ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆକାଶଛୁଆଁ ହେଉଛି ଗହମ ମୂଲ୍ୟ, ଆଗାମୀ ଦିନରେ ଅଟା ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ: ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ମଧ୍ୟରେ ଦେଶରେ ଅଟା କିଲୋ ୧୦୦୦ ଟଙ୍କା ଛଇଁଛି। ତେବେ ଭାରତରେ ଏପରି ସ୍ଥିତି ଉପୁଜିବ ନାହିଁ ତ, ସେ ନେଇ ଆଶଙ୍କା ପ୍ରକାଶ ପାଇଲାଣି। କାରଣ ଦେଶରେ ଏବେ ଗହମ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଘରୋଇ ବଜାରରେ ପୂର୍ବବର୍ଷ ତୁଳନାରେ ଗହମ ମୂଲ୍ୟ ୧୬% ବୃଦ୍ଧି ଘଟିଛି। ଏମିତିକି ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୩୦୦୦ ଟଙ୍କା ଉପରେ ପହଞ୍ଚିଲାଣି। ଯଦି ଏହା ହୁଏ ତେବେ ଆଗାମୀ ଦିନରେ ଅଟା ଦର ଆହୁରି ମହଙ୍ଗା ହେବ।

ଦେଶର ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସ୍ଥାନରେ ଗହମ କ୍ୱିଣ୍ଟାଲ ପିଛା ଦର ୩୦୦୦ ଟଙ୍କା ଅତିକ୍ରମ କରିଯାଇଛି। ଏହାର କାରଣ ହେଉଛି ପୂର୍ବ ଭାରତରେ ଖାଦ୍ୟ ଶସ୍ୟର ଅଭାବ। ଆହୁରିମଧ୍ୟ ବଜାର ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ଓଏମଏସଏସ (ଓପନ ମାର୍କେଟ ବିକ୍ରୟ ଯୋଜନା) ଅଧୀନରେ ଖୋଲା ବଜାରରେ ଗହମ ବିକ୍ରୟ ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେଇନାହାଁନ୍ତି, ଯାହାକି ଗହମ ମୂଲ୍ୟ ବୃଦ୍ଧିର ଅନ୍ୟତମ କାରଣ। ଏହି କାରଣରୁ ଗହମର ମୂଲ୍ୟ ପ୍ରତିଦିନ ନୂଆ ସ୍ତରରେ ପହଞ୍ଚୁଛି। ବର୍ତ୍ତମାନ ଖୋଲା ବଜାରରେ ଗହମ ନାହିଁ ବୋଲି ରୋଲର ଫ୍ଲୋର୍ ମିଲ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଆରଏଫଏମଏଫଆଇ)ର ସଭାପତି ପ୍ରମୋଦ କୁମାର ବିଶ୍ୱାସ କହିଛନ୍ତି। ପୂର୍ବ ଭାରତରେ ଗହମ ମଧ୍ୟ ଉପଲବ୍ଧ ନାହିଁ। ଯେହେତୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗହମ ଆବଣ୍ଟନ ବନ୍ଦ କରି ଦେଇଛନ୍ତି, ଖୋଲା ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଗହମର ମୂଲ୍ୟ ପ୍ରତିଦିନ ନୂଆ ରେକର୍ଡ ସ୍ତରରେ ପହଞ୍ଚୁଛି। ଏମିତିକି ଉତ୍ତର ପ୍ରଦେଶରେ ଗହମର ଅଭାବ ଦେଖାଦେଇଛି। ଏପରିକି ଦେଶରେ ଗହମର ବୃହତ୍‌ ଉତ୍ପାଦନକାରୀ ଭାବେ ଜଣାଶୁଣା ଉତ୍ତରପ୍ରଦେଶ ଏବେ ଗୁଜୁରାଟଠାରୁ ଗହମ କିଣିବ। ପରିସ୍ଥିତି ଏଭଳି ହୋଇଛି ଯେ, ଉତ୍ତରପ୍ରଦେଶରେ ଗହମର କ୍ୱିଣ୍ଟାଲ ପିଛା ଦର ୩୦୫୦ ଟଙ୍କାରେ ପହଞ୍ଚିଛି। ରାଜସ୍ଥାନରେ ଗହମ କ୍ୱିଣ୍ଟାଲ ପିଛା ୨୮୦୦ ଟଙ୍କାରେ ବିକ୍ରି ହେଉଛି।

କୃଷି ମନ୍ତ୍ରଣାଳୟର ଏକ ୟୁନିଟ୍ ଏଗ୍‌ ମାର୍କେଟର ତଥ୍ୟ ଅନୁଯାୟୀ ଜାନୁଆରୀ ୮ରେ ଗହମର ମୂଲ୍ୟ କ୍ୱିଣ୍ଟାଲ ପିଛା ୨୭୮୮ ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ପ୍ରାୟ ୨୦ ପ୍ରତିଶତ ଅଧିକ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଖୁଚୁରା ବଜାରରେ ଗହମର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୩୧.୧୭ ଟଙ୍କା, ଯାହା ପୂର୍ବ ବର୍ଷ ତୁଳନାରେ ୧୫.୭୬ ପ୍ରତିଶତ ଅଧିକ। ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୩ର ଖରିଫ ଋତୁ ପାଇଁ ଗହମର ସର୍ବନିମ୍ନ ସହାୟତା ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୧୨୫ ଟଙ୍କାକୁ ବୃଦ୍ଧି କରାଯାଇଛି।

ବାଣିଜ୍ୟ ବିଶ୍ଳେଷଣକାରୀଙ୍କ ଅନୁଯାୟୀ, ବିଶେଷକରି ଗହମ ଏବଂ ଚାଉଳ ଯୋଗାଣ କ୍ଷେତ୍ରରେ ସମସ୍ୟା ରହିଛି। ଏହି ପରିସ୍ଥିତି ଉତ୍ପାଦନ ଆକଳନ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରୁଛି। ଉଦାହରଣ ସ୍ୱରୂପ, ପଶ୍ଚିମବଙ୍ଗ ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ଲକ୍ଷ ଟନ୍ ଖାଦ୍ୟ ଶସ୍ୟ କ୍ରୟ କରିବାରେ ସକ୍ଷମ ହୋଇଛି। ଯୋଗାଣ ଅଭାବ ହେତୁ ରାଜ୍ୟ ୬୦ ଲକ୍ଷ ଟନ୍ ଖାଦ୍ୟ ଶସ୍ୟ କ୍ରୟ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିଫଳ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଗହମର ମୂଲ୍ୟ ଆସନ୍ତା ୧୫ ଦିନ ମଧ୍ୟରେ କ୍ୱିଣ୍ଟାଲ ପିଛା ୩୩୦୦ ଟଙ୍କାରେ ପହଞ୍ଚିପାରେ। ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭ ପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିପାରେ। କାରଣ ସେତେବେଳକୁ ଗୁଜୁରାଟରେ ଗହମର ନୂତନ ଫସଲ ବଜାରକୁ ଆସିଯାଇଥିବ। ଏହାଛଡା ଉତ୍ତରପ୍ରଦେଶ ଏବଂ ଅନ୍ୟ ଉତ୍ତର କ୍ଷେତ୍ରର ରାଜ୍ୟଗୁଡିକରେ ଗହମ ଫସଲ ମାର୍ଚ୍ଚ ଶେଷ ସୁଦ୍ଧା ଆସିବା ଆରମ୍ଭ ହେବ। ଏହି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କୁ କୋଟା ଷ୍ଟକରୁ ଓଏମଏସଏସ ଯୋଜନା ଅଧୀନରେ ଖାଦ୍ୟ ଶସ୍ୟ ବିକ୍ରି କରିବାକୁ ପଡିପାରେ।

Leave A Reply

Your email address will not be published.