜାତିଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଥିବା ସବାଇ ଘାସରୁ ପ୍ରସ୍ତୁତ ସୌଖୀନ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ବିଶେଷ କରି କରୋନା କଟକଣା ପାଇଁ ଲକଡ଼ାଉନ ସମୟରେ ରୋଜଗାର ଦେଇଛି।

ସମ୍ପୃକ୍ତ ଅଞ୍ଚଳରେ ସବାଇ ଘାସର ଉତ୍ପାଦନ ଅଧିକ ଥିବାରୁ ଏହାକୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଶିବଶକ୍ତି ମହିଳା ସଂୟସହାୟିକା ଗୋଷ୍ଠୀର ୨୫ଜଣ ଲୋଧା ମହିଳାଙ୍କୁ ଏଥିରେ ସାମିଲ ହୋଇଥିଲେ। ସମସ୍ତେ ବେଶ ଆଗ୍ରହର ସହିତ ତାଲିମ ନେଇ ବର୍ତ୍ତମାନ ସୌଖୀନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ସଦସ୍ୟା ମାଳତୀ ମଳିକ, ଦିପିକା ମଳିକ ଓ ଶକ୍ତୁନ୍ତଳା ମଳିକ କହିବାନୁସାରେ ସେମାନେ ଘରେ ବସି ସବାଇ ଘାସରୁ ଫୁଲଦାନୀ, ଫୁଲତୋଡ଼ା, ପା-ପୋଛ, ପେନଷ୍ଟାଣ୍ଡ, ଟୋପି, ଟୋକେଇ ଆଦି ଗୃହ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ନିର୍ମାଣ କରୁଛନ୍ତି। ଦୈନିକ ୪/୫ଘଣ୍ଟା ପରିଶ୍ରମରେ ୨୦୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଲୋଧା ଉନ୍ନୟନ ସଂସ୍ଥା ସେମାନଙ୍କୁ ଓରମାସ ଓ ଟିଡ଼ିସିସି ଦ୍ୱାରା ସହାୟତା ଯୋଗାଉଛି। ୨୫ଜଣ ମହିଳାଙ୍କୁ ଦେଖି ବର୍ତ୍ତମାନ ସେହି ଗ୍ରାମର ତଥା ଆଖପାଖ ଗ୍ରାମର ମହିଳା ମାନେ ଏପରି ସାମଗ୍ରୀ ପ୍ରସ୍ତୁତିରେ ସାମିଲ ହେଲେଣି।

ଓପିଲିପି ସଂଯୋଜିକା ମମତା ଗ୍ରହାଚାର୍ଯ୍ୟଙ୍କ କହିବାନୁସାରେ ଲକଡ଼ାଉନ ସମୟରେ ତାଲିମ କର୍ମଶାଳା ବନ୍ଦ ହେବାରୁ ଗଙ୍ଗାଶୋଳ ଗ୍ରାମରେ ପୁରୁଷ ମହିଳାମାନଙ୍କୁ ଆୟରୋଜଗାର ଯୋଜନା ଦ୍ୱାରା ଆର୍ଥିକ ସହାୟତା ଯୋଗାଇଥିଲୁ। ଯାହାକୁ ପୁଞ୍ଜି କରି ବର୍ତ୍ତମାନ ଗ୍ରାମର ଅନେକ ପରିବାର ସବାଇ ହସ୍ତଶିଳ୍ପ ଜରିଆରେ ରୋଜଗାର ପାଉଛନ୍ତି। ସେହିପରି ଲୋଧା ଉନ୍ନୟନ ସଂସ୍ଥାର ପରିଚାଳକ ଗୌରିଶଙ୍କର ହୋତା କହନ୍ତି ବଜାରରେ ବର୍ତ୍ତମାନ ସବାଇ ଘାସରୁ ପ୍ରସ୍ତୁତ ହସ୍ତଶିଳ୍ପ ସୌଖୀନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ବେକଳ ଜିଲ୍ଲା କି ରାଜ୍ୟ ନୁହେଁ ଦେଶ ତଥା ଦେଶ ବାହାରକୁ ଏହି ସାମଗ୍ରୀ ରପ୍ତାନୀ ହେଉଛି। ଲୋଧା ମା’ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ବେଶ ଲାଭଦାୟକ ହୋଇଛି। ବର୍ତ୍ତମାନ ତାଲିମ ପ୍ରାପ୍ତ ମା’ ମାନେ ଅନ୍ୟ ଅଞ୍ଚଳକୁ ମାଷ୍ଟର ଟ୍ରେନର ଭାବରେ ଯାଇ ସବାଇ ହସ୍ତଶିଳ୍ପର ତାଲିମ ଦେଉଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଆଦିବାସୀ ମେଳାକୁ ୪ଜଣ ମା’ ଯାଇ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରିବା ସହିତ ତିଆରି କୌଶଳ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ତେବେ ଆଗାମୀ ଦିନରେ ଅଧିକରୁ ଅଧିକ କର୍ମଶାଳା ଦ୍ୱାରା ବିଭିନ୍ନ ବର୍ଗର ଆଦିବାସୀ ଜାତି ଓ ଜନଜାତିର ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାର ଯୋଜନା ରହିଛି ବୋଲି ବାରିପଦା ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।

 

Leave A Reply

Your email address will not be published.