ପରକୀୟା ପ୍ରୀତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ; ସ୍ୱାମୀ ଏବଂ ଶାଶୁଙ୍କୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିଲେ ମହିଳା

ନୂଆଦିଲ୍ଲୀ: ପରକୀୟା ପ୍ରୀତିର କରୁଣା ପରିଣତି । ସ୍ୱାମୀ ଥାଉ ଥାଉ ପର ପୁରୁଷର ପ୍ରେମରେ ପଡ଼ି ନିଜ ସ୍ୱାମୀ ଓ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି ଜଣେ ମହିଳା । ଖାଲି ହତ୍ୟା କରିନାହାଁନ୍ତି ବରଂ ଶବକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜ୍ରେ ରଖିଥିଲେ। ଆଉ ନିଜ ପ୍ରେମିକ ସହ ମିଶି ଶରୀର ଖଣ୍ଡକୁ ନିଜ ଘର ଠାରୁ ଦେଢ଼ଶହ କି.ମି ଦୂର ନେଇ ମେଘାଳୟର ଚେରାପୁଞ୍ଜିରେ ଫିଙ୍ଗିଥିଲେ। ତେବେ ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଆସାମ ଗୌହାଟୀର ନୁନ୍ମତି ଅଞ୍ଚଳରୁ ।
ସୂଚନା ଅନୁସାରେ, ଗୌହ୍ଵାଟୀର ବନ୍ଦନା କଲିତା ନିଜ ସ୍ୱାମୀ ଅମରଜ୍ୟୋତି ଏବଂ ଶାଶୁ ଶଙ୍କରୀଙ୍କୁ ପ୍ରେମିକ ସହିତ ମିଶି ହତ୍ୟା କରିଥିଲେ । ଆଉ ମାରିବା ପରେ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫ୍ରିଜରେ ରଖିଥିଲା। ଫ୍ରିଜରେ ୩ ଦିନ ପର୍ଯ୍ୟନ୍ତ ରଖିବା ପରେ କାର ଯୋଗେ ମେଘାଳୟକୁ ନେଇ ଅଲଗା ଅଲଗା ସ୍ଥାନରେ ପକାଇଥିଲା ।
ସ୍ୱାମୀ ଏବଂ ଶାଶୁ ନିଖୋଜ ହେବା ଘଟଣା ବିଷୟରେ ବନ୍ଦନା ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ପତ୍ନୀ ବନ୍ଦନାଙ୍କ ଅଭିଯୋଗର କିଛି ସମୟ ପରେ ଅମରଜ୍ୟୋତିଙ୍କ ଦାଦା ପୁଅ ଭାଇ ଥାନାରେ ଅଭିଯୋଗ କରିଥିଲେ। ଯାହାଫଳରେ ପୋଲିସ ଅମରଜ୍ୟୋତିଙ୍କ ପତ୍ନୀ ଉପରେ ସନ୍ଦେହ କରିଥିଲା । ଗୌହ୍ଵାଟୀର ଅଲଗା ଅଲଗା ଘରେ ଦୁହିଁଙ୍କର ହତ୍ୟା କରାଯାଇଥିଲା । ସ୍ୱାମୀ ଏବଂ ଶାଶୁଙ୍କୁ ମାରିବା ପରେ ଖଣ୍ଡ ଖଣ୍ଡ କରି ପଲିଥିନରେ ଭର୍ତ୍ତି କରିଥିଲେ ବନ୍ଦନା ଏବଂ ତାଙ୍କ ପ୍ରେମିକ । ଏହାକୁ ଫ୍ରିଜରେ ରଖିବା ପରେ କାରରେ ନେଇ ମେଘାଳୟର ବିଭିନ୍ନ ସ୍ଥାନରେ ପକାଇଥିଲେ । ପୋଲିସ ଏହାର କିଛି ସୁରାକ ନ ପାଉ ତେଣୁ ଏମିତି କାଣ୍ଡ ରଚିଥିଲେ ବନ୍ଦନା । ଏହି ହତ୍ୟାକାଣ୍ଡ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଘଟିଥିଲା । ହତ୍ୟା ପରେ ନିଜେ ବନ୍ଦନା ସେମାନଙ୍କ ନିଖୋଜ ସମ୍ପର୍କରେ ଏତଲା ଦେଇ ବାରମ୍ବାର ତଦନ୍ତ ସମ୍ପର୍କରେ ଦାବି କରିଥିଲା ।
ପୋଲିସ ଏବେ ଘଟଣାର ଯାଞ୍ଚ କରି ଶରୀରର କିଛି ଅଂଶ ପାଇଥିବା ବେଳେ ଅନ୍ୟ ଅଂଶ ପାଇଁ ସନ୍ଧାନ ଜାରି ରଖିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଶରୀର ଖଣ୍ଡ ଜବତ କରିଛି ।