ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ଶେଷ ହେଲା ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ କରାଯାଇଛି।  ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାର ଥିଲା। ୩୩ଟି କାର୍ଯ୍ୟ ଦିବସ ଥିବା ଏହି ଶୀତକାଳୀନ ଅଧିବେଶନରେ ମାତ୍ର  ୮ ଦିନ ଚାଲି ପାରିଲା ବିଧାନସଭା। ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ଧିବେଶନରେ ଚାଷ ଏବଂ ଚାଷୀ, ଆଇନ ଶୃଙ୍ଖଳା, ଠିକା ନିଯୁକ୍ତି, ଶିକ୍ଷକ ଆନ୍ଦୋଳନ ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା। ଅଧିବେଶନରେ ମୋଟ ୩ଟି ସରକାରୀ ବିଧେୟକ ପାରିତ ହୋଇଥିଲା। ଶେଷଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାରୀ ହିସାବ କମିଟି, ପ୍ରାକ୍-କଳନ କମିଟି, ବିଭାଗୀୟ ସ୍ଥାୟୀ କମିଟି(୧, ୨ ଓ ୪), ବିଜୁ ପଟ୍ଟନାୟକ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପରିଚାଳନା ବୋର୍ଡ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ପରିଚାଳନା ବୋର୍ଡ ପାଇଁ ସଦସ୍ୟଙ୍କ ନାମ ବାଚସ୍ପତି ଗୃହରେ ଘୋଷଣା କରିଥିଲେ।

ଶୀତ ଅଧିବେଶନଟି ନଭେମ୍ବର ୨୪ରୁ ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲେ ହେଁ ଗୃହରେ ଆଉ କୌଣସି ସରକାରୀ କାର୍ଯ୍ୟ ନ ଥିବା ହେତୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗୃହରେ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳର ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ ଓ ଭୂପିନ୍ଦର ସିଂ ପ୍ରମୁଖ ସମର୍ଥନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଗୃହକାର୍ଯ୍ୟରେ ଭାଗ ନେଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକାର୍ଯ୍ୟରେ ସହଯୋଗ କରିଥିବାରୁ ସରକାରୀ ଦଳ, ବିରୋଧୀ ଦଳର ସମସ୍ତ ସଦସ୍ୟ, ମନ୍ତ୍ରୀମଣ୍ଡଳ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇ ଆନୁଷ୍ଠାନିିକ ଭାବେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ବିଧାନସଭା ସଚିବାଳୟର ସୂଚନା ଅନୁଯାୟୀ ଚଳିତ ଅଧିବେଶନରେ ମୋଟ ୧୪ଟି ତାରକା ପ୍ରଶ୍ନ ଗୃହରେ ଆଲୋଚନା କରାଯାଇଥିବା ବେଳେ ୮୯୮ଟି ଅଣତାରକା ପ୍ରଶ୍ନ ନୋଟିସ୍ ଗ୍ରହଣ କରାଯାଇଥିଲା। ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିବା ବେଳେ ମୋଟ ୩୮ଟି କାଗଜ ଗୃହରେ ଉପସ୍ଥାପିତ ହୋଇଥିଲା। ସେହିପରି ୧୦ଟି ବାର୍ଷିକ ରିପୋର୍ଟ, ୨ଟି ବିବୃତି, ୩ଟି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା।

Leave A Reply

Your email address will not be published.