ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲେ ଏଏସ୍ଆଇ ଗୋପାଳ ଦାସ ? କାଲି ବନ୍ଧୁକ ଇସ୍ୟୁ ଆଜି ଫାଇରିଂ, ବ୍ୟକ୍ତିଗତ ସ୍ୱାର୍ଥ ନା ଷଡ଼ଯନ୍ତ୍ର……..

ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଭୁବନେଶ୍ବର ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇଫ୍ ସପୋଟ୍ ସିଷ୍ଟମ ଭିତରେ ରଖାଯାଇ ମନ୍ତ୍ରୀ ନବ ଦାସଙ୍କ ଚିକିତ୍ସା କରାଯାଉଛି। ଆପୋଲୋ ହସ୍ପିଟାଲର ଡାକ୍ତରଙ୍କ ସହ ଭୁବନେଶ୍ବର ଏମସ୍ର ବରିଷ୍ଠ ଡାକ୍ତରମାନେ ମଧ୍ୟ ପହଞ୍ଜି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି।
ତେବେ ଏହାରି ମଧ୍ୟରେ ମନ୍ତ୍ରୀଙ୍କ କଣ ପାଇଁ ଗୁଳିମାଡ କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ଆଶ୍ଚର୍ଯ୍ୟ ଜନକକଥା ହେଉଛି ଖୋଦ୍ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ହିଁ ଗୁଳିମାଡ କରିଛି। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍ଆଇ ଭାବେ ନିଯୁକ୍ତି ପାଇଥିଲେ । ଏଏସ୍ଆଇ ନିଯୁକ୍ତି ପରେ ଝାରସୁଗୁଡ଼ାରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରିଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ।
ଅନ୍ୟପଟେ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ସେ କିଛି ଜାଣି ନାହାଁନ୍ତି । ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ଆସିଥିଲେ। ସେ ମାନସିକ ରୋଗର ଶିକାର ଥିଲେ।ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ସେଥିପାଇଁ ଔଷଧ ଖାଉଥିଲେ। ରକ୍ତଚାପ ପାଇଁ ମଧ୍ୟ ଔଷଧ ଖାଉଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।
ସେପଟେ ଗୋପାଳ ଦାସଙ୍କ ପୁଅ ମନୋଜ କୁମାର ଦାସ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମନୋଜ କହିଛନ୍ତି , ‘‘ଗୁଳିମାଡ଼ ସଂପର୍କରେ ଆମେ କିଛି ଜାଣି ନଥିଲୁ। ବାପା ପ୍ରାୟ ୮ ବର୍ଷ ହେଲା ମାନସିକ ରୋଗ ଚିକିତ୍ସା କରି ଔଷଧ ଖାଉଥିଲେ। ବ୍ରହ୍ମପୁରରୁ ଔଷଧ ପଠା ଯାଉଥିଲା। ତାଙ୍କ ଉପର ଅଫିସରଙ୍କୁ ଛୁଟିରେ ବାପାଙ୍କୁ ଛାଡ଼ିବାକୁ ନିଜେ ଯାଇ ଅନୁରୋଧ କରିଥିଲି। କୋଭିଡ ଓ ଓଭରଡ୍ୟୁଟି ଯୋଗୁଁ ଦୁଇ ବର୍ଷ ହେଲା ଡାକ୍ତରଙ୍କ ପାଖରେ ଚେକ୍ଅପ୍ ହୋଇପାରିନଥିଲା। ମେଡ଼ିସିନ ବଦଳାଇବାର ଥିଲା। ହେଲେ ଛୁଟି ସରିଯାଇଥିବାରୁ ଛୁଟି ଦିଆଯାଇପାରିବ ନାହିଁ ବୋଲି ଉପର ଅଧିକାରୀ କହିଥିଲେ।’
ସେହିଭଳି ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କ କହିବା ଅନୁଯାଇ ସେ ଜଣେ ମାନସିକ ରୋଗୀ ଥିଲେ। ଆଜକୁ ଆଠ ବର୍ଷ ପୂର୍ବେ ସେ ଚିକିତ୍ସିତ ହେଉଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସେ ଆଉ ମେଡିସିନ ନିୟମିତ ଖାଉନଥିଲେ। ବର୍ଷେ ପୂର୍ବେ କେବଳ ଗୋଟିଏ ଥର ଆସିଥିଲେ। ଆଜି ଟିଭିରେ ଫଟୋ ଦେଖିବା ପରେ ମୁହଁ ଚିହ୍ନି ପାରିଲି ବୋଲି ଡାକ୍ତର କହିଛନ୍ତି।
ମାନସିକ ରୋଗ ନେଇ ଗୋଟିଏ ପଟେ ସୂଚନା ଆସୁଥିଲେ ମଧ୍ୟ ଏହି ଘଟଣାକୁ ନେଇ ଆଉ ଗୋଟିଏ ରୋଚକ କଥା ସାମ୍ନାକୁ ଆସୁଛି କି ମନ୍ତ୍ରୀଙ୍କ ଗସ୍ତ ପାଇଁ ଗୋପାଳକୁ ବନ୍ଧୁକ ମିଳିଥିଲା। ତେବେ ଗତକାଲି ହିଁ ତାଙ୍କୁ ବନ୍ଧୁକ ଇସ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେବ ସେ ବନ୍ଧୁକ ପାଇଁ ଆବେଦନ କରୁଥିଲେ । ବିଭିନ୍ନ ସମୟରେ ତାଙ୍କୁ ସର୍ଭିସ ରିଭରଭଲ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ କହୁଥିଲେ ।
ସେପେଟ ଆଉ ଏକ ଘଟଣା ସାମ୍ନାକୁ ଆସିଛି କି ଆଜି ସକାଳେ ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ଏହି ସମୟରେ ଆଉ ଗୋଟିଏ କଲ୍ ଆସିବାରୁ ଅଚାନକ୍ କାମ ଅଛି କଲ୍ କାଟିବା କଥା ତାଙ୍କ ପତ୍ନୀ କହୁଥିବାରୁ କିଏ ସେହି ଲୋକ ଯିଏ କଲ୍ କରିଥିଲେ। ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଗତକାଲି ନବ ଦାସଙ୍କ ବିଜ୍ନେସ୍ ପାର୍ଟନର ସଞ୍ଜୟ ନନ୍ଦଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ସଞ୍ଜୟ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ସୂ କେହି ଦୁର୍ବୃତ୍ତ ସଞ୍ଜୟଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହିତ ହତ୍ୟା କରିବାକୁ ଧମକ ଦେଇଥିଲେ।
ସୂଚନାଯୋଗ୍ୟ, ସଞ୍ଜୟ ନନ୍ଦ ହେଉଛନ୍ତି ମା’ ତାରିଣୀ ଟ୍ରାନ୍ସପୋର୍ଟର ମାଲିକ। ଆଉ ନବ ଦାସଙ୍କର ଏଥିରେ ଶେଆର ରହିଛି। ଏହି ଘଟଣାକୁ ନେଇ ମଧ୍ୟ ଆଉ ଏକ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ସେଠାକୁ ଯାଇଛନ୍ତି।