ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେବେ ଉଦ୍ଭାବନ ହେଲା ଅଲଟ୍ରାସାଉଣ୍ଡ ମେସିନ୍‌, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ….

ବିଜ୍ଞାନର ବିକାଶ ଘଟିବା ଯୋଗୁଁ ଆଧୁନିକ ଚିକିତ୍ସା କ୍ଷେତ୍ରରେ ବହୁଳ ଉନ୍ନତି ପରିଲକ୍ଷିତ ହୋଇଛି। ଅଲଟ୍ରାସାଉଣ୍ଡ ଯନ୍ତ୍ରର ଉଦ୍ଭାବନ ଏହାର ଏକ ଉଦାହରଣ ମାତ୍ର। ତ୍ରୁଟିଶୂନ୍ୟ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିବା ନିମନ୍ତେ ବଡ଼ ବଡ଼ ଡାକ୍ତରଖାନାରେ ଓ କ୍ଲିନିକ୍‌ଗୁଡ଼ିକରେ ଅଲ୍‌ଟ୍ରାସାଉଣ୍ଡ ଯନ୍ତ୍ର ରଖାଯାଇଛି। ଉଚ୍ଚ ଶକ୍ତି ସଂପନ୍ନ ଶବ୍ଦ ତରଙ୍ଗ ସାହାଯ୍ୟରେ ସୂକ୍ଷ୍ମ ଟିସୁ ଏବଂ ଶରୀର ଭିତରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଚିକିତ୍ସା ପାଇଁ ଅଲଟ୍ରାସାଉଣ୍ଡ ବ୍ୟବହାର କରାଯାଉଛି। ଏଥିରେ ଲାଗିଥିବା ମନିଟର୍‌ ଶରୀରର ଆଭ୍ୟନ୍ତରୀଣ ବିଭିନ୍ନ ଅଂଶକୁ ପରଦାରେ ଦେଖାଇ ଦେଇଥାଏ। ଯାହାଫଳରେ ଶରୀରର କେଉଁ ଅଂଶ ରୋଗାକ୍ରାନ୍ତ, ତାହା ସଜହରେ ଜାଣିହୁଏ ଏବଂ ଚିକିତ୍ସକ ଖୁବ୍ ଶୀଘ୍ର ରୋଗଟିକୁ ନିରୂପଣ କରିପାରନ୍ତି। ତଦନୁଯାୟୀ ଶୀଘ୍ର ଚିକିତ୍ସା ସମ୍ଭବ ହୁଏ।

ଏହି ଯନ୍ତ୍ରଟି ପ୍ରଥମେ ୧୯୫୦ ମସିହାରେ ଉଦ୍ଭାବନ ହୋଇଥିଲା। ମେଡିକାଲ୍‌ ସାଇନ୍ସରେ ଏଭଳି ସଫଳତା ସେତେବେଳେ ଚିକିତ୍ସକ ମହଲରେ ଖୁସିର ଲହରୀ ଖେଳାଇ ଦେଇଥିଲା। ରୋଗ ନିରୂପଣ କରିବା ଖୁବ୍ ସଜଜସାଧ୍ୟ ହେଲା। ତଳିପେଟ ରୋଗ, ସନ୍ତାନ ପ୍ରସବ ସମ୍ପର୍କିତ ରୋଗ, ସ୍ନାୟୁବିକ ରୋଗ, ହୃଦ୍‌ରୋଗ ଆଦି ସହଜରେ ଚିହ୍ନଟ କରାଯାଇ ପାରିଲା। ୧୯୭୦ ଦଶକ ପ୍ରାରମ୍ଭରେ ସାରା ବିଶ୍ବରେ ଯେତେବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଘଟିଲା, ସେତେବେଳେ ଏହି ଅଲଟ୍ରା ସାଉଣ୍ଡ ଯନ୍ତ୍ରରେ ଉନ୍ନତମାନର ଗ୍ରେ-ସ୍କେଲ୍‌ କାର୍ଯ୍ୟକାରୀ କରାଗଲା। ଯାହାଦ୍ବାରା ଚିକିତ୍ସକମାନେ ଶରୀରର ଆଭ୍ୟନ୍ତରୀଣ ଅଂଶଗୁଡ଼ିକୁ ଏହି ଯନ୍ତ୍ରଦ୍ବାରା ଅତି ସହଜରେ କମ୍ପ୍ୟୁଟର୍‌ ମନିଟର୍‌ ଉପର ଦେଖିପାରିଲେ। ୧୯୭୦ ଦଶକ ଶେଷ ଭାଗରେ ଅଲଟ୍ରାସାଉଣ୍ଡ ଯନ୍ତ୍ରରେ ଆହୁରି ଉନ୍ନତି ଦେଖାଗଲା। ଗର୍ଭାବସ୍ଥାରେ ସନ୍ତାନର ସଠିକ୍ ବୃଦ୍ଧି ନିରୂପଣ ଅଲଟ୍ରା ସାଉଣ୍ଡ ଯନ୍ତ୍ରର ଅନ୍ୟ ଏକ ଭିନ୍ନ ଦିଗ। ଶିଶୁଟିର ସ୍ଥିତି, ବିକାଶ, ଶରୀରର ଓଜନ, ଶରୀର ବୃଦ୍ଧି ଏବଂ ଲିଙ୍ଗ ନିରୂପଣ ମଧ୍ୟ ଏହି ଯନ୍ତ୍ର ଦ୍ବାରା ଅତି ସହଜରେ ହୋଇପାରିଲା। ଯାଆଁଳା ଶିଶୁର ନିରୂପଣ ମଧ୍ୟ ଏହି ଯନ୍ତ୍ରଦ୍ବାରା ସମ୍ଭବ ହୋଇପାରିଲା।

ସମୟକ୍ରମେ ହସ୍ପିଟାଲ୍‌, ନର୍ସିଂହୋମ୍‌, ହେଲଥ୍‌କେୟାର୍‌ ସେଣ୍ଟର୍‌ରେ ଅଲଟ୍ରାସାଉଣ୍ଡର ବହୁଳ ବ୍ୟବହାର ହେଲା। ଏପରିକି ସ୍ବତନ୍ତ୍ର ଭାବେ କେବଳ ଅଲଟ୍ରାସାଉଣ୍ଡ କ୍ଲିନିକ୍ ମଧ୍ୟ ରହିଲା। ଏହି ଯନ୍ତ୍ରଟି ବ୍ୟବହାର ପାଇଁ ବ୍ୟକ୍ତି ଗୋଟିଏ ବେଡ଼୍ ଉପରେ ଶୋଇରହେ। ଚିକିତ୍ସକ ଏହି ଅଲଟ୍ରାସାଉଣ୍ଡ ଯନ୍ତ୍ର ସହିତ ସଂଯୋଗ ହୋଇଥିବା ଅନ୍ୟ ଏକ ଛୋଟ ଯନ୍ତ୍ରଟି ଆଣି ଶରୀରର ଉପରି ଭାଗରେ ଚାଳନା କରିଥାନ୍ତି। ଏହାଫଳରେ ଛୋଟ ଯନ୍ତ୍ରଟି ଚାଳିତ ହେଉଥିବା ଅଂଶର ଫଟୋ କମ୍ପ୍ୟୁଟର ମନିଟରରେ ଦେଖାଯାଏ। ଏବେ ଏହି ଅଂଶକୁ ଦେଖି ସେ ସ୍ଥାନରେ ରୋଗ ଅଛି କି ନାହିଁ ତାହା ଚିକିତ୍ସକ ଜାଣି ପାରନ୍ତି। ମନିଟର ପରଦାରେ ଆବଶ୍ୟକୀୟ ମାପ ନେବା ପାଇଁ ଯନ୍ତ୍ରଟିରେ ଏକ ପ୍ରକାର ବୋର୍ଡ଼ ଖଞ୍ଜା ଯାଇଛି। କହିବାକୁ ଗଲେ, ଏହା ଦେଖିବାକୁ ଏକ ଛୋଟ କମ୍ପ୍ୟୁଟର ଭଳି। ଚିକିତ୍ସକ ଏହା ସାହାଯ୍ୟରେ ବିଭିନ୍ନ ମାପଚୁପ କରି ରୋଗ ବା ଗର୍ଭାବସ୍ଥାରେ ସନ୍ତାନର ସ୍ଥିତି ସଂପର୍କରେ ଜାଣିଥାନ୍ତି। ଆବଶ୍ୟକ ସ୍ଥଳେ ଚିକିତ୍ସକ ଆଭ୍ୟନ୍ତରୀଣ ଶରୀରର ରୋଗାକ୍ରାନ୍ତ ଅଂଶର ଫଟୋ ଉଠାଇ ପରୀକ୍ଷା ନିରୀକ୍ଷା କରିପାରନ୍ତି। ତେଣୁ ଅଲଟ୍ରାସାଉଣ୍ଡ ଯନ୍ତ୍ରଟିର ଉଦ୍ଭାବନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ ।

(ଡାକ୍ତର ପ୍ରଫୁଲ୍ଲ କୁମାର ଦାସ,କନସଲ୍‌ଟାଣ୍ଟ୍‌ ରେଡିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ)

Leave A Reply

Your email address will not be published.