ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖସୁଛି ପାରଦ : ସତର୍କ କଲା ପାଣିପାଗ କେନ୍ଦ୍ର, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ତାପମାତ୍ରା ପୁଣି ନିମ୍ନଗାମୀ ହୋଇଛି। ଅନେକ ସ୍ଥାନରେ ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିଛି। ଏହି ସ୍ଥିତି କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ ଓ ଆସନ୍ତା ୨ ଦିନ ଧରି ୪ ଟି ଜିଲ୍ଲାରେ ପ୍ରବଳ ଶୀତର ସମ୍ଭାବନା ରହିଛି। ସୋମବାର ଝାରସୁଗୁଡ଼ା, ବରଗଡ଼଼, ସୁନ୍ଦରଗଡ଼଼, ବଲାଙ୍ଗୀରରେ ଶୀତ ଲହରୀ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲା ପାଇଁ ଶୀତ ଜନିତ ‘କୋଲ୍ଡ ୱେଭ୍‍’ ସ୍ଥିତି ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଥିବାରୁ ଜିଲ୍ଲାବାସୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜିବ ଦ୍ୱିବେଦୀ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗର ସ୍ଥିତି ନାହିଁ। ଏଥିପାଇଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ ଆସନ୍ତା ୨ ଦିନ ମଧ୍ୟରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ତେଣୁ ବିଭିନ୍ନ ସ୍ଥାନରେ ଶୀତ ଲହରି ପଡ଼ିବ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ୩.୪ ଡିଗ୍ରୀ ତାପମାତ୍ରା ତଳକୁୁ ଖସିଥିବା ବେଳେ ବାରିପଦାରେ ୨.୬ ଡିଗ୍ରୀ, ଭବାନୀପାଟଣାରେ ୨.୪ ଡିଗ୍ରୀ, ଚାନ୍ଦବାଲିରେ ୨.୧ ଭୁବନେଶ୍ୱର ଓ କଟକରେ ୧.୪ ଏବଂ ୧.୮ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ତାପମାତ୍ରା ହ୍ରାସ ଯୋଗୁଁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ତଳକୁ ଖସିଥିବା ବେଳେ ଦୁଇ ଦିନ ମଧ୍ୟରେ ଏହାର ବ୍ୟବଧାନ ଆହୁରି ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଏଠାରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି। ସେହିପରି କେନ୍ଦୁଝରରେ ୯.୬ ଡିଗ୍ରୀ ଥିବା ବେଳେ ମୋଟ୍‍ ୧୭ ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।

Leave A Reply

Your email address will not be published.