ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯେଉଁଠି ଅପରାଜିତା; ସେଇଠି ବିବାଦ !

ଭୁବନେଶ୍ୱର : ବିଜେପି ସାଂସଦ ଅପରାଜିତା ଆଉ ବିବାଦ ଯେମିତି ଦୁଇଟି ପରିପୂରକ ଶବ୍ଦ। ଅପରାଜିତା ଯେଉଁଠିକୁ ଯାଉଛନ୍ତି ସେଇଠି ବିବାଦ ସୃଷ୍ଟି ହେବା ନିଶ୍ଚିତ। ମୟୂରଭଞ୍ଜ ହେଉ ବା କୋରାପୁଟ, ପାରାଦ୍ୱୀପ ହେଉ ବା ପୁରୀ ଯେଉଁଠିକୁ ଅପରାଜିତା ଯାଇଛନ୍ତି ସେଠି ବିବାଦ ସୃଷ୍ଟି ହୋଇଛି। ନିଜକୁ ଗଣମାଧ୍ୟମର ଶିରୋନାମାରେ ରଖିବା ପାଇଁ ସାଂସଦଙ୍କ ନାଟକକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଆଜି ତାରାତାରିଣୀ ଗସ୍ତ ସମୟରେ ଅନୁରୂପ ବିବାଦ ସୃଷ୍ଟି ହୋଇଛି। ଚାଲିଚାଲି ତାରାତାରିଣୀ ଦର୍ଶନ ନିମନ୍ତେ ଯାଇ ସମବେଦନା ସାଉଁଟିବାକୁ ଅପରାଜିତାଙ୍କ ଉଦ୍ୟମ ଶେଷରେ ପାଣିଚିଆ ପଡ଼ି ଯାଇଛି। ଜିଲ୍ଲା ପ୍ରଶାସନର ଟ୍ୱିଟ୍‍ ପରେ ଅପରାଜିତାଙ୍କ ନାଟକ ଉପରୁ ପର୍ଦ୍ଦା ଉଠିଛି। ମା’ ତାରାତାରିଣୀ ପୀଠର ରୂପାନ୍ତରଣ କାର୍ଯ୍ୟ ପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଏଥିନିମନ୍ତେ ପୂଜା, ହୋମ, ଯଜ୍ଞ ଆଦି ଚାଲିଛି ଏବଂ ଆଜି ଥିଲା ତାହାର ଶେଷ ଦିବସ।

ପ୍ରବଳ ଜନସମାଗମ ଦୃଷ୍ଟିରୁ ପାହାଡ଼ ଶୀର୍ଷରେ ଥିବା ମନ୍ଦିର ନିକଟକୁ ଅଧିକ ଗାଡ଼ି ମୋଟର ଯିବାକୁ ପ୍ରଶାସନ ଅନୁମତି ଦେଉନାହିଁ। ସାଂସଦ ଅପରାଜିତାଙ୍କ ସହ ତାଙ୍କ ସହଯୋଗୀମାନେ ଅନେକ ଗାଡ଼ିମୋଟର ଧରି ମନ୍ଦିର ପାଖକୁ ଯିବା ବେଳେ ସମସ୍ୟା ଆଶଙ୍କାରେ ପ୍ରଶାସନ ପକ୍ଷରୁ ୨ଟି ଗାଡ଼ି ନେଇ ଯିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ସାଂସଦ ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ଚାଲିଚାଲି ଯାଇ ଦେବୀ ଦର୍ଶନ କରିଥିଲେ। ଏହାକୁ ନେଇ ତାଙ୍କ ସମର୍ଥକମାନେ ପ୍ରଶାସନ ସାଂସଦଙ୍କୁ ଗାଡ଼ି ସହ ଯିବାକୁ ଅନୁମତି ଦେଇ ନ ଥିଲେ ବୋଲି ପ୍ରଚାର କରିଥିଲେ। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏ ସମ୍ପର୍କରେ ସ୍ପଷ୍ଟ ଭାବରେ କିଛି ଉଲ୍ଲେଖ ନ କରି ସେ ଚାଲିଚାଲି ଆସିବାକୁ ମା’ ବୋଧେ ଚାହୁଁଛନ୍ତି ବୋଲି କହିଥିଲେ ଓ ଏଥିପାଇଁ ସେ କାହାକୁ ଦୋଷ ଦେଉ ନାହାନ୍ତି ବୋଲି ମତ ଦେଇଥିଲେ। ମାତ୍ର ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ସ୍ପଷ୍ଟୀକରଣ ଦିଆଯାଇଥିଲା।

ଏପରିକି ସାଂସଦଙ୍କ ଗାଡ଼ି ଦୁଇଟି ମନ୍ଦିର ପରିସରରେ ଠିଆ ହୋଇଥିବା ଫଟୋକୁ ମଧ୍ୟ ପ୍ରଶାସନ ଟ୍ୱିଟ୍‍ରେ ସଂଲଗ୍ନ କରିଥିଲା। ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ଭୁବନେଶ୍ୱର ସାଂସଦଙ୍କୁ ଦୁଇଟି ଗାଡ଼ି ସହ ମନ୍ଦିର ନିକଟକୁ ଯିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ମନ୍ଦିର ପାଖକୁ ଗାଡ଼ିରେ ଯିବା ପାଇଁ ବାରଣ କରାଯାଇଥିବା ନେଇ ହେଉଥିବା ପ୍ରଚାର ନିରାଧାର ବୋଲି ପ୍ରଶାସନ ଉଲ୍ଲେଖ କରିଥିଲେ। କେବଳ ତାରାତାରିଣୀ ନୁହେଁ, ପୁରୀରେ ମଧ୍ୟ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରା କାଳରେ ଅନୁରୂପ ନାଟକ ସୃଷ୍ଟି ହୋଇଥିବା ଦେଖାଯାଇଛି। ଗାଡ଼ିରେ ଯିବା ପାଇଁ ପ୍ରଶାସନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେ ଚାଲିଚାଲି ଶ୍ରୀମନ୍ଦିର ନିକଟକୁ ଗଲେ, ମାତ୍ର ତାଙ୍କୁ ଗାଡ଼ିରେ ଯିବା ପାଇଁ ପ୍ରଶାସନ ବାରଣ କରିଥିଲା ବୋଲି ପାଲଟା ଅଭିଯୋଗ କରିଥିଲେ। ପୂର୍ବରୁ ବାରିପଦା, ପାରାଦ୍ୱୀପ ଓ କୋରାପୁଟରେ ମଧ୍ୟ ସାଂସଦଙ୍କ ଗସ୍ତକାଳରେ ଅନୁରୂପ ବିବାଦ ସୃଷ୍ଟି ହୋଇଥିଲା।

ଯେଉଁଥିପାଇଁ ଅପରାଜିତାଙ୍କ ଗସ୍ତ ଓ କାର୍ଯ୍ୟକ୍ରମରୁ ଦଳ ଓ ଦଳୀୟ ନେତା ନିଜକୁ ଦୂରେଇ ରଖୁଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ କିଛିମାସ ତଳେ କୋରାପୁଟ ଓ ରାୟଗଡ଼଼ା ଗସ୍ତରେ ଯାଇଥିବାବେଳେ ଦଳୀୟ ନେତାମାନଙ୍କୁ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିଲା। ପାରାଦ୍ୱୀପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀମତୀ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ମାତ୍ର ଏହି କାର୍ଯ୍ୟକ୍ରମକୁ ଯାଇଥିବା ନିର୍ଦ୍ଦିଷ୍ଟ କିଛି ଦଳୀୟ ନେତାଙ୍କୁ ଦଳ ପକ୍ଷରୁ ନିଲମ୍ବିତ କରାଯାଇଥିଲା। ନିକଟ ଅତୀତରେ ମୟୂରଭଞ୍ଜ ଗସ୍ତରେ ଯାଇଥିବାବେଳେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେଣୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଭୁବନେଶ୍ୱର ସାଂସଦ ନାଟକ କରୁଥିବା ନେଇ ଏବେ ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି। ଯାହା ଦଳର ସ୍ଥାନୀୟ ନେତା ଓ ଦଳ ପାଇଁ ସମସ୍ୟା ବଢ଼଼ାଉଛି ବୋଲି ଅନେକ ମତ ଦେଇଛନ୍ତି।

Leave A Reply

Your email address will not be published.