ପାଳିତା ମା’ର ଘର ପାଖ ଜଙ୍ଗଲରେ ରହିବ ଧୁଡୁ

କେନ୍ଦୁଝର/ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ପୁରୁଷୋତ୍ତମପୁର ଗାଁର ପାଳିତ ବାର୍‍ହା ‘ଧୁଡୁ’ର ଅବସ୍ଥା ଅନୁଧ୍ୟାନ କରିବା ପାଇଁ ୱାଇଲ୍ଡ ଲାଇଫ୍‍ ଟ୍ରଷ୍ଟ ଅଫ୍‍ ଇଣ୍ଡିଆର ସଦସ୍ୟମାନେ ଗୁରୁବାର ଦିନ ସେଠାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ପଶୁ ଚିକିତ୍ସା ଡାକ୍ତରୀ ଦଳ ମଧ୍ୟ ପୁରୁଷୋତ୍ତମପୁର ଗାଁରେ ପହଞ୍ଚି ଧୁଡୁର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଧୁଡୁ ପ୍ରାକୃତିକ ପରିବେଶ ମଧ୍ୟରେ ରହିବା ପାଇଁ ଘର ନିକଟରେ ଏକ ସେଡ୍‍ ତିଆରି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।

ଧୁଡୁର ପଛ ଗୋଡରେ ବଡ କ୍ଷତ ହୋଇନାହିଁ କିମ୍ବା ଗୋଡ ହାଡ ଭାଙ୍ଗି ନଥିବା କୁହାଯାଉଛି। ଧୁଡୁର ପାଳିତ ମା’ କୁନ୍ତଳା ପଣ୍ଠେଇ ତାକୁ ଖାଇବାକୁ ଦେଉଥିବାବେଳେ ବନବିଭାଗ ତରଫରୁ ମଧ୍ୟ ଧୁଡୁର ଖାଇବା ପିଇବା ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ସୂଚନା ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ଧୁଡୁକୁ କୁନ୍ତଳା ପେଣ୍ଠେଇ ଦୁଇବର୍ଷ ପୂର୍ବରୁ ଜାଳେଣି କାଠ ସଂଗ୍ରହ ସମୟରେ ଜଙ୍ଗଲରୁ ପାଇ ଘରକୁ ଆଣିବା ସହ ଲାଳନପାଳନ କରି ବଡ କରିଥିଲେ। ଜଙ୍ଗଲି ଜନ୍ତୁ ଘରେ ରଖିଥିବା ଖବର ପାଇ ସ୍ଥାନୀୟ ବନବିଭାଗ ବାର୍‍ହାଟିକୁ ନେଇ କମଳାଙ୍ଗୀ ଜଙ୍ଗଲରେ ଛାଡି ଦେଇଥିଲେ। କିନ୍ତୁ ବାର୍‍ହାଟି ବୁଧବାର ଦିନ ପୁନର୍ବାର ପୁରୁଷୋତ୍ତମପୁରକୁ ଫେରି ଆସିଛି। କିନ୍ତୁ ସେ ଚାଲିବା ବେଳେ ଛୋଟାଉ ଥିବା କାରଣରୁ ତା’ର ପଛ ଗୋଡରେ ଆଘାତ ଲାଗିଥିବା ଆଶଙ୍କା କରାଯାଉଥିଲା। ଏ ବାବଦରେ ‘ସକାଳ’ ରେ ବିସ୍ତୁତ ବିବରଣୀ ପ୍ରକାଶ ପାଇଥିଲା। ଏ ବାବଦରେ କେନ୍ଦୁଝର ଡିଏଫଓ ସ୍ୱୟମ୍‍ ମଲ୍ଲିକ୍‍ କହିଛନ୍ତି, ବାର୍‍ହାକୁ ଚିକିତ୍ସାପାଇଁ ଯାଇଥିବା ଟିମ୍‍ର ରିପୋର୍ଟ ଆସିନାହିଁ। ରିପୋର୍ଟ ମିଳିଲା ପରେ ତାକୁ କିପରି ପ୍ରାକୃତିକ ପରିବେଶ ମଧ୍ୟରେ ରଖାଯାଇପାରିବ ସେ ବାବଦରେ ଅନୁଧ୍ୟାନ କରାଯାଉଛି।

Leave a comment