ଚଳନ୍ତା ଟ୍ରେନରେ ଶିଶୁ ପୁତ୍ରକୁ ଜନ୍ମଦେଲେ ମହିଳା : ୪୫ ମିନିଟ ପର୍ଯ୍ୟନ୍ତ ଅଟକି ରହିଲା କୋରାପୁଟ-ରାଉଲକେଲା ଏକ୍ସପ୍ରେସ୍

ବଲାଙ୍ଗିର: ପୁଅ ଟିଏ ପାଇଁ ଚାହିଁ ରହିଥିଲେ ସ୍ୱାମୀ ସ୍ତ୍ରୀ। ଦୁଇ ଝିଅ ଜନ୍ମ କଲା ପରେ ପୁଅ ଗୋଟିଏ ଆଶାରେ ଗର୍ଭଧାରଣ କରିଥିଲେ ସ୍ତ୍ରୀ। କିନ୍ତୁ ପୁଅ ଟ୍ରେନ୍‍ ଭିତରେ ଜନ୍ମ ହେବ କେହି କେବେ ସୁଦ୍ଧା ଭାବିନଥିଲେ। ଘଟଣାଟି ଅଜବ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲାରେ। ପ୍ରସବ ପରେ ଟ୍ରେନ୍‍ଟି ୪୫ ମିନିଟ୍‍ ଧରି ବଲାଙ୍ଗିର ରେଳଷ୍ଟେସନ୍‍ରେ ଅଟକି ରହିଥିଲା। ପ୍ରସବ କରିଥିବା ମହିଳା ଓ ଶିଶୁଙ୍କୁ ରାତିରେ ହିଁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟ ସୁସ୍ଥ ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବୁର୍ଲା ସହରର ଶଙ୍କର୍ଷଣ ପାତ୍ର ରାୟଗଡା ଜିଲ୍ଲାରେ ଏକ କମ୍ପାନୀରେ କାମ କରନ୍ତି। ସେଠାରେ ନିଜ ସ୍ତ୍ରୀ ଓ ଦୁଇ ଝିଅ ସହିତ ରହିଆସୁଛନ୍ତି। ତାଙ୍କ ସ୍ତ୍ରୀ କୁନି ପାତ୍ର ଗର୍ଭବତୀ ଥିବା ବେଳେ ପ୍ରସବ ସମୟ ପାଖେଇ ଆସିଥିଲା। ଫଳରେ ସେ ସେଠାରେ ଥିବା ଡାକ୍ତରଖାନାରେ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଗର୍ଭରେ କୌଣସି ସମସ୍ୟା ରହିଥିବାରୁ ବଡ଼ ମେଡିକାଲରେ ଚିକିତ୍ସା କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ନିଜେ ବୁର୍ଲା ସହରର ହୋଇଥିବା ବେଳେ ତାଙ୍କ ପରିବାର ଓ ସମ୍ପର୍କୀୟ ବୁର୍ଲାରେ ରହୁଛନ୍ତି। ସେଠାରେ ଥିବା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଡାକ୍ତରଖାନାରେ ସ୍ତ୍ରୀର ଚିକିତ୍ସା କରିବା ପାଇଁ ବୁଧବାର ରାତିରେ କୋରାପୁଟ-ରାଉଲକେଲା ଟ୍ରେନରେ ବାହାରିଥିଲେ।

ରାସ୍ତାରେ ସ୍ତ୍ରୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ସଇଁନ୍ତଲା ଷ୍ଟେସନ ଅତିକ୍ରମ କରିବା ପରେ କୁନିଙ୍କ ଟ୍ରେନ୍‍ ଭିତରେ ହିଁ ପ୍ରସବ ହୋଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏ ବିଷୟରେ ଆରପିଏଫ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଟ୍ରେନକୁ ବଲାଙ୍ଗିରରେ ଅଟକାଇ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମହିଳା ଓ ନବଜନ୍ମିତ ଶିଶୁକୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ କୁନିଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଶିଶୁକୁ ଏସଏନସିୟୁରେ ରଖାଯାଇଥିବା ଜଣାପଡିଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଲିଛି। ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଟ୍ରେନ ବଲାଙ୍ଗିରରେ ପାଖାପାଖି ୪୫ ମିନିଟ୍‍ ଅଟକି ରହିଥିଲା। ଆରପିଏଫର ଏହିଭଳି ଉଦ୍ୟମକୁ ପ୍ରଶଂସା କରାଯାଉଥିବା ବେଳେ ଶିଶୁପୁତ୍ର ପାଇ ଶଙ୍କର୍ଷଣ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି।

Leave a comment